STORYMIRROR

Sachidananda Kar

Tragedy

4  

Sachidananda Kar

Tragedy

କାହିଁକି ପଚାରିବି ତାକୁ କିଛି

କାହିଁକି ପଚାରିବି ତାକୁ କିଛି

2 mins
746

   ସବୁଦିନେ ସନ୍ଧ୍ୟାରେ ମନ୍ଦିରକୁ ଦୀପଟିଏ ଜଳାଇବାକୁ ସେ ଆସେ।ଅସୀମ ଭକ୍ତିର ସହିତ ଜଳାଏ।ଓ ତା' ପରେ ତା'ର କାନ୍ଦ ଆରମ୍ଭ ହୋଇଯାଏ।ଉଷୁମ ଲୁହ ସବୁ ତା' କଅଁଳ ଗାଲ ଉପରେ ବୋଝ ହେବାକୁ ଚାଲିଆସନ୍ତି। କେତେ କେତେ ଅନ୍ଧାର ରାତି ପରେ ଜହ୍ନରାତିଟିଏ ଆସେ।ସେହି ଜହ୍ନରାତିର ଆଲୁଅ ହୋଇ ସୁଖ ସବୁ ଆସନ୍ତି।ସ୍ପଷ୍ଟ ଶୁଭେ ସେମାନଙ୍କ ମିଠା ମିଠା ସ୍ବର।ମନ ପୁଲକିତ, ଆମୋଦିତ ହୁଏ।

   

          ଦିନେ ଠିକ୍ ସେମିତି ସମୟ ଆସିଥିଲା ତା' ଜୀବନରେ।ସୁଖର ଆଲୁଅ ଭରା ଜହ୍ନରାତିର ସ୍ପର୍ଶ ପାଇଥିଲା ସେ।ମହକିତ ହୋଇ ଉଠିଥିଲା ତା'ର ଜୀବନ। ହେଲେ ସମୟ ବଦଳିଯାଇଛି।ଏବେ ଉଜୁଡା ଜୀବନକୁ ଧରି ସେ ଘରେ ପଡିରହିଛି।ତା'ର ଅନ୍ୟଗତି ନାହିଁ। ସକାଳ ଆସୁଛି।ହେଲେ ସେଇ ସକାଳ ତାକୁ ନୂଆ ପରି ଲାଗୁନାହିଁ।ଫୁଲ ଫୁଟୁଛି ତା'ର ଅଗଣାରେ।ହେଲେ ସେଇ ଫୁଲ ତା'ର ଜୀବନକୁ ମହକରେ ଭରି ଦେଉନାହିଁ।ନାଆଁକୁ ଖାଲି ସେ ବଞ୍ଚିଛି ସିନା,ହେଲେ ବଞ୍ଚିରହିବା ତା' ପାଇଁ ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇପଡିଛି। 

ମଣିଷରୁ ଅମଣିଷ ହୋଇଛି ତା'ର ସ୍ବାମୀ

ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଆୟୁଷ କମେ।ମଣିଷପଣିଆ କମିବା କ୍ଵଚିତ ଦେଖାଯାଏ।ତା'ର ସ୍ବାମୀ କ୍ଷେତ୍ରରେ ତାହା କିନ୍ତୁ ଦେଖିବାକୁ ମିଳିଛି।ଅସତ୍ ଉପାୟରେ ରାତାରାତି ଗୁଡାଏ ପଇସା କମେଇ ପକେଇଛି ସେ।ସେହି ପଇସା ତାକୁ ଆହୁରି ଅସତ୍ ବାଟକୁ ନେଇଯାଇଛି।ଏବେ ସବୁ ରାତିରେ ତା'ର ମଦର ଆବଶ୍ୟକତା ପଡୁଛି।ନ ହେଲେ ନ ଚଳେ।  କ'ଣ କରିବ ସେ ବିଚାରୀ!ତା' ସମୟ ତାକୁ ଏବେ ଖୁବ୍ ଏକାନ୍ତ କରିଦେଇଛି।ଯାହା ଦିନେ ତା'ର ହାତପାଆନ୍ତାରେ ଥିଲା, ଏବେ ସେ ହାତ ବଢେଇଲେ ସେସବୁ ଯେମିତି ଘୁଞ୍ଚିଯାଉଛି।ସମୟକୁ ତ କେହି ବନ୍ଦୀ କରି ରଖି ପାରେନାହିଁ।ସେ ମଧ୍ୟ ପାରିନାହିଁ।ଏବେ ତା' ଜୀବନରେ ଭିନ୍ନ ଏକ ସମୟ ଆସି ପହଞ୍ଚିଛି। 


          ଜୀବନକୁ ବଦଳେଇବାକୁ ହେବ।ନିଜକୁ ମୁକ୍ତ କରିବାକୁ ହେବ।କହନ୍ତି ସ୍ବାମୀର ଜୀବନ ହିଁ ସ୍ତ୍ରୀର ଜୀବନ।ହେଲେ ସେ ନିଜକୁ ସେପରି କରି ପାରିନାହିଁ କି କରିପାରୁନି।ସ୍ବାମୀଙ୍କୁ ବଦଳେଇବାକୁ ତା'ର ସବୁ ପ୍ରଚେଷ୍ଟା ଶୂନ୍ୟରେ ମିଳେଇ ଯାଇଛି।ତା'ର ହାତ, ଗୋଡ ସବୁକୁ ବାନ୍ଧି ଦେଇ ତାକୁ କିଏ ଯେମିତି ଗୋଟିଏ ଜାଗାରେ ବସେଇ ଦେଇଛି।ସେ ପୂରାପୂରି ସ୍ଥାଣୁ ପାଲଟି ଯାଇଛି। ବେଳେବେଳେ ଏକା ଏକା ବସିଥିବାବେଳେ ସେ ତା'ର ଅତୀତ ଆଡ଼କୁ ଫେରୁଛି।ସ୍ମୃତି ଉପରେ ଦୃଷ୍ଟି ନିବଦ୍ଧ କରୁଛି।ସୁଗଭୀର ଚିନ୍ତା ଓ ଚେତନାରେ ଅତୀତର ପ୍ରତିଟି ମଧୁର ମୁହୂର୍ତ୍ତକୁ ଖୋଜୁଛି। ସେଦିନ ତାକୁ ଦେଖିଲି।ମନ୍ଦିରକୁ ଦୀପ ଜଳାଇବାକୁ ଆସିଥିଲା ସେ।ସମୟ ବାକି ଥିଲା, ହେଲେ ସେ କାନ୍ଦି ପକେଇଲା।ତାକୁ ପଚାରି ଦେବାକୁ ଇଚ୍ଛା ହେଲା କେମିତି ପ୍ରେମ ବଦଳରେ ଲୁହକୁ ସ୍ବୀକାର କରି ଜୀବନ ବଞ୍ଚୁଛି ସେ।ହେଲେ ପଚାରି ହେଲାନାହିଁ କାନ୍ଦର ତ କିଛି ମାନେ ନ ଥାଏ।କେଇ ସମୟ ପାଇଁ ଆଖି ଦୁଇଟି କେବଳ ଓଦା ହୁଏ।ଦେଖିଲି ଲୁହର ପୀଡାରେ ବେଶ୍ ଉଜ୍ଜ୍ୱଳ ଦିଶୁଥିଲା ତା'ର ମୁହଁ।ତେଣୁ ଭାବିଲି,ଜୀବନ ଜହରକୁ ଅମୃତ ମଣି ଯିଏ ନୀରବରେ ବଞ୍ଚୁଛି କାହିଁକି ପଚାରିବି ତାକୁ କିଛି ? କାହିଁକି ।



Rate this content
Log in

Similar oriya story from Tragedy