Dibyajyoti Mohanty

Others

2  

Dibyajyoti Mohanty

Others

ଟିକସ

ଟିକସ

2 mins
7.1K


ତାକୁ ଦେଖି ଲୋକଙ୍କ ଭିତରେ ହଇଚଇ ଖେଳିଗଲା । କେଇ ମୁହୂର୍ତ୍ତରେ ଚାରିଦିଗକୁ ଖବର ବ୍ୟାପିଲା କି ତାଙ୍କ ରାଜ୍ୟକୁ କେହି ଜଣେ ଦୁର୍ବୁତ୍ତ ଧସେଇ ପଶି ଆସ୍ଥାନ ଜମାଇବାକୁ ବସିଛି । ରାଜାଙ୍କ କାନକୁ ମଧ୍ୟ ଏ ସମ୍ବାଦ ଗଲା।ରାଜା ତକ୍ଷଣାତ୍ ସଭା ଡକାଇଇଲେ ଏବଂ ଦୂତ ପଠାଇ ତାକୁ ଉଠାଇ ଆଣିବାକୁ ଆଦେଶ ଦେଲେ । ପହଂଚିଲେ ତା ପାଖରେ ଦୁଇ ଜଣ ରାଜଦୂତ । ସେ କିଛି ବୁଝିବା ଆଗରୁ ତାକୁ ଉଠାଇନେଲେ ରାଜ ଦରବାରକୁ । ରାଜସଭା ଚାଲିଥିଲା ଜଣେ ଲୋକ ଗୋଟେ ଉଚ୍ଚ ସ୍ଥାନରେ ବସିଥିଲା । ତାକୁ କୁହାଗଲା ତାଙ୍କୁ ପ୍ରଣିପାତ ହେବାପାଇଁ । ସେ ମଧ୍ୟ ସେମାନଙ୍କ କଥା ମାନି ରାଜାଙ୍କୁ ବିନମ୍ର ସହକାରେ ପ୍ରଣିପାତ ହେଲା । ତଳେ ବସିଥିବା ଜଣେ ଲୋକ, ହୁଏତ ମନ୍ତ୍ରୀ ତାକୁ ପ୍ରଶ୍ନ କଲେ କୁହ ତୁମେ କେଉଁଠୁ ଆସିଛ ତୁମ ଉଦ୍ଦେଶ୍ୟ କ’ଣ ? ତୁମେ ଆଉ ପଡୋଶୀ ରାଜ୍ୟରୁ ଆସିନ ତ ଆମ ରାଜ୍ୟକୁ ଅଧିକାର କରିବା ପାଇଁ । ତା ଛାତିର ଭୟ ଲୁହ ବନ୍ୟା ହୋଇ ଆଖିବାଟେ ବହିବାକୁ ଲାଗିଥାଏ । ସେ ଡରି ଡରି କହିଲା ନାହିଁ ପ୍ରଭୁ ମୁଁ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଏଠାକୁ ଆସିନାହିଁ । ମୁଁ ତ ଛାର ଗୋଟେ ଛୋଟ ବାଳକଟିଏ । ମୁଁ ଅବା କି ମନ୍ଦ ଉଦ୍ଦେଶ୍ୟ ରଖିପାରେ ।

ଛୋଟବେଳୁ ବାପା ମାଆ ଚାଲିଗଲା ପରେ ଏ ଦୁନିଆରେ ନିଜର ବୋଲି କେହି ନାହାନ୍ତି । ଦୁନିଆ ପାଖରେ ମୁଠାଏ ଖାଇବା ପାଇଁ କେତେ ହାତ ପତାଇଲି, କେତେ ନେହୁରା ହେଲି ମାତ୍ର ଖାଇବାକୁ ମୁଠାଏ ଦେବା ତ ଦୂରର କଥା କେହି ଆହା ପଦେ ମଧ୍ୟ କହିଲେନାହିଁ । ତାପରେ ଭାବିଲି ବୋଉ କହୁଥିଲା ଯାହାର କେହି ନାହିଁ ତାର ଭଗବାନ୍ ଅଛନ୍ତି ସେଥିପାଇଁ ଏଠାକୁ ଚାଲିଆସିଲି । ଏହା ପୂର୍ବରୁ ଆପଣଙ୍କ ପଡୋଶୀ ରାଜ୍ୟକୁ ଯାଇଥିଲି ସେମାନେ ମୋତେ ମାଡ ମାରି ସେଠାରୁ ତଡିଦେଲେ । ତା’ଠୁ ସମସ୍ତ ଘଟଣା ଶୁଣିବା ପରେ ଉଚ୍ଚ ସ୍ଥାନରେ ବସିଥିବା ଲୋକ ଜଣଙ୍କ ଅର୍ଥାତ୍ ରାଜା କହିଲେ ଆମେ ତୁମକୁ ଆମ ରାଜ୍ୟରେ ସ୍ଥାନ ଦେବୁ ଯେ କିନ୍ତୁ ଗୋଟେ ସର୍ତ୍ତରେ । ବୁଡିଯାଉଥିବା ଲୋକର କୁଟାଖିଅଟେ ବି ଭରସା ସେଥିପାଇଁ ସେ ସଙ୍ଗେ ସଙ୍ଗେ କହିଲା ମୁଁ ସବୁ ସର୍ତ୍ତ ମାନିବାକୁ ରାଜି କୁହନ୍ତୁ ସର୍ତ୍ତ କଣ । ତା ପରେ ମନ୍ତ୍ରୀ କହିଲେ ଆମ ରାଜ୍ୟର ଗୋଟିଏ ନିୟମ ଅଛି ତୁମକୁ ତୁମ ରୋଜଗାରର କିଛି ଭାଗ ରାଜାଙ୍କୁ ଟିକସ ଆକାରରେ ଦେବାକୁ ହେବ । ତକ୍ଷଣାତ୍ ସେ ରାଜି ହୋଇଗଲା ସେମାନଙ୍କ କଥାରେ । ଏହାପରେ ତାକୁ ସେ ରାଜ୍ୟରେ ମିଳିଥିଲା ଖଣ୍ଡିଏ ଜାଗା । ଯେଉଁଠି ନିତି ସେ ବସିଥାଏ ହାତରେ ଗୋଟେ ରସଥାଳି ଧରି ପେଟର ଭୋକ ମେଣ୍ଟାଇବା ପାଇଁ ରୋଜଗାର କରିବାକୁ ଏବଂ ରୋଜଗାରର କିଛି ଅଂଶ ଟିକସ ଦେବାକୁ...।

                 

ଦିବ୍ୟଜ୍ୟୋତି ମହାନ୍ତି

ph.no-7377510254

Email-mikunmohanty63@gmail.com


Rate this content
Log in