ମୃତ ବିବେକ
ମୃତ ବିବେକ
ଗାଁ ଶେଷ ମୁଣ୍ଡରେ ଥିବା ସେହି ଛୋଟିଆ ଘରଟି ସବୁବେଳେ ହସଖୁସିରେ ଫାଟି ପଡୁଥିଲା । ହରିହରଙ୍କ ସଂସାର କହିଲେ ତାଙ୍କ ସ୍ତ୍ରୀ, ଦୁଇଟି କିଶୋର ପିଲା ଏବଂ ବଡ଼ ପୁଅ ସୁମିତ୍ । ସୁମିତ୍ ଥିଲା ଘରର ବଡ଼ ପୁଅ ତଥା ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି, ବୃଦ୍ଧ ବାପାମାଆଙ୍କ ଆଖିର ତାରା । ତା’ରି ବେତନରେ ଦୁଇ ସାନ ଭାଇଭଉଣୀଙ୍କ ପାଠପଢ଼ା ଚାଲିଥିଲା ଓ ଘରର ଚୁଲି ଜଳୁଥିଲା । ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ଭାଗ୍ୟର ବିଚାର ବୋଧହୁଏ କିଛି ଅଲଗା ଥିଲା। ଦିନେ ସଞ୍ଜ ନଇଁବା ବେଳକୁ ଗାଁରେ ଏକ ହୃଦୟବିଦାରକ ଖବର ଖେଳିଗଲା । କାମରୁ ଫେରିବା ବାଟରେ ସୁମିତର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଆଉ ସେହି ଗୋଟିଏ ଖବର, ହରିହରଙ୍କ ସଜଡ଼ା ସଂସାରକୁ ମୁହୂର୍ତ୍ତକ ଭିତରେ ଛାରଖାର କରିଦେଲା ।
ଯେତେବେଳେ ସୁମିତର ନିର୍ଜୀବ ଶରୀର ଅଗଣାରେ ପହଞ୍ଚିଲା, ମାଆର ଛାତିଫଟା କ୍ରନ୍ଦନରେ ଆକାଶ ପାତାଳ ଏକ ହୋଇଗଲା । ଦୁଇ ସାନ ପିଲା ଭୟ ଓ କୋହରେ କାନ୍ଥକୁ ଆଉଜି ତଳେ ଲୋଟିଗଲେ । କିନ୍ତୁ ସମସ୍ତଙ୍କ ନଜର ଅଟକି ଯାଇଥିଲା ବାପା ହରିହରଙ୍କ ଉପରେ । ଯେଉଁ ବାପା ନିଜ ଯୁବା ପୁଅର କୋକେଇ ଉଠାଇବାକୁ ପ୍ରସ୍ତୁତ ହେଉଛି, ତା’ର ମାନସିକ ଅବସ୍ଥା କ’ଣ ଥିବ? କିନ୍ତୁ ଆଶ୍ଚର୍ଯ୍ୟର କଥା, ହରିହରଙ୍କ ଆଖିରୁ ଟୋପାଏ ବି ଲୁହ ଝରୁନଥିଲା । ସେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲେ, ଯେମିତି କେହି ତାଙ୍କ ଦେହରୁ ଜୀବନ ଓ ଆତ୍ମାକୁ ଶୋଷି ନେଇଛି । ସେ ନୀରବରେ ବାରଣ୍ଡାରେ ବସି ପୁଅର ମୁହଁକୁ ଏକ ଲୟରେ ଚାହିଁ ରହିଥିଲେ । ସେ ଭାବି ପାରୁନଥିଲେ ଯେ ହଠାତ୍ ଏମିତି କ'ଣ ହୋଇଗଲା । ତାଙ୍କ ଭିତରେ ଥିବା ସମସ୍ତ ଭାଷା ଓ କୋହ ଯେମିତି ବରଫ ପାଲଟି ଯାଇଥିଲା । ତାଙ୍କର ସେହି ଶୂନ୍ୟ ଏବଂ ନିରାଶାଜନକ ଚାହାଣୀ ଏତେ ଭୟଙ୍କର ଓ ଗଭୀର ଥିଲା ଯେ, ଯେଉଁମାନେ ବି ତାଙ୍କୁ ଦେଖୁଥିଲେ, ନିଜ କୋହକୁ ଅଟକାଇ ପାରୁନଥିଲେ । ହରିହର ନିଜେ କାନ୍ଦୁନଥିଲେ, କିନ୍ତୁ ତାଙ୍କର ସେହି ପଥର ପାଲଟିଯାଇଥିବା ନୀରବତା ପୂରା ଗାଁକୁ କନ୍ଦାଉଥିଲା ।
ଦିନ ଗଡ଼ିଲା । ଘରର ଚୁଲିରେ ନିଆଁ ଜଳିବା ବନ୍ଦ ହୋଇଯାଇଥିଲା । ବାପାମାଆଙ୍କ ଆଖିରୁ ଲୁହ ଶୁଖିନଥିଲା କିମ୍ବା ପିଲାଦୁଇଟିଙ୍କ ଭୋକ ମେଣ୍ଟିନଥିଲା । ଠିକ୍ ସେତିକିବେଳେ ସମାଜର ନିର୍ଦ୍ଦୟ ପ୍ରଥା ତା’ର କଳା ରୂପ ଦେଖାଇବା ଆରମ୍ଭ କଲା । ଆତ୍ମୀୟ ଓ ପଡ଼ୋଶୀମାନେ ଘରକୁ ଆସିଲେ, ସାନ୍ତ୍ୱନା ମଧ୍ୟ ଦେଲେ । କିନ୍ତୁ ସେହି ସାନ୍ତ୍ୱନା ଭିତରେ ଲୁଚି ରହିଥିଲା ଏକ କ୍ରୂର ସାମାଜିକ ଦାବି- ଶୁଦ୍ଧିକ୍ରିୟା ଓ ମୃତ୍ୟୁଭୋଜି । ଜଣେ ମୁରବୀ ଶ୍ରେଣୀୟ ଲୋକ କହିଲେ, "ହରିଭାଇ, ଯାହା ହେବାର ଥିଲା ହୋଇଗଲା, ଏବେ ପୁଅର ଆତ୍ମା ଶାନ୍ତି ପାଇଁ ଲୋକଙ୍କୁ ଡାକି ଦି’ଟା ଖୁଆଇବାକୁ ପଡ଼ିବ । ନହେଲେ ସମାଜ କ'ଣ କହିବ? ଅତୃପ୍ତ ଆତ୍ମା ଘୁରିବୁଲିବ ।" ଏହି ଗୋଟିଏ କଥା ହରିହରଙ୍କ ପଥର ପାଲଟିଥିବା ହୃଦୟକୁ ପୁଣିଥରେ ଖଣ୍ଡଖଣ୍ଡ କରିଦେଲା । ଯେଉଁ ଘରେ ରୋଜଗାରିଆ ପୁଅ ଚାଲିଯାଇଛି, ଯେଉଁଠି ଆସନ୍ତାକାଲି ଦୁଇ ପିଲା କ'ଣ ଖାଇବେ ତାର ଠିକଣା ନାହିଁ, ସେଠି ଗାଁ ଲୋକଙ୍କୁ ଡାକି ଭୋଜି ଦେବାର କି ଅର୍ଥ ଥାଇପାରେ? କିନ୍ତୁ ସମାଜର ଏହି ଅଦୃଶ୍ୟ ଶୃଙ୍ଖଳ ଆଗରେ ସେହି ଅସହାୟ ବାପାଟି ଶେଷରେ ହାର୍ ମାନିଲା ।
ସମାଜର ଗଞ୍ଜଣାରୁ ବଞ୍ଚିବା ପାଇଁ ହରିହର ବାଧ୍ୟ ହୋଇ ନିଜ ସ୍ତ୍ରୀଙ୍କ ବେକର ଶେଷ ସୁନା ଖଣ୍ଡକ ସାହୁକାର ପାଖରେ ବନ୍ଧା ପକାଇଲେ । ଯେଉଁ ଟଙ୍କାରେ ସେହି ଦୁଇ ପିଲାଙ୍କ ଆଗାମୀ ବର୍ଷର ପାଠପଢ଼ା ଏବଂ ମାସ ମାସର ରାସନ ଆସିଥାନ୍ତା, ସେହି ଟଙ୍କାରେ ବଜାରରୁ ବସ୍ତା ବସ୍ତା ଚାଉଳ, ତେଲ, ଘିଅ ଓ ପରିବା ଅଣାଗଲା ।
ଶୁଦ୍ଧିକ୍ରିୟା ଦିନ ଘର ଦାଣ୍ଡରେ ଟେଣ୍ଟ ବନ୍ଧାଗଲା । ଘର ଭିତରୁ ମାଆର ବିଳାପ ଶୁଭୁଥାଏ, ଦୁଇ ପିଲା କାନ୍ଦି କାନ୍ଦି ନିସ୍ତେଜ ହୋଇ ଗୋଟିଏ କଣରେ ବସିଥାନ୍ତି । ଆଉ ସେପଟେ... ସେପଟେ ଧାଡ଼ି ଧାଡ଼ି ହୋଇ ବସି ଲୋକମାନେ ଆନନ୍ଦରେ ଭୋଜି ଖାଉଥାନ୍ତି । ଖାଉ ଖାଉ କେହି ଜଣେ ତୁଚ୍ଛା କଥାରେ କହିପକାଇଲା, "ଡାଲମାରେ ଟିକେ ଲୁଣ କମ୍ ହୋଇଛି," ତ ଆଉ କେହି କହିଲା "ତରକାରୀ ଆଉ ଟିକେ ସୁଆଦିଆ ହୋଇପାରିଥାନ୍ତା ।"
ଏହା ଶୁଣି ହରିହରଙ୍କ ଛାତି ଚିରି ହୋଇଗଲା । ତାଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠୁଥିଲା- ଏହା କେମିତିକା ସମାଜ? ଯେଉଁ ଖାଦ୍ୟରେ ତାଙ୍କ ସୁନାପୁଅର ଜୀବନ, ତାଙ୍କ ନିଜର ନୀରବ କାନ୍ଦଣା ଓ ଦୁଇ କିଶୋର ପିଲାଙ୍କର ଅନ୍ଧକାର ଭବିଷ୍ୟତ ମିଶିଛି, ସେହି ଲୁହୁରା ଅନ୍ନକୁ ଖାଇବା ବେଳେ ଏମାନଙ୍କ ତଣ୍ଟିରେ କେମିତି ଘାସ ଲାଗୁନାହିଁ? ସହାନୁଭୂତି ଦେଖାଇବାକୁ ଆସିଥିବା ଲୋକେ ଗୋଟିଏ ଶୋକସନ୍ତପ୍ତ ପରିବାରର ଅସହାୟତା ଉପରେ ବସି କିପରି ନିଜର ପେଟ ପୂରାଇ ପାରୁଛନ୍ତି? ସତରେ କ'ଣ ଭୋକ ମଣିଷର ବିବେକକୁ ଏତେ ମାରିଦିଏ ଯେ ସେ ଆଖିର ଲୁହ ଏବଂ ଥାଳିର ଖାଦ୍ୟ ଭିତରେ ଥିବା ଫରକକୁ ଭୁଲିଯାଏ?
(ଭୋଜି ସରିବାର ପରଦିନ ସକାଳ)। ଗତକାଲି ଗାଁ ଦାଣ୍ଡରେ ଥିବା କୋଳାହଳ, ଲୋକଙ୍କର ଭିଡ଼ ଏବଂ ଟେଣ୍ଟର ଚାନ୍ଦୁଆ ଆଜି ଆଉ ନାହିଁ । ବାହାରେ ପଡ଼ିଥିବା ଚୁଲିର ପାଉଁଶ ଥଣ୍ଡା ପଡ଼ିଯାଇଛି, ଆଉ ଭଡ଼ାରେ ଆସିଥିବା ବଡ଼ ବଡ଼ ଡେକଚି ଓ କଡ଼େଇଗୁଡ଼ିକୁ ଗାଡିରେ ଲଦି ନେଇଯାଉଛନ୍ତି ଜିନିଷବାଲା । କିନ୍ତୁ ସେହି ସବୁ କୋଳାହଳ ଲିଭିଯିବା ପରେ ହରିହରଙ୍କ ଘର ଭିତରେ ଯେଉଁ ନୀରବତା ଛାଇ ଯାଇଥିଲା, ତାହା ଶାନ୍ତିଦାୟକ ନଥିଲା, ବରଂ ଥିଲା ଶ୍ମଶାନର ନୀରବତା ଠାରୁ ବି ଅଧିକ ଭୟଙ୍କର ଓ ଶ୍ୱାସରୁଦ୍ଧ କରିଦେବା ଭଳି ଏକ ସ୍ତବ୍ଧତା । ସତେ ଯେମିତି ସେହି ଚାରିକାନ୍ଥ ଭିତରେ ସମୟ ଅଟକି ଯାଇଛି ଏବଂ ଆଗକୁ ବଢ଼ିବା ପାଇଁ ଆଉ କୌଣସି ବାଟ ନାହିଁ ।
ରୋଷେଇ ଘର କାନ୍ଥକୁ ଆଉଜି ବସିଛନ୍ତି ସୁମିତର ମାଆ । ଗତ ପନ୍ଦର ଦିନ ଧରି ଘରେ ଲୋକଙ୍କ ଭିଡ଼ ଥିଲା, କେହି ନା କେହି କଥା କହିବାକୁ ଥିଲେ । କିନ୍ତୁ ଆଜି ଘର ସମ୍ପୂର୍ଣ୍ଣ ଖାଲି । ସେ ଚୁଲି ପାଖରେ ବସି ଏକ ଲୟରେ ଖାଲି ହାଣ୍ଡିକୁ ଚାହିଁ ରହିଛନ୍ତି । ପ୍ରତିଦିନ ସକାଳେ ଯେଉଁ ପୁଅ ଅଳି କରୁଥିଲା, "ବୋଉ ଶୀଘ୍ର ଖାଇବା ବାଢ଼, ଡ୍ୟୁଟି ପାଇଁ ଡେରି ହେଲାଣି," ଆଜି ସେ ସ୍ୱର ଆଉ କେବେ ଶୁଭିବ ନାହିଁ । ମାଆର ହାତ ଚୁଲିରେ ନିଆଁ ଲଗାଇବାକୁ ଉଠୁନାହିଁ । ସେ ଭାବୁଛି, କାହା ପାଇଁ ରୋଷେଇ କରିବ? ଯେଉଁ ତିନି ପ୍ରାଣୀ ବଞ୍ଚିଗଲେ, ସେମାନଙ୍କର ତ ପେଟ ଅଛି, କିନ୍ତୁ ଭୋକ ମରିଯାଇଛି । ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଘରେ ଥିବା ସେହି ମୁଠାଏ ଚାଉଳ, ଯାହା ଗତକାଲିର ସାମାଜିକ ଭୋଜି ପାଇଁ ଅଣାଯାଇଥିବା କରଜର ଏକ ଅଂଶ। ନିଜ ପିଲାମାନଙ୍କୁ ସେହି କରଜର ଅନ୍ନ ଖୁଆଇବା ବେଳେ ଗୋଟିଏ ମାଆର ଛାତି କେମିତି ଫାଟିଯାଉଥିବ, ତାହା କେବଳ ସେ ହିଁ ଅନୁଭବ କରିପାରୁଛି ।
ଘରର ଗୋଟିଏ କୋଣରେ ପଡ଼ିଛି ଦୁଇ ସାନ ଭାଇଭଉଣୀଙ୍କ ସ୍କୁଲ ବ୍ୟାଗ୍ । ସୁମିତର ମୃତ୍ୟୁ ପୂର୍ବରୁ ସେହି ବହିଗୁଡ଼ିକରେ ସେମାନଙ୍କର ସୁନେଲି ଭବିଷ୍ୟତର ସ୍ୱପ୍ନ ଥିଲା, କିନ୍ତୁ ଆଜି ସେଗୁଡ଼ିକ କେବଳ କିଛି ନିରର୍ଥକ କାଗଜର ବିଡ଼ା ପାଲଟି ଯାଇଛି । ସାନ ଭଉଣୀଟି ନିଜର ଚିରି ଯାଇଥିବା ସ୍କୁଲ ଡ୍ରେସକୁ ଚାହିଁ ରହିଛି । ଭାଇ କଥା ଦେଇଥିଲା ଦରମା ମିଳିଲେ ନୂଆ ଡ୍ରେସ୍ ଆଣିଦେବ ଏବଂ ସ୍କୁଲର ବାକି ଥିବା ଫିସ୍ ଦାଖଲ କରିବ । ଏବେ ସେ ବୁଝିପାରୁନି ଯେ ସେ ଆଉ କେବେ ସ୍କୁଲ ଯାଇପାରିବ କି ନାହିଁ। ଗୋଟିଏ ତେର-ଚଉଦ ବର୍ଷର ପିଲା ଯେତେବେଳେ ହଠାତ୍ ବୁଝିଯାଏ ଯେ ତା’ର ପିଲାଦିନ ଶେଷ ହୋଇଯାଇଛି ଏବଂ ଆଗକୁ କେବଳ ଅନ୍ଧକାରମୟ ସଂଘର୍ଷ ହିଁ ବାକି ଅଛି, ସେତେବେଳେ ତା’ ଆଖିରୁ ଲୁହ ନୁହେଁ, ବରଂ ଏକ ପ୍ରକାର ଭୟାନକ ଶୂନ୍ୟତା ଝରିପଡ଼େ ।
ସେପଟେ ହରିହରଙ୍କ ଅବସ୍ଥା ସବୁଠାରୁ ସାଂଘାତିକ ଥିଲା । ସେ ବାରଣ୍ଡାରେ ବସି ନିଜ ସ୍ତ୍ରୀର ବନ୍ଧା ପଡ଼ିଥିବା ମଙ୍ଗଳସୂତ୍ରର ରସିଦ୍ ଓ ସାହୁକାରଠାରୁ ଆଣିଥିବା କରଜର କାଗଜ ଖଣ୍ଡକୁ ଧରି ଥରୁଛନ୍ତି । ଗତକାଲି ଯେଉଁ ଲୋକମାନେ ତାଙ୍କ ଘରେ ଆସି ଘିଅ ଦିଆ ଡାଲମା ଓ ତରକାରୀ ଖାଇ ଢେକର ମାରିଥିଲେ, ସେମାନଙ୍କ ମଧ୍ୟରୁ ଆଜି କେହି ଜଣେ ବି ପଚାରିବାକୁ ଆସିନାହାନ୍ତି ଯେ ହରିହରଙ୍କ ଘରେ ଆଜି ଚୁଲି ଜଳିଲା କି ନାହିଁ । ପ୍ରଥା ଓ ପରମ୍ପରା ନାଁରେ ସମାଜ ଯେଉଁ ରକ୍ତଶୋଷକ ଖେଳ ଖେଳିଲା, ତା'ର ଶିକାର ହେଲେ ଏହି ଅସହାୟ ବାପା । ତାଙ୍କ ମୁଣ୍ଡ ଉପରେ ଏବେ ଏକାଧିକ ବୋଝ- କରଜୁଆ ସୁଧର ହିସାବ, ଦୁଇ ଅନାଥ କିଶୋରଙ୍କ ପେଟର ଭୋକ, ଏବଂ ନିଜ ପତ୍ନୀଙ୍କ ଲୁହ ଲିଭାଇବାର ଅସମ୍ଭବ ଚେଷ୍ଟା । ତାଙ୍କ ହାତ ଗୋଡ଼ରେ ବଳ ନାହିଁ କି ବୟସ ନାହିଁ ଯେ ସେ ପୁଣି ଥରେ ମୂଲ ଲାଗି ଏତେ ବଡ଼ କରଜ ସୁଝିବେ । ଏହି ଚିନ୍ତା ତାଙ୍କୁ ଭିତରୁ କୋରି ଖାଉଥିଲା ।
ଯେମିତି ଯେମିତି ରାତି ନଇଁ ଆସିଲା, ଘରର ଭୟାନକତା ଆହୁରି ବଢ଼ିବାକୁ ଲାଗିଲା । ଗାଁର କୁକୁରମାନଙ୍କର ଭୁକିବା ଶବ୍ଦ ଏବଂ ଝିଙ୍କାରୀର ରାବ ସେହି ଭଙ୍ଗା ଘରର ନୀରବତାକୁ ଆହୁରି ଭୟଭୀତ କରୁଥିଲା । ରାତିର ଅନ୍ଧାର ଭିତରେ ପ୍ରତିଟି କୋଣରୁ ସୁମିତର ସ୍ମୃତିମାନେ ଗୋଟିଏ ଗୋଟିଏ ପ୍ରଶ୍ନବାଚୀ ହୋଇ ଛିଡ଼ା ହେଉଥିଲେ । ହରିହର ଅନ୍ଧାରରେ ଛାତକୁ ଚାହିଁ ଶୋଇଛନ୍ତି ସତ, କିନ୍ତୁ ଆଖିରେ ନିଦ ନାହିଁ । ସେ ସ୍ପଷ୍ଟ ଦେଖିପାରୁଛନ୍ତି ତାଙ୍କ ପରିବାର ଆଗକୁ କିପରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ । ଏହି ରାତିର ଶେଷ କେଉଁଠି ଏବଂ ଏହି ପରିବାର ପାଇଁ ଆଉ କେବେ ସକାଳର ସୂର୍ଯ୍ୟୋଦୟ ଗୋଟିଏ ଆଶାର କିରଣ ନେଇ ଆସିବ? ଉତ୍ତରର ଅପେକ୍ଷାରେ ହରିବାବୁ.......
(ବାସ୍ତବରେ ଦୁର୍ଘଟଣାରେ ମୃତ୍ୟୁ କେବଳ ସୁମିତର ହୋଇନଥିଲା, ସେଦିନ ମୃତ୍ୟୁ ହୋଇଥିଲା ସମାଜର ମାନବିକତାର ଏବଂ ବିବେକର । ଆଉ ସେହି ମୃତ ବିବେକର ଶୁଦ୍ଧିକ୍ରିୟା ବୋଧହୁଏ ଏ ସମାଜ କେବେବି କରିପାରିବ ନାହିଁ ।)
@Prasantam
