STORYMIRROR

Archana Sahoo

Tragedy Fantasy Inspirational

3  

Archana Sahoo

Tragedy Fantasy Inspirational

କିଶୋର

କିଶୋର

5 mins
325


ଓ ହ ତତେ ମୁଁ କେତେ ଥର କହିଲିଣି ମତେ ଟିକେ ସମୟ ବାହାର କରି ଫୋନ କର ବୋଲି । ହେଲେ ବାବୁ ଙ୍କର କିଛି ଫରକ ପଡୁନି । ଦେଖ ଏମିତି ହେଲେ ମୁଁ ମରିଯିବି କହୁଛି

         ଏମିତି ପାଟି କରି କହୁଥିଲା କିଶୋରୀ । ହେଲେ ସେ କଥା କୁ କାଇଁ ଶୁଣିବ ଭଲା ସେ କିଶୋର । 

      ସେ ରୋକ୍ ଠକ୍ କହିଦେଲା , ଶୁଣୁ କିଶୋରୀ । ତୁ ମୋ ପରିସ୍ଥିତି ବୁଝୁନୁ କାହିଁକି ? ମୁଁ ପରା

   ରାଗିକି କିଶୋରୀ କହିଲା, ହଁ ଜନ ସେବା କରିବୁ ବୋଲି କ'ଣ ମତେ ଟିକେ ଫୋନ କରିବୁନି ? ତମେ ଖାଇଲ କି ନାହିଁ ,ତମେ ସୁରକ୍ଷିତ ଅଛ କି ନାହିଁ ,ମୁଁ କେମିତି ଜାଣିବି ଭଲା ?

      ଗାଡ଼ିଆ କୂଳ ର ପାହାଚ ଉପରେ ବସି କଥା ହେଉଥିଲା କିଶୋରୀ । ଦଳ ଗାଡ଼ିଆ , ଦଳ ପିମ୍ପୁଡ଼ିଆ ର ଦୁଇ ପକ୍ଷୀ,ଦଳ ର କଳା ଚେର ,ପୁଣି ପାଣି ଉପରେ ଭାସୁଥିବା ତେଲୁଆ ଶିଉଳି,ଗଡ଼ିଶା ମାଛ ,ଆଉ କେରାଣ୍ଡି ଦିଟା ପାଣି ଉପରକୁ ଡିଆଁ ମାରି ପୁଣି ପଶିଗଲେ ପାଣି ରେ । ଛୋଟ ଛୋଟ ଲହରୀ ଆସି କିଶୋରୀ ର ଗୋରା ପଦ ରେ ଧକ୍କା ହେଉଥିଲେ । ହେଲେ ସେଥିପ୍ରତି କିଶୋରୀ ର ଧ୍ୟାନ ନାହିଁ । ସେ କିଶୋର କଥା ହିଁ ଭାବୁଥିଲା । କିଶୋର ର ବ୍ୟସ୍ତତା ଭିତରେ ଫୋନ କେତେବେଳୁ କଟି ସାରିଲାଣି । କେହି ଜଣେ କିଶୋରୀ ଲୋ ଡାକି ବାରୁ କିଶୋରୀ ଉଠି ଗଲା ହଟାତ୍ ।ସେ ତରବରରେ ଓଢଣୀ ରେ ଫୋନ ଟି ଲୁଚେଇ ଦେଇ ଘର ମୁହାଁ ହେଲା ।

       ବାରିପଟ ବଜୁରୀ ଗଛ ରେ ଗୋଡ଼ ଟା ଲାଗି ସେ ପଡି ଗଲା । ଆଉ ଭାବିଲା ମୁଁ ଏତେ କାହିଁକି ସେ କିଶୋର କଥା ଭାବୁଛି କି ? ସେ ମୋର କିଏ ? ସମସ୍ତେ ତ ପିଲା ଦିନ ର ସାଙ୍ଗ କୁ ଭୁଲି ଗଲେଣି । ହେଲେ ମୁଁ କାହିଁକି ମନେ ରଖିଛି ? ସେ ତ ମତେ ନିଜ ଠାରୁ ଦୂରେଇ ଦୂରେଇ ରଖୁଛି । ଆଉ ଫୋନ କଲେ କାଟି ଦେଉଛି । ପଦେ କଥା କହୁଛି ମୁଁ ଠିକ୍ ଅଛି । ଆଉ ବେଳେବେଳେ ଅନେଇ ରହି କିଛି ସମୟ ନିଜ ବାଟରେ ଚାଲି ଯାଉଛି ।

    ବଜୁରୀ ଗଛ ରୁ ଧୂଳିଆ ଜନ୍ଦା ଟିଏ ଆସି କାମୁଡି ଦେଲା ହାତକୁ । ଓଃ ବହୁତ କଷ୍ଟ ହେଲା । ତଥାପି ସେଇ କିଶୋର ର ଭାବନା ।

      କିଶୋରୀ ଭଲ ଲେଖିକା ନୁହେଁ ତଥାପି ସେଦିନ ସେ ରାତି ବାରଟା ରେ ଡ଼ାଏରୀ ଧରି ଏଣୁତେଣୁ ଲେଖୁଥିଲା ସେ । ଫୋନ ରେ ଦୁଇ ଚାରିଟା ମେସେଜ୍ ଆସିଲା । ସେ ଦେଖିଲା କିଶୋର ର ମେସେଜ ଥିଲା । ସେ ବି କିଶୋରୀ ର ଦୁଇ ଦିନ ତଳର ମେସେଜ ର ପ୍ରତିଉତ୍ତର ଥିଲା ।

      କିଶୋରୀ ଫୋନ ଉଠେଇଲା ଆଉ ମେସେଜ ଦେଖିଲା

କିଶୋର - ହଁ ମୁଁ ଭଲ ଅଛି ।

             ତୁ ପାଠ ପଢ଼ ।

              ପରୀକ୍ଷା ଏଇ ମାସରେ ହେବ ବୋଧେ ।

              ଶୁଭ ରାତ୍ରି ବିଦାୟ

କିଶୋରୀ- ଟିକେ ରହ

କିଶୋର - ହଁ ମୁଁ ତୋ ଫୋନ ଉଠେଇ ନଥିଲି । ସେଇ ଗରିବ ବସ୍ତି ର ଲୋକ ମାନଙ୍କୁ ସ୍କୁଲ ଘରକୁ ନେଉଥିଲୁ ପରା । ଏବେ ତ କରୋନା ସମୟ ତେଣୁ ସେମାନଙ୍କ ନିରାପତ୍ତା ଏଇ ବାତ୍ୟା ସମୟରେ ନିହାତି ଆବଶ୍ୟକ । ପୁଣି ସେଥିରେ ବୟସ୍କ ମଉସା ମାଉସୀ ମାନଙ୍କୁ ବି ଗାଡି ରେ ନେବାର ଥିଲା ନା

ହଁ ଖାଦ୍ୟ ବି ସଂରକ୍ଷିତ କରିବାର ଥିଲା

ତୁ ମୋ ଉପରେ ରାଗେନା । ତୁ କହୁନୁ ମୁଁ କେମିତି ତୋ ଫୋନ ଉଠେଇ ଥାଆନ୍ତି ।

କିଶୋରୀ - କ୍ଷମା କରିବୁ। ମୁଁ ତତେ ହଇରାଣ କରିଛି ।

କିଶୋର - ନା ନା ସେମିତି କାହିଁକି କହୁଛୁ ? ତୁ ମେସେଜ କି ଫୋନ କଲେ ମତେ ବହୁତ ଭଲ ଲାଗେ । କାରଣ

କିଶୋରୀ - ତୁ ଏ କରୋନା ରେ ଏଣେ ତେଣେ ବୁଲୁଛୁ ? ନିଜ ର ଯତ୍ନ ନେବୁ । ବେଶି କାହା ସହ ମିଶିବୁନି ।

କିଶୋର - ଏବେ ଟିକେ ସମୟ ମିଳିଲା ମତେ । ତାଣୁ ତୋ ସହ କଥା ହେଉଛି । ତୁ ରାଗୁନୁ ତ ?

କିଶୋରୀ - ନା ।

କିଶୋର - ସୁନା ସାଙ୍ଗ ଟା

କିଶୋରୀ - ମୁଁ ଦେଖିଛି ତୁ ସେଇ ଗରିବ ଲୋକ ମାନଙ୍କୁ ଖାଇବା ଦେଉଥିଲୁ । ତୁ ସେଥି ପାଇଁ ଟଙ୍କା କୋଉଠୁ ଆଣିଲୁ ?

କିଶୋର - ସେ ଗୋଟେ ସାହାର୍ଯ୍ୟ କାରୀ ସଂସ୍ଥା ଅଛି । ସେଇଠୁ ସବୁ ଖାଦ୍ୟ ତିଆରି କରି ଆମେ ଖାଦ୍ୟ ସବୁ ବାଣ୍ଟୁ ।

ମୋ ପାଖରେ କିଛି ନାହିଁ ଦେବାକୁ । ହେଲେ ସାହାର୍ଯ୍ୟ ତ କରିପାରିବି ନିଜ ର ଶ୍ରମ ଦ୍ୱାରା ।

କିଶୋରୀ - ଆରେ ବହୁତ ଭଲ କଥା । ଆଜି ତୁ କେମିତି ମୋ ସହ ଏତେ ସମୟ କଥା ହେଉଛୁ ? କାଇଁ କେବେ ତ କଥା ହେଉନୁ ଏମିତି ? ଆଜି

କିଶୋର - ହଁ ଆଜି ରବିବାର ତେଣୁ ମୁଁ ମୋ

କିଶୋରୀ - ହଁ ତୁ ଯାଆ ଶୋଇବୁ । କେତେ କାମ କରି ଥକି ଯାଇଥିବୁ

କିଶୋର- ନ। ଆଜି କାହିଁ ତୋ ସହ କଥା ହେବାକୁ ଭାରି ଇଚ୍ଛା ହେଉଛି

     କୋହ ଉଠିଲା କିଶୋରୀ ର ତେଣୁ ସେ ଫୋନ ବନ୍ଦ କରି ଦେଇ ଶୋଇ ପଡ଼ିଲା ।

ବାତ୍ୟା ସରିଲା କିଶୋରୀ ଦେଖୁଥିଲା ବିଭୀଷିକା ର ଦୃଶ୍ୟ । ଜରି ସଭ୍ୟତା କେମିତି ଉଡି ଯାଇଛି । ଜରି ପକା ଘରେ ଜୀବନ । କେତୋଟି ଫୁଙ୍ଗୁଳା ପିଲା ,ମୁଣ୍ଡ ନୁଖୁରା,ଠାକେରା ଗାଲ ,କୋରଟ ପଶା ଆଖି,ବେକ ହାଡ଼ ରେ ଗଣି ହେଇ ଯାଉଛି । ସତେ ଯେମିତି ସେ ଗୋଟେ ବଡ ବେଲା ଧରି କହୁଛି ମତେ କିଛି ଖାଇବାକୁ ଦିଅ । ଚିରା ଲୁଗା ଯେ ହଲୁଛି ପବନରେ ଆଉ କେତୋଟି ଛୁଆ ସେଇ ଚିରା ଦଦରା କାନି ରେ ଓହଳି ପଡିଛନ୍ତି ପିଠି ଉପରେ । କିଛି ଚାଳ ଘର ଉଡି ଯାଇଛି ,କାନ୍ଥ ପଡି ଯାଇଛି । ଜରି ଘର କଥା ନକହିବା ଭଲ

        ଏ ଘୋର କରୋନା ସମୟ ରେ ବାପା ପୁଅ ମୁହଁ କୁ ଚାହୁଁନି ଆଉ ସେମାନଙ୍କ ପାଖକୁ ଯିବ କିଏ ? ଆରେ କେହି ଜଣେ ଯୁବକ ସେଠି ଦେଖା ଯାଉଛି । ସେ ନୂଆ ଜରି ଘର ତିଆରି କରିବାରେ ବ୍ୟସ୍ତ । ଆରେ ଆରେ ଏକୁଟିଆ କ'ଣ ସବୁ କରିଦେବ ସିଏ ? ଗୁଣ୍ଡୁଚି ମୂଷା ପରି ସେ ତା' କାମ ରେ ବ୍ୟସ୍ତ ।

        କେଜାଣି ଏବେ କୋଉ ସଂସ୍ଥା ତାକୁ ଏ କାମ ଦେଇଛି କେଜାଣି ? କିଶୋରୀ ଏ ସବୁ ଦେଖି ବହୁତ ଖୁସି ହେଉଥିଲା ।

ଆଉ ମନେ ମନେ ବହୁତ ଖୁସି ହେଉଥିଲା ।

ହଟାତ୍ ଦିନେ କିଶୋରୀ କାନ୍ଦି କାନ୍ଦି କିଶୋର କୁ ଫୋନ କଲା: -

ହେଲୋ ହେଲୋ କିଶୋର କିଶୋର ! ମୋର ବାହାଘର ହେଇଯିବ । ତୁ ମତେ ଆସି ଏଠୁ ନେଇ ଯାଆ । ମୁଁ ତୋ ବିନା ବଞ୍ଚି ପାରିବି ନାହିଁ ।

 - କିଶୋରୀ ତୁ କ'ଣ କହୁଛୁ ? ତୁ ବାହା ହେଇଯିବୁ ପୁଣି ଆଉ କାହାକୁ ? ନା ନା ଏମିତି ହେଇପାରିବ ନାହିଁ ।

- କି କି କିଶୋର! ତୁ ଆସେ ଆଉ ମତେ ତୋ ପାଖକୁ ନେଇ ଯାଆ

- ହଁ ତୁ ବ୍ୟସ୍ତ ହ ନା ମୁଁ ମୁଁ ଆସୁଛି ।

- ହଁ ତୁ ଜଲ୍ଦି ଆ' । ଆଜି ମୋ ବାହାଘର । ତୁ ମତେ ଟି ସାଙ୍ଗରେ ନେଇ ଯାଆ

     ସେପଟୁ କାହାର ପାଟି ଶୁଣା ଗଲା । ଆପଣଙ୍କ ରୋଗୀ ବହୁତ ସିରିୟସ ଅଛି କିଶୋର ! ଜଲ୍ଦି ଅମ୍ଳଜାନ ଆଣି ଦିଅ ।

ନେହେଲେ

     ଏପଟେ କିଶୋରୀ ପୁରା ନୀରବ ନର୍ସ ଙ୍କ କଥା ଶୁଣି । ଆଉ ଭାବୁଥାଏ ,କିଶୋର ଆଜି ରୋଗୀ ନେଇ ଡାକ୍ତରଖାନା ଯାଇଛି ।

କେତେ ମହାନ ସେ କିଶୋର ଆଖିରୁ ଲୁହ ଝରିଲାଣି

    ନର୍ସ ବହୁତ ବ୍ୟସ୍ତ ରେ କହୁଥିଲେ , କିଶୋର ବାବୁ ! ଜଲ୍ଦି ଯାଅ ।

ହଁ ଯାଉଛି ସିଷ୍ଟର । ହଁ ମୁଁ ଅମ୍ଳଜାନ ଆଣିବି। ମୋ ପାଇଁ ନୁହେଁ ମୋ ରୋଗୀ ପାଇଁ

ଏତିକି କହି କିଶୋର ଫୋନ କାଟିଦେବା ପୂର୍ବରୁ ଥରଟେ କହିଲା କିଶୋରୀ

କିଶୋରୀ ର ଶେଷ ଶବ୍ଦ କିଶୋର

ବାସ୍ ଫୋନ ଆଉ କେବେ ବାଜି ନଥିଲା କିଶୋରୀ ନାମ ରେ ।


Rate this content
Log in

Similar oriya story from Tragedy