Sachidananda Kar

Tragedy

4  

Sachidananda Kar

Tragedy

ଝିଅର ଦଶ'ରା ଅଳି

ଝିଅର ଦଶ'ରା ଅଳି

2 mins
464



          ସେ ସୁନ୍ଦରୀ ନୁହେଁ କି ଅସୁନ୍ଦରୀ ନୁହଁ। 

          ଏକ ଅସମ୍ଭବ ସରଳତା , କୋମଳତା ଓ ପବିତ୍ରତା ସବୁବେଳେ ଝଲସୁଥାଏ ତା' ମୁହଁରେ। ତା'ର ଛୋଟ ଛୋଟ ବାକ୍ୟର କଥା ଭିତରେ ଥାଏ ଅନେକ ମିଠାପଣ। 


          ଦେହରେ ତା'ର ନ ଥାଏ ଦାମୀ ପୋଷାକ କି ଅଳଙ୍କାର।ଏମିତିକି ମଥାରେ କୁଙ୍କୁମର ଟୀକାଟେ ବି ନ ଥାଏ।ତା'ର ହାତେ ଲମ୍ବର ଚୁଟିଗୁଡିକ କଳା ମଚମଚ ହେଲେ କ'ଣ ହେଲା, ସେଗୁଡ଼ିକ ଠିକ୍ ଭାବରେ ସଜା ହୋଇ ନ ଥାଏ।କେବେଠାରୁ ସେଥିରେ ତେଲ ବାଜି ନ ଥାଏ କେଜାଣି! 


          ସେ କେବେ ଆକାଶରେ ଉଡେନି କି ସ୍ବପ୍ନ ଦେଖେନି।ଘରୁ ସ୍କଲ୍, ସ୍କୁଲରୁ ଘର - ଏଇ ଭିତରେ ଆବଦ୍ଧ ଥାଏ ତା'ର ଜୀବନ।ଫୁଲ କଢଟିଏ ପରି ବଞ୍ଚୁଥାଏ ସେ। 


          ଏମିତି ଘରେ ତା'ର ଜନ୍ମ ଯେଉଁଠି ଚୁଲି ପାଉଁଶର ଛାତିରେ ବି ଛାତିଏ ଯନ୍ତ୍ରଣା।ଭୋକ ଦରାଣ୍ଡୁଥାଏ ପେଟକୁ। 


          ଗାଆଁ ସ୍କୁଲରେ ପଢୁଥିଲା ସେ ଟିକି ଝିଅଟା ।ଅଷ୍ଟମ ଶ୍ରେଣୀରେ।ଆଗକୁ ଦଶ'ରା ଆସୁଥାଏ।ସାର୍ କହିଲେ - " ଆଜି ଦଶ'ରା ଛୁଟି ଦିଆଯିବ।ଦଶ ଦିନ ପାଇଁ ସ୍କୁଲ୍ ବନ୍ଦ ରହିବ। " 


          ସ୍କୁଲ୍ ଛୁଟି ହୋଇ ନ ଥାଏ।ସାଙ୍ଗମେଳରେ ଆଇସକ୍ରିମ ଖାଉ ଖାଉ ସେ ଟିକି ଝିଅଟା ଦଶ'ରା ସ୍ଵପ୍ନ ଦେଖିଲା।ଏବର୍ଷ ଦଶ'ରାକୁ ସାଙ୍ଗମାନଙ୍କର ନୂଆ ଡ୍ରେସ୍ ହେଉଛି।ତା'ର ବି ନୂଆ ଡ୍ରେସ୍ ହେବା ଦରକାର।ନୂଆ ଡ୍ରେସ୍ ପିନ୍ଧି ସେ ଏବର୍ଷ ଦଶ'ରା ପାଳିବ ଭାବିଲା। 


          ସ୍କୁଲ୍ ଛୁଟି ହେଲା।ଘରେ ପହଞ୍ଚିଲା ଟିକି ଝିଅଟା।ବାପା ପାଖରେ ଡ୍ରେସ୍ ପାଇଁ ଅଳି କଲା।ଦଶ'ରା ଅଳି।କହିଲା - " ବାପା!ମୋ ପାଇଁ ନୂଆ ଡ୍ରେସ୍ ଆଣିବ।ମୁଁ ଦଶ'ରାରେ ପିନ୍ଧିବି।ସାଙ୍ଗମାନଙ୍କ ସହିତ ବୁଲିବି।ଆମର ସ୍କୁଲରେ ଦଶ'ରା ଛୁଟି ହେଇଗଲା। " 


          ଅଭାବୀ ବାପାକୁ ସାତ ସାତଟା ପେଟର ଭୂଗୋଳ ବୁଝିବାକୁ ପଡେ।ଚାଷବାସ ଶୂନ।ମଜୁରୀ ଲାଗିଲେ ସଂସାର ନାବ ଚାଲେ।ଦିନସାରା ଭୋକିଲା ପେଟରେ ଅକ୍ଲାନ୍ତ ପରିଶ୍ରମ କରିବାକୁ ହୁଏ।ସଞ୍ଜକୁ ମିଳେ ପାଞ୍ଚ ଶହ।ସେଇଟା କିନ୍ତୁ ଧରାବନ୍ଧା ନୁହେଁ।ଦିନେ ଦିନେ କାମଧନ୍ଦା ନ ପାଇ ଘରେ ବେକାର ବସିବାକୁ ହୋଇଥାଏ। 


           ବି. ପି. ଏଲ୍. ତାଲିକାରେ ନାଁ ଚଢାଇବାକୁ ଚେଷ୍ଟା କରି ଅସଫଳ ହୋଇଛି ସେ।ତାଙ୍କୁ ଟଙ୍କିକିଆ ଚାଉଳ ମିଳୁନାହିଁ।ପ୍ରଧାନମନ୍ତ୍ରୀ ଆବାସ କି ବିଜୁ କୁଡିଆ ସାତ ସ୍ବପ୍ନ।ଯେଉଁ ଭିଟାମାଟିରେ ତା'ର ଘର ତାହା ସରକାରୀ ଜମି। 


           ଘର ପାଖ ସ୍କୁଲରେ ମାଗଣା ବହି, ପୋଷାକ ପାଇ ପାଠ ପଢୁଥିବା ଝିଅର ଦଶ'ରା ଅଳି ଶୁଣି ଚମକି ପଡ଼ିଲା ବାପା।କହିଲା - " ଏବେ ମୋ ପାଖରେ ପଇସା ନାହିଁ।ପରେ ତୋ' ପାଇଁ କିଣିଦେବି। " 


          ଟିକି ଝିଅଟା।ସିଏ କି ବୁଝେ ବାପାର ଅଭାବ, ଅନଟନ!ଗୋଟେ ବଡ ସ୍ବପ୍ନ ଦେଖି ପକାଇଥିଲା ସେ।ସ୍ବପ୍ନର ଶେଯରେ ଶୋଇ ଖିଲି ଖିଲି ହସୁଥିଲା।ଚୁନି ଚୁନି ତାରା ମେଳେ ହସି,ନାଚି,ଗୀତ ଗାଇ ବୁଲୁଥିଲା।ବାପାଙ୍କୁ ଜିଦି କରି କହିଲା - " ଯେମିତି ହେଲେ ମୋର ଏବର୍ଷ ଦଶ'ରା ପାଇଁ ଡ୍ରେସ୍ ଦରକାର। " 


           ଡ୍ରେସ୍ ସାତ ଶହ ଟଙ୍କା ପଡିବ,ବାପା ବୁଝିଲା।ହେଲେ ଟଙ୍କାଏ ଯେଉଁଠି ସାତ ସ୍ବପ୍ନ, ଏତେ ଟଙ୍କା ଆସିବ କୁଆଡୁ?ସେ ଚୁପ୍ ରହିଲା। 


           ନିରାଶରେ କେତେ କ'ଣ ଭାବି ଭାବି ଜୀବନକୁ ଜାଣିବା, ବୁଝିବା ଆଗରୁ ସେଦିନ ରାତିରେ ଜୀବନ ହାରିଦେଲା ଟିକି ଝିଅଟା।ଚାଳଘର ଶେଣିରେ ଚୂନି ବାନ୍ଧି ସେଥିରେ ଝୁଲିପଡିଲା। 


           ବେଳେବେଳେ ଏପରି ହୁଏ।ଘାସ ଉପରେ କାକର ମୁକ୍ତା ଚିକ୍ ଚିକ୍ କରିବା ପୂର୍ବରୁ ଚାଟିନିଏ ମୃତ୍ୟୁ।ମଝିନଈରେ ନ ପହଞ୍ଚୁଣୁ ବୁଡିଯାଏ ଡଙ୍ଗା।ଯୌବନର ଫୁଲ ଫୁଟିବା ଆଗରୁ ଅଦିନିଆ ମେଘ - ପବନ, କୁଆପଥର,ବଜ୍ରପାତରେ ଚାଲିଯାଏ ଜୀବନ। 


           ପରଦିନ ସକାଳେ ପୋଲିସ ଆସି ଦେଖିଲେ।ଟିକି ଝିଅଟିର ଶବଟିକୁ ବ୍ୟବଚ୍ଛେଦ ପାଇଁ ନିଆଗଲା। 


            ଶବ ବ୍ୟବଚ୍ଛେଦ ମାଗଣାରେ ହୁଏ।ହେଲେ ସେଦିନ ସେଥିପାଇଁ ବାପାକୁ ଦେବାକୁ ପଡିଲା ସାତ ଶହ ଟଙ୍କା। 


           - " ନେ'।ଲେଖିଦେଲି।ତୋ ଝିଅ କରୋନାରେ ମରିଛି ବୋଲି।ଏବେ ତୁ ପଚାଶ ହଜାର ପାଇଯିବୁ। " ତା' ହାତକୁ ରିପୋର୍ଟ ବଢାଉ ବଢାଉ ଡାକ୍ତର ବାବୁ କହିଲେ। 


           ଲୁହ ଛଳଛଳ ଆଖିରେ ରିପୋର୍ଟଟି ଡାକ୍ତର ବାବୁଙ୍କ ହାତରୁ ନେଇ ଧରିଲା ସେ।ପଚାରିଲା - " ମୋ ଟିକି ଝିଅଟାକୁ ପାଇଯିବି କି,ସାର୍? "

      

           ତା' ନିଜ ଅଜାଣତରେ ଝିଅର ଶବ ବ୍ୟବଚ୍ଛେଦର ରିପୋର୍ଟଟି ଭିଜୁଥିଲା ତା'ର ଆଖି ଲୁହରେ। 



Rate this content
Log in

Similar oriya story from Tragedy