ଗୋଟେ ଝିଅର ଚିଠି
ଗୋଟେ ଝିଅର ଚିଠି


ଶଦ୍ଦରେ କହିବା ମୁସ୍କିଲ ସେ ଚିଠିର କଥା। ତଥାପି କହିବାକୁ ପଡୁଛି।ସବୁ କଥାକୁ ନିଜ ଛାତି ଭିତରେ ଚାପି ରଖିବା ସହଜ ନୁହେଁ...... ସେଥିପାଇଁ।
ଗୋଟେ ଝିଅର ଚିଠି। ଝିଅଟିକୁ ଦେଖିଲେ ଏମିତି ଲାଗେନି ଯେ ସେ କେଉଁଠି କାହାକୁ ପ୍ରେମ କରୁଥିବ।
ସବୁଦିନେ ମୋ ଘରକୁ ଆସେ ସେ।ଦୁଧ ଦେଇଯାଏ। ଭାରି ଖୁସି ମିଜାଜର ଝିଅଟା।ତା' ସହିତ ଖୁସି, ମଜା ହେବାକୁ ଭଲ ଲାଗେ।ସେ ମଧ୍ୟ ଭଲପାଏ। ଦିନେ ଅପରାହ୍ଣରେ ମୁଁ ବାଲକୋନୀରୁ ତାକୁ ଦେଖିପାରିଲି।
ମୋ ଘର ଆଗରେ ଅନାବନା ଗଛ ଲତାର ବଣ।ମଝିରେ ସରୁ ରାସ୍ତା।ସେହି ରାସ୍ତାରେ ଚାଲିଥାଏ ସେ। ହୁଏ ତ କୌଣସି ଗରାଖ ଘରକୁ ପଇସା ପାଇଁ ଯାଉଥିବ।ଏମିତି ଭାବିଲି।କାରଣ ସେହି ସମୟରେ ସେ ବେଳେବେଳେ ମୋ ଘରକୁ ମଧ୍ୟ ପଇସା ମାଗିବାକୁ ଆସିଥାଏ। ହେଲେ ମୋର ଏ ଭାବନା ମୋତେ ଆଉ ଠିକ୍ ଲାଗିଲା ନାହିଁ, ଯେବେ ତାକୁ ବାରମ୍ବାର ସେଇ ଆଡକୁ ଯିବାର ଦେଖିବାକୁ ପାଇଲି। ଭୁଲି ପାରୁନଥିଲି।ତେଣୁ ହଠାତ୍ ଦିନେ ତାକୁ ପଚାରି ଦେଲି - ' ତୁ ସେହି ନିଛାଟିଆ ରାସ୍ତା ଦେଇ ସବୁଦିନେ ଏକା ଏକା କୁଆଡ଼େ ଯାଉଛୁ କି ଲୋ ?
ସେ ଲାଜ ଲାଜ ହସିଲା।ତା'ର ସେହି ହସରୁ ମୁଁ ସ୍ପଷ୍ଟ ବୁଝି ପାରିଲି ଯେ ସେ କାହାର ପ୍ରେମରେ ବାନ୍ଧି ହୋଇ ଯାଇଛି।ତାକୁ କହିଲି - ' ପ୍ରେମରେ ପଡିବୁନି ଯମା।ତୁ ଭାରି ସାଧାସିଧା ଝିଅଟିଏ।ବୁଡ଼ି ମରିଯିବୁ। କ'ଣ ବା ଉତ୍ତର ଦେବ ସେ ମୋତେ ! ତା' ଲାଜରା ହସରୁ ମେଞ୍ଚେ ମୋ ଉପରକୁ ଫିଙ୍ଗିଦେଇ ଫେରିଗଲା।
ଏବେ ସବୁଦିନେ ତାକୁ ସେହି କଥା କହୁଥିଲି। ହାୟ ! ପ୍ରେମ ତ କେବେ କାହାର ବାରଣକୁ ସମ୍ମାନ ଦିଏନାହିଁ।ସବୁଦିନେ ତାକୁ ସେହି ନିଛାଟିଆ ରାସ୍ତାରେ ଯିବାର ଦେଖୁଥିଲି।
ମୋ ମନ ଆଦୌ ବୁଝୁ ନ ଥିଲା।ଦିନେ ସମୟ ସୁଯୋଗ ଦେଖି ତାକୁ କହିଲି - ' ଶୁଣ୍ , ତୁ ବିଶ୍ୱାସ କର କି ନ କର,ମୁଁ ବି ଦିନେ ତୋ ବୟସର ଝିଅ ଥିଲି।ଲୁଚି ଲୁଚି ପ୍ରେମ କରୁଥିଲି।ହଠାତ୍ ଦିନେ ମୋ ଅଜାଣତରେ ମୋ ପ୍ରେମ ପୂରୁଣା ହୋଇଗଲା।ଜାଣିଛୁ, କ'ଣ ହେଲା ତା' ପରେ ? ଆଖିର ଲୁହରେ ସମୁଦ୍ର ତିଆରି ହେଲା।ସେହି ଲୁହର ସମୁଦ୍ରରେ ମୁଁ ଗୋଟେ ଦିଗହଜା ନୌକା ପରି ଘୂରି ବୁଲିଲି। କଥାଟି ମନରୁ ଗଢି କହିଥିଲେ ବି ସେ ଶୁଣିଲା, କିନ୍ତୁ ତା' ଉପରେ ଏହାର ପ୍ରଭାବ ପଡିଥିବା ପରି ମୋର ମନେ ହେଲାନାହିଁ।
ସବୁଦିନେ ସେହି ନିଛାଟିଆ ରାସ୍ତାରେ ସେ ତା'ର ଇପ୍ସିତ ଜାଗାକୁ ଯାଉଥିଲା ହିଁ ଯାଉଥିଲା।
ପ୍ରାୟ ବର୍ଷକ ପରେ.......
ଦିନେ ସେହି ଝିଅଟି ଆତ୍ମହତ୍ୟା କରିଥିବା ଖବର ପାଇଲି।ଆସି ତା' ଶବ ପାଖରେ ପହଞ୍ଚିଲି।ସେଇଠି ପଡି ରହିଥିଲା ଖଣ୍ଡିଏ ଚିଠି।ତାକୁ ଉଠେଇ ଆଣିଲି।ଖୋଲି ପଢିଲି।ସେଥିରେ ଯାହା ଯାହା ଲେଖାଥିଲା ତା'ର ସାରାଂଶ ଠିକ୍ ଏୟା.....
- ' ମୁଁ ବିଷ ପିଇ ଆତ୍ମହତ୍ୟା କରିବାକୁ ଯାଉଛି।ମୋ ପେଟରେ ଛ' ମାସର ଛୁଆଟିଏ ଅଛି।ମୋର ପେଟ ଚିରି ପୋଷ୍ଟମର୍ଟମ କରି ସେ ଛୁଆଟିକୁ କଷ୍ଟ ଦେବ ନାହିଁ।ଚିତାରେ କେବେ ବି ମୋତେ ମୁହଁ ମାଡି ଶୁଆଇବ ନାହିଁ।ଚିତ୍ କରି ଦେଇ ଶୁଆଇବ ଯେମିତି ସମସ୍ତେ ଭଲରେ ମୋ ପେଟ ଦେଖି ପାରିବେ।ମୋ ଭୁଲ୍ ଓ ଆତ୍ମହତ୍ୟାର କାରଣ ବୁଝି ପାରିବେ।ଚିତାରେ ନିଆଁ ଲଗାଇଲା ବେଳେ ସମସ୍ତେ କହିବ - ପ୍ରେମ ଯାହାର ଛଳନା , ସେ ନର୍କକୁ ଯାଉ....ନର୍କକୁ ଯାଉ....ନର୍କକୁ ଯାଉ।'
ଚିଠି ପଢି ସାରି ଝିଅଟିର ମୁହଁ ଆଡେ ଚାହିଁଲି।ହାୟ ! ମୋ ଭିତରୁ ଦୀର୍ଘଶ୍ବାସଟିଏ ଉତୁରିଗଲା।