Kalyani Nanda

Tragedy

2  

Kalyani Nanda

Tragedy

ଝଡ ପରେ

ଝଡ ପରେ

2 mins
415


ଆଜି ସନ୍ଧ୍ଯାରୁ ପବନ ହେବା ଆରମ୍ଭ ହୋଇଗଲା । ସୁନୀତି ଦେବୀଙ୍କ ମନ ଆଜି ଭାରି ବ୍ଯସ୍ତ ଲାଗୁଥାଏ । ପୁଅ ଅଫିସରୁ ଆସି ମାଁ ପାଖରେ ବସି ପଡିଲା। କିଛି ସମୟ ପରେ ପୁଅ, ସଂଜୟ ତା ମାଁ କୁ କହିଲା , " ମାଁ ତୁ ଗାଁ ଜମି ଆମ ଦୁଇ ଭାଇ ଭିତରେ ଭାଗ ବଣ୍ଟା କରିଦେ। ତୁ ଥିବା ଭିତରେ ଏକ ସବୁ ହୋଇଗଲେ ଭଲ। ସଂଜୟ ର ସ୍ତ୍ରୀ ଶୋଇବା ଘରୁ ବାହାରି ଆସି ସଂଜୟ ସହ କଥାରେ କଥା ଲଗେଇ ଆରମ୍ଭ କଲା , " ହଁ ମାଁ ,ତୁମେ ଖାଲି ଜମି ଭାଗ ନୁହେଁ, ଗାଁ ରେ ଯେଉଁ ଦି ମହଲା ଘର ଅଛି , ତାକୁ ବି ବିକ୍ରି କରି ସେଇ ପଇସା ବି ଭାଗ ବଣ୍ଟା କରି ଦିଅ। ପଛକୁ ଯେମିତି ଏ ଭାଗ ବଣ୍ଟା ନେଇ କାମରେ ଝିଂଝଟ ନ ହୁଏ ।" ସୁନୀତି ଦେବୀ କିଛି ନ କହି ନିଜ ଶୋଇଲା ଘରକୁ ଚାଲିଗଲେ । ବାହାରେ ପବନ ର ବେଗ ଝଡ ର ରୂପ ଧାରଣ କରିବା ଆରମ୍ଭ କରି ଦେଇ ଥାଏ । ସ୍ବାମୀଙ୍କ ଯିବା ପରେ ସୁନୀତି ଦେବୀ ନିଜକୁ ବେଶ ଏକୁଟିଆ ମନେ କରୁଥାନ୍ତି । ପୁଅ, ବୋହୁ କେହି ତାଙ୍କ ମନ କଥା ବୁଝିବାକୁ ଚେଷ୍ଟା କରୁ ନ ଥାନ୍ତି । ସାନ ପୁଅ ତା ଚାକିରୀ ପାଇଁ ବାହାରେ ତାହାର ଛୁଆ ପିଲା ନେଇ ରହୁଥାଏ । ସେ ସଂଜୟ ପାଖରେ ବେଶି ସମୟ ରହୁଥାନ୍ତି । ଯେଉଁ ଦିନଠୁ ତାଙ୍କ ହାର୍ଟ ଆଟେକ୍ ବାହାରି ଥିଲା ସେ ପ୍ରଥମ ଷ୍ଟ୍ରୋକ ରୁ ବର୍ତ୍ତି ଯାଇଥିଲେ । ସେଇ ଦିନଠୁ ସଂଜୟ ଓ ବୋହୁ ତାଙ୍କୁ ଏଇ ଭାଗ ବଣ୍ଟା ନେଇ ଖିଚ୍ ଖିଚ୍ ଲଗେଇ ଥାନ୍ତି । ଯେଉଁ ଗାଁ , ଜମି , ଘର ତାଙ୍କ ସ୍ବାମୀଙ୍କ ର ଜୀବନ ଫୁଲ ପ୍ରିୟ ଥିଲା, ତାକୁ ଭାଗ କରିବାକୁ ସଂଜୟ କହୁଛି । ସ୍ବାମୀ ତାଙ୍କ ର ବଞ୍ଚିଥିବା ଯାଏ , ସେ ଜମି ଭାଗ କରିବା କଥା ସ୍ବପ୍ନରେ ସୁଦ୍ଧା ଭାବୁ ନ ଥିଲେ । ସୁନୀତି ଦେବୀଙ୍କ ଆଖିରେ ଲୁହ ଟଳମଳ କରୁଥାଏ । ଲୁହ ଯେମିତି ବାହାରକୁ ବୋହି ଯିବାକୁ ଅଧୀର ହେଉଥାଏ । କିନ୍ତୁ ସୁନୀତି ଦେବୀ ସବୁଥର ପରି ତାକୁ ବୋହିବାକୁ ଦେଉ ନ ଥାନ୍ତି । ସଂଜ ବେଳ ଟାରେ ଲୁହ ଗଡ଼ାଇ ଛୁଆଙ୍କ ର ଅମଙ୍ଗଳ ଚାହୁଁ ନ ଥାନ୍ତି । ଠିକ୍ ସେତିକି ବେଳେ ବୋହୁ ପୁଣି ପାଟିକରି କହି ବାକୁ ଲାଗିଲା, " ଏତେ ଦିନ ମୋ ଘରେ ରହିଲ,ସବୁ ଖର୍ଚ୍ଚ ତୁମ୍ଭର ପାଇଁ ଆମେ କରିଛୁ । ସାନ ତାଙ୍କ ତୁମକୁ ନେବା ପାଇଁ ଚାହୁଁ ନାହାନ୍ତି। ତେଣୁ ତୁମର ସବୁ ସୁନା ଗହଣା ତକ ମୋତେ ଦେବ । ମୋର ଦୁଇଟି ଝିଅ । ତାଙ୍କ ପାଇଁ ତୁମର ବି ତ କିଛି କର୍ତ୍ତବ୍ଯ ଅଛି । " ସୁନୀତି ଦେବୀ ଚୁପ୍ ହୋଇ ସବୁ ଶୁଣୁଥାନ୍ତି । ପୁଅ ବି ବୋହୁ ସହ ତାଳ ଦେଇ କହି ଚାଲିଥାଏ । କିନ୍ତୁ ମାଁ ଯେ ତାଙ୍କର ବହୁତ ବେଳରୁ ଚୁପ୍ ବସିଛି, ସିଆଡେ କାହାରି ଦୃଷ୍ଟି ନ ଥାଏ । ସଂଜୟ ମାଁ ପାଖକୁ ଯାଇ ଦେଖିଲା, ସୁନୀତି ଦେବୀ ଏକ ଲୟ ରେ ସ୍ବାମୀଙ୍କ ଫଟୋ କୁ ଖୁବ୍ କରୁଣ, ସ୍ଥିର ଦୃଷ୍ଟିରେ ଦେଖୁଥାନ୍ତି । ସଂଜୟ ଯାଇ ଖୁବ୍ ଜୋର ରେ ମାଁ କୁ ହଲାଇ ଦେଇ ପାଟି କରି କହିଲା " କଣ କିଛି କହୁନୁ ଯେ ? "ଏତିକି କଥା ନ ସରୁଣୁ ସୁନୀତି ଦେବୀଙ୍କ ଶରୀର ଗୋଟିଏ ପଟେ ଢଳି ପଡିଲା । ଆଖିରୁ ଧାରେ ଲୁହ ଗାଲ ଉପର ଦେଇ ବୋହି ଆସିଥାଏ । ବାହାରେ ଝଡ ବି ଶାନ୍ତ ହୋଇ ଯାଇ ଥାଏ । ସବୁଦିନ କିଛି ନୀରବ ଓ ଶାନ୍ତ ।




Rate this content
Log in

Similar oriya story from Tragedy