The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sachidananda Kar

Tragedy

3  

Sachidananda Kar

Tragedy

କମଳି : ଏକ ଅଦରକାରୀ ଭାଗଶେଷ

କମଳି : ଏକ ଅଦରକାରୀ ଭାଗଶେଷ

3 mins
9



             - " ତୁ ଦମ୍ଭ ଧର।ତୋ ପାଦତଳର ପୃଥିବୀ ଉପରେ ଭରସା ରଖ।ଭୟ କରନା।କାହାର ଦୟା, ଅନୁକମ୍ପାରେ ବଞ୍ଚିବୁ କାହିଁକି ? "


             କେହି ଯେମିତି ତାକୁ ଏକଥା କହୁଛି, ଶୁଣି ପାରୁଥିଲା କମଳି।ବସି ରହିଥିଲା ଗୋଟେ ଗଛମୂଳେ।ପାଖରେ ଥିଲା ଗୋଟିଏ ଛୋଟ ବୁଜୁଳି - ତା' ଜୀବନଯାକର ସଂପତ୍ତି।


             ଡିସେମ୍ବର ମାସର ଶୀତୁଆ ସକାଳ।ଥୁରୁଥୁରୁ ହୋଇ ଥରୁଥିଲା ସେ।ତା'ର ଆଖିକୁ ବି ଏତେ ଭଲ ଦିଶୁ ନ ଥିଲା।


             ତା'ର ପୁଅ ବୋହୂ ଦୁହେଁ ତାକୁ ସେଇଠି ଛାଡି ଦେଇ ଚାଲି ଯାଇଥିଲେ।ଜରା ନିବାସ ପର୍ଯ୍ୟନ୍ତ ନେଇ ଯାଇଥିଲେ କ'ଣ ଏମିତି ସମ୍ମାନ ନଷ୍ଟ ହୋଇ ଯାଇଥାନ୍ତା ! ମନେମନେ ସେ ଭାବୁଥିଲା ଏମିତି।ନିଜ ପୁଅ ବୋହୂଙ୍କ ଉପରେ ରାଗୁଥିଲା।


              ବୟସ ଭାରରେ ନଇଁ ଯାଇଥିଲା ତା'ର ଅଣ୍ଟା।ଏବେ କେବଳ ତା' ପାଇଁ କିଛି ଆଦର ଓ ସମ୍ମାନର ଆବଶ୍ୟକତା ହିଁ ରହିଥିଲା।


             ଯା'ହେଉ ପୁଅ,ବୋହୂ ଦୁହେଁ ଜଞ୍ଜାଳମୁକ୍ତ ହୋଇଗଲେ।ସେମାନଙ୍କର ଆଉ ଝିନଝଟ ବି କିଛି ରହିଲା ନାହିଁ।ଭଲ ହେଲା।ଏବେ ତ ସମସ୍ତେ ଏଠି ସହଜ,ସୁନ୍ଦର ଜୀବନ ପଛରେ ପଡିଛନ୍ତି। - ସେ ମନକୁମନ କହିଲା।


             - " କିଏ ମୁଁ ? " ନିଜକୁ ପଚାରିଲା ସେ ଏ ପ୍ରଶ୍ନ।


             ଦିନେ ତାକୁ ବାହା ଦେଇ ବାପା, ମାଆ ସେମାନଙ୍କର ଦାୟିତ୍ୱ ତୁଟାଇ ଦେଇଥିଲେ।ଶାଶୁଘରେ ସୁଖରେ ସଂସାର ଗଢିବାକୁ ଯତ୍ନବାନ୍ ହୋଇଥିଲା ସେ।ନାତିଟିଏ ପାଇବାକୁ ଶାଶୁ ଗଞ୍ଜଣା ଦେଲେ।ସେ ଓଷାବ୍ରତ କଲା।ସାତ ବର୍ଷ ପରେ ପୁଅଟିଏ ପାଇଲା।ବଂଶର ଦାୟାଦ ଆସିଗଲା ଭାବି ଖୁସି ହେଲେ ତା'ର ଶାଶୁ , ଶ୍ୱଶୁର।ବୃଦ୍ଧା ବୟସରେ ପୁଅଟି ସହାୟ ହେବ - ଏମିତି ଭାବି ଖୁସି ହେଲା ସେ।


              ସମୟକ୍ରମେ ଶାଶୁ , ଶ୍ବଶୁର ଚାଲିଗଲେ।କିଛି ଦିନ ପରେ ସ୍ବାମୀ ମଧ୍ୟ ତାକୁ ପର କରିଦେଇ ଆରପାରିରେ ରହିଲେ।


              ପୁଅ ବଡ ହେଲା।ପାଠ ପଢି ଚାକିରି କଲା।ତା' ପାଇଁ ବୋହୂଟିଏ ଆଣିବାକୁ ଚିନ୍ତା କଲା ସେ।କେତେ ବାଛି ବାଛି ସୁନ୍ଦରୀ , ଶିକ୍ଷିତା ଝିଅଟିଏ ଘରକୁ ଆଣିଲା।


              ପୁଅ,ବୋହୂ ଦୁହିଙ୍କର ଚାକିରି ଜୀବନ ଭିତରେ ଧୀରେ ଧୀରେ ସେ ଘରର ଚାକରାଣୀ ପାଲଟିଗଲା।ଖଟି ଖଟି ତା'ର ଦେହ ବିଗିଡିଗଲା।ବୁଢ଼ୀ ହୋଇଗଲା ସେ।ତା'ପରେ ସେମାନେ କ'ଣ ବିଚାର କଲେ କେଜାଣି, ତାକୁ ଆଣି ଏଇ ଗଛମୂଳେ ବସାଇ ଦେଇ ଚାଲିଗଲେ।


               ଚାଲିବାକୁ ଶକ୍ତି ନ ଥିଲା।ଏବେ ଆଉ କିଏ ତା'ର ନିଜର ହୋଇ ରହିଲା ବୋଲି ବସି ଭାବୁଥିଲା ସେ।କିଏ ମୁଁ ? - ଉତ୍ତର ଖୋଜୁଥିଲା ଏଇ ପ୍ରଶ୍ନର।


              ହଠାତ୍ ତା' ପାଖରେ ଗୋଟିଏ ଗାଡି ଆସି ଅଟକିଲା।ଗାଡିରୁ ଓହ୍ଲାଇ ଆସିଲେ ଜଣେ ବାବୁ।ତାକୁ କହିଲେ - " ଆଉ ଚାଲି ପାରୁନାହଁ ବୋଧେ ! ଥକିଯାଇଛ।ଆସ,ମୁଁ ତୁମକୁ ମୋ ଗାଡିରେ ନେଇ ଜରା ନିବାସରେ ପହଞ୍ଚାଇ ଦେବି।ତୁମ ପାଇଁ ତାହା ହିଁ ଉପଯୁକ୍ତ ସ୍ଥାନ । "


              - " ହେଲେ ତୁମେ କେମିତି ଜାଣିଲ ଯେ ଜରା ନିବାସକୁ ଯିବା ପାଇଁ ମୁଁ ଏଇଠି ବସିଛି ? " ସେ ପଚାରିଲା।


              - " ଏବେ ଏବେ ମାଆକୁ ସେଠାରେ ଛାଡି ଫେରିଲି।ଜାଣି ପାରିବିନି ! " ବାବୁ କହିଲେ।


              - " ଆଁ ! " ମନେମନେ ଚମକିଗଲା ସେ।କହିଲା - " ହଉ।ଧର୍ମ ହେବ।ମତେ ଟିକେ ସେଇଠି ପହଞ୍ଚାଇ ଦିଅ,ପୁଅ। " 


              - " କେତେ ଭଲ ଏଇ ପୁଅଟି ! କଷ୍ଟ ହେବ ବୋଲି ମାଆକୁ ନେଇ ଜରା ନିବାସରେ ପହଞ୍ଚାଇ ଦେଇ ଆସିଛି।ମୋ ପୁଅ ଏମିତି ହୋଇନଥାନ୍ତା ! " ଗାଡ଼ିରେ ବସି ଖୁବ୍ ଅନ୍ୟମନସ୍କ ଭଙ୍ଗୀରେ ଭାବୁଥିଲା ସେ।


               ଗାଡି ପହଞ୍ଚିଲା।


               ଗାଡିରୁ ଓହ୍ଲାଇ ପଡିଲା ସେ।ଆସିଲା ବାବୁ ପାଖକୁ।ବାବୁକୁ ଚାହିଁ କହିଲା - " ତୁମେ ଠିକ୍ କହିଛ,ପୁଅ।ଏଇ ଆମ ପାଇଁ ଉପଯୁକ୍ତ ସ୍ଥାନ।ହେଲେ ଭଗବାନ କରନ୍ତୁ, ତୁମକୁ କାଲି ଏଠିକି ଆସିବାକୁ ନ ପଡୁ।ମୋ ପୁଅକୁ ବି ନୁହେଁ। " 


              ବାବୁ ତା' କଥାକୁ ଶୁଣି ନ ଶୁଣିଲା ପରି ରହିଲେ ।ଗାଡି ବୁଲାଇ ଫେରିଗଲେ।


              ଆସି ଜରା ନିବାସର ବାରଣ୍ଡାରେ ଠିଆ ହେଲା ସେ।ଖୁବ୍ ଶାନ୍ତି ଅନୁଭବ କଲା।ନିଶ୍ଚିନ୍ତ ହେଲା।ପେଟରେ ପେଟେ ଦୁଃଖ ଥିଲେ ବି ମନଖୋଲି ହସିଲା ।ବହୁଦିନ ପରେ ସେମିତି ସୁନ୍ଦର ହସ ହସୁଥିଲା ସେ।


              - " ଝିଅ ନୁହେଁ, ବୋହୂ ବି ନୁହେଁ।ମାଆ ନୁହେଁ, ଶାଶୁ ବି ନୁହେଁ।ଏବେ ମୁଁ ଏକ ଅଦରକାରୀ ଭାଗଶେଷ ଓ ଏତିକି ହିଁ ମୋର ପରିଚୟ। " ଏମିତି ଭାବିବାକୁ ଲାଗିଲା।


              ବୋଧହୁଏ ଇଏ ଥିଲା ତା'ର " କିଏ ମୁଁ " ପ୍ରଶ୍ନର ସଠିକ୍ ଉତ୍ତର।


Rate this content
Log in

More oriya story from Sachidananda Kar

Similar oriya story from Tragedy