ଖେଳ ହେଲା କାଳ
ଖେଳ ହେଲା କାଳ
ସୁନି ଆଜି ସମ୍ପୂର୍ଣ୍ଣ ଏକା । ପୁଅ ସିପୁ ଖଟରୁ ଉଠିବା ପରିସ୍ଥିତିରେ ନାହିଁ । ବାହାରେ ପଡିଶା ଘର ବାପ ପୁଅ ଏକସଙ୍ଗେ ବାହାରି ଯିବାର ଦେଖି ଧାର ଧାର ଲୁହ ବହିଗଲା ତାଙ୍କ ଆଖିରୁ । ନିଜ କୋହକୁ ସମ୍ବରଣ କରି ନପାରି ଭୋ ଭୋ ହୋଇ କାନ୍ଦି ବାକୁ ଲାଗିଲେ । ମାତ୍ର ସେ କାନ୍ଦ ଶୁଣିବାକୁ ପାଖରେ କେହି ନାହିଁ । ମୁହୂର୍ତ୍ତକ ମଧ୍ୟରେ ସୁନାର ସଂସାରଟା ଛାରଖାର ହୋଇଗଲା । କଣ ଥିଲା ସୁନି ଓ ନିରୋଜର ଭୁଲ । କଣ ପାଇଁ ଏସବୁ ଘଟିଗଲା । ଉଜ୍ୱଳ ଆଲୁଅ ପରି ଚମକୁ ଥିବା ଘର ଆଜି ଅନ୍ଧକାରମୟ ।
ନିରୋଜ ଓ ସୁନି ଉଭୟେ ଚାକିରିଆ । ସିପୁ ତାଙ୍କର ଏକ ମାତ୍ର ପୁଅ । ଘରର ଦାୟିତ୍ୱ ଏକ ଚାକରାଣୀ ହାତରେ ଦେଇଥିଲେ । ଦିନଯାକ ସେ ଓ ସିପୁ ଘରେ ରୁହନ୍ତି ।
ଏହିପରି ଅନେକ ବର୍ଷ ବିତିଗଲା । ସିପୁ ଏବେ ସପ୍ତମ ଶ୍ରେଣୀରେ ପାଠ ପଢୁଛି । ବିଦ୍ୟାଳୟରେ ଅନେକ ସାଙ୍ଗମାନଙ୍କ ସହ ମିଶୁଛି ଓ ବିଭିନ୍ନ କଥା ଶିଖୁଛି ଯେଉଁ ଥିରୁ କିଛି ଭଲ ଓ କିଛି ମନ୍ଦ । ଛୁଟି ସମୟ । କରୋନା ପାଇଁ ସ୍କୁଲ ବନ୍ଦ । ମୋବାଇଲରେ ପାଠପଢା । ତେଣୁ ତାକୁ ମୋବାଇଲଟିଏ ଦେବାକୁ ବାଧ୍ୟହେଲେ ଉଭୟେ ।
ସମୟ ସମୟରେ କିଛି ଭୁଲ କଥା ଶୁଣିଲେ ସୁନି ଓ ନିରୋଜ ବୁଝାନ୍ତି ଓ ନ ବୁଝିଲେ ଗାଳି କରନ୍ତି ।
ଗୋଟିଏ ବୋଲି ପୁଅ । ଗାଳିକଲେ ବାପା ମାଆଙ୍କ ମନ ବେଶି ଦୁଃଖ ହୁଏ ପୁଅ ଅପେକ୍ଷା । ତାର ସବୁ କଥାକୁ ପୁରଣ କରନ୍ତି ବିନା ଦ୍ୱିଧାରେ ।
ମାତ୍ର ବର୍ତ୍ତମାନର ପିଲା କେତେ ଗ୍ରହଣ କରିବେ ତାହା କହିବା ଅସମ୍ଭବ । ଅନେକ ସମୟରେ ସୁନି ମନ କଷ୍ଟ କରେ ଅଫିସରେ ପିଲାଟାର ଜିଦିକୁ ନେଇ ।
ମାତ୍ର ଏବେ ସାଙ୍ଗମାନଙ୍କଠାରୁ ଶିଖି ଆସି ପବଜି ନାମକ ଏକ ଖେଳ ଖେଳୁଛି ମୋବାଇଲରେ । ତାର ସବୁଠାରୁ ପ୍ରିୟ ଖେଳ । ଯେତେ କହିଲେ ଶୁଣୁନି । ଆଗରୁ ତ ଅଳ୍ପ ସମୟ ଖେଳୁଥିଲା ମାତ୍ର ଏବେ ପାଠପଢା ବି ଛାଡି ଦେଲାଣି । ଯଦି କେତେବେଳେ କହିଲୁ ତେବେ ମୁହଁ ଫୁଲେଇ ଶୋଇବ ଆଉ ଖାଇବନି । ସମସ୍ତେ ବୁଝାନ୍ତି ଛୋଟ ପିଲା ବୁଝିଯିବ । ଏତେ ବ୍ୟସ୍ତ ହେବାର କିଛି କାରଣ ନାହିଁ ।
ସେ ସମୟର ଚୁପ ରହିବାଟା ବେଶି କଷ୍ଟ ଦିଏ ଯେତେବେଳେ ଘରକୁ ଆସି ଦେଖେ ସିପୁ ସେହି ଖେଳରେ ମାତିଥାଏ । ଚାକରାଣୀ ବି କଣ କରିବ । ତା କଥା କିଏ ଶୁଣେ । ବରଂ ସେ ମଜା ନିଏ ଖେଳର ଯେତେବେଳେ କାମରୁ ଫାଙ୍କା ପାଏ ।
ଦିନେ ସୁନି ନିରୋଜକୁ ଏ ବାବଦରେ କିଛି ପଦକ୍ଷେପ ନେବାକୁ କହିଲା, କାରଣ ବିଦ୍ୟାଳୟରୁ ଖବର ଆସୁଛି ସେ ଅନଲାଇନ କ୍ଲାସ ବି କରୁନାହିଁ ।
ଏହା ଶୁଣି ନୀରୋଜ ଭିଷଣ ମାତ୍ରାରେ ରାଗିଯାଇ ସିପୁର କକ୍ଷ ଭିତରେ ଯାଇ ପହଞ୍ଚି ଗଲା । ସେତେବେଳକୁ ସିପୁ ବସି ସେହି ପବଜି ଖେଳ ଖେଳୁଛି । ତାର ଏତେ ପ୍ରିୟ ଖେଳ ଯେ ବାପା ମାଆ ଆସି ଠିଆ ହୋଇଛନ୍ତି ସେ ଜାଣିପାରୁ ନାହିଁ । ନିରୋଜ ବିରକ୍ତ ହୋଇ ସିପୁ ହାତରୁ ଫୋନଟି ଟାଣି ଆଣି ତଳେ କଚାଡି ଦେଲେ । ଏହା ଦେଖି ସିପୁ ବିବ୍ରତ ଓ ବ୍ୟାକୁଳ ହୋଇ ଉଠି ଆସି ଭଙ୍ଗା ଫୋନକୁ ଉଠେଇ ସଜାଡିବାରେ ଲାଗିଲା । ବାପା ମାଆ କଣ କହୁଛନ୍ତି ତାର କିଛି ବି କର୍ଣ୍ଣପାତ ହେଉନଥିଲା । ତାର ଏପରି ବାଚାଳାମି ଦେଖି ନିରୋଜ ତାର ଦୁଇ ହାତକୁ ଧରି ଉଠେଇ ଠିଆ କରି ଅନେକ ଗାଳି ଦେଲେ । ଏପରିକି କହିଲେ, ତୋର ଖାଇବା ଓ ବାହାରକୁ ବାହାରିବା ଆଜିଠାରୁ ବନ୍ଦ । ଏହାଶୁଣି ସିପୁ ବଡ ଜୋରରେ ଚିତ୍କାର କରି କହିଲା ତେବେ ମୁଁ ଏଠି ରହିବିନି । ଏହା କହି ଛାତ ଉପରକୁ ଦୌଡିଲା । ତାର ଯିବା ଦେଖି ସୁନି ଓ ନିରୋଜ ପଛେ ପଛେ ଦୌଡିଲେ । ହଠାତ ଦେଖିଲେ ସିପୁ ଛାତ ଉପରୁ ତଳକୁ ଡେଇଁବାକୁ ପ୍ରୟାସ କରୁଛି । ଏହା ଦେଖି ନିରୋଜ କାଳବିଳମ୍ବ ନକରି ତାକୁ ଧରିବାକୁ ଧାଇଁଲେ । ଇତି ମଧ୍ୟରେ ନିରୋଜର ଗୋଡ ତଳେ ପଡିଥିବା ପାଣି ପାଇପରେ ଛନ୍ଦି ହୋଇଗଲା ଓ ସେ ସିପୁକୁ ବଞ୍ଚେଇବେ କଣ ଉଭୟେ ଛାତରୁ ତଳକୁ ପଡି ଗଲେ । ଏପରି ପରିସ୍ଥିତି ଦେଖି ସେହିଠାରେ ହିଁ ବୋହୋସ ହୋଇଗଲା ।
ସୁନିର ବାପାମାଆ ଏହା ଶୁଣି ଆସି ପହଞ୍ଚିଲେ । ଡାକ୍ତର ଆସି ସୁନି ସାମୟିକ କୋମାରେ ଅଛି ବୋଲି କହିଲେ ଓ ତା ସହ ଭଲ ହେବାପାଇଁ ସମୟ ଲାଗିବ ବୋଲି କହି ଔଷଧ ଦେଇ ଗଲେ ।
ନିମିଷକ ମଧ୍ୟରେ ସଂସାରଟି ଉଜୁଡିଗଲା ।
ଏଥିପାଇଁ ଦାୟୀ କିଏ ?
ନା ଦାୟୀ ମୋବାଇଲ ନା ସୋସିଆଲ ମେଡିଆ ।
