Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jayashree Maharana

Tragedy

3  

Jayashree Maharana

Tragedy

କଣ୍ଢେଇ

କଣ୍ଢେଇ

5 mins
552


ଦୁଇଦିନ ହେଲା ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟି ନୟାନ୍ତ ହୋଇଗଲୁଣି ।ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏଁ ଏପରିକି ଗାଁ କୂଅମୂଳ,ପୋଖରୀତୁଠକୁ ବି ବାଦ୍ ଦେଇନୁ ,କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି ।ସାଙ୍ଗସାଥି କେହି ବି କିଛି କହିପାରୁନାହାନ୍ତି ।ଆମକୁ ଦୟା କରନ୍ତୁ ସାହେବ ।କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସ ବାବୁଙ୍କୁ ଗୁହାରି କରୁଥିଲେ ।


ଗମ୍ଭୀର ହୋଇଉଠିଲେ ପୋଲିସ ବାବୁ ।କାହିଁ ଝିଅ କୁଆଡେ ଯାଇଥିଲା କି ? ପ୍ରଶ୍ନ କଲେ ।


ନାଇଁ ବାବୁ ,ଆମେ ସ୍ୱାମୀ ସ୍ତ୍ରୀ ଦୁଇଟି ସବୁଦିନ ସକାଳୁ ସବୁ କାମ ସାରି ଝିଅକୁ ସ୍କୁଲ ପଠାଇ କ୍ଷେତକୁ ଚାଲିଯାଉ ।ଫେରୁ ଫେରୁ ସନ୍ଧ୍ୟା ।ଝିଅ ସ୍କୁଲ ରୁ ଫେରି ପ୍ରତିଦିନ ପଡିଶା ଘର ସୁଦା ଭାଇ ଘରେ ଥାଏ ।ସାଙ୍ଗସାଥି ମେଳେ ଖେଳେ ।କିନ୍ତୁ ଗତ କାଲି ଘରକୁ ଫେରି ଦେଖୁ ତ ଝିଅ ତାଙ୍କ ଘରେ ନାହିଁ ।ଥରଥର ଗଳାରେ କହିଲା ଧନୁ ।

ପୁଲିସ ବାବୁ ପ୍ରଶ୍ନ କଲେ ତେବେ କଣ ଝିଅ ସ୍କୁଲ ରୁ ତାଙ୍କ ଘରକୁ ଆସିନାହିଁ ?ସୁଦା ଏ ବିଷୟରେ କଣ କହୁଛି ?


ନାଇଁ ବାବୁ ସୁଦାର କହିବା କଥା କାଲି ତା ସ୍ତ୍ରୀ ସ୍ୱୟଂସହାୟକ ଗୋଷ୍ଠୀର ବୈଠକରେ ଯୋଗଦେବା ପାଇଁ ଚାଲିଯାଇଥିଲା ।ସୁଦା ର କହିବା ଅନୁସାରେ ତା ଝିଅ ଆଉ ପୁଅ ସହ ମୋ ଝିଅ କଣ୍ଢେଇ ଫେରିଆସିଥିଲା ।ଖାଇ ପିଇ ସବୁ ଖେଳରେ ମାତିଥିଲେ ଆଉ ତା ପରଠୁ କଣ୍ଢେଇର ଦେଖା ନାହିଁ ।

ବାବୁ କାଳବିଲମ୍ବ ନକରି ଜିପ୍ ଧରି ପହଁଚିଲେ ଧନୁ ମୁଣ୍ଡା ଘରେ ।ଧନୁର ସ୍ତ୍ରୀ ତ କାନ୍ଦି କାନ୍ଦି ବେହୋସ ହେଇଯାଉଥିଲା ।ସାହିର ମାଇପିମାନେ ତାକୁ ସମ୍ଭାଳିବା କଷ୍ଟ ହୋଇପଡୁଥିଲା ।ଧନୁ ସ୍ତ୍ରୀର କରୁଣ କ୍ରନ୍ଦନରେ ପୋଲିସି ବାବୁଙ୍କ ଛାତିଟା କଣ ହୋଇଗଲା ।କାରଣ ସେ ବି ଜଣେ ମଣିଷ ।ଜଣେ ମଣିଷ ଅନ୍ୟ ଜଣେ ମାଆର ବୁକୁଫଟା ଅନ୍ତର କୋହ କୁ କେମିତି ସହିପାରିବ ?


ବାବୁଙ୍କୁ ଦେଖି ଧନୁ ର ସ୍ତ୍ରୀ ରତନି ନିର୍ବଳ ଦେହରେ ଘୋଷାଡି ହୋଇ ବାବୁଙ୍କ ଗୋଡ଼ ଦୁଇଟି ଧରି ପକାଇଲା ।ବାବୁ ମୋ ଝିଅକୁ ଖୋଜି ଆଣି ଦିଅ ବାବୁ ।ମୋ ଝିଅକୁ ଖୋଜି ଆଣି ଦିଅ ।କେମିତି ଅଧୈର୍ଯ୍ୟ ହେବନି ଯେ ।ବାହାଘରର ବହୁବର୍ଷ ପରେ କୋଳଶୂନ୍ୟ ହୋଇଥିବାରୁ କେତେ କଣ କରିଛନ୍ତି ଧନୁ ଓ ରତନି ।କେତେ ଜପ ତପ,ହୋମଯଜ୍ଞ କରିଛନ୍ତି କେତେ ଓଷା ବ୍ରତ କରିଛନ୍ତି ।ମାଆ ବାପାଙ୍କ ପ୍ରକୃତ ସୁଖ ସନ୍ତାନ ପାଖରେ ଥାଏ ।ଯିଏ ଯାହା କହିଲା ସବୁ କରିଛନ୍ତି ।ବୋଧ ହୁଏ ଦୁହିଁଙ୍କର ତପସ୍ୟାରେ ପ୍ରଭୁ ସନ୍ତୁଷ୍ଟ ହୋଇଗଲେ ।ଦୀର୍ଘ ବାର ବର୍ଷ ପରେ କଣ୍ଢେଇ ତାଙ୍କ କୋଳରେ ଜନ୍ମନେଇଥିଲା ।ଗୋରା ତକ ତକ ଦେହକୁ ଖଣ୍ଡା ନାକ।ମୁଣ୍ଡରେ କଳା ମଚ ମଚ କେଶ ।ଆହା ସତରେ କଣ୍ଢେଇଟିଏ ।ଶତ୍ରୁ ବି ଛ ଥର ଚାହିଁବ ।ବାଟରେ ଚାଲିଯାଉଥିବା ଲୋକ ବି କଣ୍ଢେଇ କି ଦେଖି ଖୁସି ହୋଇଯାଆନ୍ତି ।


ଝିଅ କୁ ପାଠ ପଢେଇ ମଣିଷ ପରି ମଣିଷ ଟିଏ କରି ଗଢିତୋଳିବାର ସ୍ୱପ୍ନ ଦେଖିଛନ୍ତି ଦୁହେଁ ।ଖାଲି ସ୍ୱପ୍ନ ଦେଖିଲେ ତ ହେବନି ସ୍ୱପ୍ନକୁ ପୂରଣ କରିବା ପାଇଁ ଚେଷ୍ଟା କରିବାକୁ ପଡିବ ।ଝିଅକୁ ପାଠ ପଢେଇବାକୁ ପଡିବ ।ସେଥିପାଇଁ ତ ଦୁଇଜଣ କ୍ଷେତରେ ଅକ୍ଳାନ୍ତ ପରିଶ୍ରମ କରନ୍ତି ।ପେଟରୁ କାଟି ଝିଅ ପାଇଁ ସାଇତି ରଖନ୍ତି ।ଝିଅ ତାଙ୍କର ବଡ଼ ହେବ ତାଙ୍କର ନାଁ ରଖିବ ବୋଲି ।ଗାଁ ଗଣ୍ଡାରେ ଲୋକଙ୍କ ଭିତରେ ସହଯୋଗ,ସ୍ନେହଶ୍ରଦ୍ଧା ଥାଏ ।ପରସ୍ପରର ଦୁଃଖ ସୁଖରେ ଠିଆ ହୁଅନ୍ତି ।ତେଣୁ ତ ସୁଦା ଘରେ କଣ୍ଢେଇ ସୁରକ୍ଷିତ ମନେ କରି ସ୍କୁଲ ରୁ ଫେରି ସନ୍ଧ୍ୟା ଯାଏଁ ରହିବାର ବ୍ୟବସ୍ଥା କରିଛନ୍ତି ।ତା ଛଡା ସୁଦାର ଝିଅ ରୀନା ଆଉ ପୁଅ ରାହୁଲ ସହ ଖେଳୁ ଖେଳୁ କେମିତି ସମୟ ଚାଲିଯାଏ କଣ୍ଢେଇର ।ବାପା ବୋଉଙ୍କ ଅନୁପସ୍ଥିତି ତାକୁ ଅସୁବିଧାରେ ପକାଏନି ।ସ୍କୁଲ ଯିବାଠାରୁ ଆଜକୁ ଚାରିବର୍ଷ ଯାଏଁ ଏମିତି ସମୟ ଗଡିଚାଲିଛି ।କିନ୍ତୁ ଆଜି ହଟାତ କଣ୍ଢେଇ ନ ମିଳିବାର ଖବର ସମସ୍ତଙ୍କୁ ବ୍ୟଥିତ କରିଦେଇଛି ।ପୋଲିସି ବାବୁଙ୍କ ଆଖି ଛଳ ଛଳ ହୋଇଗଲା ।ଦୁଇହାତ ଯୋଡି ରତନିକୁ ଭରସା ଦେଲେ ମୁଁ ମୋ ପ୍ରାଣପ୍ରଣେ ଚେଷ୍ଟା କରି କଣ୍ଢେଇକୁ ଖୋଜି ଆଣିବି ମାଆ ।ତୁମେ ଟିକେ ଧୈର୍ଯ୍ୟ ଧର ।


ପୋଲିସି ବାବୁ ସେ ।ସମସ୍ତ ସମସ୍ୟାକୁ ବୁଝି ବିଚାରି ତଦାରଖ କରନ୍ତି ।କଣ୍ଢେଇର ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥି ସାହି ପଡିଶା ସମସ୍ତଙ୍କୁ ପଚରା ଉଚୁରାରେ ଲାଗିପଡିଛନ୍ତି ।ଆଖପାଖର ପୋଲିସି ଷ୍ଟେସନକୁ ଖବର ଦେଇସାରିଛନ୍ତି ।ନିଜେ ସାରାରାତି ଏ ଜାଗାରୁ ସେ ଜାଗା ଖୋଜି ଖୋଜି ନୟାନ୍ତ ହୋଇଗଲେଣି ।ନାନା ପାପ ଛୁଉଁଛି ମନକୁ ।କାରଣ ଆଜିକାଲି ସମାଜର ସ୍ଥିତି ବିଗିଡି ଗଲାଣି ।କେତେ ପାପିଙ୍କୁ ବା ପୋଲିସି ଧରିବ ?ସେମାନେ ତ ପୁଣି ମଣିଷ ।


ସକାଳ ସମୟ ପୋଲିସି ବାବୁ ନିଜ ସହକର୍ମୀଙ୍କ ସହ କଣ୍ଢେଇକୁ ଖୋଜିବା ଆଉ ଏ କେସ୍ ବିଷୟରେ ଆଲୋଚନା କରୁ କରୁ ଫୋନ ବାଜିଉଠିଲା ।ପାଖ ଜଙ୍ଗଲରେ ଗାଇଆଳ ପିଲା ଗୋଟେ କୁନି ଝିଅର ଶବ ଦେଖି ଜଣାଉଥିଲା ।କାଳବିଳମ୍ବ ନକରି ସମସ୍ତେ ସେଠାରେ ପହଞ୍ଚିଗଲେ ।କି ବିଭତ୍ସ ସେ ଦୃଶ୍ୟ !କୁନି ଝିଅଟିର ଦେହସାରା ରକ୍ତ ।ନିରବ ,ନିଶ୍ଚଳ ଭାବରେ ପଡିରହିଥିଲା ଶରୀରଟି ।ଏ ତ କଣ୍ଢେଇ ।କେଉଁ ପଶୁ କଣ ନିଜ କାମନାଗ୍ନିକୁ ପୂରଣ କରିବା ପାଇଁ ନେଇପାରେ ଏମିତି ଏକ ଅଧଫୁଟା ଫୁଲଟିର ଜୀବନ ।ଦେହର ସୁଖ ,କାମନା ବାସନା ,ନାରୀ ପୁରୁଷର ସମ୍ଭୋଗ ମିଳନ ଏସବୁ ତା ପାଇଁ ଅବୁଝା ।ପୁରୁଷକୁ ସୁଖ ଦେଉଥିବା ନାରୀର ଗୁପ୍ତାଙ୍ଗ ବି କୁନି ବୟସରେ ବିକଶିତ ହୋଇନଥାଇ ବି ଶିକାର ହୋଇଯାଇଛି ପଶୁତ୍ବର ।ଧନୁ ଆଉ ରତନିଙ୍କ ଚିତ୍କାରରେ ସମଗ୍ର ଜଙ୍ଗଲରେ ଥିବା ପଶୁପକ୍ଷୀ ସ୍ତବ୍ଧ ହୋଇଯାଇଛନ୍ତି ଯେମିତି।ଅଗଣତି ଲୋକଙ୍କ ଭିଡ଼ ।ସମସ୍ତେ ମର୍ମାହତ ।କିଏ ବା ଏମିତି କାଣ୍ଡ ଭିଆଇପାରେ ।


ବିଭିନ୍ନ ଦିଗରୁ ଭାବିଚିନ୍ତି କାହିଁକି କେଜାଣି ସୁଦା ଉପରେ ତାଙ୍କର ସନ୍ଦେହ ଘନୀଭୂତ ହେଲାଣି ।ପୋଲିସି ଲୋକମାନଙ୍କର ଏଇ ପ୍ରକୃତି । ସମସ୍ତଙ୍କୁ ସନ୍ଦେହ କରିବା । ହୁଏତ କିଛି ମିଳିଯାଇପାରେ ।ଦୁଇ ଦୁଇ ଥର ପଚରାଉଚୁରା ପରେ କଣ୍ଢେଇର ସାଙ୍ଗ ଗୁଡୁ କହିଲା ଯେ ଆମେ ଲୁଚକାଳି ଖେଳୁଥିବା ସମୟରେ କଣ୍ଢେଇ ସେ ସୁଦା ଦାଦାଙ୍କ ଘରକୁ ଯାଇଥିଲା ଲୁଚିବାକୁ ।କିନ୍ତୁ ତା ପରଠୁ ଆଉ ସେ କୁଆଡେ ଚାଲିଗଲା କେଜାଣି । ଆଉ କାଳବିଳମ୍ବ ନ କରି ସୁଦାକୁ ପୋଲିସି ଥାନାକୁ ଧରିଆଣିଲେ ବାବୁ ।ପୋଲିସିଆ ଢଙ୍ଗରେ କିଛି ଘଣ୍ଟାର ପଚାରାପଚରି ପରେ ସୁଦାର ପାପୀ ହୃଦୟ ଟାଣ କମିଯାଇଥିଲା ।ବଖାଣି ବସିଥିଲା ନିଜ ପାପର ଚିଠା ।କ୍ଷଣିକ ପାଶବିକତାର ଫଳ ସ୍ୱରୂପ ଲିଭିଯାଇଥିଲା କଣ୍ଢେଇର ଜୀବନ ଦୀପ ।କଣ୍ଢେଇର ଗୋଟାଳିଆ ଚେହେରା ସାଙ୍ଗକୁ ଦରୋଟି କଥା ସୁଦା ମନର ପାପକୁ ଜନ୍ମଦେଇଦେଇଥିଲା ।ଆଉ ଏମିତି ସୁଯୋଗଟିଏ ପାଇ ପାଲଟିଯାଇଥିଲା ପଶୁ ।ବୟସର ଜ୍ଞାନ ନଥିଲା ତାହାର ।ପ୍ରସାରିତ ବାହୁ ଓ ହାତରୁ ମୁକୁଳିପାରିନଥିଲା କଣ୍ଢେଇ ।ପଶୁ ଝୁଣି ଖାଇଦେଇଥିଲା ତା ଶରୀରକୁ ।ଏସବୁ ସହିବାର ସାମର୍ଥ୍ୟ ନଥିବାରୁ ନିସ୍ତେଜ ହୋଇସାରିଥିଲା କଣ୍ଢେଇର ଶରୀର ।ନିଜ ପାପକୁ ଲୁଚେଇବା ପାଇଁ ସୁଦା ଏଇ ଜଙ୍ଗଲରେ ଫିଙ୍ଗିଯାଇଥିଲା । ସୁଦାର କଳାମନର କର୍ତ୍ତୃତ୍ୱ ଶୁଣି ହତଚକିତ ହୋଇଯାଉଥିଲେ ସମସ୍ତେ ।

  

  ବିଶ୍ୱାସଘାତକର ବିଷଜ୍ବାଳାରେ ସବୁଦିନ ପାଇଁ ଶୋଇଯାଇଥିଲା କଣ୍ଢେଇ । ତାକୁ ନେଇ ସ୍ୱପ୍ନ ଦେଖିଥିବା ଧନୁ ଓ ରତନି ଧିକ୍କାର କରୁଥିଲେ ନିଜକୁ ।ନିଜେ ଠେଲିଦେଇଛନ୍ତି ଝିଅକୁ ମରଣମୁହଁକୁ । ସେମାନଙ୍କୁ ବି ଦଣ୍ଡ ଦେବାକୁ କହୁଥିଲେ ପୋଲିସି ବାବୁଙ୍କୁ ।ଲାଜରେ ଅଧମରା ହେଇଯାଉଥିଲା ସୁଦାର ସ୍ତ୍ରୀ ।ଆଜିଯାଏଁ ଗୋଟେ ପଶୁ ସହ ଜୀବନ ବିତେଇଥିବାରୁ ନିଜକୁ ନିନ୍ଦୁଥିଲା ।ରୀନା ଆଉ ରାହୁଲ ବୁଝିପାରୁନଥିଲେ ତାଙ୍କ ସାଙ୍ଗର କଣ ହେଇଛି । କାହିଁକି ପୋଲିସି ବାବୁ ତାଙ୍କ ବାପାଙ୍କୁ ବାନ୍ଧିନେଉଛନ୍ତି । କାହାକୁ ବା ପଚାରିବେ ?ସମସ୍ତେ ତ କାଠ ହୋଇସାରିଛନ୍ତି ।


ମୁଁ ବିସ୍ମିତା ସାହୁ ମହୋଦୟାଙ୍କ ଗଳ୍ପ ଅଂଶକୁ ନେଇ ମୋର ଗଳ୍ପଟି ପ୍ରସ୍ତୁତ କରିଛି ।ଛୋଟ ଝିଅଟିଏ ଗାଏବ ହେବାର ଅନେକ କାରଣ ଥାଇପାରେ ।କିନ୍ତୁ ଆଜିକାଲିର ସମାଜରେ ଘଟୁଥିବା ଘଟଣା ଦୁର୍ଘଟଣାକୁ ଦେଖି ମୁଁ ତାଙ୍କ ପ୍ରଦତ୍ତ ଗଳ୍ପଅଂଶ କୁ ରୂପ ଦେଲି ମୋ ଭାବନା ଅନୁସାରେ ।ସାଧାରଣତଃ ଛୋଟ ଝିଅମାନେ ଧର୍ଷଣ ର ଶିକାର ହୁଅନ୍ତି ନିଜ ଆତ୍ମୀୟ କିମ୍ବା ପାଖପଡ଼ୋଶୀଙ୍କ ଦ୍ଵାରା ।କାରଣ ସେମାନଙ୍କ ପରିବେଶ ସଙ୍କୁଚିତ ।ସେଇ ପରିବେଶରେ ଆତ୍ମୀୟ ଜନ କିମ୍ବା ପଡୋଶୀ ସେମାନଙ୍କ ସଂସ୍ପର୍ଶରେ ଆସିଥାନ୍ତି


Rate this content
Log in

More oriya story from Jayashree Maharana

Similar oriya story from Tragedy