ଜଣେ ବାପାର ଦୁଃଖ
ଜଣେ ବାପାର ଦୁଃଖ
ସକାଳ।
କଅଁଳ ଖରାରେ ଝଲମଲ କରୁଥାଏ ପୃଥିବୀ।
କାହାର ଡାକ ଶୁଭିଲା ଏତିକିବେଳେ।
ଗାଁ କଲେଜରେ ପଢୁଥିବା ପୁଅ,ଗାଁ ନଈ ତୁଠରେ ହଳଦୀ ମାଖି ହେଉଥିବା ଝିଅ, ଗାଁ ଘାସ ପଡିଆରେ ଚରୁଥିବା ଛେଳି, ଗାଁ ଆମ୍ବତୋଟାର ଛାଇ ଚମକି ଚାହିଁଲେ।
କିଏ ? କିଏ ଡାକୁଛି ?
ସମସ୍ତଙ୍କ ମନରେ ଏଇ ପ୍ରଶ୍ନ।
ମୁଁ ସହର।ସହର ଡାକୁଛି।
ସହର ! କିଏ ଏଇ ସହର ! କେଉଁଠୁ ଆସିଲା !
ସମସ୍ତଙ୍କ ମନରେ ଅଜଣା ଭୟ।ଯିଏ ଯାହା ବାଟରେ ଲୁଚି ପଡିଲେ।
ଦିନ ଦ୍ବିପହର।
ଯିଏ ଯାହା କାମରେ ବ୍ୟସ୍ତ।
ହଠାତ୍ କାହାର ଡାକ ଶୁଭିଲା।
ମୁଣ୍ଡରେ ଓଢଣା ଦେଇ ଥିରିଥିରି ପାଦରେ ଯାଉଥିବା ଗାଁ ର ନୂଆବୋହୂ,ଗାଁ ଚଷାପୁଅର ପଖାଳ କଂସା, ଗାଁ ରେ ନିଜ ଜନ୍ମଦିନ ପାଳୁଥିବା କୁନିପୁଅ,ଗାଁ ଭାଗବତ ଟୁଙ୍ଗୀରେ ଭାଗବତ ପଢୁଥିବା ପଣ୍ଡିତ ଧନୁ ମିଶ୍ରେ ଚମକି ଚାହିଁଲେ।
କିଏ ? କିଏ ଡାକୁଛି ?
ସମସ୍ତଙ୍କ ମନରେ ଏଇ ପ୍ରଶ୍ନ।
ମୁଁ ସହର।ସହର ଡାକୁଛି।
ସହର ! କିଏ ଏଇ ସହର ! କେଉଁଠୁ ଆସିଲା !
ସମସ୍ତେ ଭାବିଲେ କିଏ ଗୋଟେ ବାୟା କି ପାଗଳା ହୋଇଥିବ।ତା' ପାଖକୁ କେହି ଆସିଲେନି।ଯିଏ ଯେଉଁଠି ଥିଲେ ସେଇଠି ନୀରବ ରହିଲେ।
ନିସ୍ତବ୍ଧ ରାତି।
&
nbsp; ଚାରିଆଡେ ଶୂନଶାନ୍।
କାହାର ଡାକ ଶୁଣି ନିଦ ଭାଙ୍ଗିଗଲା।
ଉଠି ବସିଲେ ଗାଁ ର ତଟକା ପରିବା କ୍ଷେତ,ଗାଁ ବଡ ପୋଖରୀର ମାଛ,କାଳିଗାଈର ଗଜରା କ୍ଷୀର ଓ ଟୁବି ଗଡିଆର କଇଁଫୁଲ।
କିଏ ? କିଏ ଡାକୁଛି ?
ସମସ୍ତଙ୍କ ମନରେ ଏଇ ପ୍ରଶ୍ନ।
ମୁଁ ସହର।ସହର ଡାକୁଛି।
ସହର ! କିଏ ଏଇ ସହର ! କେଉଁଠୁ ଆସିଲା !
ଭୂତ ଫୁତ ହୋଇଥିବ।ଏମିତି ଭାବିଲେ ସମସ୍ତେ।ଡରି ଚୁପଚାପ ଶୋଇ ପଡିଲେ।
ସହରର ରାସ୍ତା, ଆଲୁଅ, ସୁନ୍ଦର ସୁଉଚ୍ଚ ପ୍ରାସାଦ, ପ୍ରେକ୍ଷାଳୟ,ସହରୀ ବାବୁର ନୋଟ୍ ଭରା ପକେଟ୍,ଷୋଡଶୀ ତରୁଣୀଙ୍କ ନଗ୍ନ ବ୍ୟବସାୟ - ଏମାନେ ସମସ୍ତେ ସହର ସହିତ ଥିଲେ।ସମସ୍ତେ ମିଶି ଏକାବେଳକେ ଡାକ ପକାଇଲେ।
ଓଃ ! କି ଭୟଙ୍କର ସେମାନଙ୍କର ଡାକ !
ସେମାନେ ଖାଲି ଡାକିଲେ ଆଉ ଡାକିଲେ।
ଶାନ୍ତିରେ ରହି ପାରିଲାନି କି ଶୋଇ ପାରିଲାନି ଗାଁ।
ପରଦିନ ସକାଳକୁ ଦେଖିଲାବେଳକୁ ଗାଁ ସାରା ଫୁଟିଥିବା ଫୁଲମାନେ ମ୍ଳାନ ଦିଶୁଛନ୍ତି।ପ୍ରଜାପତିମାନେ ମରି ପଡିଛନ୍ତି।
ଖୁବ୍ ଚିନ୍ତାରେ ଦାଣ୍ଡ ପିଣ୍ଡାରେ ବସିଥିଲେ ଧନୁ ମିଶ୍ରେ।
ପିଲାଛୁଆ ଓ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ପୁଅ ତାଙ୍କ ପାଖରେ ପହଞ୍ଚିଲା।କହିଲା - ' ବାପା ! ଆମେ ସହରକୁ ଯାଉଛୁ।ଏଠି ସରସତା ନାହିଁ କି ଶାନ୍ତି ନାହିଁ। '
ବିଡମ୍ବନା !
ସେମାନଙ୍କୁ ଚାହିଁ ରହିଲେ ମିଶ୍ରେ।ସ୍ତବ୍ଧ ହେଲେ। ଭାରି ଦୁଃଖୀ ଦିଶିଲେ।
ସହରର ଡାକ।ଏଡାଇଯିବା କ'ଣ ଏତେ ସହଜ !
ସେଇଦିନଠୁଁ ଗାଁ ରେ ଧନୁ ମିଶ୍ରଙ୍କ ଆଶାର ନଈଟି ଶୁଖିଲା ପଡିଛି ଯେ ପଡିଛି।