ହୃଦୟରେ ଅନେକ ଶବ୍ଦ ଥିଲେ ମଧ୍ୟ ପ୍ରକାଶ ପାଏନି ପାଟିର ଶବ୍ଦରେ କଥାଟିଏ ହୋଇ. ଶବ୍ଦସବୁକୁ ଲେଖିବାକୁ ହେଲେ ପରବର୍ତ୍ତୀ ପିଢ଼ି ପାଇଁ ବାର୍ତ୍ତା ବା ଶିକ୍ଷଣୀୟ କିଛି ଉପମା ଅଳଙ୍କାର ନଥିଲେ ସେସବୁ ଶବ୍ଦମାନେ ପ୍ରକାଶିତ ହୋଇ କି ମୂଲ୍ୟ ତାଙ୍କର ବା ଅଛି କିନ୍ତୁ ଏଥର ଭାର ଆସିବା ପୂର୍ବରୁ ଶାଶୁ ଯେବେ କହିଲେ ରଜ ଭାରରେ ଭଲ ଖଜା ପଣସ ଓ ଦିକଡା ଶୁଖିଲା ନଡ଼ିଆ ଯେମିତି ଆସେ, କହିଦେବୁ ତୋ ବାପାଙ୍କୁ.କିଛି ନକହି ଚୁପ ରହିଲା ମୀରା. ଏଭିତରେ ମୀରା ଅନେକ ଦେଖିଲାଣି ଓ ଅନେକ ଶିଖିଲାଣି.ବାପାଙ୍କ ମାନ ସମ୍ମାନ ରଖିବାକୁ ଯାଇ ତାଙ୍କ ପସନ୍ଦର ଘର ଓ ବର ସ୍ୱୀକାର କରିନେଇ ମୀରା ଦେଖୁଥିଲେ ଶାଶୁଘରର ଚିତ୍ରପଟ. ବାର ମାସରେ ତେର ପର୍ବ ବୋଲି ଶୁଣି ଆସିଥିବା ମୀରା ଏଠି ତେତ୍ରିଶଶହ କୋଟି ପର୍ବ ସହିତ ସମୁଦୀ ଘର ଭାରକୁ ଚାହିଁଥାନ୍ତି ଶାଶୁ . କେଵେ ନଡ଼ିଆ ମାରା ପଡିଲେ ବାପା ଦୋଷୀ ତ କେଵେ ମୁଗ ବାସ୍ନା ଭଲନାହିଁ, କେଵେ ସପୁରୀ ଖଟା ତ କେଵେ ଆମ୍ବ ପାଣିଚିଆ ମିଠା ଭଳି ଶବ୍ଦ ସବୁକୁ ହଜମ କରି କରି ପ୍ରତ୍ୟୁତ୍ତରରେ କିଛି ଶବ୍ଦ ଝାଡ଼ି ଦେବାକୁ ଚାହିଁ ମଧ୍ୟ ନିରବୀ ଯାଆନ୍ତି ମୀରା କେବଳ ସ୍ୱାମୀଙ୍କ ମୁଁହଙ୍କୁ ଚାହିଁ. କିଛି ଶବ୍ଦ ଝଡିଗଲେ ସେ ସିନା ଶାନ୍ତି ପାଇବେ ହେଲେ ଅଶାନ୍ତିରେ ଶାଶୁଘରର କାନ୍ଥ ଭୁଶୁଡି କଥା ଦାଣ୍ଡକୁ ଯିବ ବୋଲି ମୀରା ଚୁପ ହୋଇଯାଏ.
ଏଥର ଯେବେ ଶାଶୁ ରଜ ପାଇଁ ଭଲ ଶୁଆ ପଖିଆ ପାଟ ଦେବାକୁ ବାପାଙ୍କୁ କହିବାକୁ କହୁଥିଲେ ମୀରା ଟିକେ ଆଶ୍ଚର୍ଯ୍ୟ ହୋଇ ଭାବିଲେ ଶାଶୁମାଆଙ୍କର ସେଇ ମୁଗ, କଦଳୀ ସପୁରୀ, ନଡ଼ିଆ, ପଣସ, ଆମ୍ବ ବିରୁଦ୍ଧରେ ସ୍ୱର ସହିତ ବରାଦ ଥାଏ ମିଠା ଆମ୍ବ, ରସୁଆଳ ଖଜା ପଣସ, ଶୁଖିଲା ନଡ଼ିଆ ଇତ୍ୟାଦି ଘରୋଇ ଉପକରଣ ସବୁ ଉପରେ. ଆଜି ହଠାତ ଶାଢ଼ୀ ପ୍ରସଙ୍ଗ ଉଠେଇ କହିଥିଲେ ମୁଁ ତୋ ପାଇଁ କହୁନି ମ. ତୋ ନଣନ୍ଦ ଆନିକୁ ଜଉତିଷ କହିଛି କାଳେ ରଜରେ ବାପା ଘରୁ ଆସିଥିବା ଶୁଆ ପଖିଆ ରଙ୍ଗ ଶାଢୀକୁ ପିନ୍ଧି ଓସ୍ତ ଗଛ ମୂଳେ ପୂଜା କଲେ ସବୁ ରିଷ୍ଟ କଟିଯିବ. ସେଇଥିପାଇଁ କହୁଥିଲି. ମୀରା ଏଥର କହିଲା ମାଆ ଆପଣ ଭଲକରି ଜାଣନ୍ତି ମୋ ବାପା ଏମିତି ଦରିଦ୍ର ଯେ ତାଙ୍କୁ ଭଲ ପଣସ, ଆମ୍ବ, କଦଳୀ, ସପୁରୀ ଇତ୍ୟାଦି କିଣି ଆସେନି ବା ମୁଲଚାଲ କରି ଖରାପ ଜିନିଷ ଆଣି ଭାର ଦେଇ ଆପଣଙ୍କ ହୃଦୟ ବିଦାରିବା ସହ ଆପଣ ବହୁନା ପକାନ୍ତି. ଏଣିକି ଆମେ ଆଉ ମୋ ବାପାଙ୍କ ସଙ୍ଗେ ସମ୍ପର୍କ ରଖିବା ନାହିଁ ବରଂ ଆମେ ଉଚିତ ମୂଲ୍ୟ ଦେଇ ଭଲ ଜିନିଷ କିଣି ନିଜେ ରଖି ଆମ ଝିଅ ଘରକୁ ପଠେଇବା ତା ଛଡା ଆନିଙ୍କର ବାପଘର ତ ଆମେ ନା ମୋ ବାପା ନୁଁହଁନ୍ତି. ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ ଆମେ ବରଂ ଏଣିକି ମୋ ବାପାଙ୍କ ସଙ୍ଗେ ସବୁ ସମ୍ପର୍କ କାଟି ଦେବା କାରଣ କୌଣସି ପର୍ବରେ ସେ ଭଲ ଜିନିଷ ଟିକେ ପଠେଇ ପାରୁନାହାଁନ୍ତି. ଶାଶୁମାଆଙ୍କ ହୃଦୟରୁ କିଛି ଶବ୍ଦ ଯଥା ତୋ ବାପା କଣ ଆନିର ବାପା ପରି ନୁହଁନ୍ତି, ତଣ୍ଟିରେ ଅଟକି ଶାଶୁ ଲଥ କରି ସୋଫା ଉପରେ ବସିପଡ଼ିଲା ବେଳକୁ ମୀରାଙ୍କ ସ୍ୱାମୀ କହୁଥିଲେ ଅନେକ ଦିନ ହେଲାଣି ମୋ ହୃଦୟର ଏହି କଥାଟିକୁ ତୁମେ ଆଜି ଶବ୍ଦ ସବୁରେ ପ୍ରକାଶ କରି ମତେ ଧନ୍ୟ କରିଦେଇଛ ମୀରା. ଚାଲ ଏବର୍ଷ ରଥଯାତ୍ରାରେ ଜଗନ୍ନାଥ ଦର୍ଶନ କରି ଫେରିଲା ବେଳେ ଆନି ପାଇଁ ଶୁଆ ପଖିଆ ପାଟ କିଣି ଆଣିବା. ମୀରା ଶାଶୁଙ୍କ ମୁଁହଁକୁ ସିଧା ଚାହିଁବାକୁ ଆଉ ଉଚିତ ମଣିନଥିଲା ସେଦିନ.