ହୃଦୟର ବିଶ୍ୱାସ
ହୃଦୟର ବିଶ୍ୱାସ
ଲଣ୍ଡନ ଏୟାରପୋର୍ଟରେ ଅବିନାଶ ବସିଥିଲେ l ଦୀର୍ଘ ପାଞ୍ଚ ବର୍ଷ ପରେ ସେ ଆଜି ନିଜ ଦେଶ ଓ ନିଜ ଜନ୍ମଭୂମିକୁ ଯାଉଛନ୍ତି l ସେ ଜାଣିଛନ୍ତି ଏଇ ପାଞ୍ଚ ବର୍ଷ ଭିତରେ ନିଜ ପେଷା ପାଇଁ ସେ କଣ କଣ ହରାଇଛନ୍ତି l ଏବେ ବାର ବାର ତାଙ୍କ ନଜର ବୁଲୁଥାଏ ଲାଗିଥିବା ଡ଼ାକବାଜି ଯନ୍ତ୍ର ଉପରେ l କେତେବେଳେ ଉଡାଜାହାଜରେ ବସିବାର ସମୟ କହିବl ହଠାତ ଶୁଣିଲେ ତାଙ୍କ ବିମାନର ଉଡାଣ ହେବ ଓ ନିଜକୁ ପ୍ରସ୍ତୁତ କରି ସେ ବିମାନ ଆଡକୁ ଆଗେଇ ଚାଲିଲେ l ବିମାନ ଭିତରେ ପ୍ରବେଶ କରି ନିଜ ଜାଗାରେ ବସି ଗୋଟିଏ ଦୀର୍ଘ ନିଶ୍ୱାସ ନେଲେ l ମନରେ ଅନେକ ଊତ୍ସାହ ଓ ଉଦ୍ଦୀପନା l ତାଙ୍କୁ ଲାଗୁଥିଲା ଯେମିତି ଗୋଟିଏ ଯୁଗ ବିତି ଯାଇଛି l ଟିକେ ଆଖି ବୁଜି ଦେଇ ନିଜର ମନକୁ ଶାନ୍ତ କରିବାକୁ ଚେଷ୍ଟା କଲେ l ନିଜକୁ ବହୁତ ଦୋଷୀ ମାନେ କରୁଥିଲେ ଯେ ନିଜର ସ୍ୱାର୍ଥ ପାଇଁ ସେ ନିଜ ପରିବାର, ନିଜ ସାଙ୍ଗ, ନିଜ ସହର, ନିଜ ଦେଶ ଓ ତାଙ୍କୁ ଭଲ ପାଉଥିବା ତାଙ୍କର ପ୍ରିୟ ସୁଷମାକୁ ଛାଡି ସେ ଏତେ ଦିନ ଏ ବିଦେଶରେ ରହିଗଲେ l ସେ କାହାର ଭଲ ଖବର ବି ନେଇ ନାହାନ୍ତି l ବହୁତ କିଛି ସେ ଜାଣିବାକୁ ସୁଯୋଗ ବି ପାଇ ନ ଥିଲେ l ଏବେ ସେ ଜଣେ ହୃଦ ରୋଗ ବିଶେଷଜ୍ଞl ଏବେ ସେ ନିଜ ସହରରେ ରହି ନିଜକୁ ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ସେବାରେ ଲଗାଇବେ l ତେବେ ତାଙ୍କର ଅତୀତର କଥା ମାନେ ପଡିଗଲା l
ଡାକ୍ତର ଅବିନାଶ ଦାସ, ବୟସ ତିରିଶି, ନିଜ ସହର ନାମ କଟକ l ତାଙ୍କ ବାପାଙ୍କ ନାମ ସୁରେଶ ଦାସ ଓ ସେ ଜଣେ ସରକାରୀ କର୍ମଚାରୀ l ତାଙ୍କ ମା ସାବିତ୍ରୀ ଦେବୀ ଜଣେ ଗୃହିଣୀ l ସୁରେଶ ବାବୁଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ l ଅବିନାଶ ସମସ୍ତଙ୍କ ଠାରୁ ବଡ l ସାନ ପୁଅ ଅଜୟ କୁମାର ଦାସ ଏବେ ପାଠ ପଢା ଶେଷ କରି କଲେଜର ଜଣେ ଅଧ୍ୟାପକ l ତାଙ୍କର ଏକ ମାତ୍ର କନ୍ୟା ତନୁଜା ଏବେ କଲେଜରେ ପି.ଜି. କରୁଛି, ତାର ଶେଷ ବର୍ଷ l ସୁରେଶ ବାବୁ ସହରରେ ନିଜ ସ୍ୱଳ୍ପ ରୋଜଗାର ମଧ୍ୟରେ ତାଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ଦେଇଛନ୍ତି l ବଡ ପୁଅ ଅବିନାଶ ଭଲ ପଢୁଥିଲା ଓ ତାକୁ ସେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ l ସେଥିପାଇଁ ସେ ତା ପାଠ ପଢ଼ା ପାଇଁ ସବୁ ପ୍ରକାରର ଯତ୍ନ ବି ନେଲେ l ଶେଷରେ ଅବିନାଶ ଡାକ୍ତରୀ ପଢ଼ିବାର ସୁଯୋଗ ପାଇଲା l ତା ପାଠ ପଢା ପାଇଁ ନିଜ ଗାଁର ଜମିକୁ ସୁରେଶ ବାବୁ ବିକ୍ରି କରିଦେଇଥିଲେ l ଅବିନାଶ ଯେତେବେଳେ ଏମ୍.ବି.ବି.ଏସ୍ ପାସ କଲା, ସେ ଚାହିଁଲା ହୃଦ ରୋଗରେ ପି.ଜି. କରିବାକୁ l ସେତେବେଳେ ସେ ଲଣ୍ଡନରେ ଥିବା ଶ୍ରେଷ୍ଠ ହୃଦ ଚିକିତ୍ସାଳୟରେ ପଢିବା ପାଇଁ ଆବେଦନ କରି ପରୀକ୍ଷା ଦେଲା l ଶେଷରେ ସେ ଲଣ୍ଡନରେ ପଢିବାକୁ ସୁଯୋଗ ବି ପାଇଗଲା l କିନ୍ତୁ ଅର୍ଥାଭାବ ଯୋଗୁ ସୁରେଶ ବାବୁ ବହୁତ ଚିନ୍ତିତ ହେଲେ l ତାଙ୍କୁ ସବୁ ଆଡୁ ବଡ ଚିନ୍ତା ଘାରିଲା l ଅବିନାଶକୁ ଯେମିତି ହେଲେ ବି ସେ ଲଣ୍ଡନ ପଠାଇବେ ଉଚ୍ଚ ଶିକ୍ଷା ପାଇଁ l ସେଥିପାଇଁ ଶେଷରେ ନିଜର ପୈତୃକ ସମ୍ପତ୍ତିକୁ ସେ ବିକିବାକୁ ବାଧ୍ୟ ହେଲେ l ଅବିନାଶକୁ ସେ ଲଣ୍ଡନ ପଠାଇଦେଲେ l ତାଙ୍କ ହୃଦୟରେ ବିଶ୍ୱାସ ଥିଲା ଯେ ଅବିନାଶ ଜଣେ ବଡ଼ ଡାକ୍ତର ହୋଇ ଫେରିବା ଓ ତାଙ୍କର ସ୍ୱପ୍ନକୁ ପୁରା କରିବl ତାଙ୍କ ପତ୍ନୀ ସାବିତ୍ରୀ ଦେବୀ ବି ନିଜର ମାତୃତ୍ଵର ମୋହକୁ ଛାତିରେ ଚାପି ରଖି ପୁଅ ଅବିନାଶକୁ ଲଣ୍ଡନ ପଠାଇ ଥିଲେ l ଖାଲି ସେ ମନେ ମନେ ଦିନ ଗଣି ଚଳୁଥିଲେ ଓ ଅପେକ୍ଷାରେ ଥିଲେ ପୁଅର ଫେରନ୍ତା ବାଟକୁ l ସାନ ପୁଅ ଅଜୟ ଓ ଝିଅ ତନୁଜା ବି ଖୁସି ଥିଲେ ଯେ ତାଙ୍କ ଭାଇ ଲଣ୍ଡନ ଯାଉଛି ଜଣେ ହୃଦ ବିଶେଷଜ୍ଞ ହୋଇ ଫେରିବl ସେମାନେ ବି ନିଜର ସ୍ୱପ୍ନକୁ ତାଙ୍କ ଭାଇର ସ୍ୱପ୍ନ ସହିତ ମିଶାଇ ଦେଇଥିଲେ l ଗୋଟିଏ ମଧ୍ୟବିତ୍ତ ପରିବାରରେ ସମସ୍ତେ ଜଣଙ୍କର ସଫଳତା ପାଇଁ କିଛି ତ୍ୟାଗ କରିଥାନ୍ତି ଓ ସୁରେଶ ବାବୁଙ୍କର ପରିବାର ବି ସେଇଆ କରିଥିଲା l ତେବେ ଅବିନାଶ ଭାବିଲେ ତାଙ୍କର ସ୍କୁଲ ସମୟର ବାନ୍ଧବୀ ସୁଷମା ଘୋଷ ବିଷୟରେ l ସୁଷମା ଅବିନାଶ ଠାରୁ ଦୁଇ ବର୍ଷ ସାନ ଓ ଏକ ସ୍କୁଲରେ ପଢୁଥିଲେ l ଦୁଇଜଣଙ୍କର ପରିଚୟ ହୋଇଥିଲା ବକ୍ତୃତା ପ୍ରତିଯୋଗିତାରୁ l ଉଭୟ ଭଲ ପଢିବା ସହିତ ଭଲ ବକ୍ତା ବି ଥିଲେ l ଅବିନାଶ ସ୍କୁଲ ଶେଷ କରି କଲେଜରେ ପଢିଲେ ଓ କଲେଜରୁ ଯେବେ ଡାକ୍ତରୀ ପଢିବା ପାଇଁ ନାମ ଲେଖାଇଲେ, ସେତେବେଳେ ସୁଷମା କଲେଜରେ ନାମ ଲେଖାଇଲା l ଉଭୟଙ୍କର ବନ୍ଧୁତା ଭଲ ପାଇବାରେ ବଦଳି ଯାଇଥିଲା l ଡାକ୍ତରୀ ପଢିବା ବେଳେ ଅବିନାଶ ଓ ସୁଷମା ଉଭଙ୍କ ସହିତ ସମ୍ପର୍କ ରଖିଥିଲେ ଓ ତାଙ୍କ ଭଲ ପାଇବା ଆହୁରି ନିବିଡ ହୋଇ ଯାଇଥିଲା l ସୁଷମା ପାଠ ପଢ଼ାରେ ଯେତିକି ଭଲ ଦେଖିବାକୁ ବି ବହୁତ ସୁନ୍ଦର l ଅବିନାଶର ମନେ ଅଛି ଲଣ୍ଡନ ଆସିବାର ଦୁଇ ଦିନ ପୂର୍ବରୁ ସେ ଓ ସୁଷମା ପୁରା ଦିନ ଏକାଠି କାଟି ଥିଲେ l ସୁଷମା ବହୁତ କାନ୍ଦି ଥିଲା l ଅବିନାଶକୁ ବି ବହୁତ କଷ୍ଟ ହେଉଥିଲା l କିନ୍ତୁ ଯିବାକୁ ହେବ l ସୁଷମା ବି ବୁଝି ପାରିଥିଲା ଓ କହିଥିଲା ସେ ଅବିନାଶକୁ ଅପେକ୍ଷା କରି ରହିଥିବl ସେ ମଜ଼ାରେ କହିଥିଲା, ''ଲଣ୍ଡନ ଯାଇ ମେମକୁ ପାଇ ମତେ ଭୁଲି ଯିବନି l ଅବିନାଶ କହିଥିଲା ଆରେ ତୁମେ ତ ସବୁବେଳେ ମୋ ହୃଦୟରେ ଅଛ l ଏହି ପାଞ୍ଚ ବର୍ଷ ଭିତରେ ସେ ସମସ୍ତଙ୍କ ସହିତ ପନ୍ଦର ୨ ଥର କଥା ହେଇଥିବ l ବେଶୀ କଥା ହେବାକୁ ସମୟ ଓ ସମ୍ବଳ ବି ଦରକାର, ଯାହା ଅବିନାଶ ପାଖରେ ନଥିଲା l ସେ ଯାହା ହେଉ ଅବିନାଶ ବୁଝି ପାରୁଥିଲା ସମସ୍ତଙ୍କର ଭଲ ପାଇବା ଓ ଆଶା ଓ ଅପେକ୍ଷାକୁ l ତା ବାପା ସୁରେଶ ବାବୁ, ମା ସାବିତ୍ରୀ ଦେବୀ, ଭାଇ ଅଜୟ, ଭଉଣୀ ତନୁଜା ଓ ସୁଷମା ସମସ୍ତଙ୍କର ହୃଦୟର ବିଶ୍ୱାସ ଏବେ ବି ଅଛି ଯେ ସେ ଜଣେ ସଫଳ ଡାକ୍ତର ହୋଇ ଫେରିବ, ସେ ଆଜି ସମସ୍ତଙ୍କର ତ୍ୟାଗ ଓ ବଳିଦାନ ପାଇଁ ସବୁ କିଛି ହାସଲ କରି ପାରିଛି l ସେମାନଙ୍କର ହୃଦୟର ବିଶ୍ୱାସ ଅବିନାଶକୁ ସବୁବେଳେ ଉତ୍ସାହ ଦେଇଛି l ଏବେ ସେ ବହୁତ ବ୍ୟାକୁଳ ସମସ୍ତଙ୍କୁ ଦେଖିବାକୁ l
ଏବେ ବିମାନ ଉଡାଣ ଭରିବାକୁ ଆରମ୍ଭ କଲା l ଅବିନାଶ ଠିକ ଭାବରେ ବସିଲେ l ପୁରା ତିରିଶ ଘଣ୍ଟା ପରେ ସେ କଟକରେ ପହଞ୍ଚିବl ମନରେ ଖୁସି ବି ଥାଏ ଓ ଉତ୍ତେଜନା ବି l ବିମାନ ଉଡିବାର କିଛି କ୍ଷଣ ପରେ ବିମାନର ମୁଖ୍ୟ ପରିଚାରିକା ଘୋଷଣା କଲେ କି ଜଣେ ଗର୍ଭବତୀ ମହିଳା ବିମାନରେ ଯାତ୍ରା କରୁଛନ୍ତି ଓ ସେ ଟିକେ ଅସୁସ୍ଥ ହୋଇ ପଡିଛନ୍ତି, ଯଦି କେହି ଡାକ୍ତର ଯାତ୍ରୀ ଆସି ସହାୟତା କରନ୍ତି ଭଲ ହୁଅନ୍ତା l ହଠାତ ଅବିନାଶକୁ ସେ ସ୍ୱର ଜାଣିଲା ଜାଣିଲା ପରି ଲାଗିଲା l ସେ ଅଜାଣତରେ ଠିଆ ହୋଇ ସେ ସ୍ୱରକୁ ଅନୁସରଣ କରି ବଢ଼ିବାରେ ଲାଗିଲେ ଜାଣିବା ପାଇଁ ଯେ ସେ କାହାର ସ୍ୱର l କିନ୍ତୁ ଜଣେ ପରିଚାରିକା ତାଙ୍କୁ ଧନ୍ୟବାଦ ସହ କହିଲେ, ''ଆପଣ ଡାକ୍ତର ? ଆସନ୍ତୁ ଓ ଦୟାକରି ମହିଳାଙ୍କର ସହାୟତା କରନ୍ତୁ l '' ସେତେବେଳେ ଅବିନାଶ ନିଜକୁ ସମ୍ଭାଳି ନେଇ ତାଙ୍କୁ ଅନୁସରଣ କଲେ l ସେ ମହିଳାଙ୍କୁ ପରୀକ୍ଷା କଲେ ଓ ନିଜ ପାଖରେ ଥିବା ଗୋଟିଏ ଔଷଧ ଖାଇବାକୁ ଦେଲେ l ସେ ନିଜ ଜାଗାକୁ ଫେରିବାକୁ ବାହାରିଲେ ଓ ପଛରୁ ଶୁଣିଲେ, ''ଧନ୍ୟବାଦ ଡାକ୍ତର ଅବିନାଶ ଦାସ l ''ସେହି ସ୍ୱର, ସେ ବୁଲିକରି ଦେଖିଲେ l ତାଙ୍କୁ ଅବିଶ୍ୱାସ ଲାଗୁଥିଲା l ଦେଖିଲେ ତାଙ୍କର ସୁଷମାକୁ l ସେ ତା ପାଖକୁ ଗଲେ l ସୁଷମା ବି ଖୁସିରେ ହସି ପାଖକୁ ଆସିଲା l ଅବିନାଶ ପଚାରିଲେ, ''ସୁଷମା ତୁମେ ଏଠାରେ !!! ସୁଷମା ତାଙ୍କ ହାତ ଧରି କ୍ୟାବିନ ଭିତରକୁ ନେଇଗଲା ଓ ସମସ୍ତଙ୍କୁ ଅବିନାଶର ପରିଚୟ ଦେଇ ଅବିନାଶକୁ ବସିବାକୁ କହିଲା l ତାପରେ ସୁଷମା କହିଲା ଦୀର୍ଘ ୮ ମାସ ହେଲା ତୁମେ କିଛି ଖୋଜ ଖବର ଦେଲନି, ମୁଁ ବି ବହୁତ ବ୍ୟସ୍ତ ହେଲି l ଘରେ ସମସ୍ତେ ମୋର ବାହାଘର ପାଇଁ ବାଧ୍ୟ କରୁଥିଲେ l ମୁଁ ତୁମ ବିଷୟରେ କହିଲି ଓ ଅପେକ୍ଷା କରିବାକୁ ବାଧ୍ୟ କଲି l ସେତିକିବେଳେ ଏଇଠି ଚାକିରୀ ବାହାରିଥିଲା ଓ ମୁଁ ଆବେଦନ କରି ପାଇ ବି ଗଲି l ଭାବିଥିଲି ତୁମ ଫେରିବା ଯାଏ ଚାକିରୀ କରି ମନ ଓ ସମୟକୁ ବୁଝାଇ ଦେବିl ମୁଁ ଜାଣି ନ ଥିଲି କି ତୁମ ସାଙ୍ଗରେ ଦେଖା ହେଇଯିବ l ତା ଆଖିରୁ ଲୁହ ବୋହି ଯାଉଥିଲା l କାନ୍ଦି କାନ୍ଦି କହିଲା ଏଇଟା ମୋର ପ୍ରଥମ ଲଣ୍ଡନ ଉଡାଣ ଥିଲା l ମୁଁ ଲଣ୍ଡନରେ ପହଞ୍ଚି ତୁମକୁ ଖୋଜିବାକୁ ତୁମ ହଷ୍ଟେଲ ଯାଇଥିଲି, କିନ୍ତୁ ଜାଣିଲି କି ତୁମେ ହଷ୍ଟେଲ ଛାଡି ଦେଇଛ l ନିରାଶ ହୋଇ ଫେରିଥିଲି, ଭାବିଲି କେବେ ପୁଣି ତୁମକୁ ଦେଖିବି ? କିନ୍ତୁ ମୋ ହୃଦୟର ବିଶ୍ୱାସ ମୋତେ କହୁଥିଲା ନିଶ୍ଚୟ ଦେଖା ହେବ l ଏତିକି କହି ଟିକେ ହସିଦେଲା ସୁଷମା l ତା ଆଖିରୁ ଲୁହ ପୋଛି ଦେଉ ଦେଉ ଅବିନାଶ ତାକୁ ଜାବୁଡି ଧରିଲେ ଓ କହିଲେ, ''ଏବେ ସବୁ ଠିକ ହୋଇଯିବ, ଆମେ ସମସ୍ତେ ଏକାଠି ରହିବାl '' ଅନ୍ୟ ସହଯୋଗୀମାନେ ବି ସୁଷମାକୁ ଦେଖି ଆଶ୍ଚର୍ଯ୍ୟ ହେଲେ l ସେତିକିବେଳେ ଅବିନାଶ କହିଲେ, ''ସୁଷମା ଓ ମୁଁ ବିବାହ କରିବାକୁ ଯାଉଛୁ l '' ସମସ୍ତେ ଖୁସିରେ ଅଭିନନ୍ଦନ ଜଣାଇଲେ l ପୁରା ତିରିଶ ଘଣ୍ଟାର ଯାତ୍ରା ଅବିନାଶ ପାଇଁ ବହୁତ ସୁଖଦ ଥିଲା l ସାଙ୍ଗରେ ସୁଷମାକୁ ପାଇ ସେ ସମୟ ଭୁଲି ଯାଇଥିଲା l ଶେଷରେ ଦିଲ୍ଲୀ ଓ ସେଠାରୁ ଭୁବନେଶ୍ୱର ଆସି ପହଞ୍ଚିଲେl ଭୁବନେଶ୍ୱରରୁ ଉଭୟ କଟକ ଆସିଲେ l ସୁଷମାକୁ ତାଙ୍କ ଘରେ ଛାଡି ଅବିନାଶ ନିଜ ଘରକୁ ଗଲା l ଘର ପାଖରେ ଦେଖିଲା ତା ବାପା, ମା, ଭାଇ,ଭଉଣୀ ଓ ପଡୋଶୀ ସମସ୍ତେ ତା ପାଇଁ ଭବ୍ୟ ସ୍ୱାଗତର ଆୟୋଜନ କରିଛନ୍ତି l କିନ୍ତୁ ସେ ଦେଖି ପାରୁଥିଲା ତା ବାପା ଓ ମାଆଙ୍କ ଆଖିରେ ଖୁସିର ଲୁହ l ଭାଇ ଓ ଭଉଣୀ ଙ୍କର ଆଖିରେ ଖୁସିର ଚମକ l ପଡୋଶୀ କହୁଥିଲେ ସତରେ ଅବିନାଶ ଆଜି ହୃଦୟର ବିଶ୍ୱାସ ଜିତିଗଲାl
ଅବିନାଶ ବି ସେଇଆ ଭାବୁଥିଲା l ବହୁତ ଦିନ ପରେ ନିଜ ସହରକୁ ଫେରି ନିଜ ଲୋକଙ୍କୁ ପାଇ ସେ ବି ଖୁସିରେ ଆତ୍ମହରା ଆଜି l
