ଗରିବ ଝିଅର ମହାନତା
ଗରିବ ଝିଅର ମହାନତା
ବାଧ୍ୟ ବାଧକତା ନଥ୍ଲେ ବି ମୋ ଝିଅ ସ୍କୁଲର ଶିକ୍ଷକ ଚାହାଁନ୍ତି ପରୀକ୍ଷା ଫଳ ବାହାରିବା ଦିନ, ବାପାମାଆଙ୍କ ଭିତରୁ ଜଣେ କେହି ଆସନ୍ତୁ ରିପୋର୍ଟ କାର୍ଡ଼ ନବାକୁ।
ମୁଁ ସ୍ତ୍ରୀ ସହ ଯାଇଥାଏ। ସ୍କୁଲରେ ମାଳମାଳ ବାପା ମାଆ।ଭାରି ଭିଡ଼।ଝିଅର ଭଲ ନମ୍ବର ଆସିଥାଏ।
ତେଣୁ ରିପୋର୍ଟ କାର୍ଡ଼ ନେଇ ଫେରିଲା ବେଳେ,ସ୍କୁଲ ଗେଟ୍ ପାଖରେ ଆମକୁ ଠିଆ କରେଇ ଦେଇ, ଝିଅ ତା ସଙ୍ଗୀମାନଙ୍କ ସହ ସାମନାରେ ଠିଆ ହେଇଥିବା ଆଇସ୍କ୍ରିମ ଠେଲା ପାଖକୁ ଗଲା।
ତା ଫେରିବାକୁ ଅପେକ୍ଷା କରିଥିବା ବେଳେ ମୁଁ ଦେଖିଲି, ଆମଠୁଁ କିଛି ଦୂରରେ ଝିଅଟିଏ ଏକ୍କା ରିପୋର୍ଟ କାର୍ଡ଼ ଧରି ଠିଆ ହୋଇଛି । ମୁଁ କୌତୁହଳ ହେଇ ପଚାରିଦେଲି,
: ତୁ ଏକା ଆସିଛୁ କି ଝିଅ ? ବାପା ମାଆ କେହି ଆସି ନାହାଁନ୍ତି ?
ସେ ମୁଣ୍ଡ ହଲେଇ ମନାକଲା।
ତା ରିପୋର୍ଟ କାର୍ଡ଼ ନେଇ ଦେଖିଲି ଶତକଡ଼ା ଅଠାନବେ ପ୍ରତିଶତ ନମ୍ବର ରଖିଛି । କାହିଁକି କେଜାଣି ମୁଁ ମନେମନେ ଦୁଃଖ ଅନୁଭବ କଲି । ଏତେ ସୁନ୍ଦର ନମ୍ବର ରଖିଛି, ଅଥଚ ବାପା ମାଆଙ୍କ ଭିତରୁ ଜଣେ କେହି ଆସିନାହାଁନ୍ତି ତା ସହ।
ପଚାରିଦେଲି ତୋ ବାପା ମାଆଙ୍କ ଭିତରୁ ଜଣେ ବି କେହି ଆସିଲେନି କାହିଁକି ଝିଅ?
ଝିଅଟି ଟୋପାଏ ମୁରୁକି ହସି କହିଲା,
: ବାପା ମୋର ସାଇକଲ ମରାମତି ଦୋକାନ ଦେଇଛନ୍ତି। ଆଉ ମାଆ ମୋର ଜଣେ ବାବୁଙ୍କ ଘରେ ରାନ୍ଧନ୍ତି । ସେମାନେ ସକାଳୁ ସକାଳୁ ନିଜ ନିଜ କାମରେ ଗଲେ।
ମୁଁ ତା ମୁଣ୍ଡକୁ ଆଉଁସି ଦେଇ କହିଲି,
: ଝିଅ ମନ ଖରାପ କରୁଛୁ କି ସେମାନେ ଆସି ନାହାଁନ୍ତି ବୋଲି।
ଟୋପାଏ ହସି ଦେଇ ଝିଅଟି କହିଥିଲା ,
: ମନ କାହିଁକି ଖରାପ କରିବି! ବାପା ତ ଆଜି ମୋ ପାଇଁ ମିଠା ଆଣିବେ ଆଉ ମାଆ ମୋ ପସନ୍ଦର ଇଡିଲି ସମ୍ବର କରିବ ଘରେ ।
ତାପରେ ଟିକେ ରହି ସେ କହିଥିଲା,
: ହେଲେ ଅଙ୍କଲ ଜାଣନ୍ତି, ଏଠି ମୁଁ ଠିଆହେଇ ଯେଉଁ ସଙ୍ଗୀ କୁ ଅପେକ୍ଷା କରିଛି, ତାର କେହି ନାହାଁନ୍ତି। ସେ ଅନାଥାଶ୍ରମରେ ରୁହେ।
କଥାହେଲା ଅଙ୍କଲ ଆମେ ଭାବୁ ଆମ ଦୁଃଖ ସବୁଠୁଁ ବଡ଼। କିନ୍ତୁ ଆମଠୁଁ ଯେ ଅସଂଖ୍ୟ ଗୁଣରେ ଅଧିକ ଦୁଃଖି ମଣିଷ ଏଠି ଅଛନ୍ତି, ଆମେ କେହି ଭାବି ନଥାଉ।
ମୁଁ ଝିଅକୁ ନେଇ ଫେରିବା ରାସ୍ତାରେ ମୋ ଝିଅ ବୟସର ଝିଅଟିର କହିଥିବା କଥାକୁ ଭାବୁଥାଏ ।
ମୋ ଝିଅ ଏମିତି ଉତ୍ତର ବୋଧହୁଏ ଆଗାମୀ ପାଂଚ ଛଅ ବର୍ଷ ପରେ ବି ଦେଇ ନପାରେ।
ସତେ କ’ଣ ପରିବେଶ ଓ ପରିସ୍ଥିତି ଛୁଆକୁ ବୟସ୍କ କରିଦେଇଥାଏ ?
ମୁଁ ଠିକ୍ କରିପାରୁ ନଥିଲି ! !