Chinmayee Barik

Abstract

2.5  

Chinmayee Barik

Abstract

ଗୋଟିଏ ଶେଷ ଅଧ୍ୟାୟ

ଗୋଟିଏ ଶେଷ ଅଧ୍ୟାୟ

3 mins
7.8K


ମୁଁ ବାହାରେ କିତି କିତି ଖେଳୁଥିଲି ।ସେଦିନ ମୋତେ ଆଉ ବୋଉ ଗାଳି କରୁ ନଥିଲା ।ମୁଁ ଖୁବ୍ ଖୁସି ସେଥିଲାଗି ।ଏ ....କିତ୍ କିତ୍ କିତ୍ ....ଥା...।ବୋଉ ମୋତେ ଭେକଳା ମାରି ଅନାଇ ଥିଲା ।ବୋଧ୍ ହୁଏ ଦେଖୁଥିଲା ଏ ଅଣ୍ଡିଆଟାକୁ କେଉଁ ଉପାୟରେ ସାବାଡ୍ କରି ହେବ ।କାରଣ ଆଉ ମୋଟେ ବାରଦିନ ଥିଲା ମେଟ୍ରିକ ପରୀକ୍ଷା ଦେବାକୁ ।ମୁଁ ଯେତେ ପଢିଲେ ବି ବୋଉର ମୋ ଉପରେ ଭରସା ରୁହେନି କାହିଁକି ଜାଣେନି ,ଯେତେ ଯାଏ ପରୀକ୍ଷାଫଳ ତା ହାତରେ ନ ପଡିଛି ।ରେଜେଲ୍ଟ୍ ଦେଖିସାରିଲା ପରେ ଟିକେ ମୁରୁକି ହସି କୁହେ ହଁ ମ,ଏଇ ସାର୍ ଦିଦି ମାନେ ତାକୁ ଉପରମୁହାଁ କରିଦେଇଛନ୍ତି ।ମାର୍କ ଗୁଡା ଦେଇ ଫାଷ୍ଟ କରିଦେଇଛନ୍ତି ।ଏମିତି କୁହେ କିନ୍ତୁ ମନେ ମନେ କୁରୁଳୁ ଥାଏ ।ବାପାଙ୍କର ରୋକ୍ ଠୋକ୍ କଥା ।ପଢିବାକୁ କେବେ କୁହନ୍ତିନି ।କହିବେ ମୋର ଖାଲି ରେଜଲ୍ଟ୍ ଦରକାର ।ଆଉ ବାପାଙ୍କ ମନମୁତାବକ ରେଜଲ୍ଟ ମୁଁ ଥୋଇ ଦିଏ ।ବାପା ଖୁସ୍ ଆଉ ମୁଁ ବି ।ମୁଁ ବାପାର ଝିଅ ।ନା... ନା ବାପା କୁହନ୍ତି ମୁଁ ତାଙ୍କ ପୁଅ ।ସେ ମୋତେ ଲୁସନ୍ ଡାକନ୍ତି ।

ସେ ଦିନ ବୋଉ ମୋତେ କିଛି କହୁ ନ ଥିଲା ।ବାରଣ୍ଡା ସାରା ଏପଟ ସେପଟ ହେଉଥିଲା ।ବେଳେବେଳେ ଆମ ଆଡକୁ ଭାରି ଅସହାୟ ହୋଇ ଦେଖୁ ଥିଲା ।ଗୁଣୁ ଗୁଣୁ ହୋଇ ବୋଧେ ଠାକୁରଙ୍କୁ ଡାକୁଥିଲା ।କାରଣ ବାପା ଲିଭର ଅପରେସନ୍ ହେବାକୁ ମାଡ୍ରାସ୍ ଯାଇଥିଲେ ।ଚଉଦ ଦିନ ହେଲାଣି କିଛି ଖବର ନାହିଁ ।ବୋଉର ଏ ଅବସ୍ଥା ଦେଖି ମୋତେ ରାଗ ଲାଗୁଥିଲା ।ସବୁବେଳେ ନେଗେଟିଭ୍ ଚିନ୍ତା ।ଆରେ ସାଇନସ୍ କେତେ ଆଗକୁ ଗଲାଣି ।ଏମିତି ଡରିଲେ ହେବ?ପୁଣି ନାମି ଦାମୀ ଆପଲୋ ହସପିଟାଲ୍ ଯାଇଛନ୍ତି ମାଡ୍ରାସ୍ କୁ ।ଏତେ ଡର କଣ ଯେ ?ଥୋକାଏ ଗାଳି ଦେଲି ବୋଉକୁ ।ବାପା ତ କହିଛନ୍ତି ସେ ଫେରିବେ ଆଉ ମୋତେ ନେଇ ପରୀକ୍ଷାକୁ ନେଇକି ଯିବେ ।ତେବେ ଏତେ କଣ ଭାବୁଛି ବୋଉ?ବଡି ଭୋରରୁ ସାଇ ଲୋକମାନେ ଜୋର୍ ରେ କବାଟ ବାଡେଇଲେ ।ଆମେ ଡରିଗଲୁ ।ସେମାନେ ଆମକୁ ଏକ ପ୍ରକାର ଟେକି ନେଇ ଗାଡିରେ ବସାଇ ଆମ ନିଜ ଗାଁ ଆଡକୁ ନେଇଗଲେ ।ବୋଉ ଆଉ ଅନ୍ୟ ଭଉଣୀମାନେ କାନ୍ଦିବା ଆରମ୍ଭ କରିଦେଲେ ।ମୁଁ କିଛି ବୁଝିପାରୁ ନ ଥାଏ ।

ଗାଁରେ ପହଂଚିବା ପରେ ବାପାଙ୍କ ଡେଡ୍ ବଡି ଆସି ପହଂଚିଲା ।ଗାଁଟା ସାରା ଲୋକ ହୋ ହାଲ୍ଲା ।କାନ୍ଦ ବୋବାଳି ।ମୁଁ ପିଣ୍ଡାରେ ବସିଥାଏ ।କାନ୍ଦି ପାରୁ ନଥାଏ ।ଲୋକମାନଙ୍କୁ ଦେଖୁଥାଏ ।ମୋ ବାପା କେବେ ମରି ପାରିବେନି ,ଏ କଥା ତ ମୁଁ ଜାଣିଛି ।ମୋ ଆଖିରୁ ଲୁହ ବାହାରୁ ନଥିଲା ।ବୋଉ ଆସି କହିଲା ,ଯା ତ ଦେଖିଆସିବୁ ସେ ତୋ ବାପା କି ନୁହେଁ ?କାରଣ ଆମ କାହକୁ ଛାଡୁ ନ ଥିଲେ କଫିନ୍ ପାଖକୁ ।ମୁଁ ଜୋର୍ ଜବରଦସ୍ତ ଗଲି ।ଦେଖିଲି ବାପା ଶୋଇଛନ୍ତି ।ତାଙ୍କ ମୁହଁରେ ମୁହଁ ଘସିଲି ଯେମିତି ସେ ଗେଲ କରନ୍ତି ।ଛାତି ଉପରେ ମୁଣ୍ଡ ରଖି ଘସି ନେସି ହେଲି ।ଯେମିତି ମୁଁ ରୋଜ୍ ଶୁଏ ।ହଁ,ସେଦିନ ତାଙ୍କ ଛାତି ତଳେ ସେ ଧକ୍ ଧକ୍ ଆବାଜ ନ ଥିଲା ଯାହା ମୋତେ ଭଲ ଲାଗେ ।କପାଳରେ ଆଉ ଡାହାଣ ହାତର ଆଙ୍ଗୁଳିରେ ତାଙ୍କର ଏକ୍ସିଡେଣ୍ଟର ଚିହ୍ନ ଥିଲା ଯାହା ମୁଁ ଆଗରୁ ଅନକ ଥର ହାତ ମାରି ଦେଖିଛି ।ପାଦର ବି ସେ ସୁନ୍ଦର ଗଢଣର ଆଙ୍ଗୁଳି ଥିଲା ।ହଁ,ସେ ମୋବାପା ଥିଲେ ।ବୋଉକୁ ଯାଇ କହିଲି,ହଁ ବୋଉ ସେ ମୋ ବାପା ।ବୋଉର ଚେତା ଚାଲିଗଲା ଡାକ୍ତର ଆସିବା ଯାଏ ।

ସବୁକାମ ଶେଷ ହୋଇଗଲା ।ମୋ ଆଖିରୁ ଲୁହ ବାହାରୁ ନ ଥିଲା। ମୁଁ ଆମ ଠାକୁର ଘର ଖଟତଳେ ମଶା ଗହଣରେ ଲୁଚିଥିଲି ।ମୋତେ ଖୋଜା ଚାଲିଥିଲା ।ବାହରେ ଖୁବ୍ ବର୍ଷା ।ରାତି ଆଠଟା ହେବ ।ଲାଗିଲା ଏ ବର୍ଷାରେ ବାପା ଶୋଇଛନ୍ତି ବାଡିରେ ଏକା ଏକା ।ଗାମୁଛାଟିଏ ଧରି ଏକା ଅନ୍ଧାରେ ଚାଲଲି ସେଇଠିକୁ ଯେଉଁଠି ବାପାଙ୍କର ଶେଷ କର୍ମ ହୋଇଥିଲା ।ସେହି ସମାଧିଉପରେ ଗାମୁଛା ଘୋଡାଇ ବର୍ଷା କାଦୁଅର ଲତପତ ହୋଇ ମୁଁ ଶୋଇ ଯାଇଥିଲି ବାପାଙ୍କ ଛାତି ଉପରେ ।କିଏ କେତେବେଳେ ମତେ ଆଣିଛି ଜଣା ନାହଁ ।ଯେତେବେଳେ ଆଖି ଖୋଲିଲି ସେତେବେଳକୁ ବୋଉ କାନ୍ଦୁଛି ଆଉ ମୋତେ ଶହେ ଚାରି ଜ୍ୱର ।ଆଖି ଖୋଲିଲା ବେଳକୁ ବୋଉର ଏ କି ବେଶ?ମୁଣ୍ଡରେ ସିନ୍ଦୂର ନାହଁ,ହାତରେ ଚୁଡି ନାହିଁ ।ମୋତେ କିଏ ଯେମତି ତେନ୍ତୁଳିଆ ବିଛାରେ ବାଡେଇ ପକାଇଲା ।ମୁଁ ମୁହଁ ଘୋଡାଇ ଶୋଇ ପଡଲି ।

ଦୁଇଦିନ ପରେ ବୋଉ କହିଲା ତୋତେ ପରୀକ୍ଷା ଦବାକୁ ପଡିବ ।ମୁଁ କହିଲି ମେଟ୍ରିକ୍ ପରୀକ୍ଷା ଆଉ ଚାରିଦିନ ।ପାଠ ଭୁଲି ଯାଇଛି।ଦେବି କେମିତି?କିନ୍ତୁ ଦେବାକୁ ହେଲା ।ପରୀକ୍ଷାଫଳ ଆସିଲା ଫାଷ୍ଟ କ୍ଲାସ୍ ହୋଇଛଛି ।ସେତେବଳେ ଫାଷ୍ଟ କ୍ଲାସ୍ ପାଇବା ଖୁବ୍ ବଡ ଗର୍ବର ବିଷୟ ଥିଲା ।ସାଇପଡିଶା,ଗାଁ ଲୋକ ସାଙ୍ଗ ସାଥୀ ସବୁ ଖୁସିରେ ଫାଟି ପଡୁଥିଲେ କିନ୍ତୁ ମୁଁ ଲୁଚିଯାଇଥଲି ଗୋଟିଏ ଲିମ୍ବ ଗଛ ପଛରେ ।ସେଦିନ କାହିଁକି କେଜାଣି ଖୁବ୍ କାନ୍ଦ ଲାଗିଥିଲା ଆଉ ମୁଁ ମନ ଭରି କାନ୍ଦି ପକାଇଥିଲି ।ଗୋଟିଏ ଅଧ୍ୟାୟର ଅବସାନ ଘଟିଥିଲା ।

.....Lucy. ..


Rate this content
Log in

Similar oriya story from Abstract