STORYMIRROR

Chinmayee Barik

Inspirational

2  

Chinmayee Barik

Inspirational

ଇଶ୍ୱରଙ୍କ ସହ ପଦେ

ଇଶ୍ୱରଙ୍କ ସହ ପଦେ

2 mins
14.7K


ସକାଳୁ ଚା କପ୍ ଟେ ସେମିତି ଥୋଇଛି ।ଆସି ରାତି ହେଲା । ଇଶ୍ୱରଙ୍କର ଦେଖା ନାହିଁ । ନୂଆ ବର୍ଷରେ ଈଶ୍ୱର ବି ମସଗୁଲ୍ ।ରାତି ଅଧରେ କାହାର ପାଦ ଶବ୍ଦ ।ଜାଣିନେଲି ସେ ମୋ ଇଶ୍ୱର । (ମୋ ଇଶ୍ୱରଙ୍କୁ ମୁଁ କେବଳ ମୋର କୁହେ ,ଆଉ କାହା ଇଶ୍ୱର ଙ୍କୁ ନୁହେଁ) ।

କହିଲି ଚା କପ୍ ଟା ଥଣ୍ଡା ହୋଇଗଲାଣି.....

-ହଁ,କଣ ହେଇଗଲା ସେଇଠୁ? ଚା ରେ ଏମିତି ଆଉ କଣ ଅଛି କି?ଈଶ୍ୱରଙ୍କ ଜବାବ୍ ଥିଲା ।

-ନା,ସେମିତି କିଛି ବିଶେଷ ନାହିଁ କିନ୍ତୁ ଏଥିରେ ମୋ ପ୍ରେମ ଠୋପାଏ ପଡିଥିଲା ।

-ପ୍ରେମ? ଯା...ତୋତେ ମୁଁ ଭଲ ପାଏନି । ତୋ ପାଖରେ ଏମିତି କଣ ଅଛି ଯେ ପ୍ରେମ କରିବାକୁ?

-ତୁମକୁ ଏମିତି କଣ ଦରକାର ଯେ ଇଶ୍ୱର ...କୁହ?ମୋ ପାଖରେ ଯଦି ନ ଥିବ ମୁଁ କିଣି ଆଣିବି ।

-(ଈଶ୍ୱର ବିଚଳିତ ଦେଖା ଦେଲେ । କାରଣ ତାଙ୍କ ପାଖରେ ଏମିତି କଣ ନାହିଁ ଯେ ସେ ମୋ ଠାରୁ ମାଗିବେ?ସେ କିନ୍ତୁ ଖୁବ୍ ଚାଲାକ୍। କହିଲେ...)

ସମସ୍ତଙ୍କ ଲେଖାରେ ମୁଁ କେଉଁଠି ନା କେଉଁଠି ଅଛି କିନ୍ତୁ ତୋ ଲେଖାରେ ମୁଁ ନାହିଁ ....

ଈଶ୍ୱରମାନେ ବି ଅଭିମାନୀ ଏକଥା ପ୍ରଥମ ଥର ଲାଗି ଜାଣିଲି ।

କହିଲି ଅନ୍ୟମାନଙ୍କ ଶବ୍ଦରେ ତୁମେ ଅଛ କିନ୍ତୁ ମୁଁ ତ ମୋ ଭାବନାରେ ତୁମକୁ ଲୁଚାଇ ରଖିଛି ଚୋରିହେଇଯିବା ଭୟରେ ।ମୋ ସ୍ନାୟୁରେ ତୁମେ ପ୍ରବାହିତ।

ମୋ ନିଃଶ୍ୱାସରେ ଆତଯାତ । ମୋ ଲେଖାର ବି ନାବିକ କମ୍ପାସ୍ ତୁମେ । ତୁମକୁ ମୁଁ ଧାରଣ କରିଛି । ଗର୍ଭିଣୀ ହୋଇଛି । ଜନ୍ମ ଦେଇଛି । ଜଡ ଦେହରେ ଜୀବନ୍ୟାସ ଦେଇଛି । ମମତ୍ୱ ଢାଳିଛି । ରଂଗ,ରୂପ ଦେଇଛି । ପ୍ରେମ ବିଛାଡିଛି ।ଆଉ କଣ ଚାହଁ ଯେ?

-ଗୋଟିଏ ନିର୍ଦୟ ପାଖରେ ଭାବପ୍ରବଣତା ଦେଖାଉଛୁ?(ଇଶ୍ୱର ହା ହା ହୋଇ ହସିଲେ)

-ତୁମର ହସ ମୋତେ ଭଲ ଲାଗେ ଇଶ୍ୱର ।ତୁମ ଅସହାୟତାରେ ହିଁ ତୁମକୁ କୋଳେଇ ଆଣିଥିଲି ତୁମକୁ ହସଟେ ଦେବି ବୋଲି।

-କଣ କହିଲୁ ? ଇଶ୍ୱର ପୁଣି ଅସହାୟ? କି ସାହାସ ତୋର?ଯାହା ଇଛା ତାହା କହି ଯାଉଛୁ ।

-କଣ ଭୂଲ୍ କହିଲି ଯେ? ଅଲୋଡା ହୋଇ ପଡିଥିଲ ପୋଖରୀ ତୁଠରେ । ତୁମ ଦେହରେ କେଉଁ ହୃଦୟ ଥିଲା ଯେ ତୁମେ ନିର୍ଦୟ ହୋଇ ଥାଆନ୍ତ?ମୋ ଦେହରୁ ସ୍ପନ୍ଦନ ନେଇ ତୁମେ ନିର୍ଦୟ ହୋଇଛ ।ଆଗକୁ ସଦୟ ବି ହେଇଯିବ ।ମୋତେ ଛାଡିଦେଲେ ତୁମର ଅସ୍ତିତ୍ୱ କାହିଁ??ମୁଁ କେବଳ ଏତକ ଜାଣିଛି ଯେ ମୁଁ ନାହିଁ ତ ମୋ ଇଶ୍ୱର ନାହିଁ । ମୁଁ ଅଛି ତ ମୋ ଈଶ୍ୱର ଅଛି । ଆଉ କାହା ଇଶ୍ୱର ବାବଦରେ ମୁଁ ଜାଣେନା ।

ଈଶ୍ୱର କିଛି ସମୟ ଚୁପ୍ ରହିଗଲେ । ଯିଏ ଏ ବିଶ୍ୱର ରଚୟିତା ତାଙ୍କର ଅସ୍ତିତ୍ୱ ପୁଣି ମଣିଷ ପାଖରେ ବନ୍ଧା ପଡିଛି ? ଏହାକୁ ଅସ୍ୱିକାର ବି କରା ଯାଇ ପାରେନା ।

ଇଶ୍ୱର ଥଣ୍ଡା ଚା କପ୍ ରେ ଗୋଟିଏ ସୁଡୁକା ଦେଲେ । କହିଲେ ଏଇ ଈଶ୍ୱର ବନାଇ ତୋ ଠାରୁ ମୋତେ ଦୂରେଇ ଦେଲୁ । ଖାଲି ପଥରଟେ କରି ମୋତେ ଶୀଳର ମର୍ଯ୍ୟାଦା ଦେଇ ପାରିଥାଆନ୍ତୁ । ତୋ ରୋଷେଇ ଘରେ ମୁଁ ତୋର ହୋଇ ରହି ଥାଆନ୍ତି କେବଳ। ଇଶ୍ୱର କରି ବାଣ୍ଟି ଦେଲୁ ସାରା ବିଶ୍ୱରେ ମୋତେ । କଣ ମିଳିଲା ତୋତେ??

ମୋ ମୁହଁରେ ତୃପ୍ତିର ହସଟେ ଥିଲା ।କହିଲି ହାତୀ ବଣରେ ବୁଲିଲେ ବି ରାଜାର ....

ଇଶ୍ୱର ଉଠି ଛିଡା ହେଲେ । ବିଶ୍ୱର କଥା ବୁଝିବାକୁ ଥିଲା ତାଙ୍କର । ବାହାରେ ଖୁବ୍ ଥଣ୍ଡା ଥିଲା । ମୋ ଦେହରୁ ଶାଲ୍ ଟାଣି ନେଇ ଚାଲିଗଲେ ସେ ...

ମୁଁ କିନ୍ତୁ ତାଙ୍କ ଉଷୁମ ଅନୁଭବରେ ଶୋଇଥିଲି ବେଧଡକ ସକାଳ ପାହିବା ଯାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational