ଘନିଷ୍ଠ ବନ୍ଧୁ ଶଙ୍ଖ ଓ ପିଲିୟ
ଘନିଷ୍ଠ ବନ୍ଧୁ ଶଙ୍ଖ ଓ ପିଲିୟ
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର । ଯା'ର ପ୍ରାପତି ଯୋଗୁଁ ଦେବତା ନର । ହଁ ଏ ସଂସାରରେ ବନ୍ଧୁତା ଏକ ଦିବ୍ୟ ଭାବର ପରିଚାୟକ । ବନ୍ଧୁତା ବଳରେ ମନୁଷ୍ୟକୁ ଦେବତ୍ଵ ପ୍ରାପ୍ତ ହୋଇ ଯାଏ । ଭଗଵାନ ଶ୍ରୀକୃଷ୍ଣଙ୍କସହ ବନ୍ଧୁତ୍ୱରୁ ସବ୍ୟସାଚୀ ହୋଇଗଲେ ଦ୍ଵିତୀକୃଷ୍ଣ । ବନ୍ଧୁତ୍ବ ଭିତରେ କିନ୍ତୁର କୌଣସି ପ୍ରଶ୍ନ ନାହିଁ । ସାମାନ୍ୟ ଟିକିଏ କିନ୍ତୁ ରହିଗଲେ ବନ୍ଧୁତ୍ଵର ସ୍ଵଚ୍ଛାକାଶରେ ଘୋଟିଆସେ କଳାବାଦଲ । ବନ୍ଧୁତ୍ୱ ବିଷୟରେ,ବୌଦ୍ଧ ଜାତକ ଗଳ୍ପ ପୃଷ୍ଠାରୁ ଗୋଟିଏ ସୁନ୍ଦର କାହାଣୀ ।
ଅନେକ ଦିନ ତଳର କଥା । ରାଜଗୃହରେ ଜଣେ ବଣିକ ବାସ କରୁଥିଲେ ତାଙ୍କ ନାମ ଶଙ୍ଖ । ଆଉ ଜଣେ ବଣିକ କାଶୀ ନଗରରେ ବାସ କରୁଥିଲେ, ନାମ ତାଙ୍କର ପିଲିୟ । ଦୁହେଁ ଥିଲେ ଘନିଷ୍ଠ ବନ୍ଧୁ । ଦୁହିଁଙ୍କ ପରିବାର ମଧ୍ୟରେ ବଡ଼ ସୌହର୍ଦ୍ଦ୍ୟ ଥାଏ । ଖିଆ ପିଆ, ଦିଆ ନିଆ ଚାଲି ଥାଏ । ହେଲେ ସବୁ ଦିନ କାହାର ସମାନ ଯାଏନା । ଦିନେ ଡକାୟତ ମାନେ ଆସି ପିଲିୟଙ୍କ ସବୁ ସମ୍ପଦ ଲୁଟିନେଲେ । କ୍ରମେ ଧାର କରଜକରି ବ୍ୟବସାୟ ଚଳାଇବାରେ ମଧ୍ୟ ସେ ସକ୍ଷମ ହୋଇ ନ ପାରି ଋଣ ବୋଝରେ ବୁଡ଼ି ଗଲେ । ଦିନେ ପତି ପତ୍ନୀ ବସି ତାଙ୍କ ଦୁଃଖ ବିଷୟରେ କଥାବାର୍ତ୍ତା ହେଉଛନ୍ତି ଏହି ସମୟରେ ବନ୍ଧୁ ଶଙ୍ଖ ଆସି ପହଁଚିଲେ । ସେ ବନ୍ଧୁ ପିଲିୟଙ୍କ ଦୁଃଖରେ ଦୁଃଖୀ ହୋଇ କହିଲେ, ମୁଁ ଥାଉଁ ଥାଉଁ ତୁମେ ଦୁଃଖ କରୁଛ କିଆଁ । ମୋର ଅଧେ ସମ୍ପତ୍ତି ତୁମ ନାମରେ କରିଦେଉଛି । ତୁମେ ଭାଙ୍ଗି ନପଡ଼ି ପୁଣି ତୁମର ବ୍ୟବସାୟ ଆରମ୍ଭ କର । କୃତଜ୍ଞତା ଜଣାଇ ପିଲିୟ କହିଲେ,ଏହି ଅଯାଚିତ ସାହାଯ୍ୟ ପାଇଁ ମୁଁ ତୁମ ପାଖରେ ଚିର ୠଣୀ ରହିଲି, ତୁମେ ବନ୍ଧୁ ନୁହଁ ସ୍ଵୟଂ ଭଗବାନଙ୍କ ଅବତାର ।
ଅର୍ଥ ପାଇ ପିଲିୟ ବ୍ୟବସାୟ ଚାଲୁ କରିଦେଲେ । ବ୍ୟବସାୟ ଖୁବ୍ ଭଲ ଚାଲିଲା । ଅଳ୍ପ କେଇ ଦିନ ମଧ୍ୟରେ ତାଙ୍କର ପୂର୍ବ ସୌଭାଗ୍ୟ ଫେରିଆସିଲା । ଠିକ୍ ଏହି ସମୟରେ ଶଙ୍ଖ ଦୁର୍ଭାଗ୍ୟର ସମ୍ମୁଖୀନ ହେଲେ । ତାଙ୍କ ବ୍ୟବସାୟ ଚାଲିଲା ନାହିଁ । ତାଙ୍କ ସମ୍ପତ୍ତି ବାଡ଼ି ସବୁ ଧିରେ ଧିରେ କମି ଆସି, କ୍ରମେ ସେ ଦାଣ୍ଡର ଭିକାରୀ ହୋଇଗଲେ । ଭାଇ କୁଟୁମ୍ବ ଯାହା ପାଖରେ ହାତ ପାତିଲେ ତାଙ୍କୁ ନାସ୍ତି ବାଣୀ ଶୁଣିବାକୁ ମିଳିଲା ।
ଏମିତି ପରିସ୍ଥିତିରେ ଦିନେ ତାଙ୍କ ପତ୍ନୀ କହିଲେ, ଚାଲ ଯିବା, ତୁମ ଅନ୍ତରଙ୍ଗ ବନ୍ଧୁଙ୍କ ପାଖକୁ । ସେ ହୁଏତ ଆମକୁ କିଛି ସାହାଯ୍ୟ କରିପାରନ୍ତି । ଶଙ୍ଖ ପତ୍ନୀଙ୍କ କଥା ଶୁଣି କହିଲେ, ଇଏ କିକଥା କହୁଛ ତୁମେ । ଦିନେ ବନ୍ଧୁ ପିଲିୟଙ୍କୁ ସାହାଯ୍ୟ କରିଥିଲି ବୋଲି ଆଜି ମୁଁ ତାର ପ୍ରତିଦାନ ମାଗିବି । ଦାନକୁ କଅଣ ପୁନଃ ମଗା ଯାଇ ପାରେ? ଏ ପାପ କାର୍ଯ୍ଯ ମୁଁ ତ କରି ପାରିବି ନାହିଁ । ହଉ କହୁଛ ଯଦି ଚାଲ ଯିବା । କିନ୍ତୁ, ତାଙ୍କୁ କିଛି ମାଗିବା ନାହିଁ । କେବଳ ତାଙ୍କ ଆତିଥ୍ୟ ଗ୍ରହଣ କରିବା । ଏହିପରି ହଁ ନାହିଁ ଅବସ୍ଥାରେ, ଦିନେ ସେମାନେ ଯାଇ ବନ୍ଧୁଙ୍କ ଘରେ ପହଞ୍ଚିଲେ ।
ବନ୍ଧୁ ବିଶାଳ ସମ୍ପତ୍ତିର ମାଲିକ, ତାଙ୍କୁ ଭେଟିବାଟା କଅଣ ସହଜ କଥା । ଜଣେ ଭୃତ୍ୟ ହାତରେ ଶଙ୍ଖ ଖବର ପଠାଇଲେ । ହେଲେ,ତାଙ୍କ କଥାକୁ କେହି ଶୁଣିଲେ ନାହିଁ । ଆହା ପଦେ କହିବାକୁ, ଅନ୍ତରଙ୍କ ବନ୍ଧୁ ପିଲିୟ ମଧ୍ୟ ଆସିଲେ ନାହିଁ । ମନ ଦୁଃଖରେ ସେମାନେ ଫେରି ଆସିଲେ । ବାଟରେ ଯାଉଛନ୍ତି, ହଠାତ୍ ତାଙ୍କର ଭେଟହୋଇଗଲା ପୁରୁଣା ଦିନର ଜଣେ ସେବାକାରୀ ସହ । ଲୋକ ଜଣକ, ନିଜର ପୁରୁଣା ଖାଉନ୍ଦଙ୍କୁ, ଘରକୁ ପାଛୋଟି ନେଇ ଯଥା ଶକ୍ତି ତାଙ୍କର ଚର୍ଚ୍ଚା କଲା । ପୁରୁଣା ମାଲିକାଣୀଙ୍କ ଠାରୁ ସେ ବନ୍ଧୁ ପିଲୀୟଙ୍କ ବ୍ୟବହାର କଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ ଓ ତୁରନ୍ତ ଯାଇ କାଶୀ ରାଜାଙ୍କ ପାଖରେ ଅଭିଯୋଗ କଲେ ।
କାଶୀ ରାଜା ଉଭୟ ବଣିକଙ୍କୁ ଡକାଇଲେ ଏବଂ କୃତଘ୍ନ ବନ୍ଧୁ, ପିଲିୟଙ୍କୁ କହିଲେ, ତୁମେ ଶଙ୍ଖଙ୍କ ଠାରୁ ନେଇଥିବା ସମ୍ପତ୍ତି, ତୁରନ୍ତ ଫେରାଇ ଦିଅ । ଶଙ୍ଖ କାନ୍ଦିକାନ୍ଦି ହାତଯୋଡ଼ି କହିଲେ,ମହାରାଜ ! ମୁଁ ଦାନ ଦେଇ ଥିବା ସମ୍ପତ୍ତିକୁ ଫେରାଇ ଆଣିବା ପାଇଁ ବନ୍ଧୁଙ୍କ ପାଖକୁ ଯାଇନଥିଲି, କେବଳ ଆହା ପଦେ ଶୁଣିବାକୁ ଯାଇଥିଲି । କିନ୍ତୁ ମୋ ଦୁର୍ଭାଗ୍ୟ ସେତକ ମଧ୍ଯ ହେଲା ନାହିଁ ।
ରାଜା କହିଲେ,ତୁମେ ସେହି ସମ୍ପତ୍ତି ଗ୍ରହଣ କରି ନ ପାର । ମାତ୍ର, ଏପରି କୃତଘ୍ନ ଲୋକ ପାଖରେ ତାହା ରହି ପାରିବ ନାହିଁ । ଏହାକୁ ବାଜ୍ୟାପ୍ତ କରି ଦୁଃଖୀ ରଙ୍କୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ଏପରି ବ୍ୟକ୍ତି କେବଳ ବନ୍ଧୁଦ୍ରୋହୀ ନୁହଁନ୍ତି, ଦେଶଦ୍ରୋହୀ ଏବଂ ରାଜ ଦ୍ରୋହୀ ମଧ୍ୟ । ଯିଏ ବନ୍ଧୁତାର ମୂଲ୍ୟ ବୁଝେ ନାହିଁ ତାକୁ ଦଣ୍ଡଦେବା ହିଁ ମୋର କର୍ତ୍ତବ୍ୟ । ଯିଏ ବିପଦରେ ପଡ଼ିଥିବା ବନ୍ଧୁଙ୍କୁ ସାହଯ୍ୟ କରେ ନାହିଁ, ପୁର୍ବ ଉପକାର ପାଶୋରି ଦିଏ, ସିଏ କେଉଁ ବନ୍ଧୁରେ ଗଣା । ବନ୍ଧୁତ୍ୱର ସଂଜ୍ଞା ନିର୍ଣ୍ଣୟକରି ପରା ଶାସ୍ତ୍ରରେ ସେପାଇଁ କୁହାଯାଇଛି :-
'ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ । ରାଜଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ'।
