Maheswar sahoo

Tragedy Inspirational

2.0  

Maheswar sahoo

Tragedy Inspirational

କୁକୁର ଭାରି ବିଶ୍ୱସ୍ଥ

କୁକୁର ଭାରି ବିଶ୍ୱସ୍ଥ

6 mins
576


ଲୋକଟିଏ ଦୁଇଟି କୁକୁର ପାଳିଥାଏ । ହେଲେ ସେମାନଙ୍କର ଚର୍ଚ୍ଚା ଠିକ ଭାବରେ କରୁନଥାଏ । ଯାହା ହେଲେବି ସେମାନେ ୟା ଘର ତା ଘର ହୋଇ ନିଜର ପେଟ ପୋଷି ଜୀବନ ନିର୍ବାହ କରନ୍ତି ।


ଥରେ ନିଜ ଘରେ ବଡ଼ ଭୋଜିର ଆୟୋଜନ ହୋଇଥାଏ । କୁକୁର ଦୁଇଟିର ଖୁସିର ସୀମା ନ ଥାଏ । ମନ ଭରି ସୁସ୍ୱାଦୁ ବ୍ୟଞ୍ଜନ ଖାଇବେ । ରୋଷେଇ ଠାରୁ ଏପଟ ସେପଟ ହେଉଥାନ୍ତି । ଆଃ କି ବାସ୍ନା । ଭାତ, ଖିରି, ପୁରୀ ଆଦି ନାନା ବ୍ୟଞ୍ଜନ ରୋଷେଇ ଚାଲିଥାଏ । ରୋଷେଇ ସରି ସରି ଆସୁଥାଏ କୁକୁର ଦୁଇଟିର ଖାଇବାର ଆଶା ଆହୁରି ବଢ଼ି ବଢି ଚାଲିଥାଏ । ଭୋକରେ ଆଉଟୁ ପାଉଟୁ ହେଉଥାନ୍ତି ଓ ରୋଷେଇ ଶାଳ ପାଖକୁ ଯାଇ ବୁଲି ଆସୁଥାନ୍ତି । କୁକୁର ଦୁଇଟିର ରୋଷେଇ ଶାଳା ପାଖକୁ ବାରମ୍ବାର ଯିବାରେ କ୍ରୋଦ୍ଧାନ୍ବିତ ହୋଇଯାଇଥିଲେ ଭୋଜି କରୁଥିବା ଲୋକର ପଡୋଶୀ ଜଣେ । ପାକଲା ବାଉଁସର ବାଡ଼ି ଆଣି କୁକୁର ଦୁଇଟିର ସର୍ବାଙ୍ଗ ଶରୀରକୁ ବାଡେଇ ଦେଇଥିଲେ । ପଡୋଶୀ ଜଣଙ୍କ ଭାରି ଚୋର ପ୍ରକୃତିର । ସେ ଯେତେବେଳେ ଲୋକଟିର ବାଡିରୁ କିଛି ଚୋରାଇ ନେବାକୁ ଇଛା କରେ କୁକୁର ଦୁଇଟି ବହୁତ ବାଧା ଦେଇଥାନ୍ତି । ସେଇ ରାଗ ସୁଜେଇବାକୁ ଯାଇ ପଡୋଶୀ ଜଣଙ୍କ କୁକୁର ଦୁଇଟିକୁ ବେଶ ବାଡେଇ ଦେଇଥିଲା । କାରଣ କୁକୁର ରୋଷେଇ ଘରକୁ ପଶିଗଲେ ଭୋଜନ ଅପବିତ୍ର ହେଇଯିବାର ଆଖ୍ୟା ଅଛି ପୁରାଣ ମାନଙ୍କରେ ।


   ପଡୋଶୀ ଜଣଙ୍କ ବହୁତ ଖୁସି ହୋଇ ଯାଇଥିଲା କାରଣ କୁକୁର ଦୁଇଟି ମାଡ଼ ଖାଇ ବାଡ଼ ମୂଳରେ ନିଜ କର୍ମକୁ ଆଦରି ବସି ରହିଲେ । ଅଷ୍ଟାଙ୍ଗ ଶରୀର ଜଳି ଯାଉଥାଏ ଯନ୍ତ୍ରଣାରେ । ବିଚରା କୁକୁର ଜାତି ବୁଝୁଛି କିଏ । ମଣିଷ ହେଇଛି ଯେ ନିଜ ସାଙ୍ଗ ସାଥି ଓ ବନ୍ଧୁ ବାନ୍ଧବ ମାନଙ୍କୁ ଡାକି ଲଢେଇ କରିବ । ପେଟ ପୋଡି ଯାଉଥାଏ ଏଣେ ଦେହର ଯନ୍ତ୍ରଣା ହେଲେ ବିଶ୍ୱାସ ଥାଏ ସୁସ୍ୱାଦୁ ଖାଦ୍ୟ ଖାଇବ ଏତେ ନ ହେଲେ ଅଇଁଠା କଇଁଠା ପତ୍ରରେ ଛାଡିଥିବା ଖାଦ୍ୟକୁ ଚାଟି ଖାଇ ନିଜର କ୍ଷୁଦା ମେଣ୍ଟେଇବାର ଆଶା ରଖିଥାନ୍ତି । ଏମିତି ଭାବି ହେଉଥାନ୍ତି ଓ ଯନ୍ତ୍ରଣାକୁ ନିଜ ହୃଦୟରେ ଚାପି ଧରି ଭୋଜନ ଖାଇବାର ଆଶା ଓ ଆକାଂକ୍ଷା ବାନ୍ଧି ଧରିଥାନ୍ତି ହୃଦୟରେ । କୁକୁର ଜାତି ତାଙ୍କୁ ବାଦ ହିଂସା କଣ ଜଣା ଯେ ସେ କାହାର ଚାଟୁ କଥା କି ଇର୍ଷା ଚୋରି ମନ ବୃତ୍ତିକୁ ବୁଝି ପାରିବେ । 


    ପଡୋଶୀ ଜଣଙ୍କ କୁକୁର ଦୁଇଟିକୁ ଭଲ ଭାବରେ ଉତ୍ତମ ମାଧ୍ୟମ ଦେଇ ସେଠାରୁ ତଡି ଦେଲେ । ଏବେ ତାଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ମିଳିଯାଇଥିଲା ଯେ କିଛି ନା କିଛି ସାମଗ୍ରୀ ନିଜ ଘରକୁ ବୋହି ନେବାର । ତେଣୁ ସେ ଲୁଚେଇ ଚୋରେଇ ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ଘରକୁ ବୋହି ନେବାରେ ଲାଗିଲା । ରୋଷେଇ ତେଲ, ଚାଉଳ, ପରିବା ଓ ଅନ୍ୟ ଦାମୀ ମସଲା ଘରକୁ ନେବାରେ ଲାଗିଲା । ଭୋଜିର କର୍ତ୍ତା ଶୁଣିବାକୁ ପାଇଲେ ଯେ ତା କୁକୁର ଦୁଇଜଣ ରୋଷେଇ ଶାଳ ପାଖରେ ଅନିଷ୍ଟ କରୁଛନ୍ତି । ଲୋକ ଜଣଙ୍କ ଏହି କଥା ଶୁଣି ବହୁତ ରାଗି ଗଲେ । ଏହି କୁକୁର ଦୁଇ ଜଣ ବହୁତ ମୁହଁ ବଢା ହେଇ ଗଲେଣି । ଏମାନଙ୍କୁ ଦାନା ଦେଇ ପୋଷିବାର ଅର୍ଥ ଅନର୍ଥର କାରଣ ଅଟେ । ଏଣୁ କର୍ତ୍ତା ଜଣଙ୍କ କୁକୁର ଦୁଇଟିକୁ ଖୋଜିବାରେ ଲାଗିଲେ । ବହୁତ ଡାକିଲେ ତପୁ ସିପୁ ଖାଇବ ଆସ । କୁକୁର ଦୁଇଟି ଶୁଣି ପାରିଲେ । ଚାଲିବାକୁ ବଳ ନ ଥାଏ ତଥାପି ଘୁଷୁରୀ ଘୁଷୁରୀ ଯିବାକୁ ଚେଷ୍ଟା କଲେ । କୁକୁର ଦୁଇଟିର ଗୋଡ଼ ଭିତରେ ଥିବା ହାଡରେ ମାଡ଼ ବାଜି ପୁରା ଫୁଲି ଯାଇଥାଏ । ଶରୀର ବେଦନା କାହାକୁ କହିବେ ବିଚରା ନିରୀହ ପଶୁ ଦୁଇଟି । ତଥାପି ଘୁଷୁରୀ ଘୁଷୁରୀ ଭୋ ଭୋ ହେଇ ବାଡ଼ ମୂଳରୁ ବାହାରି ଚାଲିଲେ ନିଜ ମାଲିକ ପାଖକୁ । ମନରେ ଆଶା ଓ ଭରଷା ଥାଏ ମାଲିକ ଆଜି ଭୋଜି ଦେଉଛନ୍ତି ନିଶ୍ଚୟ ଆମ ଭୋକା ପେଟରେ କିଛି ଦାନା ପଡିବ । ଏମିତି ଭାବି ସେମାନେ ପହଁଚିଲେ ମାଲିକ ପାଖରେ । 


   ଲୋକ ଜଣଙ୍କ ଆଗରୁତ କୁକୁରକୁ ଦାନା ଦେଇ ପୋଷିବାରେ କୁଣ୍ଠିତ ଥିଲେ । ହଠାତ କହି ପକେଇଲେ ବୁଲାଟିଆ କୁକୁରଙ୍କୁ ଦାନା ଦେଇ ରଖିଲେ ତାର ଫଳ ଏମିତି ମିଳେ । ଏମିତି କହି ହାତରେ ଗୋଟେ ମଜବୁତ ଲାଠି ଧରି ଦଉଡି ଆସିଲେ କୁକୁର ଦୁଇଟି ପାଖକୁ । ତାଙ୍କୁ ଏଇ କୁକୁର ଦୁଇ ଜଣଙ୍କ ଅବସ୍ଥା ଦେଖିବାର ସମୟ ନ ଥିଲା କାରଣ ପ୍ରଥମରୁ ଲୋକଙ୍କ କଥା ଶୁଣିଥିଲେ ଯେ ଏମାନେ ରୋଷେଇ ଶାଳା ପାଖରେ ନଟର ପଟର ହେଉଥିଲେ । ତେଣୁ ବିଚରା କୁକୁର ଦୁଇଟାଙ୍କୁ ରାଗ ଶାନ୍ତି ହେବା ଯାଏ ପିଟି ଚାଲିଲେ । କାଉଁ କାଉଁ ହେଇ ଗଡି ଯାଉଥାନ୍ତି । ଇଆଡ଼େ ନିସ୍ତୁକ ମାଡ଼ । ପେଟରେ ଭୋକ କୁ ଦେହରେ ମାଡ଼ । କିଏ ବା ସହିବ !ବେହୋସ ହୋଇ ଯାଇଥିଲେ କୁକୁର ଦୁଇଟି । ଲୋକ ଜଣଙ୍କ କୁକୁର ଦୁଇଟି ମରିଗଲେ ଭାବି ଆଉ ନ ପିଟି ଦୁଇଜଣ ଲୋକଙ୍କୁ କହିଲେ ଏଇ ଦୁଇଟାକୁ ନେଇ ପଡ଼ିଆରେ ଫିଙ୍ଗି ଦିଅ । କିଛି ଲୋକ ମିଶି କୁକୁର ଦୁଇଟାକୁ ନେଇ ପଡ଼ିଆରେ ଫିଙ୍ଗି ଦେଲେ । 


    ରୋଷେଇ ସରିଲା । ଆମନ୍ତ୍ରିତ ଲୋକ ମାନେ ଆସିଥାନ୍ତି ଭୋଜନ କରିବାକୁ । ଚାରିଆଡେ ଆଲୋକର ସଜାଣି ହୋଇଥାଏ । ପଡୋଶୀ ଜଣଙ୍କ ତାଙ୍କ କାମରେ ଲାଗିଥାନ୍ତା । ରୋଷେଇ ସମୟରେ ମସଲା ଓ ଅନ୍ୟ ସାମଗ୍ରୀ ବୋହି ନେଇଥିଲେ ଏବେ ରନ୍ଧା ଯାଇଥିବା ଖାଦ୍ୟ ବୋହିବା ଆରମ୍ଭ ହେଲା । ସେ ତ ପ୍ରଥମେ କୁକୁରକୁ ତାର ରାସ୍ତାର କଣ୍ଟା ଭାବି ନିଜେ ଉତ୍ତମ ମାଧ୍ୟମ ଦେଇଥିଲା । ପରେ କୁକୁରର ମାଲିକଙ୍କୁ ଏଆଡୁ ସିଆଡୁ କହି ପୁଣି ମରଣାତ୍ମକ ମାଡ଼ ଦେଇ ବେହୋସ କରେଇ ଦେଇଥିଲା । ଏବେ ତାର କଣ୍ଟା ବୋଲି କେହି ନାହାନ୍ତି । ଯାହା ଚାହିଁବ ନେଇ ପାରିବ । 

 

   ଏଣେ କୁକୁର ଦୁଇଟି ପଡ଼ିଆରେ ପଡ଼ିଥାନ୍ତି । ରକ୍ତାକ୍ତ ଶରୀର । ତପୁର ହୋସ ଫେରିଲା ଆଉ ସେ ଦେଖିଲା ସିପୁ ମଧ୍ୟ ତା ପାଖରେ ପଡିଛି । ସେ ଧୀରେ ଧୀରେ ଉଠିବାକୁ ଚେଷ୍ଟା କଲା । ସିପୁ ତାର ପିଲା ଦିନର ସାଙ୍ଗ । ସେ ମରିଗଲେ ତପୁ ବଞ୍ଚି ପାରିବ ନାହିଁ । ଘୁଷୁରୀ ଘୁଷୁରୀ ଯାଇ ସିପୁ ପାଖରେ ପହଞ୍ଚିଲା । ସିପୁର କାନ ପାଖରେ ଭୋ ଭୋ ହୋଇ କିଛି କହିବାକୁ ଲାଗିଲା । ଭଗବାନ ତପୁର ଡାକ ଶୁଣିଲେ ଆଉ ସିପୁର ହୋସ ହୋସ ଟିକେ ଆସିଲା । ସିପୁର ହୋସ ଆସିଲା ପରେ ଦୁହେଁ ଟିକେ ଦେହ ଲଗା ଲଗି ହେଲେ । ମୁହଁ ଲଗା ଲଗି ହେଲେ । କାମୁଡ଼ା କାମୁଡି ମଧ୍ୟ ହେଲେ । କିଛି ସମୟ ପରେ ଦୁଇଜଣଙ୍କ ଦେହରେ ଟିକେ ବଳ ଆସିଲା । ଦୁହେଁ ମନେ ପକେଇଲେ ତାଙ୍କ ମାଲିକର ଆଜି ଭୋଜି ହେଉଥିଲା । ହଁ ଯେ ହେଲେ ରାତି ଏତେ ହେଲାଣି କାଳେ ସରି ଯାଇଥିବ । ହଉ ସରିଲେ ସାରିଯାଉ ହେଲେ ଅଇଁଠା ପତ୍ର ଯାକ ଚାଟି ଦେଲେ ପେଟ ପୁରିଯିବ । ଯାହା ହେଉ ଦୁଇଜଣ ନିଜ ହୃଦୟରେ ଦମ୍ଭ ଓ ଶରୀରରେ ବଳ ହାସଲ କରି ଉଠି ପଡିଲେ । ଏକ ମୁହଁରେ ଧୀରେ ଧୀରେ ଚାଲିଲେ ମାଲିକ ଘର ପାଖକୁ । ଏଁ ମାଲିକ ଘରତ ସବୁ ଶୋଇଲେଣି ବୋଧେ । କେହି ବି ଲୋକ ଦେଖା ଯାଉ ନାଁହାନ୍ତି । ଖାଇବା ପତ୍ର ଗଦା ପାଖକୁ ଯାଇ ଦେଖିଲେ ଦଶ ବାରଟା ବୁଲା କୁକୁର ପତ୍ର ଗୁଡାକୁ ଚାଟି ଚାଟି ସବୁ ଖାଲି କରି ସାରିଛନ୍ତି । ଖାଇବେ କଣ ? ଅଥଚ ତପୁ ସିପୁ ଦୁଇଜଣ ବହୁତ ସାହସୀ । ଏମାନଙ୍କୁ ଦେଖି ବୁଲା କୁକୁର କିଏ କୁଆଡେ ଦଉଡି ପଳାଇ ଗଲେ । କାରଣ କୁକୁର ନିଜ ଗଳିରେ ସିଂହ ଭଳି ହୋଇଥାଏ । ତପୁ ଆଉ ସିପୁର ଗର୍ଜନ ଦେଖି ଅନ୍ୟ କୁକୁର ମାନେ ମଧ୍ୟ ଭୟ କରି ଜାଗା ଛାଡି ଚାଲି ଯାଇଥିଲେ ।


    ତପୁ ଓ ସିପୁ ମନ ଦୁଃଖରେ ଧୀରେ ଧୀରେ ଚାଲିଲେ ରୋଷେଇ ଶାଳ ପାଖକୁ ଯଉଁଠି ରୋଷେଇ ହେଉଥିଲା ଭୋଜି ପାଇଁ । କାରଣ ସେଇ ଜାଗାରେ ଥରେ ମାଡ଼ ଖାଇଛନ୍ତି । ପୁଣି ଥରେ ଯିବା ପାଇଁ ଛାତି ଥରୁଥାଏ । ସବୁ ତ ଶୋଇଯାଇଛନ୍ତି ଏବେ ଦେଖିବାକୁ କିଏ ଅଛି ଯେ ଭାବି ଆଗକୁ ଆଗକୁ ଧୀରେ ଧୀରେ ଚାଲିବାକୁ ଲାଗିଲେ । କିଛି ବାଟ ଯାଇଛନ୍ତି କିଛି ଖଡ଼ ଖାଡ଼ ଶବ୍ଦ ଶୁଣା ଗଲା । ଦୁହେଁ ଅଟକି ଯାଇଥିଲେ ଆଉ ଦେଖିବାକୁ ପାଇଲେ ସେଇ ପଡୋଶୀ ଜଣଙ୍କ କିଛି ଗୋଟେଇବାରେ ଲାଗିଛନ୍ତି । କୁକୁର ଜାତି ଯାହା ଠାରୁ ଥରେ ମାଡ଼ ଖାଆନ୍ତି ସେମାନେ ମରିବା ଯାଏ ଆଉ ତା ପାଖରୁ ମାଡ଼ ଖାଇବା ଭଳି କାର୍ଯ୍ୟ କରନ୍ତି ନାହିଁ । ଅର୍ଥାତ ଦୁରେଇ ରୁହନ୍ତି ସେଇ ଲୋକଙ୍କ ଠାରୁ । ଏମାନେତ ଭୋକା ପେଟ । ତଥାପି ପଡୋଶୀ ଠାରୁ ଦୂରେଇ ରହିଭୋକିବାରେ ଲାଗିଲେ ନିଜ ବଳ ମୁତାବକ । କୁକୁର ଦୁଇଜଣଙ୍କ ଭୋକିବା ଶବ୍ଦ ଶୁଣି ଲୋକ ଜଣଙ୍କ ବାହାରକୁ ଉଠି ଦେଖିଲେ କୁକୁର ଦୁଇଟା ମରି ନାଁହାନ୍ତି । ଏଥର ଆହୁରି ରାଗରେ ଜଳି ଯାଇଥିଲେ ଲୋକ ଜଣଙ୍କ । ୟେ କୁକୁର ଦୁଇଟା ପାଗଳ ହେଇଗଲେଣି । ଏମାନଙ୍କୁ ଏମିତି ମାରିଲେ ହେବ ନାହିଁ । ଖାଦ୍ୟରେ ବିଷ ଦେଇ ମାରିଦେଲେ ଯିବ । ଏମିତି ଭାବି ବଳକା ଖାଦ୍ୟରୁ କିଛି ଆଣି ସେଥିରେ ବିଷ ମିଶେଇ ଦେଇ ଦେବାକୁ ଚିନ୍ତା କଲେ । ସାଧାରଣତଃ କୌଣସି ଲୋକ ବିଷ ହେଉକି ଜହର ବିଲ ବାଡ଼ିରେ ଦେବାକୁ ବ୍ୟବହାର କରନ୍ତି । ଆଉ ସେଇ ବିଷକୁ ସେମାନେ ବାଡ଼ି ପାଖରେ ସାଇତି ରଖନ୍ତି । ଯେମିତି ଛୋଟ ପିଲା ନ ଧରନ୍ତୁ କି ଛୁଅନ୍ତୁ । ଲୋକଟି ମଧ୍ୟ ସେମିତି କରିଥିଲା । ସେ ବିଷ ବୋତଲ ଟା ବାଡ଼ି ପାଖରୁ ଆଣିବାକୁ ଗଲା ବେଳକୁ ପଡୋଶୀ ଜଣଙ୍କ ସେଇ ବାଡ଼ି ପାଖରେ ଲୁଚି ରହିଥିଲା । ଧରା ପଡିଯିବା ଭୟରେ ଦେଲା ଗୋଟେ ପାହାର ମୁଣ୍ଡକୁ । ଏହି ସୁଯୋଗରେ ପଡୋଶୀ ଜଣଙ୍କ ଉପରେ କୁକୁର ଦୁଇଟା ନିଜ ଜୀବନକୁ ପଛରେ ପକାଇ ଝାମ୍ପି ପଡ଼ିଥିଲେ । ସେତେବେଳେ କୁକୁର ଦୁଇଟିର ଜୀବନ ମାଲିକ ଜୀବନ ସାମ୍ନାରେ ତୁଚ୍ଛ ହେୟ ଥିଲା । ରାମ୍ପୁଡି କାମ୍ପୁଡି କ୍ଷତ ବିକ୍ଷତ କରି ପକେଇଥିଲେ ଦେହ ସାରା । ଲୋକ ଜଣକ ଚିତ୍କାର ଶବ୍ଦ ପାଇ ନିଜ ଘର ଲୋକ ସହିତ ଅନ୍ୟ ପଡୋଶୀ ମାନେ ଆସି ହାଜର ହୋଇ ଯାଇଥିଲେ । ସେମାନେ ଦେଖିଲେ ଯେ ଲୋକଟିର ମୁଣ୍ଡ ଫାଟି ଯାଇ ରକ୍ତାକ୍ତ ଅବସ୍ଥାରେ ଛାଟି ପିଟି ହେଉଛି । କୁକୁର ଦୁଇଟି ଚୋରକୁ ଗଡେଇ ପଡ଼େଇ କାମୁଡିବାରେ ଲାଗିଛନ୍ତି । ଚୋରକୁ ଧରିବାକୁ ଯାଇ ଲୋକେ ଜାଣିଲେ ଯେ ସେ ଚୋର ହେଉଛି ନିଜ ପଡୋଶୀ । ଯିଏକି ରାତିରେ ବାଡ଼ିରେ ପଶି ଚୋରି କରୁଥିଲା । ଲୋକ ଜଣକୁ ଡାକ୍ତର ଖାନା ନିଆ ଯାଇଥିଲା । ଆଉ ସେ ଭଲ ହେଇ ଆସିଲା ପରେ ଚୋର ଯିଏ କି ନିଜ ପଡୋଶୀ ପାଖରୁ ସତ୍ୟ ଘଟଣା ଶୁଣିବାକୁ ପାଇଲେ ଯେ କୁକୁର ଦୁଇଟି ଲୋକଟିର କେମିତି ଉପକାର କରିବାକୁ ଚାଁହୁଥିଲେ । ଆଉ ସେ କେମିତି କୁକୁରକୁ ନିଜ ବାଟର କଣ୍ଟା ଭାବି ହଟେଇବାକୁ ଚାହିଁଥିଲା ସବୁ ଜଣେଇ ନିଜ ଦୋଷ ସ୍ୱୀକାର କରିଥିଲା । 

  

  ଲୋକଟି ଏବେ ଜାଣି ପାରିଲା ଯଦି ଗୋଟେ କୁକୁରକୁ ଆମେ ଥରେ ମାତ୍ର ଖାଇବାକୁ ଦେଇଥିବା ତେବେ ସେ ଜୀବନ ସାରା ନିଜ ଜୀବନର ସୁରକ୍ଷା ପାଇଁ ଚେଷ୍ଟା କରିବ ହେଲେ ଜଣେ ମଣିଷକୁ ଯଦି ବର୍ଷ ବର୍ଷ ଖାଇବାକୁ ଦେବା ତେବେ ସେ ବେଳ ପଡିଲେ ଗୋଟେ ଦିନରେ ଭୁଲି ଯାଇ ନିଜ ରକ୍ତ ବୁହାଇବାକୁ ପଛେଇବ ନାହିଁ ।

 ******


Rate this content
Log in

Similar oriya story from Tragedy