Dibyajyoti Mohanty

Inspirational

2  

Dibyajyoti Mohanty

Inspirational

ଜେଜେ ବାପା

ଜେଜେ ବାପା

3 mins
7.3K


ଜେଜେ ବାପା

ମୋର ହେତୁ ପାଇଲା ଦିନଠୁ ମୁଁ ଦେଖିଛି ଜେଜେ ବାପାଙ୍କୁ । ସତରେ ସେ ବଡ ଅଦ୍ଭୁତ ଲୋକ କେବେ କାହା ଉପରେ ରାଗନ୍ତିନି ସବୁବେଳେ ହସ ହସ ମୁହଁ ଆଜିକାଲିର ରାଜନୀତି ନ ଜାଣନ୍ତୁ ପଛେ ଯାଇ ବସିଯାଇଥିବେ ଗାଁର ମୁରବି ମାନଙ୍କ ଗହଣରେ । ସବୁବେଳେ ସମସ୍ତଙ୍କୁ କେତେ କଣ ଉପଦେଶ ଆଉ ଗାଁ ଦାଣ୍ଡରେ ତାସ୍ ଖେଳଠାରୁ ଆରମ୍ଭ କରି ତାଙ୍କ ଗପର ଆସର ସବୁ ବଡ ଅଦ୍ଭୁତ ବଡ ଆଶ୍ଚର୍ଯ୍ୟ । ମୁଁ ଯେବେ ପିଲାଟିଏ ହୋଇଥିଲି ଜେଜେବାପା ମୋତେ ତାଙ୍କ କାନ୍ଧରେ ବସାଇ ଗାଁ ବୁଲାଉଥିଲେ ଆଉ ସମସ୍ତଙ୍କୁ କହୁଥିଲେ, ଦେଖରେ ଏ ମୋ ନାତିଆ ଟୋକାକୁ । ଇଏ ଦିନେ ବଡ ଲୋକ ହେବ ଆଉ ମୋ ନାଁ ରଖିବ । ଜେଜେ ମୋ ସବୁ ଭାଇ ଭଉଣୀଙ୍କ ଅପେକ୍ଷା ମୋତେ ଅଧିକ ଭଲ ପାଉଥିଲେ । ମୋ ପାଇଁ ତାଙ୍କ ଭିତରେ ଥିବା ସ୍ନେହ ମମତା ତାଙ୍କର ପ୍ରତ୍ୟେକଟି କାର୍ଯ୍ୟରୁ ବାରି ହୋଇପଡୁଥିଲା । ଏଇ ଯେମିତି ହାଟରୁ ବରା ସିଙ୍ଗଡା ସମସ୍ତଙ୍କ ପାଇଁ ଆଣିଥିବେ ହେଲେ ମୋ ପାଇଁ ଅଧିକ ଦୁଇଟି ଆଣିଥିବେ ଆଉ ତାକୁ ନେଇ ଚାଳର କେଉଁ ସନ୍ଧିରେ ଗୁଂଜି ଦେଇଥିବେ । ସବୁ ଭାଇ ଭଉଣୀମାନଙ୍କ ନଜର ଆଢୁଆଳରେ ମୋତେ ଆଣି ଦେବେ ନେ ଖାଇ ଦେ ତୋ ପାଇଁ ଆଣିଥିଲି । ମୁଁ ବି ବଡ ଆନନ୍ଦରେ ଖାଇଦେଉଥିଲି କାରଣ ମତେ ତ ସମସ୍ତଙ୍କଠୁ ଦୁଇଟି ଅଧିକ ମିଳୁଥିଲା । କେହି ଜେଜେଙ୍କ ପାଖରେ ନ ଶୁଅନ୍ତୁ ପଛେ ମୁଁ କିନ୍ତୁ ପ୍ରାୟ ସବୁବେଳେ ଜେଜେଙ୍କ ପାଖରେ ଶୋଉଥିଲି । ତାଙ୍କର ସେ ହାତୀ,ବାଘ,ଭାଲୁ କିମ୍ବା ବୁଢୀ ଅସୁରଣୀ କଥା ନ ଶୁଣିଲେ ମୋତେ ନିଦ ଆସୁନଥିଲା । କିନ୍ତୁ ଆଜି ଘରକୁ ଗଲେ ଜେଜେଙ୍କ ମୁହଁରେ ସେ ହସ ଆଉ ଦେଖିବାକୁ ମିଳୁନି । ଜେଜେ ଆଗ ଅପେକ୍ଷା ବହୁତ ଋଗ୍ଣ
ହୋଇଗଲେଣି । ତାଙ୍କ କରୁଣ ଭରା ଚେହେରା ମୋ ଆଖିରେ ଲୁହ ଆଣିଦେଉଛି ମୁଁ ତାଙ୍କୁ କିଛି ବି କହିପାରୁନି । ପ୍ରକୃତରେ ଜେଜେଙ୍କ ମୁହଁର ହସ ସେଦିନ ଲିଭି ଯାଇଥିଲା ଯେଉଁଦିନ ବାପା, ଦାଦା, ବଡବାପାଙ୍କ ଭିତରେ ଜମି ବାଡିକୁ ନେଇ ଗଣ୍ଡଗୋଳ ଲାଗିଥିଲା ଆଉ ସମସ୍ତେ ଭିନ୍ନେ ହୋଇଯାଇଥିଲେ । ଏତେ ବଡ ହସ ଖୁସିର ପରିବାରଟା ଆଖି ପିଛୁଳାକେ ଭାଙ୍ଗି ଯିବାରୁ ଜେଜେ ବହୁତ ଭାଙ୍ଗି ପଡିଲେ । ଯେତେ ନିସାବ ବସାଇଲେ ତିନି ପୁଅଙ୍କୁ ଯେତେ ବୁଝାଇଲେ ବି ପୁଅମାନେ ଆଉ ଏକାଠି ହେଲେନି । ଏ ଦୁଃଖଠୁ ବଳିଯାଇଥିଲା ଯେଉଁଦିନ ଜେଜେ ମା’ ଙ୍କର ପାରାଲିସିସ୍ ହେବା ଖବର ସେ ଶୁଣିଥିଲେ । ହସ ଖୁସିରେ ବୁଡିରହୁଥିବା ପିଲାଳିଆମି ଭରା ଲୋକଟିର ଆଖିରେ ଲୁହର ଝରଣାକୁ ସେଦିନ ମୁଁ ଅତିନିକଟରୁ ଦେଖିଥିଲି । ସେ ଜେଜେ ମା’ ଙ୍କୁ ବହୁତ ଭଲ ପାଉଥିଲେ ତାଙ୍କ ଜୀବନଠୁ ଅଧିକ କାରଣ ସେ ଛୋଟ ବେଳଠୁ ବଡ ହେବା ପର୍ଯ୍ୟନ୍ତ ବାପା ମା’ ଙ୍କର ଗୋଟିଏ ବୋଲି ଗେଲବସର ପୁଅ ହୋଇଥିବାରୁ ବଡ ସ୍ନେହ ଶ୍ରଦ୍ଧାରେ
ବଢିଥିଲେ । ଜେଜେ ମା’ ବାହା ହୋଇ ଆସିବା ପରେ ତାଙ୍କୁ ପୂର୍ବ ପରି ସେମିତି ସବୁଦିନ ରହିବାକୁ ଦେଇଥିଲେ । ମୁଁ ଦେଖିଛି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜେଜେ ମା’ ବସିଯାଉଥିଲେ ପାନ ଡାଲାଟେ ଧରି ତାଙ୍କ ପାଖରେ ଜେଜେ ବସି କେତେ କଣ ଭିନ୍ନ ଭିନ୍ନ କଥାକୁ ନେଇ କଳି ଝଗଡା ଲଗାଉଥିଲେ । ଏହି ସବୁ ଦୃଶ୍ୟ ଆମ ଭାଇ ଭଉଣୀ ମାନଙ୍କୁ ବେଶ୍ ହସଖୁସିର ଖୋରାକ୍ ଯୋଗାଉଥିଲା । ଜେଜେ ବି ଜେଜେ ମା’ଙ୍କ ସହ କିଛି ସମୟ କଳି କଜିଆ ନକଲେ ସତେ ଯେପରି

ତାଙ୍କର ଭାତ ହଜମ ହେଉନଥିଲା । କିନ୍ତୁ ଜେଜେ ମା’ଙ୍କର ପାରାଲିସିସ୍ ହେବା ଖବର ଶୁଣିଛି ସେ ନିଶବ୍ଦ ହୋଇଯାଇଥିଲେ । କେବେ ଝିଅ ମାନଙ୍କୁ ହେଉ ଅବା ଆଉକାହାକୁ ଟଙ୍କାଟିଏ ବି ନଦେଇ ସାଇତି ରଖିଥିବା ୩ ରୁ ୪ ହଜାର ଟଙ୍କା ଆଣି ଦେଇ ଥିଲେ ବାପା ବଡବାପାଙ୍କୁ ଜେଜେ ମା’ଙ୍କ ଦେହ ଭଲ ହେବା ପାଇଁ । ତାଙ୍କର ସବୁ ଚେଷ୍ଟା ସତ୍ୱେ ଜେଜେ ମା’ ଆଉ ଭଲ ହେଲେନି । ବେଡ୍ରେ ଗୋଟିଏ ରୋଗୀଣା ମଣିଷଟେ ହୋଇ ସବୁଦିନ ପଡିରହିଲେ ସବୁଦିନ ପାଇଁ । ଜେଜେ ମା’ଙ୍କ ଦେହ ଖରାପ ହେବା ପରଠାରୁ ପିଉସୀମାନେ ବି ଆଉ ବେଶୀ ଘରକୁ ଆସୁନାହାନ୍ତି । ସେମାନେ ତାଙ୍କ କର୍ମମୟ ଜୀବନରେ ବ୍ୟସ୍ତ । ଏପଟେ ବାପା, ଦାଦା, ବଡବାପା ବି ନିଜ ନିଜ କାମରେ ବ୍ୟସ୍ତ ଆଉ ଆମେ ଭାଇ ଭଉଣୀମାନେ ସଭିଏଁ ବାହାରେ । ଏତେ ବଡ ଘରଟାରେ ଜେଜେ ଏକୁଟିଆ ହୋଇଯାଇଛନ୍ତି ସେଥିପାଇଁ ତାଙ୍କର ଏପରି ଅବସ୍ଥା ହୋଇଯାଇଛି ବୋଧେ । ସତରେ ସେଦିନ ସେହି ସରଳ ନିରୀହ ଛନ୍ଦ କପଟ ଜାଣି ନଥିବା ଲୋକଟି ଆଜି ଏତେ ଏକୁଟିଆ ହୋଇଯିବ ତାହା ମୁଁ କେବେ ବିଶ୍ୱାସ କରିନଥିଲି । ଆଜି ମୁଁ ଘରକୁ ଗଲେ ଭାବେ ଜେଜେ ମତେ ବିଡିରେ ନିଆଁ ଲଗାଇ ଆଣିବାକୁ କୁହନ୍ତେନି, ପାନ ଡାଲାରୁ ପାନ ଖଣ୍ଡେ ଆଣିବାକୁ କୁହନ୍ତେନି କିମ୍ବା ଦାଣ୍ଡ ପିଣ୍ଡାରେ ବସି ଗପ ଜମାଇଥିଲା ବେଳେ ପାଟିରୁ ପାନ ଛେପ ନିଗିଡି ପଡୁଥିବା ସେହି ଜେଜେଙ୍କୁ ଥରେ ମୁଁ ଦେଖନ୍ତିନି । ସେଦିନର ସେହି ମୋ ଅତି ଆପଣାର ଜେଜେଙ୍କୁ ପୁଣି ଆଗଭଳି ଦେଖିବାକୁ ବହୁତ ଇଚ୍ଛା ମୋର । କିନ୍ତୁ ନା ତାଙ୍କୁ ସମାଜ ପରିବାର, ପୁଅ ଝିଅ, ନାତି ନାତୁଣୀ, ଝିଅ ଜ୍ୱାଇଁ ସମସ୍ତେ ଯେପରି ନିଶବ୍ଦ କରିଦେଇଛନ୍ତି । ଏବେ ସେ ସବୁବେଳେ କେମିତି ଗୋଟେ ଚୁପ୍ ଚାପ୍ ବସୁଛନ୍ତି । ଏତେ ସବୁ ଭିତରେ ବି ମୁଁ ଘରକୁ ଗଲେ ସେ ମୋ ପାଇଁ କେଉଁଠୁ ମାଛ ଖଣ୍ଡେ ହେଉ ଅବା ଆଉ କିଛି ଲୁଚେଇ ରଖିବାକୁ ଭୁଲନ୍ତିନି । ସତରେ ଜେଜେ ତୁମକୁ ପରିବାର ସମାଜ ଯେତେ ଦୁଃଖ ଦେଲେ ବି ତୁମେ କେବେ ବି ବଦଳିବନି । ତୁମେ ମୋ ପାଇଁ ସେତେବେଳେ ଯେମିତିଥିଲ ଆଜି ବି ସେମିତି ହିଁ ଅଛ ।

ଦିବ୍ୟଜ୍ୟୋତି ମହାନ୍ତି

ମୋ -୭୩୭୭୫୧୦୨୫୪

Email-mikunmohanty63@gmail.com


Rate this content
Log in

Similar oriya story from Inspirational