ଖବର କାଗଜ
ଖବର କାଗଜ
କଣ ଗୋଟେ ଖୋଜୁ ଖୋଜୁ , ପଡିଗଲା ହାତରେ ଏକ ପୁରୁଣା ଖବର କାଗଜ । ସେହି ଖବର କାଗଜ ରେ ଥିବା ଖବର ଗୁଡିକ ପୁରୁଣା ହେଇଥିଲେ ମଧ୍ୟ, ସମୁର୍ଣ୍ଣ ନୂଆ ଥିଲା ତାର କାଗଜ । ଖବର ପୁରୁଣା, କାଗଜ ନୂଆ , ଆଉ ତାହା ସହିତ ଯୋଡି ହୋଇ ରହିଥିଲା ଅନେକ ନିବିଡ ଓ ଗଭୀର ସ୍ମୃତି ଗୁଡିକ । ସେ ସ୍ମୃତି ଗୁଡିକ ଏତେ ସତେଜ ଅଛି ଯେ, ସେ ଟାଣି ନେଇଗଲା ମତେ ଅତୀତ କୁ ବସାଇ ଏକ ସମୟର ଜାହାଜରେ । ମନେ ପଡିଗଲା ସେ ଦିନ ଟି ଯେବେ ତୁ ଆଉ ମୁଁ ଚାହା କପେ ଧରି କଥା ହେଉଥିବା ବେଳେ, ଖବର କାଗଜ ମଗେଇବା ନେଇ ଆମ ଭିତରେ ତର୍କ ଚାଲିଥିଲା । ମୁଁ କହିଥିଲି ଆଜିର ଏ ଡିଜିଟାଲ ସମୟରେ ରେ ଯେଉଁଠି ସମସ୍ତଙ୍କ ହାତରେ ସ୍ମାର୍ଟ୍ ଫୋନ ଥିଲାବେଳେ, ଖବର କାଗଜ ର ଆବଶ୍ୟକତା କଣ ? ଅନେକ ଆପ୍ ଜରିଆରେ, ମାଗଣାରେ ଖବର ପଢିବା ପାଇଁ ମିଳିଲା ବେଳକୁ, କାହିଁକି ଖର୍ଚ୍ଚ କରିବା ଖବର କାଗଜ ଉପରେ । ମାତ୍ର, ଯେମିତି ଆଗରୁ ହେଇ ଆସିଛି, ତୁ ତୋ ଜିଦି ରେ ଅଟଳ ରହିଲୁ, ଆଉ ଘରକୁ ଆସିବା ଆରମ୍ଭ ହେଲା ଖବର କାଗଜ । ଆସିବାର ପ୍ରଥମ କିଛି ଦିନ, ସମୟ କାଢି ଆମେ ଖବର କାଗଜ ଲେଉଟାଇ ଥିଲେ। ତାପରେ ଧୀରେ ଧୀରେ ଖବର କାଗଜ ଆମ ମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ବିଫଳ ହେଇଥିଲା । ଏମିତି କିଛି ମାସ ଚାଲିଲା ଯେଉଁଠି, ଖବର କାଗଜ ତ ଆସୁଥିଲା, ମାତ୍ର ଖବର ଜାଣିବାର ଇଚ୍ଛା କି ସମୟ କାହା ପାଖରେ ନଥିଲା । ଇଚ୍ଛା ଆସିବ ବା କେଉଁଠୁ, ଏ ବ୍ୟସ୍ତ ବହୁଳ ଜୀବନରେ ନିଜର ଖବର ରଖିବାରେ ଅସମର୍ଥ ମଣିଷ, ଦେଶ ଓ ବିଦେଶ ର ଖବର ଜାଣି, କରିବ ବା କଣ ?
ସମୟର ଖେଳ ଦେଖ, ଯିଏ ଜିଦ୍ କରି ଖବର କାଗଜ ମଗାଇଥିଲା, ଆଜି ନାହିଁ ମୋ ପାଖେ ତାର ଖବର, କି ନାହିଁ ତା ପାଖେ ମୋ ଖବର । ଭବିଷ୍ୟତ ରେ ଯଦି କେବେ ଖବର କାଗଜ ମଗାଏ, ତେବେ ଆଶା କରେ , କାଳେ ମିଳିପାରେ, ପରସ୍ପର କୁ ପରସ୍ପର ର ଖବର ।

