ଖବରକାଗଜ
ଖବରକାଗଜ
ଢ଼ଗଢ଼ମାଳିର ଗନ୍ତାଘରଟିଏ ଅବା । ଗାଁ ମଝିରେ ଘର । ପାନ ପିକରେ ସଦା ଲାଲ୍, ଦାନ୍ତୁରୀ ମୁହିଁ ଚନ୍ଦରୀ ମାଆ ସାହି ମଝିରେ ଚାଲିଗଲେ, ସତେ ଅବା ଛାଞ୍ଚୁଣୀଟାଏ ଚର ଚର ବୁଲି ଆସୁଛି । ତା ଚାଲି ସେମିତି । ଏଇଠି ଅଛି ତ ଏଇଠି ନାହିଁ । ଏମିତି ଚାଲୁନଥିଲେ ଚନ୍ଦରୀ ଆଉ ବେଙ୍ଗୁଲି, ହେନା ଆଉ ଅଘରି, ଚାରି ଚାରିଟା ଛୁଆଁଙ୍କୁ ପାଳିଥାନ୍ତା କେମିତି ? ଚନ୍ଦରୀ ମା ବହୁକାଳୁ ବିଧବା। ଏକଥା ଏବେର ଦରବୁଢ଼ାମାନେ ତାଙ୍କ ହେତୁ ହେବା ଦିନୁ ଦେଖୁଛନ୍ତି। ଜମିବାଡ଼ି ଯାହା ଦୁଇଖଣ୍ଡ ଅଛି, ତହିଁରେ ପଡ଼ି ଉଠି କାମ କରେ ବୁଢ଼ୀ। ଆଣ୍ଠେଇ ପଡ଼ି ବିଲ ବାଛେ । କାନୀକୁ ଭିଡ଼ି ଦେଇ ଧାନ କାଟେ। ମୁଣ୍ଡରେ ବୋହି ଆଣେ, କୋଡ଼ିଟିଏ ଧରି ଚାହୁଁ ଚାହୁଁ ବୋଝେ ଘାସ ଚାଞ୍ଛି ଆଣେ । ଧୋଇ ଧାଇ କରି ନେତକୁ ଦିଏ । ସେ ବୋଧେ ପ୍ରଥମ ଆଉ ଏକମାତ୍ର ମହିଳା ଯେ ଲଙ୍ଗଳ, କଣ୍ଟିକୁ ଧରି ବଳଦ ଅଡ଼େଇ ହା ଡି ଡି ଡାକ ଛାଡ଼େ । ନିଜ ବିଲ ନିଜେ ଚଷେ, ବେଙ୍ଗଳା ପକାଏ ।
ବିଧବା ହେଲେ ବି ସେ ଯୁଗରୁ ରଙ୍ଗୀନ ଶାଢ଼ୀ ପିନ୍ଧି ଆସୁଛି । କାମିକା ମଣିଷ, ଧଳା ଶାଢ଼ୀରେ କି ଚଳି ପାରିବ, ସାବୁନ ଯେଉଁ ମହଙ୍ଗା ହେଲାଣି କେତେ ଧୋଇବ।
କାହା ଘରକୁ ବୁଢ଼ୀ ନ ଗଲେ ଅଚଳ ପଡ଼େନି କିନ୍ତୁ ଚାରି ପାଞ୍ଚଦିନ ତାକୁ ନ ଦେଖିଲେ ମନ ହାଇଁ ପାଇଁ ଲାଗେ, କିପରି ଗୋଟେ ଅସ୍ୱସ୍ତିକର ବୋଧ ହୁଏ। ବିନା ବିଜ୍ଞପ୍ତିରେ ଖବରକାଗଜ ବାଲା ହଠାତ୍ କାଗଜ ଦେବା ବନ୍ଦ କରିଦେଲେ ଯେମିତି ବିରକ୍ତିଆ ଲାଗେ, ଠିକ୍ ସେମତି। କୌଣସି ଆଳରେ କାହାକୁ ପଠାଇ ଡାକିବାକୁ ଇଚ୍ଛା ଲାଗେ, ଆଦରରେ। ନ ହେଲେ ବୁଢ଼ୀ ଘରକୁ ବୁଲି ଯିବାକୁ ମନ ଡାକେ। ବୁଢ଼ୀ ସୁଖ ପାଏ, ଗପେ, ତା ଅଅଁଳା ଗଛରୁ ଫଳ ଛିଡ଼ାଇ ଆଣେ ଲୁଣ ମଡ଼େଇ ଖାଇବାକୁ ଦିଏ।
ବୁଢ଼ୀ ଆସିଲେ ସେମୁଣ୍ଡରୁ ଡାକ ଛାଡ଼େ। “କିଲୋ ମନୋଜ ମା କୁଆଡ଼େ ଗଲୁକି ବୋହୁ?” ପାନ ପାଟିରୁ ଯେଉଁ ହସ ଟିକକ ଉକୁଟି ଉଠେ ତାକୁ ତା ଲମ୍ବା ଲମ୍ବା ଛାମୁ ଦାନ୍ତ ହଳକ ବହୁ ଗୁଣିତ କରେ। ଏହାର ପରିମାଣ ତତୋଧିକ ବର୍ଦ୍ଧିତ କରେ ଆଉ କେତେ ଯୋଡ଼ା ଗଳିତ ଦନ୍ତ। “ନାଇଁମ ଖୁଡ଼ୀ, ଏଇଠି ଶାଗ କେରେ ବାଛୁଛି। ମତେ ଆଉ ତର କାହିଁ, ଆସ ଏହି ଆସନରେ ବସ।” ଖରକା ପୁରୁକା କରି ଆସନଟିଏ ପାରିଦିଏ ମନୋଜ ମା। ବୁଢ଼ୀ ଘଡ଼ିଏ ବସେ। କେତେ ଆଲୋଚନା ସମାଲୋଚନାର ପେଡ଼ି ଖୋଲେ। “ଅମକେଇ ଘରକୁ ଗଲି, କଣ କହିବିଲୋ ତାର ଯେଉଁ ଢ଼ମ କଥା, କାଲି ଛଅ ଅଣାକୁ ନଅ ଅଣା କରି ଚଳୁଥିଲା, ଆଜି କେଇଟା ଟଙ୍କା ତାକୁ ଉଠ୍ ବସ୍ କରୁଛି । ବସିବାକୁ କହିଲାନି। ମୁହଁକରି ଯାଇଥିଲି । ପିଠିକରି ଲେଉଟି ଆସିଲି। ସେ ଯୁଗ ଗଲାଣି ଲୋ ମା, ବସୁଥିଲ, ହସୁଥିଲ, ତାଆସ ପଶା ଖେଳୁଥିଲ। ପାନଖିଆ ହେଉଥିଲା। ଚୁନା କୁଟା, ବଢ଼ି ପାରା ସବୁ ଏକାଠି ହେଉଥିଲା। ଛାଡ଼, ଏ ଯେଉଁ ଗେରସ୍ତକୁ ଭାରିଜା ଯୁଗ ଆଇଲା କଣ କହିବ, ଛି ।”
ମନୋଜ ମାଆ ଇତି ମଧ୍ୟରେ ଚା କପେ ଧରାଏ। ଅଭିମାନ କରି ଏତେ ଦିନ ପରେ ଆସିବାର ହେତୁ ପଚାରେ। ପୋଖରୀ ତୁଠ, ଗଳି କନ୍ଦି, ଭିତିରି ବାହାର, ଭଲ ମନ୍ଦ ସବୁ ଖବର ତା’ଠୁ ମିଳେ। ଭଲ ମନ୍ଦ ଚିଜଟାଏ ଥିଲେ ବୁଢ଼ୀକୁ ବଳେଇ ଖୁଆଏ, କେତେ କି ଖୁଡ଼ୀ, ଖାଇଦିଅ। ଗୁଆକୁ ଚୁନାଇ ଗୁଣ୍ଡ କରେ, ପାନ ଖିଲି ଯେମିତି ବୁଢ଼ୀ ମଳି ମକଚି ଖାଇପାରିବ।
“ବସିବି ଆଉ କଣ ଲୋ ମାଆ, ମୋର ତେଣେ କେତେ କାମ”, କହୁ କହୁ କଥାର ଖିଅ ଯୋଡ଼ାଏ। ବୁଢ଼ୀ ବେଶି ସମୟ ବସେ ନାହିଁ କିନ୍ତୁ ଯେତିକି ସମୟ ବସେ, ଗାଆଁଟାକୁ ଉଠାଏ, ପକାଏ। ତା କହିବା ଶୈଳୀ ନିଆରା। କାହା ନାଆଁରେ ଚୁଗୁଲି କରୁଛି କହିହେବ ନାହିଁ, ବିଶୁଦ୍ଧ ସମାଲୋଚନା। ବହୁଦିନ ପରେ, ବିଶିଷ୍ଟ ବ୍ୟଙ୍ଗକାର ଅଚ୍ୟୁତାନନ୍ଦ କରଙ୍କ ଭାଷଣ ଶୁଣି ମନୋଜକୁ ଲାଗୁଥିଲା, ଏତ ଚନ୍ଦରୀ ମାର ଅବିକଳ ନକଲ।
“କହନି ମା, ମୁଁ କଣ ଏ ବୟସରେ କପେ କପେ ଚାଆ କରି ପିଇପାରିବି । ଆସିଲି, ଦୁଇପଦ କଥା ହେଲି, ତୋର ସରିଗଲାନି କି ଏହି କପେ ଚା’ରେ ମୋର ଦେହକ ଯିବନି। ଆସନ ଦେଲୁ ବୋଲି ବସିଲି । ଦୂର ଦୂର କଲେ ଦୁଆରୁ ପଳାଇବି।” କେତେ ଭଲ ଲାଗେ ବୁଢ଼ୀର ଏମିତି କଥା । ଗାଁର ସବୁ ସ୍ତ୍ରୀଲୋକ ବୁଢ଼ୀକୁ ଭୀଷଣ ଭୟ କରନ୍ତି। ଭଲରେ ଭଲ କଥା। ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ। ଆଚାର ବ୍ୟବହାରରେ ତ୍ରୁଟି ଦେଖିଲେ ବୁଢ଼ୀ ଘରର ଭୁଆସୁଣୀକୁ ଦାଣ୍ଡରୁ ନେଇ ତୁଠରେ ଥୁଏ। ବ୍ୟକ୍ତିଗତ ଅସହାୟତାକୁ ଅତିକ୍ରମ କରି ବୁଢ଼ୀର ଘରକରଣା ଓ ପରିଶ୍ରମକୁ ସମସ୍ତେ ଏକ ଦରଦୀ ହୃଦୟରେ ଅନୁଭବ କରନ୍ତି । ତା କଥା କେହି ଧରନ୍ତି ନାହିଁ । କେତେ ଜଣ ଲୋକ ଥାଆନ୍ତି, ଯାହାଙ୍କ ଉପରେ ରାଗିହୁଏ ନାହିଁ । ତାଙ୍କ ଟାଉଁ ଟାଉଁ କଥା ଦୁଇପଦ ସହି ହୁଏ । ମୁଁହ ଦେଖିଲେ ଆମୋଦିତ ଲାଗେ । ସେ ସେହି ଶ୍ରେଣୀର ମଣିଷ ।
ବୁଢ଼ୀ କାହାକୁ ବାରି ଦେବାରେ କିଛି ବିଚିତ୍ର ଲାଗେନି । କିନ୍ତୁ କାହାକୁ ତାରିଫ କଲେ, ସାରା ଗାଆଁ ଅଜାଣତରେ ତାକୁ ହିଁ ତାରିଫ୍ କରିବା ଶିଖି ନିଏ।
କାହା ବରର ଚକୁଳି ପିଠା ପରି ମୁହଁ, କାହା ବର ବୁଢ଼ାଳିଆ, କାହାର ପ୍ରଜାପତିଆ ନିଶ, କିଏ ଗେଡ଼ା, କିଏ ବଇରଗ ଛଡ଼ ପଡ଼ି ପତଳା ଓ ଲମ୍ବା, କିଏ ଚନ୍ଦା, କାହା ନାକ ଖଣ୍ଡାଧାର ପରି ଆଉ କାହାରି ଗେଣ୍ଡା ନାକ, କିଏ ତ୍ରିପଣ୍ଡ କଳା, କାହା ଆଖି ସାମାନ୍ୟ ଟେରା, କିଏ କିଭଳି ରୋଷଣୀ ଆଣିଥିଲା, କାହା ବ୍ୟାଣ୍ଡ୍ ପାର୍ଟିରେ ଡୁଏଟ୍ ନାଚ ଭଲ ହେଉଥିଲା ; ଏ ସବୁର ବିଶ୍ଲେଷଣ ବୁଢ଼ୀ ଯେପରି କରେ, ଯେମିତି ରାତି ଉଜାଗର ହୋଇ ସାକ୍ଷୀ ହୁଏ ଝିଅଟିଏ ଗ୍ରାମରୁ ବିଦା ହେବାରେ, ତାହା ଅତୁଳନୀୟ।
ବୁଢ଼ୀ ଲାଗି ଅଘଟଣ ବି ଘଟେ। ଥରେ ଗଡ଼ିଆ ତୁଠରେ କହିଦେଲା ବ୍ରାହ୍ମଣ ଘର ଝିଟି ମା କିଭଳି ତନ୍ତୀ ଘରେ ଭୋକ ବିକଳରେ ବେଲାଏ ପଖାଳ ଖାଇଛି। ଗଲା ତ ଲାଗିଲା ଗୋଟିଏ ପାଲା, କଥାଟା ସତ ପ୍ରମାଣ ପର୍ଯ୍ୟନ୍ତ ଗଲା। ବୁଢ଼ୀ ଯିବ କୁଆଡ଼େ। ସତ କହିଲେ ତ ଝିଟି ମା ବ୍ରାହ୍ମଣ କୁଳରୁ ଗଲା। ପକାଇଥିବା ଛେପ ଢ଼ୋକିଲା। ନିର୍ବିକାର ଭାବେ ମିଛ କହିଲା, ଝିଟିମା ବର୍ତ୍ତିଗଲା ସିନା, ଗୋଟା ପଣେ ନିଜର, ବୁଢ଼ୀର ହାତବାରିସୀ ହୋଇଗଲା। ଭୋଟ ରାଜନୀତିରେ ବୁଢ଼ୀର ଚରିତ୍ର ନିଆରା। ଆଜିକାଲିର ନିର୍ବାଚନ ବିଶେଷଜ୍ଞ, ସାମ୍ବାଦିକ ମାନେ ତା ପାସଙ୍ଗରେ ପଡ଼ିବେ ନାହିଁଁ। ସାରା ପଞ୍ଚାୟତକୁ ଗଣି ଗଣି କହିଦେବ, ଶଙ୍ଖ, ଚକ୍ର, ଗଦା, ପଦ୍ମ ନିକିତି, ହାତୀ ଓଗେର କିଏ କେତେଖଣ୍ଡ ଭୋଟ ପାଇବେ, ବଡ଼ ଜୋର୍ରେ ପାଞ୍ଚଖଣ୍ଡ ଭୋଟ ଏପଟ ନ ହେଲେ ସେପଟ ହେବ। ବୁଢ଼ୀକୁ ସବୁ ପାର୍ଟି ଲୋକେ ଆଦର କରନ୍ତି, ପାଞ୍ଚଥର ଖୋସାମତି କରନ୍ତି, ସତେ ଯେମିତି ବହୁତ ପ୍ରଭାବଶାଳୀ, ତାହା ହାତରେ ପୁଳାଏ ଭୋଟ୍ ଅଛି। ଥୋକେ ତ ତା କଥାରେ ଉଠୁ ବସ ହୁଅନ୍ତି। ଶେଷ ପର୍ଯ୍ୟନ୍ତ ଜାଣିହୁଏ ନାହିଁ ବୁଢ଼ୀ ତା ଭୋଟ ଖଣ୍ଡକ କାହାକୁ ଦେଇଛି।
ଗାଁ ଲୋକଟିଏ ମରିଗଲେ ବୁଢ଼ୀ, କାନ୍ଦି ପକାଏ। ତା ଅଶ୍ରୁ ଜଣାପଡ଼େ, କାହିଁ କେତେ ବର୍ଷର ପୁରୁଣା। ସାହାସ କରି କେହି ତାକୁ ବୁଝିବାକୁ ଚେଷ୍ଟା କରେ ନାହିଁ। ସେଦିନ ମନେ ପଡ଼ିଯାଏ । ରାହାଧରି କେତେ କାନ୍ଦି କାନ୍ଦି ହଠାତ୍ କାନ୍ଦିବା ବନ୍ଦ କରି ଦେଇଥିଲା ବୁଢ଼ୀ। ଶଙ୍ଖା ଭାଙ୍ଗିଲା, ସିନ୍ଦୁର ପୋଛିଲା, କୋଡ଼ି କୋଦାଳ ଧରିଲା, ବଳଦ ଅଡ଼େଇଲା, ପିଲା ଛୁଆଙ୍କୁ ନିଘା କରି ଦିନ କାଟିଲା।
ସେ କହେ, ହାୟ ହାୟ ସରଗ, ଛିଃ ଛିଃ ନରକ। ଆହା କେତେ ଭଲ ଲୋକଟାଏ ଥିଲା, ଚାଲିଗଲା। ଧିକ ତା ଆପଣାର ଜୀବନକୁ, ତାକୁ ଯାହା ମରଣ ହେଉନାହିଁ, ଗୋଟାଏ ଯୁଗର ସ୍ମୃତି ବଣ୍ଟୁଆରାକୁ ସମ୍ମାନ ଦେଇ ବୁଡ଼ଟାଏ ପକାଏ କସ୍ତୁରା ପୋଖରୀରେ, ହେଉ ପଛେ ରାତି ଅଧ।
କାହାର ଜମି ବିକ୍ରି ହେବ ତ କାନକୁ କାନ ଫୁଙ୍କି ଦେଇ ଆସେ ବୁଢ଼ୀ। ପାଞ୍ଚ ଲୋକ ଆଗଭର ହେଲେ, ଜମିଦାମ୍ ବଢ଼େ। ଅଭାବରୁ ଜମି ବିକୁଥିବ ବିଚରା ବାୟା ଦୁଇ ପଇସା ଅଧିକ ପାଏ। ଚୁପି ଚୁପି ପଚାରିଲେ, ଜମିଦାରଘର ଗମ୍ଭୀରା ଭିତରର ଗୁମର କଥା ବୁଢ଼ୀ କୁହେ। ଅବଶ୍ୟ ଲୋକ ଚିହ୍ନିକି କହେ।
ନେତ କା କିଆରୀରେ ମୁହଁ ମାରିଲେ। କେହି ଲୋକ ଆସି ଆକଟ କଲେ ବୁଢ଼ୀ ରାଗିଯାଏ, “ହଇରେ ତୋ ବିଲ ଯଦି ମୋ ଗାଈ ଖାଇଲା, ନେଇ ଗଲୁନି କାଞ୍ଜିଆ ଖୁଆଡ଼କୁ।” ତେବେ ତାଙ୍କ ଗାଈ କେହି କେବେ ଅଡେଇ ନେବାର ସାହାସ କରିନି।
ବୁଢ଼ୀ ସଂସ୍କୃତି ପ୍ରେମୀ । କାହାର ଆଖଣ୍ଡଳ ମଣି ମେଳା ହେବ, ପୋଥିପୂଜା ହେବ, ହରିବଂଶ ବସିବ, ବୁଢ଼ୀ ଉପସ୍ଥିତ ରହିବା ଏକ ଧରାବନ୍ଧା କଥା। ଭାଗବତ କାର୍ତ୍ତିକ ମାହାତ୍ମ୍ୟ କିମ୍ବା ରାମଚରିତ ମାନସ ପାରାୟଣ ହେଲେ, ବୁଢ଼ୀ କାନ ଡେରେ। ଠିକ୍ ସମୟରେ ହରିବୋଲ, ହୁଳିହୁଳିଟାଏ ଦେଇ ସଭାକୁ ପୂର୍ଣ୍ଣତା ଦିଏ। ଅଠର ଖଣ୍ଡ ମହାଭାରତ, ସାତ କାଣ୍ଡ ରାମାୟଣରେ ବୁଢ଼ୀର ବ୍ୟୁତ୍ପତ୍ତିର ପଟାନ୍ତର ନାହିଁ। କଥା କଥାରେ ଭାଗବତରୁ ପଦୁଟିଏ ସୁନ୍ଦର ଭାବେ ଉପସ୍ଥାପନ କରେ ସିଏ।
ଗାଁରେ ପାଲା ପ୍ରତିଯୋଗିତା ହେଲେ ବୁଢ଼ୀର ଥାଏ ଗଣ୍ଠି ପ୍ରଶ୍ନ। ସେ ଯଦି କହେ ଅମୁକା ଗାୟକ ଭଲ ଗାଉଛି, ଅଲକ୍ଷରେ ଗ୍ରାମର ମହିଳା ମଣ୍ଡଳୀ କଥାକୁ ଦୋହରାଇ ଥାଆନ୍ତି। ତା ମତ ହୁଏ ଅବିସମ୍ବାଦିତ।
ଅପେରା ପେଣ୍ଡାଲକୁ ଲାଗିକି ପଡ଼େ ବୁଢ଼ୀର ଅଖା, ବାଜାବାଲାଙ୍କ ଡାହାଣ କିମ୍ବା ବାଆଁ କଡ଼କୁ । ସେ ସତେ ଅବା ହଜିଯାଏ ବିଷୟରେ। କେତେବେଳେ ହସି ହସି ଗଡ଼ି ଯାଉଛି ତ ପୁଣି କେତେବେଳେ ଆଖିରୁ ଗଡ଼େ ଥପ୍ ଥପ୍ ଲୁହ। କମ୍ସେ କମ୍ ପାଞ୍ଚ ସାତ ଥର ବ୍ୟାଘାତ ସୃଷ୍ଟି କରି ଭିନ୍ନ ଭିନ୍ନ କଳାକାରଙ୍କୁ ମୁଦ୍ରାଟିଏ ପୁରସ୍କାର ଦିଏ। କେହି ବିରକ୍ତ ହେଲେ ବି ପ୍ରକାଶ କରିବାର ପ୍ରଶ୍ନ ଉଠେନି।
ଏକଦା ବୁଢ଼ୀଘର ଥିଲା ବିବାହ ଯୋଗ୍ୟା କନ୍ୟାଙ୍କର କାନ୍ଦଣ ଶିକ୍ଷା କେନ୍ଦ୍ର। କେଉଁ ଝିଅ ଶାଶୁଘରକୁ ଗଲାବେଳେ କେମିତି କାନ୍ଦଣା କାନ୍ଦୁଥିଲା, କାହା ଶାଶୁ ମଲା ବେଳକୁ, କେଉଁ ବୋହୁ କେମିତି ବାହୁନିଲା, ବୁଢ଼ୀ ନଜର ରଖେ। ସମୟର ଆହ୍ୱାନରେ ଏ କାନ୍ଦଣା ଅନୁଷ୍ଠାନ ବନ୍ଦ ହୋଇଗଲା ପରେ ବି ପୁନେଇରେ ଫୁଲ ବୋଉଳ ବେଣୀର ସ୍ୱର ଶିଖାଏ ବୁଢ଼ୀ, ଦଶରୁ ପନ୍ଦରଟି ପୌରଣିକ ଉପାଖ୍ୟାନକୁ କୁଆଁରୀ ମାନେ ଗୀତରେ ବୋଲନ୍ତି। ଘରକୁ ଘର ବୁଲି ମିଳିମିଶି ଜହ୍ନି ଓଷା କରନ୍ତି। ବାଳିକାମାନଙ୍କ ମୁଖିଆକୁ ମେଣ୍ଢା ନାହାକାଣୀ କୁହାଯାଏ ତେବେ ଅସଲ ନାୟକାଣୀ ବୁଢ଼ୀ।
ବୁଢ଼ୀର ଅକ୍ଷର ମିଞ୍ଜି ମିଞ୍ଜି ଗୋଲ ଗୋଲ, ଛୋଟିଆ କାଗଜରେ ହନୁମାନ ଚାଳିଷାଟିଏ ଲେଖି, ଗୁଞ୍ଜିଗାଞ୍ଜି ଡେଉଁରିଆ ଭିତରେ ରଖି ଗାଁର ଛୁଆମାନଙ୍କୁ ପିନ୍ଧାଏ। ସର୍ବରିଷ୍ଟ ଖଣ୍ଡନକାରୀ ବୋଲି ଲୋକେ ବିଶ୍ୱାସରେ ବୁଢ଼ୀଠାରୁ ନିଅନ୍ତି।
ରାମ ମା ବୋହୁ ଆଣିଛି ବୁଢ଼ୀ ଦଳବଳ ନେଇ ପହଞ୍ଚେ ବୋହୁ ଦେଖା, ମୁହଁଚୁହାଁ ଦିଏ।
“ଆଲୋ ରାମ ମା ତୋର ତ ଦୁଃଖ ଗଲା। ସୁନାନାକି ବୋହୂଟିଏ ଆଣିଛୁ । ଆ ଲୋ ନାତୁଣୀ ଆଃ ! ଏଇଠିକି ଆଃ! ତୋ ଶ୍ୱଶୁର ମୋତେ ଖୁଡ଼ୀ ଡାକେ। ତୋ ବର ଡାକେ ସାଆନ୍ତ ମା। ତୁ ବୁଢ଼ୀ ମା ଡାକିଲେ ବି ଚଳିବ।”
ବୋହୁଟି ପାନ ଦୁଇଖଣ୍ଡ ଧରି ଯନ୍ତ୍ରବତ୍ ଯାଏ। ଦଣ୍ଡବତଟିଏ ପକାଉ ପକାଉ ନୂଆ ଓଢ଼ଣୀଟିକୁ ଆୟତ୍ତ କରେ । ମଥାମଣୀରୁ ପାଦ ନଖ ଯାଏ ବୁଢ଼ୀର ନଜର ଥାଏ। ଝିଅଟିକୁ ଶ୍ରେଣୀ ବିଭାଗରେ କଳନା କରେ ପାଲାବାଲାଙ୍କ ବର୍ଣ୍ଣନା ପ୍ରାୟ ; ପଦ୍ମିନୀ କି ଚିତ୍ରିଣୀ ଅବା ହସ୍ତିନୀ କିମ୍ବା ଶଙ୍ଖିନୀ। ଦେଖେ, ତିଳ ଚିହ୍ନ କେଉଁଠି, ଆଙ୍ଗୁଳି ମାନ କିପରି ହାତର ଓ ପାଦର, କାନ ନାକ କି ପ୍ରକାରର, ଖୋସା କିଭଳି, ଚୁଟି ବହଳକି ନୁହେଁ, କଳା କି କସରା । ଗୋଇଠି ପାପୁଲି ଗଠନ କେମିତି, କଟି ବକ୍ଷ ନିତମ୍ବର ଅନୁପାତ କି ପ୍ରକାରର, ଚାଲି କିଭଳି, ଶାଢ଼ୀ ପିନ୍ଧିଛି କେମିତି, ହସୁଛି କି ଖୁମାଣ ମୁହିଁ, କଥା ମିଠା କି ନୁହଁ, ଏସବୁକୁ ବୁଢ଼ୀ ନେଇ ପକାଏ ଲକ୍ଷ୍ମୀ ପୁରାଣ, ଖନା ବଚନ ଓ ଖଗା ବଚନର ପ୍ରମାଣରେ। ମେଳକ କରେ ଦନେଇ ଦାସ କିପରି କହିଛନ୍ତି, ମୁହୁର୍ତ୍ତକେ ଚିଠା ଖସଡାଟିଏ ତା ମୁଣ୍ଡରେ ରୂପ ନିଏ। ମନ୍ତବ୍ୟ ଆଉ ଠାନେ ଓ ଅନ୍ୟ ଏକ ସମୟରେ।
କେତେ ତୋଳା ସୁନା, କେତେ ରୁପା, କେତେ ଅସଲି କେତେ ଖାଦ, କି ପ୍ରକାର ଗହଣା ଇତ୍ୟାଦିରୁ ଜାଣି ନିଏ କନ୍ୟାଘର, ଧନ ସମ୍ପତ୍ତି, ମନ ଓ ଚଳିନ।
ତେବେ ବୁଢ଼ୀ ଏସବୁ ଏତେ ଶୀଘ୍ର ନିରୂପଣ କରେ ଯେ, ନୂଆ ବୋହୁଟି ଅପ୍ରସ୍ତୁତ ଅନୁଭବ କରିବାର ଅବକାଶ ନଥାଏ । ବସ୍ତୁତଃ ସେ ଅଜ୍ଞ ରହିଯାଏ, ତା ଉପରେ ଗବେଷଣାଟିଏ ହୋଇଗଲା।
ହସିଦେଇ ଆଶୀଷ ଅଜାଡ଼େ, ଅହି ସୁଲକ୍ଷଣୀ ହୋଇଥା ଧନମଣୀ, ପ୍ରଭୁ ତୋର ଶଙ୍ଖା ସିନ୍ଦୂର ବଜ୍ର କରନ୍ତୁ, ପତି ସୁହାଗିନୀ ଓ ଶାଶୁ ଶଶୁରଙ୍କ ଗେହ୍ଲା ବୋହୂ ହୋଇଥା ।
ଶାଶୁକୁ ମନେ ପକାଇ ଦିଏ, “ବୋହୁକୁ ଯଗିବୁ ନୂଆ ବେଳେ, ପୁଅକୁ ଯଗିବୁ ଛୁଆ ବେଳେ।”
ବୁଢ଼ୀର ବିଶ୍ଲେଷଣ ସମୟ କ୍ରମେ ଜଣାପଡ଼େ କସ୍ତୁରା ତୁଠରେ। କାହାକୁ ସେ ପକାଇବ ଓ କାହାକୁ ଟେକିବ ସେ କଥା କଳନା କରି ହେବ ନାହିଁ। ଧନ ଲୋଭରେ କେହି ଯଦି କନ୍ୟା ଘର ତଣ୍ଟି ଚିପିଛି, ସେ ଗପେ ତୁଠରେ। ଏ ପ୍ରତି ବେପରୁଆ, କହି କହି ବୁଢ଼ୀ ହେଲାଣି।
ସେ ବହୁତ ହୁସିଆର । ଅମଳ ସମୟରେ, ଶସ୍ତା କାଳେ, ଚାଉଳ କିଣିଥାଏ ସଞ୍ଚୟ କରେ। ତା ଅମଳକୁ ସୁରକ୍ଷିତ ରଖେ। ମହଙ୍ଗା ସମୟରେ ଯଦି ବଳକା ଅନୁଭବ କଲା ବିକ୍ରି କରି ଦୁଇ ପଇସା ପାଏ। ଆମ ଶୈଶବ ସ୍ମୃତିରୁ ବୁଢ଼ୀର ନୀଳାଚଳ ଯିବାର ସ୍ମୃତିଟି ଅନନ୍ୟ। ସାହିଲୋକେ ମେଳ ହୋଇ ଗଲେ। ବୁଢ଼ୀକୁ ଡାକି ଡାକି ବାହାରିିଲାନି। “ଆରେ ବାବୁ କାଳିଆ ପାଖକୁ ଯିବାର ମନ ଦରକାର। ସେଠି ଥାଇ ମୋର ଯଦି ନେତ, ଧାନ, ଘରବାଡ଼ି, ପୋଇ ମଞ୍ଚା କଥା ମନେ ପଡ଼େ ଆଉ କାଳିଆ ଯଦି କିମ୍ବଦନ୍ତୀ ପ୍ରାୟ ପୋଇ ମଞ୍ଚା ଭଳି ଦିଶେ, ନା ମୁଁ ଯିବିନି ଡର ଲାଗୁଛି।”
ବଡ଼ ବାଧ୍ୟରେ ବୁଢ଼ୀ ଗଲା ଯେ, କାଳିଆ ସଙ୍ଗରେ ବହୁ ସମୟ ଫୁସୁରୁଫାସୁରୁ କଣସବୁ କଥାହେଲା। ଦାଢ଼୍ୟତା ଭକ୍ତିର ଯେଉଁ ସବୁ ଭକ୍ତ, ସେମାନେ ବି ଏମିତି ହୋଇଥିବେ କି ନାହିଁ ସନ୍ଦେହ। ସତେ ଅବା କେଉଁ ଆତ୍ମୀୟ ସହ ଫୋନ୍ରେ କଥା ହେଉଛି, ଫୋନ୍ କଣ ମ, ସାକ୍ଷାତ ଆମନେ ସାମାନେ।
ବୁଢ଼ୀ, ଝିଅଚାରିଙ୍କୁ ପର ଗୋତ୍ରୀ କରିଛି । ସଂଖ୍ୟାଧିକ ଉପଦେଶକୁ ବେଖାତିରି କରି ସାନ ଝିଅକୁ ବି ଘର ଜୋଇଁଆ ନ କରି ପଠାଇଲା ଶାଶୁଘର। ହଁ ମ ଝିଅ ଘରକୁ ଗଲେ ପଚାରିବେ ନାହିଁ ନା କଣ, ଗୋଟାକୁ ସବୁ ଦେଇ ଆଉ ତିନିଟାଙ୍କ ଶତ୍ରୁ ହେବି!
ଘିଅ ଛେନା ଧରି ଏ ଓଳି ଗଲେ ଆଉ ଓଳିକୁ ଫେରି ଆସେ। ଝିଅ ଜ୍ୱାଇଁ ଅଟକାଇ ପାରନ୍ତି ନାହିଁ। ତୁଳତୀ ଗାଁରେ ନିଦ୍ରା ତା ପାଇଁ ସୁଖମୟ। ତେବେ, ବୁଢ଼ୀ ସମ୍ପର୍କରେ ଏତେ ସବୁ ବାଲ୍ୟସ୍ମୃତିରୁ ଲୋହୁଣୀ ଟିକକ ହେଉଛି, ମାଙ୍କଡ଼ ମରା ଘଟଣା। ଗ୍ରାମରେ ପଞ୍ଝାଏ ବୋଇଲେ ବାଇଶ ଜଣିଆ ମର୍କଟ ପରିବାର ଅବା ଦଳ ବାସ କରୁଥିଲେ। ସେମାନେ ମଣିଷର ଏତେ ନିକଟତର ଥିଲେ ଯେ ମୁହଁ ଦେଖି ଚିହ୍ନିହେବ କେଉଁଟା କେଉଁ ହନୁ। ଗ୍ରାମର ଚଳନ୍ତି ସେନାନୀ। ପଡ଼ୋଶୀ ଗ୍ରାମରେ ଆତଙ୍କ ସୃଷ୍ଟି କରି ଚାଲିଆସିବେ। ଶୁଣାଯାଏ ଏମାନଙ୍କୁ ଭୟକରି କୁଆଡ଼େ ତୁଳତୀ ଗ୍ରାମକୁ ରାତିରେ ଚୋର ପଶନ୍ତି ନାହିଁ। ସେମାନେ ଯେ ଆପଣାର ଗ୍ରାମରେ ମାଙ୍କଡାମି କରୁ ନଥିଲେ, ତାହା ନୁହେଁ । ସମସ୍ତେ ତହିଁରେ ଅଭ୍ୟସ୍ତ ହୋଇଯାଇଥିବାରୁ ଆତଙ୍କିତ ହେବାର କାରଣ ନଥିଲା। ଦର୍ପଣ ମାନ ଥିଲେ ତାଙ୍କର ଆକର୍ଷଣ। ଦିନେ ଦଳପତି ଦନ୍ତାହନୁର ଭାତୃକନ୍ୟା ଓ ଭଗ୍ନୀସୂତ ଓହ୍ଲାଇ ଆସି ଗ୍ରାମର ସର୍ବବୃହତ୍ ଆଇନାଟି ଜମିଦାରଘରୁ ଉଠାଇ ନେଇ ବୃକ୍ଷ ଡାଳରୁ ପରସ୍ପର କଳହ ରତ ହୋଇ ଛାଡ଼ି ଦେଲେ ଯେ ଦୁଲ୍ ଦାଲ ତଳେ ପଡ଼ି ଚୁର ମାର ହୋଇଗଲ ।
ତେବେ ଦଳର ସର୍ବାଧିକ ମେଦଯୁକ୍ତ ନିସନ୍ତାନ ମର୍କଟୀର ବାତ୍ସଲ୍ୟ ଜାଗ୍ରତ ହୋଇ ସବୁ ସମୀକରଣ ବଦଳାଇ ଦେଲା।
ବିଚାରୀ ଏକଦା ମନୁଷ୍ୟ ଶିଶୁଟିଏ ବାତ୍ସଲ୍ୟ ପ୍ରେମରେ ଉଠାଇ ନେଲା ଗଛ ଉପରକୁ । ଅବଶ୍ୟ ଶିଶୁଟିର କ୍ରନ୍ଦନରେ ନିରୁପାୟ ହୋଇ ମମତାର ପ୍ରେରଣାରେ, ବଡ଼ ସନ୍ତର୍ପଣରେ ଶିଶୁଟିକୁ ଫେରାଇ ଦେଇଗଲା। ଏହା ଯେଉଁ ଆଲୋଡ଼ନ ସୃଷ୍ଟି କଲା ତାହାର ଫଳ ହେଲା ବିଷମ।
ଗ୍ରାମରେ ମିଟିଂ ହେଲା । ସଜନା ଛୁଇଁ ଅପହରଣରୁ, ଚାପୁଡା ଖିଆ ପର୍ଯ୍ୟନ୍ତ, ଦର୍ପଣ ଭଙ୍ଗାରୁ ଶିଶୁ ଅପହରଣ ପର୍ଯ୍ୟନ୍ତ ଅନେକ ଅଭିଯୋଗର ଫର୍ଦ୍ଦ ଯୋଡ଼ା ଗଲା। ସେମାନଙ୍କ ବିରୁଦ୍ଧରେ, ମର୍କଟ ମାନଙ୍କ ଅନୁପସ୍ଥିତିରେ, ତାଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ ଏକ ତରଫା ଦଣ୍ଡ ଘୋଷଣା କରାଗଲା। ଏକାଥରେ ମୃତ୍ୟୁ ଦଣ୍ଡ, ତେବେ ସେମାନଙ୍କ ସପକ୍ଷରେ ଓକିଲାତି କଲା ବୁଢ଼ୀ। ସେ ଉଦ୍ଧତ, ଉଦ୍ଦାମ ପ୍ରସ୍ତୁତି ପର୍ବରେ ବୁଢ଼ୀର ଗୁହାରି କିଏ ବା କାହିଁକି ଶୁଣନ୍ତା। ବରଂ ମାଙ୍କଡ଼ ମରା ଅଭିଯାନ ପାଇଁ ଚାନ୍ଦା ନ ଦେବାରୁ ବୁଢ଼ୀକୁ ନିଆଁପାଣି ଅଟକ କରାଗଲା। ଅବଶ୍ୟ ଏହା ପଛରେ ରହିଥିଲା ସଦ୍ୟ ସମାପିତ ସରପଞ୍ଚ ନିର୍ବାଚନରେ ପରାଜିତ ଓ ବୁଢ଼ୀ ଉପରେ ଅସନ୍ତୁଷ୍ଟ ନେତାଙ୍କ ଯୁକ୍ତି ଓ ପାଟିତୁଣ୍ଡ। ବୁଢ଼ୀ ହେଲା ଏକଘରିକିଆ।
“ବଜାରରେ ଦିଆସିଲି, ସରକାରୀ ନଳକୂପରେ ପାଣି, ବଡ଼ ଆଇଲେ ହନୁ ମରା ମାମିଲତିକାର ମତେ ନିଆଁ ପାଣି ଅଟକ କରିବେ।” ବୁଢ଼ୀ ଏମିତି କହିଲା ଓ ଲଙ୍କା ଗଡ଼ ପୋଡ଼ିଯିବା କଥା ସ୍ମରଣ କରାଇ ସଭାସ୍ଥଳ ଛାଡ଼ି ପଳାଇ ଆସିଲା। “ତୁମ୍ଭେ ମୋତେ ବୟକଟ୍ କରିବା ପୂର୍ବରୁ ମୁଁ ଛାଡ଼ି ଚାଲିଯାଉଛି।”
ବହୁତ ଦୂରରୁ ଆସିଲେ ଦୁର୍ଘଷ ମାଙ୍କଡିଆ ଦଳ। ଗଣି ଗଣି କୋଡ଼ିଏଟି ହେଲେ ଧୃତ ଓ ନିହତ। ବୁଢ଼ୀ ଧାନ ପିମ୍ପାରେ ଲୁଚିଥିଲେ ଦୁଇ ଜଣ ରାମ ଭକ୍ତ। ବର୍ତ୍ତିଗଲେ, ଗୋପନରେ ଗ୍ରାମ ଛାତି ଅଜଣା ମୁଲକକୁ ଚାଲିଗଲେ।
ଆହାଃ କେଡ଼େ ନିକଟତର ସଭ୍ୟ ସମାଜଟିଏ। ମୃତ୍ୟୁ ପୂର୍ବରୁ, ମନୁଷ୍ୟ ପ୍ରାୟ ଗୋଡ଼ ହାତ ତଳେ ପଡ଼ି ନେହୁରା ହେଉଥିଲେ, ଜୀବନ ଭିକ୍ଷା କରିଥିଲେ। ସେ ଦୃଶ୍ୟ ଥିଲା ଅତି ଦୟନୀୟ। କାନ୍ଦିଥିଲେ ଅବିମୃଶ୍ୟକାରିତାର ଚରମ ନିଦର୍ଶନକାରୀ ଗ୍ରାମବାସୀ ବୃନ୍ଦ, ତେବେ ଏହା ଥିଲା ଅନ୍ତିମ ପର୍ଯ୍ୟାୟ, ଲୋକେ ବୁଝିଲେ ବୁଢ଼ୀ ଠିକ୍ କଥା କହୁଥିଲା।
ଲୋକେ କହନ୍ତି ବହୁ ବର୍ଷ ପର୍ଯ୍ୟନ୍ତ ଗୋପନରେ ଏହି ଦୁଇ ମର୍କଟ ବୁଢ଼ୀ ପାଇଁ ନାନା ଦିଗରୁ ଆଣନ୍ତି ବିଭିନ୍ନ କିସମର ସ୍ୱାଦିଷ୍ଟ ଫଳ। ପଚାରିଲେ ବୁଢ଼ୀ କୁହେ “ଅତି ନିଲଠା କଥା”।
ବୁଢ଼ୀର ସବୁ ଅନନ୍ୟତା ପରି ମୃତ୍ୟୁ ମଧ୍ୟ ଆସିଲା ଭିନ୍ନ ପ୍ରକାରରେ । ଦୀପାବଳୀ ରାତ୍ରି, ବୁଢ଼ୀ ଦୀପାଳି ଜାଳିଲା । ଶିଶୁ ମାନଙ୍କୁ ଫୁଲ ଝରି ବାଣ୍ଟିଲା, ଗଲା ପୁରାଣ ଶୁଣିବାକୁ, ଭଲ ମନ୍ଦ କଥା ହେଲା।
ରାତି ପାହିଲା। ନେତ ବୋବାଳି ଛାଡ଼ିଲା। ବୁଢ଼ୀ ଘର କବାଟ ଫିଟିଲା ନାହିଁ। ଗାଁଟା ସାରା ଲୋକ ରୁଣ୍ଡ ହେଲେ। ମାଡ଼ି ଆସିଲା ଏକ ଉତ୍ସବ ଅନ୍ତଃ ନିସ୍ତବ୍ଧତା। ଲୋକେ ବଜାର ଘାଟ, ବିଲ ବାଡ଼ି ଯିବା ବନ୍ଦ କରିଦେଲେ। ମନ୍ଦିରର ଘଣ୍ଟା ବେସୁରା ଶୁଭିଲା। ପୂଜକ କାନ୍ଦିଲେ, ପୁରାଣ ପଣ୍ଡା କହିଲେ ହାଏ ହାଏ ନିତି ଦିନିଆ ଶ୍ରୋତାଟି ହଜିଗଲା। ଭୁଆସୁଣୀଏ ପ୍ରକାଶ୍ୟ ରୋଦନ କଲେ। ସରପଞ୍ଚ ଝିଅ ଜ୍ୱାଇଁ ମାନଙ୍କ ଘରକୁ ବେଉରା ପଠାଇବାର ବ୍ୟବସ୍ଥା କଲେ। ବିଧବା, କିନ୍ତୁ ବୁଢ଼ୀକୁ ଦେବୀ ପ୍ରାୟ ଲାଲ ଶାଢ଼ୀରେ ଘୋଡ଼ାଇ ଦିଆଗଲା। ଗାଁର ସବୁଲୋକ ପଟୁଆରରେ ଜ୍ୱାଇଁମାନଙ୍କ ସହ ଶ୍ମଶାସନରେ ଦାହ ସଂସ୍କାରରେ ଯୋଗ ଦେଲେ। କସ୍ତୁରାରେ ବୁଡ଼ ପକାଇଲେ। କସ୍ତୁରା ଯେପରି ଶ୍ରଦ୍ଧାର ଗଙ୍ଗା ପାଲଟି ଥିଲା।
ସେ ଯୁଗର ସ୍ମୃତି ବ୍ୟଥିତ କରେ। ଏବେ ବି ଗ୍ରାମ ଅଛି । ଗାଁରେ ମନୋରଞ୍ଜନର ସଜ୍ଞା ବଳଦିଯାଇଛି। କାହିଁ ସେ ବାଦୀ ପାଲା, କାହିଁ ସେ ଅଭିନୟ। ବର ମାନେ ନିଜେ ମଦପିଇ ରୋଷଣୀରେ ନାଚିବା ପର୍ଯ୍ୟାୟକୁ ଗଲେଣି। ଏକ ଜାଗ୍ରତ ନାରୀର ଇତି। ଗାଁର ଖବରକାଗଜ, ମାର୍ଜିତ ସମାଲୋଚନା ରୀତି ନୀତି ଓ ଶାସ୍ତ୍ର ଆଲୋଚନା। ସବୁ ଯାଇଛି ତା ସହ ହଜିଗଲା ନିଜ ଛେପ ନିଜେ ଢ଼ୋକି ଝିଟି ମାଆକୁ ବଞ୍ଚାଇବାର ସାହାସ।
