କିଛି ବଦଳିଛି...
କିଛି ବଦଳିଛି...
ମୋ ଗାଁ ଲକ୍ଷ୍ମୀ ପୂଜା ଓ ଜହ୍ନି ଓଷା I
ଆଶ୍ୱିନ ମାସର ଶେଷ ହେବାକୁ ଆସିଲେ ମନ ଭିତରେ ଆପେ ଆପେ ଗୋଟେ ଅଜଣା ଖୁସି ଜାଗି ଉଠେ । ମନେ ପଡ଼ିଯାଏ ଆମ ଗାଁର ସେଇ ପୁରୁଣା ଦିନଗୁଡ଼ିକ । ଗାଁ ଦାଣ୍ଡରେ ଧୂଳି ଉଡ଼ୁଥିବା ରାସ୍ତା, ଘର ଆଗରେ ଲିପାପୋଛା, ଚାରିଆଡ଼େ ଝୋଟି ଚିତା ଆଉ ଲୋକଙ୍କ ମୁହଁରେ ହସ ।ଗୋଟିଏ ଦିନରେ ଦୁଇ ଦୁଇଟି ଉତ୍ସବ, ଲକ୍ଷ୍ମୀ ପୂଜା ଆଉ ଜହ୍ନି ଓଷା। ସତରେ, ସେତେବେଳେ ଆମ ଗାଁ କେବଳ ଗୋଟିଏ ଗାଁ ନଥୁଲା, ଯେମିତି ଲାଗୁଥିଲା ଖୁସିର ଗୋଟିଏ ଛୋଟ ସ୍ବର୍ଗ । ପୂଜାର ପୂର୍ବ ଦିନରୁ ଗାଁରେ ଆରମ୍ଭ ହୋଇଯାଏ ପ୍ରସ୍ତୁତି। କିଏ ଗାଁ ଦାଣ୍ଡ ସଫା କରୁଥାଏ, କିଏ ଘର ଆଗରେ ଝୋଟି ପାଇଁ ଚାଉଳ ବାଟୁଥାଏ, ଆଉ କିଏ ପୂଜା ପାଇଁ ସାମଗ୍ରୀ ଯୋଗାଡ଼ କରୁଥାଏ । ଲକ୍ଷ୍ମୀ ପୂଜା ଦିନ ସକାଳୁ ସକାଳୁ ଉଠିଲେ ଗାଁ ରାସ୍ତାରେ ଦେଖୁବାକୁ ମିଳେ ରଙ୍ଗବେରଙ୍ଗର ଝୋଟି ଚିତା । ତା'ପରେ କଳସ ଯାତ୍ରା । ମହିଳାମାନଙ୍କ ହୁଳହୁଳି, ଶଙ୍ଖର ଶବ୍ଦ ଆଉ ଭକ୍ତିଭରା ପରିବେଶରେ ଗାଁଟା ସତେ ଯେମିତି ମାଆ ଲକ୍ଷ୍ମୀଙ୍କୁ ସ୍ବାଗତ କରୁଥାଏ ।
ପୂଜା କେବଳ ଗୋଟିଏ ଦିନରେ ସୀମିତ ନଥୁଲା । ତିନି ଦିନ ଧରି ଗାଁରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହେଉଥିଲା । କିଛି ଲୋକ ନିଜ ଇଚ୍ଛାରେ ଅନ୍ନ ଭୋଗ ପ୍ରଦାନ କରୁଥିଲେ । ସମସ୍ତେ ଏକାଠି ବସି ଖାଉଥିଲେ। ସେଇ ଅନ୍ନ ଭୋଗର ସ୍ବାଦ ଆଜି ବି ମନେ ପଡ଼ିଲେ ପାଟିରେ ପାଣି ଆସିଯାଏ । କାହିଁକି କେଜାଣି, ଆଜିର ଦାମୀ ଖାଦ୍ୟରେ ବି ସେଇ ସ୍ବାଦ ଆଉ ମିଳୁନାହିଁ । ବୋଧହୁଏ ସେତେବେଳେ ଖାଦ୍ୟରେ କେବଳ ଲୁଣ, ମସଲା ନଥିଲା, ଥିଲା ଆତ୍ମୀୟତା ଆଉ ଭଲପାଇବାର ମିଠା ସ୍ବାଦ ।
ଏପଟେ ମହିଳାମାନେ ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ଥୂବାବେଳେ ସେପଟେ ଗାଁର ଝିଅମାନେ ଜହ୍ନି ଓଷା ପାଇଁ ସଜବାଜ ହେଉଥାନ୍ତି । କୁମାର ପୁନେଇଁର ଚାନ୍ଦିନୀ ରାତିରେ ସେମାନଙ୍କ ସୁସଜ୍ଜିତ ବେଶ, ପୂଜାର ଆୟୋଜନ ଆଉ ରାମ-ସୀତାଙ୍କ କଉଡ଼ି ଖେଳର ଗୀତ ପରିବେଶକୁ ଏକ ଅଲଗା ରୂପ ଦେଉଥିଲା । ଲୋକମୁଖରେ କଥା ଥିଲା, ଏହି ଓଷା କଲେ ଭଲ ବର ମିଳେ ।
ଆମ ପିଲାଦିନେ ଏସବୁ ଦେଖୁବାର ମଜା ହିଁ ଅଲଗା ଥିଲା ।ସେତେବେଳେ ଆମ ଗାଁରେ ବିଦ୍ୟୁତ୍ ନଥିଲା । ରାତି ହେଲେ ଗାଁ ଅନ୍ଧାରରେ ବୁଡ଼ିଯାଉଥିଲା, କିନ୍ତୁ ଆମ ପିଲାମାନଙ୍କ ମନରେ ଖୁସିର ଆଲୁଅ କେବେ ଲିଭୁନଥିଲା । ଜହ୍ନି ଓଷା ଆସିଲେ ଆମେ ଗୋଟିଏ ସାହିରୁ ଅନ୍ୟ ସାହିକୁ ଦୌଡ଼ି ଦୌଡ଼ି ଯାଉଥିଲୁ । କେଉଁଠି ଖଇ ଭୋଗ ମିଳୁଥୁଲା, କେଉଁଠି ପିଠା । ହାତରେ ଖଇ ଧରି, ସାଙ୍ଗମାନଙ୍କ ସହ ହସି ହସି ଫେରିବାର ସେଇ ଖୁସିକୁ କ'ଣ ଆଜିର ମୋବାଇଲ୍ ଫୋନ୍ରେ କିଣି ହେବ? କୁମାର ପୁନେଇଁ ଦିନ ଘରେ ଘରେ ପିଠା ତିଆରି ହେଉଥିଲା। କିଏ ମଣ୍ଡା ପିଠା କରୁଥିଲା, କିଏ କାକରା, ଆଉ କିଏ ଆରିସା । ପରସ୍ପର ଘରକୁ ପିଠା ଦେବା ନେବା ଚାଲୁଥିଲା । ସେଥୁରେ କିଏ ଧନୀ, କିଏ ଗରିବ ବୋଲି କିଛି ଫରକ ନଥିଲା । ସମସ୍ତଙ୍କ ଘରର ଖୁସି ଯେମିତି ସମସ୍ତଙ୍କର ହିଁ ଥିଲା ।
ଆଉ ରାତି ହେଲେ ଆମର ଆଉ ଗୋଟିଏ ଅପେକ୍ଷା ଆରମ୍ଭ ହେଉଥିଲା । ଗାଁରେ ମନୋରଞ୍ଜନର ଜରିଆ କିଛି ନଥିଲା କହିଲେ ଚଳେ । କେବଳ ଗୋଟିଏ ବ୍ଲାକ୍ ଆଣ୍ଡ୍ ହ୍ରାଇଟ୍ ଟିଭି । ସେଇ ଟିଭିଟା କେବେ ବଡ଼କୁଦରରୁ ଆସୁଥିଲା ତ କେବେ ବଂପରଡ଼ାରୁ । ଟିଭି ହେବ କି ନାହିଁ, କେହି ନିଶ୍ଚିତ କରି କହିପାରୁନଥିଲେ । ତଥାପି ଆମେ ରାତି ଦଶ, ଏଗାରଟା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲୁ ।
ଶେଷରେ ରେ ଟିଭି ଚାଲିଲେ ପ୍ରଥମେ ଆରମ୍ଭ ହେଉଥିଲା ଗୀତମାଳା । ତା'ପରେ ଆରମ୍ଭ ହେଉଥିଲା ଆମର ଅସଲ ମଜା । ଆଜିର ପିଲାମାନେ ହୁଏତ ବୁଝିପାରିବେ ନାହିଁ, ଗୋଟିଏ ଟିଭି ଦେଖିବା ପାଇଁ କେତେ ଅପେକ୍ଷା କରିବାକୁ ପଡ଼ୁଥିଲା, କେତେ ଖୁସି ମିଳୁଥିଲା । ସେଇ ଛୋଟ ଛୋଟ ଘଟଣା ଭିତରେ ଲୁଚି ରହିଥୁଲା ଆମ ପିଲାଦିନର ସବୁଠୁ ବଡ଼ ଆନନ୍ଦ । ଦିନ ବଦଳିଲା। ଧୀରେ ଧୀରେ ପରଦା ଫିଲ୍ମ ଆସିଲା । ସିଦ୍ଧାନ୍ତ ମହାପାତ୍ର ଆଉ ମିହିର ଦାସ ଆମର ପ୍ରିୟ ହିରୋ, ରାଇମୋହନ ପରିଡ଼ା ଆଉ ହର ପଟ୍ଟନାୟକ ଥିଲେ ଆମ ପ୍ରିୟ ଖଳନାୟକ । ସେମାନଙ୍କ ଅଭିନୟ ଦେଖିବା ପାଇଁ ଗାଁରୁ ଲୋକମାନେ ଚାଲି ଚାଲି ବଂପରଡ଼ା ଯାଉଥିଲେ । ମୁଁ ବି ଅନେକ ଥର ଅପେରା ଦେଖିବାକୁ ଚାଲି ଚାଲି ଯାଇଛି । ରାତିରେ ଅପେରା ଦେଖି, ସାଙ୍ଗମାନଙ୍କ ସହ ଗପସପ କରି ଘରକୁ ଫେରିବାରେ ଯେଉଁ ଆନନ୍ଦ ଥିଲା, ତାହା ଆଜି ମନେ ପଡ଼ିଲେ ଆଖି ଆଗରେ ସେଇ ଦିନଗୁଡ଼ିକ ଜୀବନ୍ତ ହୋଇଉଠେ ।ସେତେ ସତେବେଳେ ଆମ ପାଖରେ ଟଙ୍କା କମ୍ ଥିଲା, ସୁବିଧା କମ୍ ଥିଲା, କିନ୍ତୁ ସମୟ ଆଉ ଖୁସିର ଅଭାବ ନଥିଲା । ଆଜି ଭଳି ପ୍ରତ୍ୟେକ ହାତରେ ମାବାଇଲ୍ ନଥିଲା, ଇଣ୍ଟରନେଟ୍ ନଥିଲ, ସୋସିଆଲ୍ ମିଡିଆ ନଥିଲା, ତଥାପି ଆମେ ଏକାଠି ଥିଲୁ । ଜଣେ ଖୁସି ହେଲେ ସମସ୍ତେ ଖୁସି ହେଉଥୂଲୁ। ଥିଲୁ । ଜଣେ ଦୁଃଖୀ ହେଲେ ତା'ର ଦୁଃଖରେ ଅନ୍ୟମାନେ ସାମିଲ ହେଉ ଥିଲେ ।
ଆଜି ଗାଁରେ ବିଦ୍ୟୁତ୍ ଅଛି, ପ୍ରତ୍ୟେକ ଘରେ ଟିଭି ଅଛି, ହାତରେ ସ୍ମାର୍ଟଫୋନ୍ ଅଛି । ମନ ଚାହିଁଲେ ମୁହୁର୍ତରେ ଯେକୌଣସି ଗୀତ ଶୁଣିହେବ, ଯେକୌଣସି ଫିଲ୍ମ ଦେଖୂହେବ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏତେ ସବୁ ସୁବିଧା ଥାଇ ବି ଆମ ପାଖରେ ଆଗ ପରି ଖୁସି ନାହିଁ ।
ପୂଜା ହେଉଛି, ଝୋଟି ଚିତା ପଡ଼ୁଛି, ଭୋଗ ହେଉଛି, ଜହ୍ନି ଓଷା ବି ପାଳନ ହେଉଛି । କିନ୍ତୁ ସେଇ ପୁରୁଣା ଆପଣାପଣ କାହିଁ ? ଆଗରୁ ଯେଉଁଠି ଗାଁର ସମସ୍ତେ ଏକାଠି ହେଉଥିଲେ, ଆଜି ସେଇଠି ଅନେକ ଲୋକ ନିଜ ନିଜ ଘର ଭିତରେ ବନ୍ଦ । ଗୋଟିଏ ଘରେ ଚାରିଜଣ ଥିଲେ ବି ସମସ୍ତେ ନିଜ ନିଜ ମୋବାଇଲ୍ରେ ବ୍ୟସ୍ତ । କେବେ କେବେ ଭାବେ, ଆମେ କ'ଣ ସତରେ ଉନ୍ନତି କରିଛୁ, ନା ଉନ୍ନତିର ଦୌଡ଼ରେ ଆମ ଜୀବନର କିଛି ମୂଲ୍ୟବାନ ଜିନିଷ ହରାଇ ବସିଛୁ ? ସେଦିନ ଆମେ ଖଇ ଭୋଗ ପାଇଁ ସାହି ସାହି ବୁଲୁଥିଲୁ I ଆଜିର ପିଲାମାନେ ହୁଏତ ଘରେ ବସି ମୋବାଇଲ୍ରେ ଖେଳ ଖେଳୁଛନ୍ତି । ସେଦିନ ଆମେ ଟିଭି ଦେଖୁବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲୁ । ଆଜି ହଜାର ହଜାର ଚ୍ୟାନେଲ୍ ଥାଇ ବି ମନ ଭରୁନାହିଁ । ସେଦିନ ଅପେରା ଦେଖିବାକୁ ଚାଲି ଚାଲି ଯାଉଥୂଲୁ, ଆଜି ପାଖରେ ଗାଡ଼ି ଥାଇ ବି କେଉଁଠିକୁ ଯିବାକୁ ଇଚ୍ଛା ହେଉନାହିଁ । ସମୟ ବଦଳିବା ସ୍ବାଭାବିକ । ଆମେ ପୁଣି ସେଇ ପୁରୁଣା ଦିନକୁ ଫେରିପାରିବା ନାହିଁ । କିନ୍ତୁ ସେଇ ଦିନର ଭଲପାଇବା, ମିଳାମିଶା ଆଉ ଆପଣାପଣକୁ ତ ଫେରାଇ ଆଣିପାରିବା..... ଏ ବର୍ଷ ଜହ୍ନି ଓଷାର ଚାନ୍ଦିନୀ ରାତିରେ ମନ ହେଉଛି, ପୁଣି ଥରେ ପିଲାଦିନକୁ ଫେରିଯାଆନ୍ତି କି ! ସାଙ୍ଗମାନଙ୍କ ସହ ଗୋଟିଏ ସାହିରୁ ଅନ୍ୟ ସାହିକୁ ଦୌଡ଼ନ୍ତି, ହାତ ପାତି ଖଇ ଭୋଗ ନିଅନ୍ତି, ରାତିରେ ଟିଭି ଆସିବାକୁ ଅପେକ୍ଷା କରନ୍ତି ଆଉ ଗୀତମାଳାର ସୁରରେ ହଜିଯାଆନ୍ତି।କିନ୍ତୁ ଏସବୁ ଆଉ ସମ୍ଭବ ନୁହେଁ । ସେଇ ଦିନଗୁଡ଼ିକ ଏବେ କେବଳ ସ୍ମୃତିରେ ବଞ୍ଚିଛି । ଚାନ୍ଦ ଆଜି ବି ସେମିତି ଉଠୁଛି । ଆଶ୍ୱିନ ମାସ ଆଜି ବି ଆସୁଛି । ଲକ୍ଷ୍ମୀ ପୂଜା ଆଉ ଜହ୍ନି ଓଷା ଆଜି ବି ପାଳନ ହେଉଛି । ବଦଳି ଯାଇଛି କେବଳ ଆମେ, ଆମ ସମୟ ଆଉ ଆମ ଖୁସିକୁ ଅନୁଭବ କରିବାର ଢଙ୍ଗ ।କେବେ କେବେ ଲାଗେ, ଆମେ ବଡ଼ ହେବାକୁ ଯାଇ ଆମ ଭିତରର ସେଇ ଛୋଟ ପିଲାଟିକୁ କେଉଁଠି ହଜାଇ ଦେଇଛୁ । ଆଉ ସେଇ ପିଲାଟି ଆଜି ବି ମନର କୌଣସି ଗୋଟିଏ କୋଣରେ ବସି, ଜହ୍ନି ଓଷାର ସେଇ ଚାନ୍ଦିନୀ ରାତିକୁ ଅପେକ୍ଷା କରିଛି । ହୁଏତ ସେଇଥୂପାଇଁ ଆଜି ବି ଆଶ୍ୱିନ ମାସ ଶେଷ ହେଲେ ମନ ଭିତରେ ଗୋଟିଏ ଅଜଣା ଶୂନ୍ୟତା ଜାଗିଉଠେ । @Debaprakash_Mahanta
