Dibyajyoti Mohanty

Others Romance

2  

Dibyajyoti Mohanty

Others Romance

ଦେବୀ ମରିଯାଇଛି

ଦେବୀ ମରିଯାଇଛି

2 mins
7.6K


ଦୁର୍ଗା ପୂଜାକୁ ମାସେ ପାଖାପାଖି ଥାଏ । କେମିତି ପୂଜାର ଆୟୋଜନ ହେବ ? କେତେ ଟଙ୍କା ଖର୍ଚ୍ଚ ହେବ ? କେଉଁଠୁ ଆସିବ ? କିଏ ଦେବ ? ତାକୁ ନେଇ ସମସ୍ତେ ନିଜ ନିଜ ଭିତରେ ଆଲୋଚନା କରି ଖୁବ୍ ବ୍ୟସ୍ତ ବିବ୍ରତ ହୋଇପଡୁଥିଲେ । ଶେଷରେ ଛକ ମଝିରେ ଥିବା ସେ ବରଗଛ ମୂଳେ ସଭା ବସିଲା । ସଭାରେ ଆସି ଉପସ୍ଥିତ ହେଲେ ସହରର ନାମକରା ବିଧାୟକ, ଖୁବ୍ ପଇସା ବାଲା ଶିଳ୍ପପତି, କିଛି ସାମାଜିକ କର୍ମୀ, ବଡ ବଡ ସିନେ ତାରକା, ସହରର କ୍ଲବରେ ଯୋଗଦେଇଥିବା ଯୁବଗୋଷ୍ଠୀ ଆଉ କିଛି ମାନ୍ୟଗଣ୍ୟ ବ୍ୟକ୍ତି । ସଭା ଆରମ୍ଭ ହେଲା କିଛିଟା ଦାମୀ ବିସ୍କୁଟ ଓ ଥଣ୍ଡା ମୃଦୁ ପାନୀୟରୁ । ପ୍ରଥମେ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଗଲା । ବିଧାୟକ ବିସ୍କୁଟ ଖଣ୍ଡେ ଖାଇ କହିଲେ ମୁଁ ଏତେ ଟଙ୍କା ଦେବି, ଶିଳ୍ପପତି ବାବୁ ବି କମ୍ ନଥିଲେ ସେ ମଧ୍ୟ କହିଲେ ମୁଁ ବି ଏତିକି ଟଙ୍କା ଦେବି । ସିନେ ତାରକା କହିଲେ ଦର୍ଶକ ମାନଙ୍କ ମନରୋଞ୍ଜନ ଦାୟୀତ୍ୱ ଆମ ଉପରେ ଛାଡି ଦିଅ । ସମାଜିକ କର୍ମୀମାନେ କହିଲେ ପୂଜା ବିଷୟରେ ଲୋକ ମାନଙ୍କୁ ବୁଝାଇବା ଓ କାର୍ଡ ଦେବା ଦାୟୀତ୍ୱ ଆମର । ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ କହିଲା ମୁଁ ଏଇଟା କରିଦେବି ଆଉ କିଏ କହିଲା ମୁଁ ଏତେ ଟଙ୍କା ଦେଇଦେବି । ଶେଷରେ ପାଳି ପଡିଲା କ୍ଲବର ଯୁବ ଗୋଷ୍ଠୀମାନଙ୍କର ସେମାନେ କହିଲେ ଚାନ୍ଦା ଆଦାୟ କରିବା ଦାୟୀତ୍ୱଟା ଆମର । ଏହାପରେ ହିସାବ ହେଲା କେତେ ଟଙ୍କା ଖର୍ଚ୍ଚ ହେବ, କ’ଣ କ’ଣ ଆୟୋଜନ କରାଯିବ , କେଉଁ ମେଲୋଡି ପାର୍ଟି ଆସିବ ଏମିତି ଅନେକ କିଛି । ସଭା ସରିଆସୁଥାଏ ପାଖ ରାଜୁଆ ଦୋକାନରୁ ପୂଜା ସଙ୍ଘର ସଭାପତି ଅର୍ଡର ଦେଇଥାନ୍ତି ବିଧାୟକ ଓ ଶିଳ୍ପପତିଙ୍କ ସମେତ ସଭିଙ୍କ ପାଇଁ ଗରମା ଗରମ ଚା’ ଓ ପକୁଡି ପାଇଁ, ସେଇଟା ପୁଣି ବିନା ପଇସାରେ କାରଣ ସେ ଦୁର୍ଗା ମଣ୍ଡପ ପାଖେ ଦୋକାନ ଦେଇଛି । ଏହି ସମୟରେ କେଉଁଠି ଥିଲା ସେ ପାଗଳା ବୁଢାଟା ଚିତ୍କାର କରିଉଠିଲା । କାହିଁକି ଏତେ ପଇସା ଖର୍ଚ୍ଚ କରୁଛ ? କାହିଁକି ଦେବି ପୂଜା କରୁଛ ? ଦେବୀ ତ କେବେ ଠୁ ମରି ସାରିଛି ! ତା କଥା ଶୁଣିବା ପରେ ତା ଆଡକୁ କେହି କର୍ଣ୍ଣପାତ କଲେ ନାହିଁ । ମାତ୍ର ସେ ପାଗଳା ବୁଢା ଗର୍ଜନ କରୁଥାଏ । ହଁ ହଁ ସେ ଦେବୀ ମରିଯାଇଛି ଆଉ ତାକୁ ତୁମେମାନେ ହିଁ ମାରିଦେଇଛ । ତା ରଡି ଶୁଣି ବିଧାୟକଙ୍କ କଥାରେ କ୍ଲବର କିଛି ଯୁବକ ତାକୁ ଉଠାଇନେଇ ଦୂରକୁ ଚାଲିଗଲା ବେଳେ ବି ସେ ଗର୍ଜନ କରି କହୁଥିଲା ହଁ ସେ ଦେବୀ ମରିଯାଇଛି ଯେଉଁ ଦିନ ତୁମେମାନେ ଗୋଟିଏ ଛଅ ବର୍ଷର ଝିଅକୁ ଧର୍ଷଣ କଲ, ଯେଉଁ ଦିନ ତୁମେମାନେ ସିନେମାରେ ଅଭିନୟ କରାଇଦେବ ବୋଲି କହି କାଷ୍ଟିଂକାଉଚ୍ କଲ, ଯେଉଁ ଦିନ ତୁମେମାନେ ମଦ ପିଇ ଘରେ ଥିବା ସ୍ତ୍ରୀ ଉପରେ ପୁରୁଷ ପଣିଆ ଜାହିର କର, ଯେଉଁ ଦିନ ତୁମେମାନେ ଯୌତୁକ ଜୁଇରେ ନବବଧୂକୁ ଜାଳିଦେଲ, ଯେଉଁ ଦିନ ତୁମେମାନେ ଛକ ଉପରେ ବସି ଝିଅ ବୋହୂମାନଙ୍କୁ ଅଶ୍ଳୀଳ ଇଙ୍ଗୀତ କଲ, ଯେଉଁ ଦିନ ଅଫିସରେ କାମଟେ ଦେବା ନାଁରେ ତୁମେ ମାନେ ନିରିହ ଝିଅଟିର ଦେହର ଇଜ୍ଜତକୁ ଲୁଟିନେଲ, ଯେଉଁ ଦିନ ତୁମେମାନେ ଦେବୀ ପୂଜା କରିବା ନାଁରେ ପଇସା ଆଦାୟ କରି ତାରି ବେଢା ଭିତରେ ପିଇଲ ସେଇ ଦିନ ହିଁ ଦେବୀ ମରିଯାଇଛି । ତେବେ ଆଜି ପୁଣି କାହିଁ ଦେବୀ ପୂଜାର ଏ ମିଛ ଆୟୋଜନ । ସେ ମରିଗଲା ପରେ ଅବା କି ପ୍ରୟୋଜନ ଅଛି ଦେବୀ ପୂଜା କରିବାର...।

ଦିବ୍ୟଜ୍ୟୋତି ମହାନ୍ତି


Rate this content
Log in