Sachidananda Kar

Tragedy Fantasy

3.5  

Sachidananda Kar

Tragedy Fantasy

ଇଚ୍ଛାମୃତ୍ୟୁ

ଇଚ୍ଛାମୃତ୍ୟୁ

2 mins
3.5K



       ମୁଁ ମରିଯିବି।ମରିଯିବି ଲୋ ମା' !

ଅଭିମାନରେ ନୁହେଁ, ଦିନେ ସତ ସତ ମୁଁ ମୋ ମାଆକୁ କହିଦେଲି। ଦିନ ଦିନ ଧରି ଦେଖୁଥିଲି ତା'ର ଦୁଃଖ, ଯନ୍ତ୍ରଣା ଜର୍ଜରିତ ମୁହଁକୁ।ତେଣୁ ବହୁତ ଭାବିଚିନ୍ତି,ବ୍ୟସ୍ତ ହୋଇ ମୁଁ ତାକୁ କହିଥିଲି ଏକଥା। ସୁଖ ବୋଲି ତ କିଛି ଗୋଟିଏ ଅଛି !ସୁଖ ନ ଥିଲେ ସେ କି ଜୀବନ ! କି ଲାଭ ଦୁଃଖ, ଅବସାଦର ଜୀବନ ଜୀଇବାରେ !


       ଆକାଶ ବିଷର୍ଣ୍ଣ।ମାଟି ଅନୁର୍ବର।କଳାଘୁମର ମେଘ ନିଃସ୍ତେଜ।ପବନ ବେଶ୍ ନିଥର,ନିସ୍ପନ୍ଦ।ଗଛଲତା ଶିହରଣହୀନ।ଫୁଲ ଫଳ ଶୁଷ୍କ, ନୀରସ।ପାଣି ବିଷାକ୍ତ, ବର୍ଜ୍ୟବସ୍ତୁରେ ଭରା।

ଓଃ...! କି ଦାରୁଣ !


        ମୋ ମାଆର ଏ ଅବସ୍ଥା ମୋ ଦେହରେ ଆଦୌ ଯାଉ ନ ଥିଲା।ତେଣୁ ତାକୁ କହିଥିଲି - ମୁଁ ମରିଯିବି ଲୋ ମା' !


        ମା'ର ଦୁଃଖ କେହି ସହିପାରେ କ'ଣ ! ମା' ପରା ସିଏ। ଜନ୍ମ ନେଇଛି ମୁଁ ତା' କୋଳରେ।ତା' ଛାତିରେ ପାଦ ରଖି ଚାଲି ଶିଖିଛି।ତା' ମାଟି, ପାଣି, ପବନରେ ବଢିଛି।ତା' ଗଛ ଛାଇରେ ବସି ଥକ୍କା ମେଣ୍ଟାଇଛି।ଗଛରୁ କୋଳି ତୋଳି ଖାଇଛି।ତା' ଫୁଲ ବଗିଚାରେ ବସି ଆନନ୍ଦରେ ବଂଶୀ ବଜାଇଛି।ମିଶିଛି ତା' ଋତୁମାନଙ୍କ ସହିତ।ମନକୁ ଉଚ୍ଚାଟ କରିଛି।ଆତ୍ମବିଭୋର ହୋଇଛି।  ମୋତେ ପାଳିଛି,ପୋଷିଛି ସେ।ସ୍ନେହ, ଶ୍ରଦ୍ଧା ଦେଇଛି।ଛୋଟରୁ ବଡ କରିଛି।ତା'ର ସ୍ନେହ, ଶ୍ରଦ୍ଧା, ମମତାରେ ମୋ ଭିତରେ ଜାଗି ଉଠିଛି ଅପରୂପ ଭାବଭରା ଆନନ୍ଦ।ମୋ ନିଜ ଅଜାଣତରେ ପ୍ରଚୁର ସୁଖ ଅନୁଭବରେ ଓଦା ହୋଇଛି ମୁଁ - ଯାହାକୁ ଭାଷାରେ ପ୍ରକାଶ କରି ପାରିବ ନାହିଁ। ଆଜି ତା'ର ଦୁଃଖ, ଦୁରଵସ୍ଥା ସହିପାରୁ ନ ଥିଲି।ତେଣୁ ମରିଯିବା ପାଇଁ ଇଚ୍ଛା କରିଥିଲି।


        ହେଲେ ମୋର ମରିଯିବା କଥା ଶୁଣି ସେ ମୁହଁ ଶୁଖେଇ ଦେଲା।କହିଲା - ମରିଯିବୁ ! ମୋ ଆଗରୁ ଚାଲିଯିବୁ ! କାହିଁକି ? ଝଡ ଥମିଗଲା ପରେ ପୁଣି ସବୁକିଛି ନୂଆ ରୂପ, ନୂଆ ରଙ୍ଗରେ ଗଢି ହୁଏ ନା ନାହିଁ ? ତୁ ଧୈର୍ଯ୍ୟ ରଖ।ଦେଖିବୁ , ଦିନେ ନା ଦିନେ ସବୁ ଠିକ୍ ହୋଇଯିବ।ମଣିଷ ପରା ଅମୃତର ସନ୍ତାନ।


        ଆଖି ଆଗରେ ପୁଅଟି ମରିଯାଉ - ଏକଥା କୋଉ ମାଆ ଚାହେଁ ! ମମତାମୟୀ ସେ।ସର୍ବଂସହା ଧରିତ୍ରୀ।ନିରାଶର ଆଶା।ଦୁଃଖୀର ଭରସା।ତେଣୁ ନିଜେ ଦୁଃଖ, ଅବସାଦରେ ଥାଇ ବି ମୋତେ କେତେ କଥା କହି ବୁଝାଇବାକୁ ଚେଷ୍ଟା କଲା ସେ।ଦିନକୁଦିନ ମୋ ଭିତରେ ବଢୁଥିବା ଆତ୍ମହତ୍ୟା ପ୍ରବଣତାକୁ ମୋ ଠାରୁ ଦୂର କରିବାକୁ ଚାହିଁଲା।


        ମୁଁ ଖୁବ୍ ଚୁପଚାପ ........ନିରୁତ୍ତର ଥିଲି।


        ଏକାଠି ବସି ସମୟକୁ ଦେଖିଥିଲୁ ଆମେ।ଇତିହାସ ଉପରେ ବି ନଜର ପକାଇଥିଲୁ।କିଚିରିମିଚିରି କରୁଥିବା ଚଢେଇମାନଙ୍କର ମୁକ୍ତ ଉଡାଣ,ପିମ୍ପୁଡିମାନଙ୍କର ଲମ୍ବା ଧାଡ଼ି, ଶିଶୁର ମଧୁର ହସ,ମନ ଭୁଲାଣିଆ ଗୀତ ଗାଉଥିବା ଆନନ୍ଦମନା ଚାଷୀ - ସବୁ ସାଥି ହୋଇ ଦେଖିଥିଲୁ ଆମେ। ହେଲେ ଏବେ ଆଉ ସେ ସେଭଳି ନ ଥିଲା।ମୋ ପାଖରେ ଦଣ୍ଡେ ଖୁସିରେ ବସିପାରୁ ନ ଥିଲା ସେ। ଆଜିକାଲି ତାକୁ ଦେଖିଲେ ମୋତେ ଦୁଃଖ ଲାଗୁଥିଲା।ଡର ବି ମାଡୁଥିଲା।ମୋର ମନେ ହେଉଥିଲା କେଉଁ ଏକ ଅଜ୍ଞାତ ରୋଗ ଯେମିତି ତା'ର ଚର୍ମ, ମାଂସ, ହାଡ ସବୁକୁ କୋରି ଖାଇ ଦେଉଛି। ତା'ର ଦୁଃଖପୂର୍ଣ୍ଣ ,ବିଷର୍ଣ୍ଣ, ଅବସାଦର ମୁହଁ ଆଡେ ଚାହିଁ ପାରୁ ନ ଥିଲି ମୁଁ।


         ଯଦି ତା'ର ମୃତ୍ୟୁ ହୋଇଯାଏ .......?


        ଆହାଃ ! କେତେ ଭଲପାଏ ମୁଁ ତାକୁ !ତା'ର ମୃତ୍ୟୁକୁ କେବେ ସହିପାରିବି !


       ସେଥିପାଇଁ ତା' ପୂର୍ବରୁ ମୁଁ ଚାଲିଯିବା ଠିକ୍ ହେବ।ହଁ,.....ଠିକ୍ ହେବ ।


Rate this content
Log in

Similar oriya story from Tragedy