STORYMIRROR

Sāi Durgāprasād

Abstract Fantasy

4  

Sāi Durgāprasād

Abstract Fantasy

ଜାଡ଼-ତାତି

ଜାଡ଼-ତାତି

3 mins
431

ଭଦରୁ ମା' ମୋତେ ଛିଗୁଲେଇ କହୁଥିଲା ଯେ ଏଥର ଜାଡ଼ରେ ହାଡ଼ ଭଙ୍ଗା ଶୀତ ହେବ। ଗଲାବର୍ଷ ସରକାର ତରଫରୁ ଦୁଇ ଦୁଇଟା କମ୍ବଳ ତା' ଗେରସ୍ତକୁ ମିଳିଯାଇଛି ବୋଲି ବହୁତ ଫୁଟାଣି! ଆମକୁ ମିଳିଥିବା କମ୍ବଳଟାକୁ ତୁମେ ଯଦି ଦାନୀ ହରିଶ୍ଚନ୍ଦ୍ର ନ ହେଇକି ତୁମ ଭଉଣୀକୁ ଦାନ କରିନଥାନ୍ତ ତେବେ ମୋତେ ଆଉ ଚିନ୍ତା ଖାଉ ନଥାନ୍ତା। ତୁମ ହାତ ଦୁଇଟା ଗଲାପରେ ତୁମେ ତ ପୁରା ଜଡ଼ ହେଇ ଘରେ ପଡି ରହୁଛ... ମୁଁ ସ୍ତ୍ରୀ ଲୋକଟା କେତେ କୋଉଆଡୁ ହେବି ଯେ। ଭଦରୁ ମା ଡାକିକି ଇଟା ଭାଟି କାମରେ ଲଗେଇଦେଲା ବୋଲି ଆଜି ବଞ୍ଚିଛେ। ହେଲେ ଏଥର ଜାଡ଼ରେ ଶୀତ ଯେମିତି ହେବ ନା ମୋତେ ଭାରି ଡର ଲାଗୁଛି। ତୁମର ପୁଣି ପୁରୁଣା ଥଣ୍ଡା କାଶ ବେମାର ଅଛି। ଦେହକୁ ଥରେ ଲାଗିଗଲେ, ଛାଡିବାର ଆଉ ନା ଧରିବ ନାହିଁ। ଛୁଆ ଯୋଡ଼ାଙ୍କର ବି ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଛି ଲୁଗାପଟା ନାହିଁ।


କାମରୁ ଫେରି ସନିଆର ସ୍ତ୍ରୀ ତୁଳସୀ ଏମିତି ଏପଟ ସେପଟ କଥା ସନିଆକୁ ଅନବରତ ଭାବେ କହି ଚାଲିଥାଏ। ସନିଆର ପରିବାର କହିଲେ ସ୍ତ୍ରୀ ତୁଳସୀ ଆଉ ଦୁଇ ଝିଅ। ବଡ଼ ଝିଅକୁ ପାଞ୍ଚ ପୁରି କି ଛ' ଚାଲିଲା ଆଉ ସାନ ଝିଅକୁ ତିନି ବର୍ଷ ହେବ। ଘର ପାଖ କାଠ ମିଲ୍ ରେ କାମ କରୁଥିଲା ସନିଆ। ଏମିତି ଦିନେ କାମ କରୁଥିବା ସମୟରେ ଦୁର୍ଘଟଣାରେ ତା ଦୁଇ ହାତ କଟି ଯାଇଥିଲା। ସେବେଠୁଁ ବିଚରା କିଂକର୍ତ୍ତବ୍ୟମୁଢ ହେଇ ଘରେ ପଡି ରହିଛି। ଘରେ ସେ ଏକୁଟିଆ ରୋଜଗାର କରୁଥିଲା.. ଦଇବ ଯୋଗକୁ ଏମିତି ବିଷମ ପରିସ୍ଥିତି ଆସି ପହଞ୍ଚିଲା। ବହୁତ ଦୁଃଖରେ ଦିନ କଟୁଥିଲା ତା ପରେ। ହେଲେ ଏଇ କିଛି ଦିନ ହେବ ପଡିଶା ଘର ଭଦରୁ ମା' ସହିତ ଇଟା ଭାଟିକୁ କାମ କରିବାକୁ ତା ସ୍ତ୍ରୀ ଯାଉଛି। ତୁଳସୀର ଶୀତକୁ ବହୁତ ଡର। ଏଇ ଶୀତର ପ୍ରକୋପ ରେ ତା ଆଖି ଆଗରେ ତା ବାପା ଆଖି ବୁଜି ଦେଇଥିଲା... ଟାଣ ଖରାକୁ ସେ ମୋଟେ ଖାତିର କରେନି ହେଲେ ଶୀତ ନା ଶୁଣିଲେ ତା ଛାତିରେ ଛନକା ପଶିଯାଏ। ଏବେ ଇଟା ଭାଟିରେ କାମ କଲାବେଳେ ନିତି ଶୁଣୁଛି ଯେ ଏଥର ଜାଡ଼ରେ ପ୍ରବଳ ଶୀତ ହେବ... ସେବେଠୁ ତା ମନ ଅଥୟ। ମନେମନେ ଭଗବାନକୁ ନେହୁରା ହେଉଥାଏ ସେ ଶୀତ ନ ହେଉ ବୋଲି। ଏମିତି କିଛି ଦିନ ଚାଲିଲା ପରେ... ସତକୁ ସତ ଭୟଙ୍କର ଶୀତ ବାଘ ଭଳିଆ ମାଡି ଆସିଲା। ଶୀତରେ ସନିଆର ଦେହ ଖରାପ ହେବାରେ ଲାଗିଲା... ସାହି ପଡିଶାଙ୍କୁ ନେହୁରା ହେଲା ପୁରୁଣା କମ୍ବଳଟେ ପାଇଁ ତୁଳସୀ... ହେଲେ କେହି ଶୁଣିଲେ ନାହିଁ। ହଠାତ୍ ଦିନେ ଖବର ପାଇଲା ଯେ ଆଉ ଦି ଦିନ ପରେ ଗାଁରେ କମ୍ବଳ ବଣ୍ଟାହେବ। ତୁଳସୀର ଖୁସି କହିଲେ ନ ସରେ। କେମିତି ଦି' ରାତି ପାହିବ ସେ କଥା ଭାବୁଥାଏ ସେ। ସେ ଦିନ ଆସିଲା... ଗାଁ ପଞ୍ଚାୟତରେ କମ୍ବଳ ପାଇଁ ଲୋକଙ୍କ ଲମ୍ବା ଧାଡି ଲାଗିଥାଏ। ପୁରୁଷଙ୍କ ଠେଲାପେଲା ଧାଡ଼ିରେ ତୁଳସୀ ଭାଗ୍ୟକୁ ଆଦରି ଠିଆ ହେଇ ଥାଏ। ହଠାତ୍ ସେ କମ୍ବଳ ବଣ୍ଟା ଦାୟିତ୍ୱରେ ଜଣେ ବାବୁଙ୍କ ପାଟିରୁ ଶୁଣିବାକୁ ପାଇଲା ଯେ ଗଲାବର୍ଷ ଯେଉଁମାନେ ପାଇଛନ୍ତି ତାଙ୍କୁ ଏ ବର୍ଷ ଆଉ ମିଳିବ ନାହିଁ। ଦୁଃଖରେ ଭାଙ୍ଗି ପଡ଼ିଲା ତୁଳସୀ। ଧାଡି ଭାଙ୍ଗି ସିଧା ଆସି ସେ ବାବୁଙ୍କ ଗୋଡ଼ ତଳେ ପଡିଗଲା। ବହୁତ ବିକଳ ହେଲା କମ୍ବଳଟିଏ ପାଇଁ। ଶେଷରେ ବାବୁ ଜଣଙ୍କ ତାକୁ ଅପେକ୍ଷା କରିବାକୁ କହିଲେ। ତୁଳସୀ ବସି ରହିଲା ସେଠାରେ ଆଉ ଚାହିଁ ରହିଲା ଧାଡ଼ିର ଶେଷ ହେବାକୁ। ସଂଧ୍ୟା ହେଲା...ଧାଡି ବି ସରିଲା ଆଉ ତା ସାଙ୍ଗକୁ କମ୍ବଳ ବି। ତୁଳସୀର ମନ ବ୍ୟାକୁଳ ହେଲା। ତା ବ୍ୟାକୁଳତା ଦେଖି ବାବୁ ଜଣଙ୍କ ତା କାନ୍ଧରେ ହାତ ରଖି ତାକୁ ଆଶ୍ୱାସନା ଦେଇ ପାଖରେ ଥିବା ନିଜ ସରକାରୀ କ୍ୱାଟର୍ କୁ ନେଇ ଗଲେ କମ୍ବଳ ଟିଏ ଦେବାକୁ। ଶୀତ ଦିନ ବୋଲି ଚାରିଆଡ଼ ଅନ୍ଧାରିଆ ଆଉ ଶୁନଶାନ। ତୁଳସୀକୁ ଘର ଭିତରକୁ ଡାକି ବାବୁ ଜଣକ ତା' ପାଇଁ ନୂଆ କମ୍ବଳଟିଏ ଆଣିଦେଲେ। କମ୍ବଳକୁ ଧରି ଖୁସିରେ ତୁଳସୀ ବାବୁ ଜଣଙ୍କର ପାଦତଳେ ପଡିଗଲା। ହେଲେ ବାବୁ ଜଣକ ତା ହାତରୁ ହଠାତ୍ କମ୍ବଳଟି ଛଡେଇ ନେଇ ଗଲେ ଓ କମ୍ବଳ ପରିବର୍ତ୍ତେ ନିଜର କାମନାକୁ ଚରିତାର୍ଥ କରିବାକୁ ଚାହିଁଲେ। ତୁଳସୀର ପାଦ ତଳୁ ମାଟି ଖସି ଯାଇଥିଲା... ବହୁତ କାକୁତି ମିନତୀ ହେବା ସ୍ଵତ୍ତେ ବାବୁ ଜଣକ ରାଜି ହୋଇ ନଥିଲେ। ଶେଷରେ ତିନୋଟି ଜୀବନକୁ ଆଖି ଆଗରେ ରଖି ହାଡ଼ ଭଙ୍ଗା ଶୀତଟାରେ ସମ୍ପୁର୍ଣ୍ଣ ନିବସ୍ତ୍ର ହେବାକୁ ପଡ଼ିଥିଲା ତାକୁ। ରାତିରେ କମ୍ବଳ ଧରି ଘରକୁ ଫେରିବା ପରେ ଅତି ଯତନରେ ସନିଆ ଆଉ ଛୁଆ ଦୁଇଙ୍କୁ ଘୋଡାଇ ଗାଧେଇବାକୁ ଚାଲିଯାଇଥିଲା। ଗାଧେଇ ସାରି ଥରି ଥରି ଫେଇବାବେଳକୁ ଦେଖେତ ସନିଆର ନିଦ ଭାଙ୍ଗି ଯାଇଛି ଆଉ ସେ ତାକୁ ଆଶ୍ଚର୍ଯ୍ୟ ହେଇ ଅନେଇଛି। ସେ ତାକୁ କିଛି ପଚାରିବା ପୂର୍ବରୁ ତୁଳସୀ କହିଦେଇଥିଲା, ଭାଟିରେ କାମ କରି କରି ଦେହଟା ପୁରା ନିଆଁ ହେଇ ଯାଇଥିଲା, ନ ଗାଧେଇଥିଲେ ମରିଯାଇଥାନ୍ତା ସେ। ଏ କଥା କହିଲା ବେଳକୁ ତୁଳସୀ ଆଖିରୁ ବାହାରି ପଡୁଥିବା ଲୁହ ଧାର ତା ଓଦା ମୁହଁରେ ଲୁଚି ଯାଉଥିଲା।


Rate this content
Log in

Similar oriya story from Abstract