Jyotiranjan Sahu

Tragedy

3  

Jyotiranjan Sahu

Tragedy

ଖେଳଣା ଘର

ଖେଳଣା ଘର

2 mins
308



ଏହି କିଛିଦିନ ହେବ ସାହୁବାବୁଙ୍କ ଘରେ ଖୁବ୍ ଟେନସନ୍ । ନିଜେ ସାହୁବାବୁ ବି ଚିନ୍ତାରେ ଶୁଖି କଳାକାଠ ପଡିଗଲେଣି । କଥାକଣ କି ଘର ଭାଗର ଜଟିଳ ଗଣିତଟା କଷୁକଷୁ ଦୁଇ ପୁଅ ଅଧୈର୍ଯ୍ୟ ହୋଇପଡିଲେଣି । ରାସ୍ତାକଡକୁ ଲାଗିଥିବା ଦୁଇ ବଖରା ଘର ଆଉ ପାର୍କିଂପ୍ଲେସ୍ କୁ ମିଶାଇ ଚାରି ଡେସିମିଲ୍ ଜାଗାକୁ ଉଭୟ ପୁଅ ନେବାକୁ ଲାଳାୟିତ । ବଡ ପୁଅ ଶିବୁ ଚାହୁଁଛି ସେଇଠି ମେଡିସିନ୍ ଷ୍ଟୋରଟେ କରିବ ତ ସାନ ଦେବୁ ଚାହୁଁଛି ସେଇଠି କୋଚିଂ ସେଣ୍ଟରଟେ ଖୋଲିବ । ଆଗ ଦୁଇ ବଖରା ଘରକୁ ଲାଗି ପଛପାଖରେ ଅଛି ତିନି ବଖରା ଘର ଆଉ ବାଡିକୁ ମିଶାଇ ଛଅ ଡେସିମିଲ ଜାଗା । ସାହୁବାବୁ ଆଗର ଚାରି ଡେସିମିଲ ଶିବୁକୁ ଆଉ ପଛ ଛଅ ଡେସିମିଲ ଜାଗା ଦେବୁକୁ ଦେବେ ବୋଲି ଚିନ୍ତାକରିଛନ୍ତି । ହେଲେ ଆଗ ଜାଗାଟା ପାଇଁ ଦୁଇ ଭାଇଙ୍କ ଭିତରେ ସବୁବେଳେ ମନାନ୍ତର ।


               ଆଜି ସକାଳରୁ ସାନ ପୁଅ ଦେବୁର ମୁଡ୍ ଜମାରୁ ଭଲ ନାହିଁ । ' ଆଜି ବାପାଙ୍କୁ ଫଇସାଲା କରିବାକୁ ପଡିବ । ଏପାଖ ନହେଲେ ସେପାଖ । ବାପା ମୋତେ ଆଗ ଜାଗାରୁ ଭାଗ ଦେବେ ନଚେତ୍ ମୁଁ ଘର ଛାଡିବାକୁ ବାଧ୍ୟ ହେବି ' ଏହି କଥା ମନେମନେ ଚିନ୍ତା କରି ରାଗ ତମତମ ହୋଇ ଦେବୁ ବାପାଙ୍କ ପାଖକୁ ଆସୁଥିଲା କିଛି କହିବା ପାଇଁ । ସେତିକିବେଳେ ତାର ପାଞ୍ଚ ବର୍ଷର ଝିଅ ଅଗଣାରେ ବସି ଖେଳଣାରେ ଘରଟିଏ ତିଆରି କରୁଥିଲା । ହଠାତ୍ ଅଜାଣତରେ ଦେବୁର ଗୋଡ ବାଜି ସେହି ଖେଳଣା ଘରଟା ଭାଙ୍ଗିଗଲା । ଏଥିରେ ଖୁବ୍ ମନ କଷ୍ଟକରି କାନ୍ଦିବାକୁ ଲାଗିଲା ସେ କୁନି ଝିଅଟି । ଦେବୁ ଯେତେ ବୁଝାଇଲେ ବି ସେ ବୁଝିବାର ନାଁ ଧରୁନଥାଏ । ତାର କାନ୍ଦ ଶୁଣି ସାହୁ ବାବୁ ଦୌଡିଆସିଲେ । ତାଙ୍କୁ ଦେଖି ଦେବୁ ଆରମ୍ଭ କଲା " ବାପା ! କଣ ଚିନ୍ତା କଲ ! ମୋତେ ସେଇଠୁ ଭାଗ ମିଳିବ ନା ନାହିଁ ? ନହେଲେ ମୁଁ ଘର ଛାଡି ଚାଲିଯାଉଛି ଭଡାଘରକୁ " । " ଆରେ ନା' ନା' ! ସେମିତି କରନା' ରେ "! କହି କାନ୍ଦିପକାଇଲେ ସାହୁ ବାବୁ । କହିଲେ " ତୁ ଆଉ କେମିତି ବୁଝିବୁ ; ଏ ଘର ର ପ୍ରତ୍ୟେକଟି ସ୍ପର୍ଶରେ ମୋର କେତେ ସ୍ବପ୍ନ କେତେ ଆଶା କେତେ ପରିଶ୍ରମ ଲୁଚିରହିଛି !! ନିଜ ହାତରେ ଗଢିଥିବା ଘରଟା ଆଉ କିଏ ଭାଙ୍ଗିଦେଲେ ଯେ କେତେ କଷ୍ଟ ହୁଏ ସେକଥା ତୋ ଝିଅ ବୋଧେ ତୋଠାରୁ ବେଶି ବୁଝିଛି । ସେଇଟା ତ ଖେଳଣା ଘର ଟା । ତୁ ଭାଙ୍ଗିଦେଇ ପୁଣି ତା ପାଇଁ ଗଢିଦେବୁ । କିନ୍ତୁ ସ୍ନେହ ଶ୍ରଦ୍ଧା ବିଶ୍ବାସ ପ୍ରେମ ର ଉପକରଣରେ ଗଢିଉଠିବା ମୋର ଏହି ସମ୍ପର୍କର ଘରଟାକୁ ତୁମେ ଦୁଇ ଭାଇ ଯଦି ଭାଙ୍ଗିଦେବ ତେବେ ସେଇଟା କଣ ଆଉଥରେ ଗଢାଯାଇପାରିବ " ? ଦେବୁର କୁନି ଝିଅ ଆଖିରୁ କଜଳ ମିଶା ଲୁହ ଶୁଖିଆସିଲା ବେଳକୁ ସାହୁ ବାବୁଙ୍କ ଆଖିରୁ କିନ୍ତୁ ଝରିଚାଲିଥିଲା ଧାରଧାର ଲୁହ ॥



Rate this content
Log in

Similar oriya story from Tragedy