ଜୀବନରେ ଜୀବନ : 08 -ଡକ୍ଟର କୃତ୍ତିବାସ ନାୟକ
ଜୀବନରେ ଜୀବନ : 08 -ଡକ୍ଟର କୃତ୍ତିବାସ ନାୟକ
ଭଲା କରୋନା ଆସିଲା ଯେ ପିଲାଙ୍କ ପାଠପଢାକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେଲା କହିଲେ ଚଳେ | ସରକାର ତ ଆଗ ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ ମନା କରିଦେଲେ | ଏହାରାରା ପିଲାଙ୍କର ଯେତିକି କ୍ଷତିହେଲା, ଶିକ୍ଷକମାନଙ୍କର ସେତିକି ପରିମାଣରେ ଲାଭ ହେଲା | ଏମିତି ତ ସ୍କୁଲ ଶିକ୍ଷକମାନଙ୍କର ଅନ୍ୟ ସରାକାରୀ ଚାକିରିଆମାନଙ୍କ ତୁଳନାରେ ଢେର ଅଧିକ ଛୁଟି ଥାଏ | କେହିଜଣେ ହିସାବ କରି ଥରେ ଫେସବୁକରେ ଛାଡିଥିଲେ- ଜଣେ ଶିକ୍ଷକଙ୍କ ପାଇଁ ମିଳୁଥିବା ସବୁ ପ୍ରକାର ଛୁଟିକୁ ମିଶାଇ କାଟିଦେଲେ, ବର୍ଷକୁ ମାତ୍ର ଶହେଦିନ ସ୍କୁଲକୁ ଯାଇଥା’ନ୍ତି | ସେଥିରେ ପୁଣି ସନ୍ତାନ ପାଳନ ଏବଂ ସନ୍ତାନ ଜନ୍ମ କରିବାର ଛୁଟି ଅଲଗା ରହିଛି | ଛାଡ଼ନ୍ତୁ ସେକଥା, ସମ୍ପ୍ରତି ଶିକ୍ଷାର ଗତି ଯେଭଳି ବଦଳି ଚାଲିଛି, ଘରୋଇ ବିଦ୍ୟାଳୟରେ ଯେଭଳି ଡିଜିଟାଲ ଶିକ୍ଷା କୌଶଳ ପ୍ରୟୋଗ କରି ପିଲାଙ୍କୁ ଆଧୁନିକ ପ୍ରଣାଳୀରେ ଶିକ୍ଷା ଦିଆଚାଲିଛି | ସେ ବିଷୟରେ ଆମର ଅଧିକାଂଶ ଶିକ୍ଷକ ସଂପୂର୍ଣ୍ଣ ଅଜ୍ଞ | ଏମିତିକି କେତେଜଣ ଟଚ ସ୍କ୍ରିନ ଥିବା ମୋବାଇଲ ଫୋନକୁ ମୋଟେ ବ୍ୟବହାର କରି ପାରନ୍ତି ନାହିଁ | କେତେକଙ୍କର ମୋଟେ ଫୋନ ହିଁ ନାହିଁ | ଏଭଳି ଅସମୟରେ ଆମ ସରକାର ସ୍ଥିର କଲେ ଯେ, ପିଲାମାନଙ୍କୁ ଘରେ ରଖି ଇ-ଶିକ୍ଷା ଦିଆଯିବ |
ସରକାରଙ୍କର ନୀତି-ନିୟମ ଲାଗୁହେବାରୁ ଶିକ୍ଷକମାନଙ୍କୁ ର-ଠ କରି ତାଲିମ ଦିଆଗଲା | ଫୋନ ମାଧ୍ୟମରେ ଶିକ୍ଷା ଦେବାର କୌଶଳ ବି ଶିଖାଇ ଦିଆଗଲା | କିନ୍ତୁ ଯେଉଁ ଠକ ଶିକ୍ଷକମାନେ ଅଛନ୍ତି, ସେମାନେ ପୂର୍ବ ପ୍ରସ୍ତୁତ ନୋଟବୁକରୁ କିଛି ପ୍ରଶ୍ନର ଫଟୋ ପିଲାଙ୍କ ପାଖକୁ ପଠାଇ ଦେଇ ବେଶ ମଜା ନେଲେ | ନାମକୁ ମାତ୍ର ପାଠପଢା ଚାଲିଲା | ଏଣେ କାହାର ଫୋନ ନାହିଁ ତ ଆଉ କେଉଁଠି ନେଟୱର୍କ କାମ କରୁନାହିଁ | ଗରିବ ଗ୍ରାମାଞ୍ଚଳର ପିଲାଙ୍କ ଅବସ୍ଥା ଆହୁରି ଖରାପ | ଟିଭିରୁ ଦେଖିବାକୁ ମିଳିଲା-କେତେକ ପିଲା ନେଟୱାର୍କ ପାଇବାକୁ ଗଛ ଉପରେ ବସି ମୋବାଇଲ ଫୋନ ଚଲାଇଲେ | ଦ୍ଵିତୀୟ ଶ୍ରେଣୀ ପିଲାଙ୍କୁ ବି ମୋବାଇଲ ଫୋନ ମାଧ୍ୟମରେ ଶିକ୍ଷା ଦେବାକୁ କୁହା ଯାଇଥିଲା | ସେମାନେ ତ ଏହି ସୁଯୋଗ ଅପେକ୍ଷାରେ ରହିଥିଲେ | ତାଙ୍କୁ କେତେଜଣ ସଚେତନ ଥିବା ବାପା-ମାଆ ଆଗରୁ ଫୋନ ଦେବାକୁ ମନା କରୁଥିଲେ | କେବେ କେମିତି ଲୁଚେଇ ଛପେଇ ଟିକେ ବାପା-ମାଆଙ୍କର ଫୋନରୁ କିଛି ଭିଡ଼ିଓ ଆଉ ମଜା କାର୍ଟୁନ ଦେଖି ପକାଉଥିଲେ | ଏବେ ତାଙ୍କ ଅକ୍ତିଆରକୁ ମୋବାଇଲ ଫୋନ ଆସିଗଲା | ସେମାନେ ପାଠପଢାଠାରୁ ଅଧିକରୁ ଅଧିକ ମଜା ମାରିଲେ | ବଡପିଲାଙ୍କ କଥା ତ ନିଆରା | ସେମାନେ ଏବେ ତ ଚାଲାକ ହେଇଗଲେଣି | ମୋବାଇଲର ସବୁ କଳା-କୌଶଳ ଆଗରୁ ଶିଖି ରହିଥିଲେ | କେବେ କେମିତି ସୁଯୋଗ ପାଇ ଟିକେ ଗେମ ଖେଳି ଦେଉଥିଲେ | କାର୍ଟୁନ ଫିଲ୍ମ ସହ ତାଙ୍କ ରୁଚିର ଭିଡ଼ିଓ ଦେଖି ଦେଉଥିଲେ | ଏବେ କିନ୍ତୁ ଆଉ ସେ ଲୁଚାଚାପା ଭୟନାହିଁ | ବାପା-ମାଆ ତ ବଳେବଳେ ପିଲାଙ୍କୁ ଡାକି ମୋବାଇଲ ଧରେଇ ଦେଉଛନ୍ତି |
ଏହି ମୋବାଇଲ୍କୁ ନେଇ ବାପା-ମାଆମାନଙ୍କ ମଧ୍ୟରେ ଆଗରୁ ତ କେତେ ପାଟି-ତୁଣ୍ଡ ଝଗଡ଼ା ହେଇ ସାରିଥିବ | ବାପା କହୁଥିବେ-“ଛୁଆଟାକୁ ତମେ ପୂରା ଖରାପ କରି ସାରିଲଣି | ମୁଁ ଦେଖୁଛି- ପିଲାଟା ସବୁବେଳେ ସେ ଫୋନଟାକୁ ଧରି ବସିରହୁଛି, ସେ ପାଠ ପଢିବ କେତେବେଳେ ? ତମେ ତାକୁ ଅଲଗା ସମୟରେ ଫୋନ ଦେଉଛ କାହିଁକି ? ତମରି ଦାୟିତ୍ୱହୀନତା ପାଇଁ ଅତି ଗେହ୍ଲାରେ ବଢୁଥିବା ସେହି ପୁଅ ମୂର୍ଖ ହେବ, ନ ହେଲେ ଶେଷରେ ମୋବାଇଲ ମେକାନିକଟିଏ ହେଇ ଏଇଠି ରିପାୟାର ଦୋକାନ ଖୋଲିବ | ମୁଁ କେତେଥର ତମକୁ କହିଲିଣି, ଛୋଟ ଛୁଆଙ୍କ ହାତରେ ମୋବାଇଲ ଫୋନ ଦେବନାହିଁ | ସେଦିନ ଖବରକାଗଜରେ କ’ଣ ବାହାରିଥିଲା, ତାକୁ ତମକୁ ନେଇ ଦେଖେଇଥିଲି ପରା | ବୈଜ୍ଞାନିକମାନେ ପରୀକ୍ଷା କରି ଜାଣି ପାରିଛନ୍ତି ଯେ, ମୋବାଇଲ ଫୋନରୁ ବାହାରୁ ଥିବା ରେଡ଼ିଓ ୱେବ ଛୋଟପିଲାଙ୍କ ମସ୍ତିଷ୍କକୁ ପ୍ରଭାବିତ କରିଥାଏ | ଏହାର ବହୁଳ ବ୍ୟବହାର ଶିଶୁମାନଙ୍କ ମସ୍ତିଷ୍କକୁ ଅଦିନରେ ବିକୃତ କରିଦେଇପାରେ | ତେଣୁ ପିଲାଙ୍କଠାରୁ ଯଥେଷ୍ଟ ଦୂରରେ ମୋବାଇଲ ଫୋନ ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ |”
ଇଟାର ଜବାବ ପଥରରେ ପାଇବା ପରି ବିଚରା ସ୍ଵାମୀଟି ଏହି କଥାରେ ଜବାବ ପତ୍ନୀଙ୍କଠାରୁ ଅତି ଭୟଙ୍କର ବାକ୍ୟରୁ ନିଶ୍ଚୟ ପାଇଥିବେ | ମୋର ଅନୁଭୂତିରୁ ଏତିକି ଜାଣିଛି-ପତ୍ନୀ କହିଥିବେ-“ମୋ ପାଇଁ ନୁହେଁ, ଛୁଆଟା ତମରି ପାଇଁ ବରବାଦ ହେବାକୁ ଯାଉଛି | ମୁଁ ମନା କରୁଥିଲି, ସେ ଟଚସ୍କ୍ରିନ ମୋବାଇଲ ମୋତେ ଘରକୁ ଆଣନା | ତାକୁ ତ ମୁଁ ଚଲେଇ ପାରିବି ନାହିଁ | ସେଇଟା ଆମର କ’ଣ ହେବ ? ପଡ଼ିଶା ଘର ପିଲାଙ୍କଠାରୁ ଆମ ପୁଅ ମୋବାଇଲ ଆଣି ସେଥିରୁ କ’ଣ ବୋଲି କ’ଣ ଖୋଲି ଦେଖି ପକାଉଛି | ସେଇ ମୋବାଇଲ ଫୋନ ପିଲାଙ୍କୁ ବାଇଆ କରି ସାରିଲାଣି | ପିଲାଟା ଯେତେବେଳେ ପଡ଼ିଶା ଘରକୁ ଯିବାକୁ ଜିଦ ଧରୁଛି-ସେଇ ମୋବାଇଲ ଗେମ ଖେଳିବାକୁ, ମୁଁ କ’ଣ କରିବି କୁହ ? ଘରେ ଆମର ଫୋନଟା ଥାଉଥାଉ ମୁଁ କ’ଣ ତାଙ୍କ ଘରକୁ ଛାଡ଼ିଦେଲେ ଭଲହେବ କି ? ପ୍ରଥମେ ପ୍ରଥମେ ସେ ପାଞ୍ଚ-ଦଶ ମିନିଟ ପାଇଁ ଫୋନ ମାଗୁଥିଲା, ଏବେ ତ ଘଣ୍ଟାଏ ଦୁଇଘଣ୍ଟା ପାଇଁ ସେ ଫୋନକୁ ଛାଡୁନାହିଁ | ଏଥିପାଇଁ ସେ କେତେ ମାଡ଼ ଖାଉଛି | ଏବେ ମୁଁ କ’ଣ କରିବି ତମେ କୁହ | ଏବେ ତମ ପାଖରେ ଫୋନକୁ ନେଇ ରଖ | ସିଏ ଯେତେବେଳେ ଅନଲାଇନରେ ପାଠ ପଢିବାକୁ ମାଗିବ, ତମେ ଦେଉଥିବ | ମୁଁ ଆଉ ସେ ମୋବାଇଲ ପଛରେ ପଡ଼ି ରହିପାରିବି ନାହିଁ କି, ତମ ଛୁଆକୁ ସମ୍ଭାଳି ରଖି ପାରିବି ନାହିଁ |”
ସତରେ କାରୋନା ଆତଙ୍କ ବିଶେଷ କରି ଦାୟିତ୍ଵ ସଂପନ୍ନ ସଚେତନ ଥିବା ମାଆମାନଙ୍କୁ କିଭଳି ଅଡୁଆ ପରିସ୍ଥିତିରେ ପକାଇଛି, ସେକଥା କହିଲେ ସରିବ ନାହିଁ | ପ୍ରତିଘରେ ଏହି ସମସ୍ୟା ଦିନକୁ ଦିନ ବଢି ଚାଲିଛି | ଏଇ ମୋବାଇଲ ଫୋନକୁ ନେଇ ଛୁଆମାନଙ୍କ ସହିତ ଘରେଘରେ ପ୍ରତିଦିନ ପାଟିତୁଣ୍ଡ, କନ୍ଦାକଟା, ମାଡ଼ଖିଆ ଚାଲିଛି | ଶିକ୍ଷକମାନେ ମଜା ମଉଜରେ ଘରେ ବସି ଅନଲାଇନରେ ପିଲାଙ୍କୁ କ’ଣ କେମିତି ପାଠ ପଢାଉଛନ୍ତି, ଆପଣ ବି ଟିକେ ଦେଖିନେବେ | ମୋ କଥାରେ କେତେ ସତ କେତେ ମିଛ ସହଜରେ ଜଣା ପଡ଼ିଯିବ |
