କରୋନା ଓ ଲକଡାଉନ
କରୋନା ଓ ଲକଡାଉନ


ଆରମ୍ଭ
ମୁଁ ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ହୋଇଥିବାରୁ କରୋନା ପାଇଁ ଡବଲ କାମ କରିବାକୁ ପଡୁଥାଏ, ଛୁଟି ସବୁ ରଦ୍ଦ ହୋଯାଇଥାଏ, ତାସହ ଆମର ଜଣେ ଷ୍ଟାଫ କରୋନାକୁ ଡରି ଚାକିରୀରୁ ରିଜାଇନ୍ କରିଥିବାରୁ ମଁଆ ଡବଲ ଚାର୍ଜରେ ଥାଏ। ଏହା ଭିତରେ ପୁଣି ଭଣଜାର ବ୍ରତଘର, ଅବଶ୍ୟ ନିଜ ଭଣଜା ନହେଲେ ବି ମାମୁ ଝିଅ ଭଉଣୀର ପୁଅ। ଯାହା ହେଲେ ବି କିଛି ତ କରିବାକୁ ପଡ଼ିଥାନ୍ତା। କାହିଁକି ନା ଏକା ଟାଉନରେ ରହୁଛୁ, ଯଦି କିଛି ସାହାଯ୍ୟ ନ କରୁ ତ ଖରାପ ହେବ। ସେଥିରେ ପୁଣି ନାନୀର ସ୍ୱାମୀ ୬ ବର୍ଷ ହେବ ଆରପାରିକୁ ଚାଲିଯାଇଥାନ୍ତି।
କାହାଣୀର ପୃଷ୍ଠଭୂମି :
ଅଫିସ କାମ ସହ ବ୍ରତଘର କଥା ବି କିଛି କିଛି ବୁଝିବାକୁ ପଡୁଥିଲା। ଅଫିସ କାମ ଯେମିତିକି ଆର୍.ଆର୍.ଟି. ଟିମ ବନେଇବା, ସେମାନଙ୍କ ଟ୍ରେନିଂ କରେଇବା, ସେମାନଙ୍କୁ ମାସ୍କ, ସାନିଟାଇଜର, ପି.ପି.ଇ. କିଟ କିଣିକି ଯୋଗେଇବା। ପବ୍ଲିକ୍ ଆୱେରନେସ୍ ପାଇଁ ଵ୍ୟାନର, ପୋଷ୍ଟର, ଲିଫ ଲେଟ ଛପେଇବା ଇତ୍ୟାଦି। ଏହି ଭିତରେ ହଠାତ ମାର୍ଚ୍ଚ ମାସ ୨୫ ତାରିଖରେ ଭାରତ ସରକାର ପୁରା ଦେଶରେ ଲକଡାଉନ ଘୋଷଣା କରନ୍ତି। ଏହା ଥିଲା ପୁରା ଦେଶ ପାଇଁ ଏକ ନୂଆ ଅଭିଜ୍ଞତା, ତେଣୁ କିଛି ଲୋକ ନବୁଝିପାରି ବାହାରକୁ ବାହାରିଯାନ୍ତି, ଆଉ ପୁଣି କିଛି ଲୋକ ଜାଣି ଜାଣି ବାହାରକୁ ଆସି ଦେଖନ୍ତି କେମିତି ଦିଶୁଛି ତାଙ୍କ ଗାଁ, ସହର ଲକଡାଉନ ରେ। ପୋଲିସଙ୍କ ଠାରୁ ଉତ୍ତମ ମଧ୍ୟମ ବି ଖାନ୍ତି କିଛି ଲୋକ ପୁଣି କିଛି ଲୋକଙ୍କୁ ସଚେତନ ବି କରୁଥାନ୍ତୁ ପୋଲିସ, ମିଡିଆ, ଆଶା, ଏ .ଏନ. ଏମ, ଅଙ୍ଗନବାଡ଼ି ଦିଦି ମାନେ ନିଜ ନିଜ ସ୍ଥରରେ।
ପ୍ରବାସୀ ଓଡ଼ିଆ ମାନେ ସରକାରଙ୍କ ସହଯୋଗରେ ଆସିଯିବାରୁ ସେମାନଙ୍କୁ ଟି.ଏମ୍.ସି.ରେ ରଖାଯିବାର ସବୁ ବନ୍ଦୋବସ୍ତ କରା ଯାଇଥିଲା ସରକାରଙ୍କ ତରଫରୁ। ସେହି ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସବୁଦିନ ଚେକିଂ କରିବା ପାଇଁ ଆମ ମେଡିକାଲର ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତରଙ୍କ ସୁବିଧା ପାଇଁ ଏକ ରୋଷ୍ଟର ଡିଉଟି ଚାର୍ଟ ତିଆରି କରିବା ସହ ସେମାନଙ୍କ ଯିବା ଆସିବା ପାଇଁ ଏକ ବୋଲେରୋ ଗାଡିର ବନ୍ଦୋବସ୍ତ କରିବାକୁ ପଡିଥିଲା। ତା ସହିତ ମେଡିକାଲର ସାନିଟାଇଜେସନ କରିବା ସହିତ ସବୁଦିନ ଆସୁଥିବ ରୋଗୀମାନଙ୍କୁ କରୋନା ବିଷୟରେ ସଚେତନ କରେଇବା ଇତ୍ୟାଦି କାମ କରିବାକୁ ପଡିଥିଲା। ଏହା ବାଦ ସବୁଦିନ କରୋନା ରେପୋର୍ଟିଂ କରିବା ସହିତ ଯେଉଁ ପ୍ରବାସୀ ମାନେ ନେଗେଟିଭି ବାହାରନ୍ତି ସେମାନଙ୍କ ପାଇଁ ରିପୋର୍ଟ ପ୍ରସ୍ତୁତ କରି ଡାକ୍ତରଙ୍କ ଦସ୍ତଖତ କରେଇ ସେମାନଙ୍କୁ ପ୍ରଦାନ କରିବା କାମ ସବୁ କରିବାକୁ ପଡୁଥିଲା। ଏବେ ବି କରିବାକୁ ପଡୁଛି।
ଅସୁବିଧା କଣ ଥିଲା:
୧. ହଠାତ ଲାକଡାଉନ ଘୋଷଣା ହୋଇଯିବାରୁ ଭଣଜାର ବ୍ରତଘରଟା ବନ୍ଦ ହୋଇଯାଏ, ଯାହା ସବୁ ଆୟୋଜନ ପାଇଁ ଅଗ୍ରୀମ ଟଙ୍କା ଦିଆ ଯାଇଥିଲା ସେସବୁକୁ ଫେରସ୍ତ ଅଣାଯାଏ। ଏ କରୋନା ବ୍ରତଘରଟାକୁ ବନ୍ଦ କରିଦିଏ।
୨. ଅବିବାହିତ ଥିବାରୁ ମୋର ସବୁଦିନର ଖାଇବା ପିଇବା ପାଇଁ ମୁ ସମ୍ପୂର୍ଣ୍ଣ ଭାବେ ହୋଟେଲ ଉପରେ ନିର୍ଭରଶୀଳ ଥିଲି, କିନ୍ତୁ ହଠାତ ଲକଡାଉନ ପରେ ସବୁ ଦୋକାନ ବଜ଼ାର, ହୋଟେଲ ଆଦି ବନ୍ଦ ହୋଇଗଲା, ତାପରେ ମନରେ ବି କରୋନାର ଭୟ ଥିଲା। ରୋଷେଇ ସରଞ୍ଜାମ ବି ପାଖରେ କିଛି ନଥିଲା ତେଣୁ ୩ଦିନ ଚୁଡା ଖାଇରହିଛି। ଶେଷରେ ବହୁତ କଷ୍ଟରେ ଗୋଟେ ଗ୍ୟାସ ସିଲିଣ୍ଡର, ଗୋଟେ ୨୫ କେଜି ଚାଉଳ ବସ୍ତା ଯୋଗାଡ଼ ହୋଇଯାଏ। ତେଣୁ ବାଧ୍ୟ ହୋଇ ହାତରେ ରୋଷେଇ କରି ଖାଇବାକୁ ପଡେ। ସେ ଯାହା ହଉ କରୋନା ଗୋଟେ ଭଲ ଅଭିଜ୍ଞତା ସହ ଶିକ୍ଷା ବି ଦେଲା।
୩. ନୂଆ ବର୍ଷରେ ଘରକୁ ଯାଇଥିଲି, ମନେ ମନେ ଭାବିଥିଲି ମାର୍ଚ୍ଚ ମାସ କାମ ସରିଲେ ଘର ଆଡ଼େ ଟିକେ ଯାଇ ବୁଲିଆସିବି, ହେଲେ ଏ କରୋନା ପାଇଁ ଲାକଡାଉନ ହେବାରୁ ଆଜିକୁ ପ୍ରାୟ ୫ ମାସ ହେଲା ଘରକୁ ଯାଇପାରୁନି । ତାସହ ଏତେ କାମ ଯେ ଫୁରସତ ବି ଟିକେ ମିଳୁନି ନିଜକଥା ଭାବିବାକୁ । ତଥାପି ମୁଁ ଗର୍ବିତ ଯେ ମୋ ଦେଶ, ରାଜ୍ୟ ପାଇଁ କିଛି କରିଥିବାରୁ ଏମିତି ଘଡିସନ୍ଧି ମୁହୂର୍ତ୍ତରେ ।
୪. ଏମିତି ଯଦି ଆଉ କିଛିଦିନ ଲକଡାଉନ ରୁହେ ତେବେ ଖାଇବାରୁ ରୁଚି ଛାଡିଯିବ,କାରଣ ବହୁତ ଦିନ ହେଲା ଖାଲି ଏ ଭାତ ଡାଲମା ଖାଇ ଖାଇ ପୁରା ବିରକ୍ତ ଲାଗିଲାଣି। ଅଲଗା କିଛି ରୋଷେଇ ଆସିନି ଆଉ ଯଦିବି ଆସିଥାନ୍ତା ସମୟ ଅଭାବରୁ କିଛି ବି କରିହେଇନଥାନ୍ତା
୫. ଦାଢ଼ି ନିଶ ସିନା ଟ୍ରିମରରେ କାଟି ଦଉଛି, ହେଲେ ମୁଣ୍ଡର ଚୁଟି ଏତେ ମାତ୍ରାରେ ବଢ଼ିଗଲାଣି ଯେ, ଆଉ ଯଦି କିଛିଦିନ ଏମିତି ଲାକଡାଉନ ରୁହେ ତ ଗୋଟେ ମିନି ବାବାଜୀ ହୋଇ ବାହାରିବି।
୬. ଏହାଭିତରେ ବାତ୍ୟା ଆମ୍ଫନ ଆସିବାର ଥିବାରୁ ମନରେ ଗୋଟେ ଅଜଣା ଭୟ ଥାଏ, କାହିଁକି ନା ଗତବର୍ଷ ଠିକ ଏହି ମାସରେ ବାତ୍ୟା ଫନି ଯେଉଁ ତାଣ୍ଡବ ରଚିଥିଲା ତାହା ଏବେବି ମନରେ ତାଜା ହୋଇ ରହିଛି। ବାତ୍ୟା ଆସିବା ଆଗରୁ ପରିବା ପତ୍ର, ଡାଲି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ଆଗୁଆ କିଣି ରଖିଦେଇଥିଲି। କିନ୍ତୁ ଭଗବାନଙ୍କ ଦୟାରୁ ସେମିତି କିଛି ବିଶେଷ ଅସୁବିଧା ଆମ ଜିଲ୍ଲାରେ ହୋଇନଥିଲା।
ଏତେସବୁ ଅସୁବିଧା ସତ୍ତ୍ୱେ ଦେଶ ଜାତି ପାଇଁ ଏ ଅସୁବିଧା ସମୟରେ କିଛି କରିପାରୁଥିବାରୁ ନିଜକୁ ଧନ୍ୟ ମନେକରୁଛି। ଦେଶରର କାର୍ଯ୍ୟରେ ଯଦି ଏ ପ୍ରାଣ ବି ଚାଲିଯାଏ ତଥାପି ଦୁଃଖ ନାହିଁ। ଯେହେତୁ ମୁ ମେଡିକାଲ ଷ୍ଟାଫ ଥିଲି ତେଣୁ ଯିବାଆସିବାରେ ସେମିତି କିଛି ବିଶେଷ ଅସୁବିଧା ହୋଇନଥିଲା, କାହିଁକି ନା ଆମକୁ ପାସ ମିଳିବା ସହ ଆମ ପାଖେ ଆମର ଅଫିସ ଆଇଡି କାର୍ଡ ଥିଲା, ତଥାପି ଆମେ ସରକାରଙ୍କ ନିର୍ଦେଶବଳୀକୁ ମାନି ଚଳୁଥିଲୁ। ଯେମିତିକି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି।
ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସେଦିନ ସନ୍ଧ୍ୟାରେ ଘଣ୍ଟ, ଶଙ୍ଖ,ଥାଳି ଇତ୍ୟାଦି ବଜେଇଥିଲୁ, ଆମର କୋଭିଡ ଯୋଦ୍ଧାଙ୍କ ମନବଳ ବଢ଼େଇବା ପାଇଁ ଓ ତାଙ୍କୁ ଉତ୍ସାହିତ କରିବା ପାଇଁ। ପୁଣି ପରବର୍ତ୍ତୀ ସମୟରେ ପୁନର୍ବାର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାତି୯.୦୦ରେ ଘରର ଲାଇଟ ବନ୍ଦ କରିବା ସହ ଛାତ ଉପରେ ମହମବତୀ ଜଳେଇଥିଲୁ ୯ ମିନିଟ ପାଇଁ। ସରକାର ଯାହା କିଛି ବି ନିୟମ କରିଛନ୍ତି ମୁ ଯଥାସମ୍ଭବ ଚେଷ୍ଟା କରିଛି ଜଣେ ସଚେତନ ନାଗରିକ ହିସାବରେ ପାଳନ କରିବା ପାଇଁ। ଲାକଡାଉନ କିଛି ମାତ୍ରାରେ କୋହଳ ହେବା ପରେ ଗୋଟେ ଦିନ ପାଇଁ ଘରକୁ ଯାଇଥିଲି, ସେଠି ମନଭରି ବୋଉର ହାତ ରନ୍ଧା ଖାଇ ଏତେଦିନର ଅରୁଚି ଛାଡେଇକି ଆସିଲି 😛।
ପରିଶେଷରେ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆମ ମେଡିକାଲର ସମସ୍ତ ଷ୍ଟାଫ ସାମାଜିକ ଦୂରତ୍ୱ ବଜାୟ ରଖି, ସରକାରଙ୍କ ସବୁ ନିୟମକୁ ଅନୁପାଳନ କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲୁ।
ଏହିଭିତରେ ଆମ ଅଫିସର ଜଣେ ଷ୍ଟାଫ କରୋନା ପଜିଟିଭ ବହାରିଯିବାରୁ, ପୁରା ଅଫିସରେ କୋକୁଆ ଭୟ ଖେଳିଯାଏ। ସମସ୍ତ ଷ୍ଟାଫ ସେଦିନ ଯାଆନ୍ତି ସ୍ୱାବ ଟେଷ୍ଟ ଦବା ପାଇଁ। ପୁରା ଅଫିସ ଯାଇଥାଏ। ମନରେ ବି ଅନେକ ଭୟ,ପୁଣି କଡା ନିର୍ଦେଶ ଥାଏ ଯେ ରିପୋର୍ଟ ନ ଆସିବା ଯାଏଁ କେହି ବି କାମରେ ଯୋଗ ଦେଇପାରିବେନି। କାମ ସବୁ ବନ୍ଦ ହୋଇ ରହିଯାଏ। ଏପଟେ ଲୋକମାନେ ଫୋନ କରି ବ୍ୟସ୍ତ ବିବ୍ରତ କରିପକୋଉଥାନ୍ତି ସେମାନଙ୍କ ରିପୋର୍ଟ ପାଇଁ। ଏହିଭିତରେ ଗୋଟେ ଖୁସି ଖବର ଆସେ ଯେ ସମସ୍ତ ଷ୍ଟାଫ କରୋନା ନେଗେଟିଭ ବୋଲି। ଗୋଟେ ଖୁସିର ଲହରୀ ଖେଳିଯାଏ ସମସ୍ତଙ୍କ ଭିତରେ।
ଏବେ ବି ଏ ଲଢେଇ ଜାରିରହିଛି,ଏ ଲଢେଇ ଆଗକୁଏମିତି ଜାରି ରହିବ। ଯେ ପର୍ଯ୍ୟନ୍ତ କରୋନା ଟୀକା ନ ବାହାରିଛି ଆମକୁ ମାନିନେବାକୁ ହବ ଯେ, ସେ ପର୍ଯ୍ୟନ୍ତ କରୋନା ଭୁତାଣୁ ଆମ ସହ ରହିବ, ଆମକୁ ତାସହ ରହି ସରକାରଙ୍କ ନିର୍ଦେଶବଳୀ ସବୁ ମାନି ଲଢେଇ ଜାରିରଖିବାକୁ ହେବ। ଶେଷରେ ଆମେ ସ୍ଥିର ନିଶ୍ଚିତ ଯେ କରୋନା ହାରିବ, ଆଉ ଏ ମଣିଷ ସମାଜ ଜିତିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।