ଅପ୍ରତ୍ୟାଶିତ ଉପହାର
ଅପ୍ରତ୍ୟାଶିତ ଉପହାର
ଆଜି ଭୋର୍ ସକାଳ ସମୟରେ ଏକ ଏସି ଲାଗିଥିବା ଆଡମ୍ବର ପୂର୍ଣ୍ଣ ବସରେ ମୁଁ ଘରକୁ ଫେରୁଥିଲି । ନିଜ ସିଟରେ ବସି ଚାରିପାଖରେ ଦେଖିଲି, ଅଧିକାଂଶ ଯାତ୍ରୀ ନିଦ୍ରାରେ ଅଛନ୍ତି କିମ୍ବା ନିଜ ଆଭାସୀ ଦୁନିଆରେ, ଅର୍ଥାତ୍ ମୋବାଇଲ୍ ସ୍କ୍ରିନ୍ ଓ ଇୟରଫୋନରେ ମଗ୍ନ । ବସ୍ ଭିତରେ ସମସ୍ତେ ପାଖାପାଖି ବସିଥିଲେ ମଧ୍ୟ, ସମସ୍ତେ ପରସ୍ପରଠାରୁ ବହୁତ ଦୂରେ ଥିଲେ । କାହାରି କାହା ସହ କଥା ହେବାର ଆଗ୍ରହ ନାହିଁ କି ଆବଶ୍ୟକତା ମଧ୍ୟ ନାହିଁ । ସମୟ ବଦଳିଯାଇଛି, ମଣିଷ ନିଜ ପାଖରେ ଥିବା ଜୀବନ୍ତ ଲୋକଙ୍କୁ ଛାଡ଼ି ଏବେ ନିର୍ଜୀବ ପରଦା ଭିତରେ ଜୀବନ ଖୋଜୁଛି ।
ଠିକ୍ ସେହି ଏକାକୀପଣ ଭିତରେ ମୋର ଦୃଷ୍ଟି ଆକର୍ଷଣ କଲେ ଏକ ବୟସ୍କ ଦମ୍ପତି । ବୃଦ୍ଧ ଜଣକ ତାଙ୍କ ପତ୍ନୀଙ୍କୁ ବସରେ ଛାଡ଼ିବାକୁ ଆସିଥିଲେ । ସେମାନଙ୍କ ଭିତରେ ଥିବା ସେହି ନିଷ୍କପଟ ଏବଂ ନିସ୍ୱାର୍ଥପର ଭଲପାଇବା ମୋତେ କିଛି କ୍ଷଣ ପାଇଁ ମନ୍ତ୍ରମୁଗ୍ଧ କରିଦେଲା । ସେଠାରେ କୌଣସି ଲୋକଦେଖାଣିଆ ଆବେଗ ନଥିଲା କିମ୍ବା ଭଲପାଇବା ଜାହିର୍ କହିବାର ଶବ୍ଦବହୁଳ ଆଡମ୍ବର ନଥିଲା । ବସ୍ ଛାଡ଼ିବାର ଶେଷ ସେକେଣ୍ଡ ପର୍ଯ୍ୟନ୍ତ ସେମାନେ ଏକାଠି ଥିଲେ । ବସ୍ ଷ୍ଟାଣ୍ଡରୁ ବାହାରିବା ପରେ ମଧ୍ୟ, ସେମାନେ ପରସ୍ପରକୁ ହାତ ହଲାଇ ଆଖିରେ ଆଖିରେ ଯେପରି ଅନେକ ନୀରବ କବିତା ପଢ଼ି ନେଉଥିଲେ । ଏହି ଦୃଶ୍ୟ ଥିଲା ପ୍ରକୃତ ଭଲପାଇବାର ଏକ ଜୀବନ୍ତ ଉଦାହରଣ, ଯାହା ପ୍ରମାଣ କରୁଥିଲା ଯେ ସମ୍ପର୍କର ଗଭୀରତା ପାଇଁ ହଜାର ହଜାର ଅନ୍ତରଙ୍ଗ ମୁହୂର୍ତ୍ତର ପୋଷ୍ଟ କିମ୍ବା ଷ୍ଟାଟସ୍ ପରି କୋଳାହଳର ଆବଶ୍ୟକତା ନଥାଏ; ଖାଲି ଅନୁଭବ ହିଁ ଯଥେଷ୍ଟ । ଯଦି ସମ୍ପର୍କ ଭିତରେ ଏମିତି କୋଳାହଳର ଆବଶ୍ୟକତା ପଡ଼ୁଛି ତେବେ ସେ ସମ୍ପର୍କ କେବଳ ଆଭାସୀ ମାତ୍ର l ସେ ଯାହା ହେଉ ଆମ ବୟସ୍କ ଦମ୍ପତ୍ତି କିଛି ଅଲଗା ପ୍ରକାର ପ୍ରାଣୀ ଅଟନ୍ତି l ସେହି ବ୍ୟକ୍ତି ଜଣକ ବସ୍ ରୁ ଓହ୍ଲାଇବା ପୂର୍ବରୁ ତାଙ୍କ ବ୍ୟାଗରୁ କଣ ଗୋଟେ ବାହାର କରିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ଯେଉଁ ଯତ୍ନ ସହକାରେ ଦେଉଥିଲେ, ଦେଖିଲେ ଲାଗୁଥିଲା କିଛି ମୂଲ୍ୟବାନ ଜିନିଷ ଏବଂ ସତକୁ ସତ ତାହା ଏକ ସ୍ଵତନ୍ତ୍ର ଉପହାର ଥିଲା ଯାହା ସେ ଲୁଚେଇକି ଆଣିଥିଲେ l ( କିନ୍ତୁ ବର୍ତ୍ତମାନ ମୁଁ ବୁଝିପାରୁନି, ଯଦି ଉପହାରଟି ଦେବା ଏତେ ଜରୁରୀ ଏବଂ ମୂଲ୍ୟବାନ ଥିଲା ତାହେଲେ ସେ ଅନ୍ତିମ ମୁହୂର୍ତ୍ତଯାଏ କାହିଁକି ଅପେକ୍ଷା କଲେ ? କେହି ଯଦି ଏହାର ଯଥାଯଥ ଉତ୍ତର ଦେଇପାରିବେ, ମୁଁ ଅପେକ୍ଷାରେ ରହିଲି. )
ଏହି ସୁନ୍ଦର ମୁହୂର୍ତ୍ତକୁ ଉପଭୋଗ କରୁଥିବା ବେଳେ ହଠାତ୍ ଗୋଟିଏ ଫୋନ୍ କଲ୍ ଆସିଲା । ଜଣାପଡ଼ିଲା ଯେ, ଯେଉଁ ଉଦ୍ଦେଶ୍ୟରେ ମୁଁ ଘରକୁ ଯାଉଥିଲି, ସେହି ଯୋଜନାଟି ବାତିଲ (Cancel) ହୋଇଯାଇଛି । ମଣିଷ ଭାବେ ତା' ହାତରେ ସବୁକିଛିର ନିୟନ୍ତ୍ରଣ ଅଛି, କିନ୍ତୁ ଗୋଟିଏ ମୁହୂର୍ତ୍ତ ଲାଗେ ସବୁ ହିସାବ ଓଲଟପାଲଟ ହୋଇଯିବା ପାଇଁ । ମୁଁ ସମ୍ପୂର୍ଣ୍ଣ ଯାତ୍ରା ପାଇଁ ଟିକେଟ୍ ବାବଦକୁ ପଇସା ଦେଇସାରିଥିଲି । ଯେତେବେଳେ ମୁଁ କଣ୍ଡକ୍ଟରଙ୍କୁ ଅଧା ରାସ୍ତାରୁ ଫେରିବି ବୋଲି କହି ବଳକା ଟଙ୍କା ଫେରାଇବା ପାଇଁ ଅନୁରୋଧ କଲି, ସେ ଅତ୍ୟନ୍ତ ରୁକ୍ଷ ଏବଂ ନିରସ ସ୍ୱରରେ କହିଲେ, "ନା, ମୁଁ ଦେଇପାରିବି ନାହିଁ ।" ମୁଁ ସ୍ଥିତପ୍ରଜ୍ଞ ଭାବେ 'ଠିକ୍ ଅଛି' କହିଲି ଏବଂ ପ୍ରାୟ ୧୦ କିଲୋମିଟର ଯାଇଥାଏ ବସରୁ ଓହ୍ଲାଇ ଗଲି ।
ରାଉରକେଲା ଫେରିବା ପାଇଁ ରାସ୍ତାର ଅପର ପାର୍ଶ୍ୱରେ ପ୍ରାୟ କୋଡିଏ ମିନିଟ୍ ଅପେକ୍ଷା କଲା ପରେ ଅନ୍ୟ ଏକ ବସ୍ ମିଳିଲା । ଏହା କୌଣସି ହାଇଫାଇ ଏସି ବସ୍ ନଥିଲା କିମ୍ବା ବାହାରୁ ଆକର୍ଷଣୀୟ ନଥିଲା। କିନ୍ତୁ ବସର ଭିତର ପରିବେଶ ଥିଲା ସମ୍ପୂର୍ଣ୍ଣ ନିଆରା । ଏହାର ଏକମାତ୍ର କାରଣ ଥିଲେ ସେହି ବସର କଣ୍ଡକ୍ଟର ମହାଶୟ । ତାଙ୍କ ଭିତରେ ଏକ ଅଦ୍ଭୁତ ଆନନ୍ଦ, ଉଲ୍ଲାସ ଭରି ରହିଥିଲା । ସେ ନବେ ଦଶକର ଏକ ହିନ୍ଦୀ ଗୀତ ଗୁଣୁଗୁଣେଇ, ହାଲୁକା ନାଚି ନାଚି ଯାତ୍ରୀମାନଙ୍କ ସହ କଥା ହେଉଥିଲେ । ମୁଁ ମୋର ପ୍ରିୟ 'ଝରକା କଡ଼' ସିଟରେ ବସି ଏହି ବ୍ୟକ୍ତିବିଶେଷଙ୍କ ମିଜାଜକୁ ଉପଭୋଗ କରୁଥିଲି । ତାଙ୍କ ବ୍ୟକ୍ତିଗତ ଜୀବନରେ ହୁଏତ ଅନେକ ଅଭାବ, ସଂଘର୍ଷ କିମ୍ବା ସମସ୍ୟା ଥାଇପାରେ । କିନ୍ତୁ ସେହି ମୁହୂର୍ତ୍ତରେ ସେ ଥିଲେ ଆନନ୍ଦର ଏକ ଖୋଲା ପୁସ୍ତକ । ସେ ପ୍ରମାଣ କରୁଥିଲେ ଯେ, 'ଖୁସି' କୌଣସି ବାହ୍ୟ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ଏହା ମଣିଷର ଏକ ଆଭ୍ୟନ୍ତରୀଣ ଚୟନ । ତାଙ୍କୁ ଦେଖି ଅନୁଭବ କଲି ଯେ, କିଛି ସମୟ ପାଇଁ ହେଉ ପଛେ, ପରସ୍ପର ସହ ହସିଖୁସିରେ ଭାବ ବିନିମୟ କରିବା ଏହି ଛୋଟ ଜୀବନ ପାଇଁ କେତେ ଜରୁରୀ ।
ଯେତେବେଳେ ସେ ଟିକେଟ୍ କାଟିବାକୁ ଆସିଲେ, ମୁଁ ଜାଣିଶୁଣି ତାଙ୍କୁ ଟିକେଟ୍ ମୂଲ୍ୟ କିଛି କମ୍ କରିବାକୁ ଅନୁରୋଧ କଲି, ଯଦିଓ ମୁଁ ଜାଣିଥିଲି ସେ ସଠିକ ମୂଲ୍ୟ ହିଁ ମାଗୁଛନ୍ତି l ଆଗ କଣ୍ଡକ୍ଟରଙ୍କ ଭଳି କେବଳ ଏକ ଶୁଖିଲା 'ନା' କହିବା ପରିବର୍ତ୍ତେ, ସେ ହସି ହସି କହିଲେ, "ବେଟା, ଆଜ୍ Sunday ହେ ଔର ମଟନ୍ ଖାନେକା ପ୍ଲାନ୍ ଭି ହେ !" ତାଙ୍କର ଏହି ଗୋଟିଏ ଧାଡ଼ିର ଉତ୍ତର ମୋତେ ସ୍ତବ୍ଧ କରିଦେଲା l ପରିସ୍ଥିତି ଏବଂ ପ୍ରଶ୍ନ ଗୋଟିଏ, କିନ୍ତୁ ଦୁଇଜଣ ବ୍ୟକ୍ତିଙ୍କ ପ୍ରତିକ୍ରିୟା କେତେ ଭିନ୍ନ l ଜଣେ ଅଭାବକୁ ନେଇ କ୍ରୋଧିତ, ଆଉ ଜଣେ ସେହି ଅଭାବ ଭିତରେ ବି ଛୋଟ ଛୋଟ ସ୍ୱପ୍ନ (ରବିବାର ମଟନ୍) ଦେଖି ସନ୍ତୁଷ୍ଟ l ନିଜ ପାଖରେ ଯାହା ଅଛି ସେଥିରେ କିପରି ଆନନ୍ଦରେ ରହିବାକୁ ହୁଏ ଏବଂ ଅନ୍ୟକୁ ଆଘାତ ନଦେଇ କିପରି ଅସହମତି ପ୍ରକାଶ କରାଯାଏ, ତାହା ଏହି ଦ୍ୱିତୀୟ କଣ୍ଡକ୍ଟରଙ୍କୁ ବେଶ୍ ଭଲାଭାବେ ଜଣା l
ଏହି ସବୁ ସୁକ୍ଷ୍ମ ଘଟଣାବଳୀକୁ ମୁଁ ଯେତେବେଳେ ଗଭୀର ଭାବରେ ମୋ ନୋଟପ୍ୟାଡରେ ଲେଖୁଥିଲି, ହଠାତ୍ କେହି ଜଣେ ପଛରୁ ଆସି ସ୍ନେହରେ ମୋ କାନ୍ଧରେ ହାତ ରଖିଲେ। ମୁଁ ଘୁରିଦେଖିଲି, ସେ ମୋର ଜଣେ ସାଙ୍ଗର ମା' ଥିଲେ । ସେ ରାଉରକେଲାଠାରୁ କିଛି ଦୂରରେ ଥିବା ଏକ ହଷ୍ଟେଲକୁ ତାଙ୍କ ପୁଅକୁ ଭେଟିବାକୁ ଯାଉଥିଲେ । ସମୟ କାହାକୁ କେଉଁଠି ଆଣି ଦେଖାଏ, ତାହା କିଏ କହିପାରିବ? ବହୁତ ସମୟ ପରେ ଆମେ ପ୍ରାୟ ଅଧ ଘଣ୍ଟା ଧରି କଥାବାର୍ତ୍ତା କଲୁ । ଏହା ମୋ ବିଚଳିତ ମନକୁ ଏକ ଅନନ୍ୟ ଶାନ୍ତି ଏବଂ ସତେଜତା ଦେଲା । ତା'ପରେ ସେ ନିଜ ଗନ୍ତବ୍ୟ ସ୍ଥଳ ପାଇଁ ଅନ୍ୟ ବସ୍ ନେଲେ ।
ଏହା ପରେ ମୁଁ ଯେତେବେଳେ ରାଉରକେଲା ଫେରୁଥିଲି, ରାସ୍ତାକଡ଼ରେ ଏକ ଆଚାର ଦୋକାନ ଉପରେ ନଜର ପଡ଼ିଲା । ଆଶ୍ଚର୍ଯ୍ୟର କଥା, ସେଠାରେ ମୋର ପ୍ରିୟ 'ପଣସ ଆଚାର' (Kathal Achaar) ବିକ୍ରି ହେଉଥିଲା, ଯାହାକୁ ଅନେକ ଦିନ ଧରି ଖାଇବାର ଇଚ୍ଛା ଥିଲା କିନ୍ତୁ ମିଳୁନଥିଲା । ତାହା ଖାଲି ଏକ ଆଚାର ନଥିଲା, ଯେପରି ଥିଲା ଦିନଯାକର ତିକ୍ତତା ପରେ ଈଶ୍ୱରଙ୍କ ତରଫରୁ ଏକ ମିଠା ଖଟା ଉପହାର ।
ଏହି ସମସ୍ତ ଘଟଣାବଳୀ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ମୋ ଆଖି ଆଗରେ ଘଟିଗଲା । ଏବେ ଯେତେବେଳେ ମୁଁ ସମଗ୍ର ବିଷୟକୁ ଏକାନ୍ତରେ ବିଶ୍ଳେଷଣ କରୁଛି, ମୋତେ ଲାଗୁଛି ଯେ ଆମ ଜୀବନରେ ଘଟୁଥିବା ଗୋଟିଏ 'ଅସଫଳ ଯୋଜନା' ପ୍ରକୃତରେ ସବୁବେଳେ 'ବିଫଳ' ହୋଇନଥାଏ । ବେଳେବେଳେ ଆମେ ଯାହା ଚାହୁଁ ତାହା ମିଳେ ନାହିଁ କାରଣ, ପ୍ରକୃତି ଆମ ପାଇଁ କିଛି ଆହୁରି ମୂଲ୍ୟବାନ ଏବଂ ନିଆରା ଅନୁଭୂତିର ଯୋଜନା କରିଥାଏ ।
ଆମେ ଆମ ଅନୁଭୂତି ଗୁଡିକୁ 'ସଫଳତା ' ବା 'ବିଫଳତା ' ଭାବରେ ନାମିତ କରିବାରେ ଏତେ ଅଭ୍ୟସ୍ତ ହୋଇଯାଇଛୁ, କି ଏହାର ମୂଲ୍ୟାଙ୍କନ ଉପରେ କୌଣସି ଧ୍ୟାନ ଦେଉ ନାହିଁ l ଯେତେବେଳେ ମୋର ଯାତ୍ରା ବାତିଲ୍ ହେଲା ଏବଂ ଟଙ୍କା ଫେରସ୍ତ ମିଳିଲା ନାହିଁ, ସାଧାରଣତଃ ଏହା ଭାବିବା ସ୍ୱାଭାବିକ ଥିଲା ଯେ ଯୋଜନାଟି ବିଫଳ ହୋଇଛି ଏବଂ ମୋର କ୍ଷତି ହୋଇଛି l କିନ୍ତୁ ଯଦି ମୋର ଯାତ୍ରା କରିବାର କାରଣଟି ହଜିନଥାନ୍ତା , ତେବେ ମୁଁ କେବେବି ସେଇ ହାଇୱେ ରୁ ଓହ୍ଲାଇ ନଥାନ୍ତି l ଆତ୍ମାହୀନ ଏକ ବିଳାସପୂର୍ଣ୍ଣ ବସ୍ ଏବଂ ଆନନ୍ଦରେ ଭରି ରହିଥିବା ଏକ ସାଧାରଣ ବସ୍ ମଧ୍ୟରେ ଥିବା ଏହି ବିରାଟ ପାର୍ଥକ୍ୟକୁ ମୁଁ କେବେବି ଉପଲବ୍ଧି କରିପାରି ନଥାନ୍ତି l ଏହି ଡିଜିଟାଲ ଯୁଗରେ ମଧ୍ୟ ଦୁନିଆର ଏପରି ଅନେକ ମଣିଷ ଅଛନ୍ତି ଯେଉଁମାନେ ପରସ୍ପରସହ ବଞ୍ଚିବା ଜାଣିଛନ୍ତି, ଏହି ସୁନ୍ଦର ଅନୁଭବଟିକୁ ମୁଁ ହରାଇଥାନ୍ତି l
ପ୍ରଥମ ବସର ସମ୍ପୂର୍ଣ୍ଣ ଯାତ୍ରା ପାଇଁ ମୁଁ ଯେଉଁ ଅର୍ଥ ଖର୍ଚ୍ଚ କରିଥିଲି ଏବଂ ଯାହା ଫେରି ପାଇନଥିଲି, ସେଥିପାଇଁ ଜମାରୁ କ୍ଷୋଭ ନାହିଁ । ବରଂ ମୋତେ ଲାଗୁଛି ଯେ ମୁଁ ସେହି ଅର୍ଥ ଏକ ଦୁଇ ଘଣ୍ଟିଆ ଜୀବନ୍ତ 'ସିନେମା' ଦେଖିବା ପାଇଁ ଟିକେଟ୍ ବାବଦକୁ ଦେଇଥିଲି ।
ସେହି ସିନେମାରେ ବିଶୁଦ୍ଧ ଭଲପାଇବାର ଛବି ଥିଲା, ଆଶା ଆଉ ନିରାଶାର ଲୁଚକାଳି ଖେଳ ଥିଲା, ଆଧୁନିକତାର ନିଃସଙ୍ଗତା ଭିତରେ ହଜିଯାଉଥିବା ମଣିଷପଣିଆ ଥିଲା, ଏବଂ ଜୀବନକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିବାର ଏକ ସୁନ୍ଦର, ଆଶାବାଦୀ ବାର୍ତ୍ତା ମଧ୍ୟ ଥିଲା । କିଛି ହରାଇବାର ଦୁଃଖ ଅପେକ୍ଷା, ନୂଆ କିଛି ଶିଖିବାର ଆନନ୍ଦ ଯଥେଷ୍ଟ ବଡ଼ ଥିଲା । ଏହି ନିଆରା ଜୀବନ-ଦର୍ଶନ ପାଇଁ ମୁଁ ଦେଇଥିବା ସେହି ଟିକେଟ୍ ମୂଲ୍ୟ ପ୍ରକୃତରେ ସମ୍ପୂର୍ଣ୍ଣ ସାର୍ଥକ ଥିଲା ।
@Prasantam
