କରୋନା ସହିତ ମିନିର ଯୁଦ୍ଧ
କରୋନା ସହିତ ମିନିର ଯୁଦ୍ଧ


ଗତ ଆଠଦିନ ଧରି ରାକେଶ ବାବୁଙ୍କ ଚାରି ବର୍ଷର ଝିଅ ମିନି, ହାତରେ ବାଢ଼ି ଖଣ୍ଡେ ଧରି ଘରେ ଏବଂ ଆଗପଟ ଅଗଣାରେ ଖୋଜି ବୁଲୁଚି "କୋଲୋନା"କୁ ପିଟିବ ବୋଲି।ଆଖିରେ ଆଖିଏ ଲୁହ। ବେଳେବେଳେ ଫ୍ରକ୍ ରେ ଆଖିର ଲୁହ ସହିତ ମିଶିଥିବା ନାକରପାଣିକୁ ପୋଛି ପକେଇ ଚିଲ୍ଲଉଚି..କୋଉଠି ଲୁଚିଚୁ ଗନ୍ଦା କଲୋନା?ଆ ମୋ ଆଗୁକୁ ଆ,ତତେ ପିଟିକି ସାବାଦ୍ କଲିଦେବି,ଆଲେ ମତେ ଚିହ୍ନିଚୁ?
"କଲୋନା" ଉପରେ ମିନିର ଭାରି ରାଗ।"କଲୋନା" ଯୋଗୁଁ ତା ବାପା ଗୋଟିଏ ରୁମ୍ ଭିତରେ ବନ୍ଦ୍ ହେଇ ରହିଛନ୍ତି।ବାପା ଖୁଆଇ ନଦେଲେ ପାଟିକୁ ତାର ଖାଦ୍ୟ ଯାଏନି। ଗାଧୁଆ ଠାରୁ ଆରମ୍ଭ କରି ଡ୍ରେସ୍ ପିନ୍ଧେଇଦବା,ଦୁଧ ପିଆଇଦେବା,ଖାନା ଖୁଆଇ ଦେବା..ସବୁ କାମରେ ତା'ର ବାବା ଲୋଡା।ଅଥଚ ଆଜି କଲୋନା ଯୋଗୁଁ ବାବା ଗୋଟିଏ ରୁମ୍ ଭିତରେ ଲୁଚିକି ବସିଚନ୍ତି !! କେଡେ ସାହସ କଲୋନାର!!ମୋ ସାଙ୍ଗରେ ପାରିବ ସିଏ?ମିନି ପୁଣି ଚିଲ୍ଲେଇଲା...ଆ କଲୋନା ତତେ ପିଟିକି ସାବାଡ କରି ଦେବି।
ମିନି ଭାବିଥିଲା କରୋନା ଗୋଟିଏ ବିରାଡି ବା କୁକୁର ପରି ଜନ୍ତୁ ହୋଇଥିବା,ଡାକଦେଲେ ଲଢେଇ କରିବାକୁ ଚାଲି ଆସିବ। ମିନିର ଏ ଆହ୍ବାନ ଦେଖି ଯେତିକି ହସ ଲାଗୁଥିଲା, ତା'ବିପରିତ ଶହେ ଗୁଣ ଅଧିକ ଦୁଃଖ ଲାଗୁଥିଲା।
ଝିଅକୁ ଏଭଳି ଦେଖି ମାଆ ସୁନିତା ଆଖି କୋଣରେ ଆଖିଏ ଲୁହ ଧରି ଦାଣ୍ଡ ଦୁଆରେ ଠିଆ ହୋଇଥାନ୍ତି।ଗତ ଦଶଦିନ ଧରି ମିନି ନାକେଦମ କରି ସାରିଲାଣି ତାଙ୍କୁ।ପାଖ ରୁମରେ କ୍ବାରାଣ୍ଟାଇନରେ ରହିଛନ୍ତି ସ୍ବାମୀ ରାକେଶ।ଟାଇଫଏଡ ଜର ପାଇଁ ରକ୍ତ ପରୀକ୍ଷା କରୁ କରୁ କରୋନା ପଜିଟିଭ୍ ବାହାରିଛି। ଷ୍ଟେଟବ୍ୟାଙ୍କ ଅଫିସର ସେ,ଖାତାଧାରୀମାନଙ୍କ ସହିତ ମିଳାମିଶା ଯୋଗୁଁ ବୋଧହୁଏ କେଉଁ ଠାରୁ ଏହି ସଂକ୍ରମଣ ହୋଇଛି,ଅଥଚ ସେ ଯେତେ ସାବଧାନତା ଅବଲମ୍ବନ କରୁଥିଲେ ଏଭଳି କ୍ଵଚିତ ଲୋକ କରିଥାନ୍ତି। ସ୍ବାମୀ-ସ୍ତ୍ରୀ ଏବଂ କୁନି ଝିଅ ମିନିକୁ ନେଇ ତାଙ୍କ ଛୋଟ ସୁଖର ସଂସାର ଉପରେ କରୋନାର ବକ୍ରଦୃଷ୍ଟି ପଡ଼ିଛି।
ରାକେଶ ବାବୁ କ୍ବାରାଣ୍ଟାଇନରେ ରହୁଥିବା ରୁମ ଭିତରେ ସଂଯୁକ୍ତ ଗାଧୁଆଘର ଓ ପାଇଖାନା ଘର ରହିଛି।ତେଣୁ ଗତ ଦଶଦିନ ଧରି ସେହି କୋଠରି ଭିତରେ ନିଜକୁ ବନ୍ଦ କରି ରଖିଛନ୍ତି ରାକେଶ ବାବୁ। ରୋଷେଇ ସରିବାପରେ ସୁନିତା ଖାଦ୍ୟପେୟ କବାଟ ଫାଙ୍କରେ ଘର ଭିତରକୁ ଠେଲି ଦିଅନ୍ତି।କବାଟ ଖୋଲିବା ସମୟରେ ମିନିକୁ ସମ୍ଭାଳିବା କାଠିକର ପାଠ। ରାକେଶ ବାବୁ ଖାଇସାରି ନିଜ ବାସନ କୁସନ ନିଜେ ସଫାକରି କବାଟ ଫାଙ୍କରେ ଠେଲି ଦିଅନ୍ତି ବାହାରକୁ।ସେ ବାସନ ପୁଣି ଆଉଥରେ ଗରମ ପାଣିରେ ଧୁଅନ୍ତି ସୁନିତା।
ଗରମ ପାଣିରେ ବାସନ ଧୋଇବା ବେଳେ ମିନିର ପ୍ରଶ୍ନ.. କାହିଁକି ବାବାଙ୍କ ବାସନ 'ଗଲମ ପାନି'ରେ ଧୋଉଚୁ ମାମା?
ସୁନିତା କହନ୍ତି.."କଲୋନା" ଅଛି ତ, ସେଥିପାଇଁ।
ମିନି ତା ବାଡିରେ ଦି'ଚାରି ପାହାର ବାସନକୁ ପିଟି ଦେଇ କହେ.. ଯାଃ କଲୋନା,ଯା।
ସୁନିତାଙ୍କର ବଡ଼ ଚିନ୍ତା ମିନି ପାଇଁ ଏବଂ ଉପର ଘରେ ରହୁଥିବା ଘରବାଲା ମଉସା ମାଉସୀଙ୍କ ପାଇଁ।ମଉସାଙ୍କ ବୟସ ଅଶି ବର୍ଷ ଏବଂ ମାଉସୀଙ୍କ ବୟସ ସତୁରୀ ପାଖାପାଖି। ପିଲାମାନେ ରହନ୍ତି ଭୁବନେଶ୍ଵରରେ। କିଛି ଯଦି ହୁଏ ମଉସା ମାଉସୀଙ୍କର,ନିଜକୁ କ୍ଷମା କରିପାରିବେନି ସେ। ସେଥିପାଇଁ ମିନିକୁ ଉପର ଘରକୁ ଯିବାକୁ ମନା କରି ଦେଇଛନ୍ତି ସୁନିତା।
ମିନିର କିନ୍ତୁ ଉପର ଘର ଅଜା ଆଈ ବଡ଼ ସାଙ୍ଗ।ଦିନକୁ ଦଶଥର ତାଙ୍କ ଘରକୁ ସେ ଯାଏ।ସକାଳୁ ଉଠିଲେ ଆଈ ଘରକୁ ଯିବାଟା ନିଶ୍ଚିତ,ନହେଲେ ଖିର ହଜମ ହୁଏନି ମିନିର। କିନ୍ତୁ "କୋଲୋନା" ଘରକୁ ଆସିବା ପରଠାରୁ ଉପର ଘର ଅଜା ଆଈଙ୍କ ଘରକୁ ଯିବାପାଇଁ ମିନିକୁ ପୁରା ମନା।
ବଡ଼ ବିକଳରେ ଉପରଘର ବାଲକୋନୀକୁ ଚାହିଁଲା ମିନି;ଅଜା ଆଈ ବସିଛନ୍ତି।ଆଈ ପଚାରିଲେ..ଆସିବୁ ମିନି?
ଆଖିରେ ଆଖିଏ ଲୁହ ଢଳ ଢଳ,ମିନି କହିଲା.. ନାଁ ଆଈ,ଆମେ ତମକୁ ଛୁଇଁବୁନି,ଆମ ଘଲେ 'କୋଲୋନା' ଅଛି।
(ସତ୍ୟ ଘଟଣା ଉପରେ ଆଧାରିତ)