Tankadhar Majhi

Tragedy

5.0  

Tankadhar Majhi

Tragedy

କଞ୍ଚା ମାଟିର ଜୀବନ

କଞ୍ଚା ମାଟିର ଜୀବନ

2 mins
560


ନିଶ୍ଚଳ ଓ ସ୍ତବ୍ଧ ହୋଇ ଗର୍ଭରେ ଶୋଇଥିବା ଭୃଣକୁ ଉଠେଇବାକୁ ଚେଷ୍ଟା କଲା ମାଆ । 

ଅର୍ଧ ଚନ୍ଦ୍ରର ଅନ୍ଧାର ଦେଶରେ ରହି ଲାତ ମାରି କହିଦେଲା-

"ମୁଁ ବଞ୍ଚିଛି ମାଆ, ନିର୍ଭୟରେ ରହିଛି ତୁମ ଗର୍ଭେ ତୁମେ ନିଶ୍ଚିନ୍ତ ରୁହ..."

ହଠାତ୍ ଚୁପ୍ କଲା ନିଜ ମୁହଁ,ହାତ, ଗୋଡ଼ । ନୀରବରେ ଶୁଣିଗଲା ସବୁକଥା ।


-ମାଆ..ତୁମେ କାନ୍ଦୁଛ.. ? କାହିଁକି ମାଆ ? ପ୍ରଶ୍ନ କଲା । 


-ମାଆର ଘୁମୁରି କାନ୍ଦୁଥିବା ଆଖିର ଉଷୁମ ଲୁହ ମଝି ପେଟରେ ପଡି ଚୁପ୍ କରିଦେଲା ଭୃଣଟିକୁ, ସେ ଚମକି ପଡ଼ି ଶୁଣିଲା ମାଆ କୋହର କ୍ରନ୍ଦନ ! ବୁଝି ପାରୁନଥିଲା ଏ ବାହାର ଲୋକର ଭାଷା ।

-ମାଆ..ମାଆ..ମାଆ...!! ଚିତ୍କାର କଲା !!

ଶୁଣି ପାରୁଛ ମାଆ, ମୋ କଥା ? ସେ ବିକଳ କଣ୍ଠରେ କହିଲା । 

ତା ଧ୍ବନି, ତା ଭିତରେ ଘୁମୁରି ଗଲା । ସେ କ'ଣ ବୁଝିଲା କେଜାଣି..! ବାହାରକୁ ବାହାରିବା ପାଇଁ ଇଚ୍ଛା କଲା । ଚେଷ୍ଟା କଲା । ପାରିଲା ନାହିଁ ।


-ସେତେବେଳେ ଥରେ ମାଆ ଆଉଁସି ଦେଲା ପେଟକୁ ନିଜ ହାତରେ, ଭୃଣଟିକୁ ଆରାମ ଲାଗିଲା ।

କହି ପାରିଲାନି ବୋଲି ଛୋଟିଆ ଲାତ ମାରି ଜଣେଇ ଦେଲା ଯେ, "ମାଆ.. ତୁମ କଥା ହୃଦୟଙ୍ଗମ କରିପାରୁଛି ।"


-ମାଆ ଦୁଇ ହାତ ପେଟରେ ରଖିଲା । ଚିପି ମାରିବାକୁ ଚେଷ୍ଟା କଲା । ବହୁତ କଷ୍ଟ ହେଲା ! 

ଛୁଆ ଦୁଇଟିକୁ ଦେଖି ମରି ମଧ୍ୟ ପାରିଲା ନାହିଁ । 


- ଡାକ୍ତରଙ୍କୁ ଟଙ୍କା ଦେଇ ଲିଙ୍ଗ ଜାଣିବା ପରେ ସେ ଛୁଆକୁ ନଷ୍ଟ କରିଦେବା" ! ସ୍ଵାମୀଙ୍କ ଏତକ କଥା ମନେପକାଇ ସ୍ତ୍ରୀକୁ ବହୁତ ବାଧିଥିଲା । କାନ୍ଦିଥିଲା ଶୌଚାଳୟ ଭିତରକୁ ପଶି ।

-ଭୃଣ ସବୁ ଜାଣେ । କହି ପାରେନି ।


ବିଛଣାର ତକିଆରେ ମୁହଁ ଉପର କରି କଚାଡି଼ ଶୋଇଲା । ଚିନ୍ତାକଲା ବିବାହ ପରଠୁ କେତେ ସୁଖ ଓ କେତେ ଦୁଃଖ ପାଇଛି ? ମୁହଁରେ ହିସାବ କଲା ତଥାପି ମାଆର ଗଣିତ ଭୂଲ ତଥ୍ୟ ଦେଲା । କାହିଁକିର କାରଣ ଖୋଜି ପାଇଲା ନାହିଁ । 


-"ଏଥର ଭୃଣ ଶୋଇପଡିଛି ଆରାମରେ" ମାଆ ଭାବିଲା । 


-ଅନ୍ୟ ମନସ୍କ ହେଲା ଭୃଣ ସନ୍ତାନ ପ୍ରତି । ଦେଖିଲା ଦୁଇ ଝିଅ କମ୍ବଳ ଢାଙ୍କି ଶୋଇଛନ୍ତି ନିଜ ବାମ ପଟରେ । ସେମାନଙ୍କ ମୁଣ୍ଡକୁ ଆଉଁସି ଦେଇ ଦେଖିଲା କବାଟ ଆଡକୁ । 

ବର୍ତ୍ତମାନ ରାତି ଦଶଟା ସ୍ବାମୀ କେତେବେଳେ ଫେରିବେ ଜଣା ନାହିଁ ।

-ଭୃଣଟି, ମାଆ ପେଟରେ ନିଜ କହୁଣିରେ ମୁଣ୍ଡ ରଖି ଶୋଇବାକୁ ଚେଷ୍ଟା କଲା, ନିଦ ନାହିଁ । ଭାଙ୍ଗି ପଡୁଛି, ସଅଁକି କାନ୍ଦୁଛି ତା ମାଆ ପରି !!

ପୁଣି କହୁଛି...

 -"ମାଆ..ମୋର ବି କଞ୍ଚା ମାଟିର ଜୀବନ ଅଛି । ତାକୁ ଟିକିଏ ଶୁଖେଇ ପୋଡି ଦେଇ ପାରିଲେ ମୁଁ ବି ଲାଲ ମାଠିଆ ପରି ଟାଣ, ଚିକ୍କଣ ଓ ଶକ୍ତ ହୋଇଯିବି ।


-ଥକ୍କା ପଣେ ମାଆ ଶୋଇପଡୁଛି ଜାଣି ତାକୁ ଆଉ ଉଠାଇବନି ଭାବି ସେ ବି ଶୋଇପଡୁଥିଲା । ରିଙ୍ଗ୍ ବାଜିଲା ବାରମ୍ବାର ରାତି ସାଢ଼େ ଏଗାର ଟାରେ...।


-ମାଆକୁ ଲାତ ମାରି ଉଠାଇଲା ଭୃଣ, 

"ମାଆ... ମାଆ...ବାପା ଆସିଲେଣି ଉଠ..." 


-ମାଆ ଉଠିଲେ । କବାଟ ଖୋଲିଲେ ।


-ଏଥର ବାପା ମଦ ନିଶାରେ ହଲିଯାଉଥିଲେ, ତାଙ୍କ ଅଫିସ୍ ମ୍ୟାଟ୍ କାରରେ ଆଣି ଛାଡ଼ି ଦେଇ ଚାଲିଗଲେ । ମାଆ କବାଟ ଖୋଲି ପାଖରୁ ଧରି ନେଉଥିବା ବେଳେ ପେଟରେ ହାତ ବାଜି ଭୃଣକୁ ଭାରି କଷ୍ଟ ହେଲା । କାନ୍ଦିଲା...


-"ବାପା... ବାପା... " ଯୋର୍ ରେ ଚିତ୍କାର କଲା, ବାପା ଶୁଣିବା ସ୍ଥିତିରେ ନ ଥିଲେ !!


ବାପା ବିଛଣାରେ ହାଇ ମାରି ଟଳିପଡିଲେ।

ଭୃଣ ବଡ଼ ନିଶ୍ବାସଟିଏ ମାରି ମାଆ ସହ ଶୋଇବାକୁ ଚେଷ୍ଟା କଲା ।


-ଦୁଇଟି ଝିଅ, ଗୋଟିଏ ଭୃଣ ହୋଇ ଗର୍ଭରେ ସଂଗ୍ରାମ କରୁଛି ପୁଣି ଅନ୍ୟଟି ମାଆ ହୋଇ ବାହାରେ କାନ୍ଦୁଛି । ସମାଜ ଆଜି ସେଆଡକୁ ଗତିକରୁଛି ଯେଉଁ ଆଡକୁ ନ ଯିବା କଥା ।


କ୍ରମଶଃ ଅନୁରୋଧରେ ଲେଖାଯିବ ।


Rate this content
Log in

Similar oriya story from Tragedy