Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Parameswar Ojha

Tragedy

3  

Parameswar Ojha

Tragedy

ଏପାଖ ସେପାଖ

ଏପାଖ ସେପାଖ

7 mins
615



  

ଲଗ୍ନା ସମୀକ୍ଷା ଏତେ ଘନିଷ୍ଠ ଥିଲେ ଯେ ସପ୍ତାହେ ପନ୍ଦର ଦିନ ଉଭୟ ଉଭୟଙ୍କ ଘରେ କଟେଇ ଦେଉଥିଲେ । ପରିବାର ଲୋକେ ଜାଣନ୍ତି ଏ କଥା । ଲଗ୍ନା କଲେଜ ପରେ ଘରକୁ ଫେରିନି ମାନେ ସମୀକ୍ଷା ଘରେ ଥିବ ସମୀକ୍ଷା ଫେରିନି ମାନେ ଲଗ୍ନା ଘରେ ଥିବ ବୋଉ କି ଭାଇଙ୍କର ଖବର ପାଇଁ ଗୋଟିଏ ଫୋନ୍ କଲ୍ ବାସ୍ ।


ସବୁକିଛି ଠିକ୍ ଠାକ୍ ଚାଲୁଥିଲା ବସିବା, ହସିବା, ଏକାଠି ବୁଲିବା ଗୁପଚୁପ , ଚାଟ୍ , ଚାଉମିନ ଖାଇବା ସିନେମା ଦେଖିବା , କ୍ଲାସ ଭିତରେ ସହପାଠିନୀମାନଙ୍କୁ ନାଲି ଆଖି ଦେଖାଇ ଲେଡି ଡନ୍ ସାଜିବା । ରାତି ରାତି ନ ଶୋଇ ମୋବାଇଲରେ ଫେସବୁକ ହ୍ବାଟସପରେ ଫଟୋ ଛାଡି ଟୋକାଙ୍କୁ ଜଳେଇବା । ବାଟରେ ଘାଟରେ କଲେଜ ଭିତରେ ବାହାରେ ଭିଡ଼ରେ ମୋଡରେ କୋଉ ଟୋକା ପଛରେ ପଡିଛି କିଏ ପାଗଳ ପ୍ରେମୀ ସାଜିଛି ଆଉ କିଏ ନିଜକୁ ଉପଯୁକ୍ତ ପ୍ରେମିକଟେ କରିବା ପାଇଁ ଲୋକ ଦେଖାଣିଆ ପ୍ରୟାସ ଚଲେଇଛି ..... ଏସବୁ ଖଟା ମିଠା କଥା ଆଲୋଚନାରେ ସମୟ ଗୁଡା କୁଆଡେ ବିତି ଯାଉଥିଲା ତା'ର କିଛି ଖୋଜ୍ ଖବର ସେମାନେ ରଖୁନଥିଲେ ଖାଲି ବାସ୍ ପ୍ରତ୍ୟେକ ମୁହୂର୍ତ୍ତକୁ ସେମାନଙ୍କ ହିସାବରେ ଉପଭୋଗ କରୁଥିଲେ ବେଖାତିର ଭାବେ ।


 କିନ୍ତୁ ମଝିରେ ଗୋଟେ ବ୍ୟତିକ୍ରମ ହୋଇଗଲା । ଲଗ୍ନା ବାପାଙ୍କ ମୁଣ୍ଡରେ କ'ଣ ପଶିଲା କେଜାଣି ଲଗ୍ନାର ବାହାଘର ପାଇଁ ଉଚ୍ଛନ୍ନ ହେଲେ । ଚାକିରିଆ ପୁଅ ଦେଖିଲେ ଏ ବାପା ମା ମାନେ ଏମିତି ଉଚ୍ଛନ୍ନ ହୁଅନ୍ତି କାଇଁ କେଜାଣି ?ବାହାଘର କରିବାକୁ । ଲଗ୍ନା ସୁନ୍ଦରୀଟା ତେଣୁ ଅଧିକ କିଛି ଅସୁବିଧା ହେଲାନି ଲାଗି ପାଗି ମାସକ ଭିତରେ ବାହାଘର ସ୍ଥିର ହୋଇଗଲା । ସମୀକ୍ଷାର ମନ ଯେତିକି ଖୁସି ସେତିକି ଦୁଃଖ ଲାଗିଲା । ସମୀକ୍ଷାର ମନେ ମନେ ଲଗ୍ନା ପ୍ରତି ଦୟା ଆସିଲା ବିଚାରୀ କେତେ ଶିଘ୍ର ବାନ୍ଧି ହୋଇଗଲା , ଗଲା ସ୍ବାଧୀନ ବିନ୍ଦାସ୍ ଜୀବନ ପାଣି ଫାଟି ଗ...ଅ..ଲା । 


ଆଉ ଗୋଟେ ଏମିତି ଘଟଣା ଘଟିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଲଗ୍ନାର ବାହାଘର ପୁଣି ସମୀକ୍ଷାର ଅନୁପସ୍ଥିତିରେ ! 


ହଁ କଥାଟା ଆଶ୍ଚର୍ଯ୍ୟ ହେଲେ ବି ସତ ହିଁ ଥିଲା , ସମୀକ୍ଷା ମାମୁର ହଠାତ୍ ଦେହ ଭୀଷଣ ଅସୁସ୍ଥ ହେଲା ଯେ ସେ ମେଡିକାଲରେ ରହି ଚିକିତ୍ସିତ ହେଲେ ମାସେ ‌। ଯେହେତୁ ମାମୁ ଘରକୁ ମାଇଁ ଏକୁଟିଆ ତେଣୁ ସମୀକ୍ଷା ସେଇ ମାସେ ଯାଏଁ ମାମୁଙ୍କ ପାଖରେ ମେଡିକାଲରେ ରହି ସେବା ଯତ୍ନ କଲା । ହେଲେ ମାମୁ ଦେହ ଅସୁସ୍ଥ କଥା ସମୀକ୍ଷା ମନରେ ଯେତିକି ଆଘାତ ଦେଉନଥିଲା ତାଠୁ ଅଧିକ ଆଘାତ ଦେଉଥିଲା ଲଗ୍ନା ବାହାଘରରେ ତାର ଅନୁପସ୍ଥିତି ।


ବାହାଘର ପରେ ଉଭୟେ ଉଭୟଙ୍କ ସଂସାରକୁ ନେଇ ବ୍ୟସ୍ତ ରହିଲେ । ୟା ଭିତରେ ତିନିବର୍ଷ ବିତିଗଲାଣି ହେଲେ ଲଗ୍ନା ସହ ଆଉ କୌଣସି ଯୋଗାଯୋଗ ନାହିଁ ସମୀକ୍ଷାର । ନମ୍ବର ବି ବୋଧେ ବଦଳେଇ ଦେଇଛି ସେ । ଲଗ୍ନା ଯେବେ ଗାଁକୁ ଆସେ ସମୀକ୍ଷା ସେତେବେଳେ ବାହାରେ ରହି ପଢୁଥାଏ ଡିପ୍ଲୋମା ।


ହଁ ଲଗ୍ନାର ବାହାଘର ପରେ ପରେ ସମୀକ୍ଷା ନିଜ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ବହୁତ ଯତ୍ନବାନ ହୋଇ ସାରିଥିଲା ।

କଲେଜ ସମୟର ମଉଜ୍ ମଜଲିସ୍କୁ ଛାଡି ଥଟ୍ଟା ମଜା ଗେଲ ତାମସାକୁ ଭୁଲି ହେଁ ହେଁ ଫେଁ ଫେଁ ହସକୁ ନିଜ ଭିତରେ ରଖି । ନିଜ ଚାଲି ଚଳନ କଥା ବାର୍ତ୍ତା ବ୍ୟବହାରକୁ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ କରି ନିଜକୁ ସ୍ଵାଭିମାନୀଟିଏ କରି ଗଢି ତୋଳିଛି । ଖାଲି ଗୋଟେ ଚାକିରିକୁ ଅପେକ୍ଷା କୋଉଠି ଗୋଟେ କିଛି ମିଳିଗଲେ ତାର ଗୋଟେ ବଡ ଚିନ୍ତା ଯାଆନ୍ତା । 


ହଠାତ୍ ଦିନେ ଲଗ୍ନା ସହ ଦେଖା ହୋଇଗଲା ଗାଁରେ । ସମୀକ୍ଷା ଶେଷ ବର୍ଷ ପରୀକ୍ଷା ଦେଇ ଆସିଥାଏ ଠିକ୍ ସେହି ସମୟରେ ଲଗ୍ନା ବି ଗାଁକୁ ବୁଲି ଆସିଥାଏ । ଲଗ୍ନା ସହଜେ ତ ସୁନ୍ଦରୀ ହେଲେ ଶାଢ଼ୀ ଶଙ୍ଖା ସିନ୍ଦୂରରେ ସେ ଅଧିକା ଝଟକୁ ଥାଏ । ଲଗ୍ନା ସେଇ ସେଇ ମାର୍କେଟ ବାହାରୁ ଥିଲା ସମୀକ୍ଷାର ନଜର ଯେମିତି ପଡି ଯାଇଛି ତା ଉପରେ ଆକ୍ଟିଭା ବନ୍ଦ କରି ଷ୍ଟାଣ୍ଡ୍ ମାରିଛି କି ନାଇଁ କୁଣ୍ଢେଇକି ବୁଲି ପଡ଼ିଲା ଘେରାଏ । " ଘରକୁ ଫେଏରେ ତୁ କଥା ହେବା " କହୁ କହୁ ସେଇଠି ଅଧଘଣ୍ଟା ପଳେଇଲା ଦୁହିଁଙ୍କର ।


ଲଗ୍ନାର ପୁଅକୁ ଦୁଇ ବର୍ଷ ହେଲାଣି। ଠିକ୍ ତାଆରି ମୁହଁ ଛିଣ୍ଡେଇକି ଆଣିଛି । ଲଗ୍ନା ଆଉ ତା ପୁଅ ସହ ଗପ ସପ ଥଟ୍ଟା ମଜା ଗେଲ ତାମସାରେ କେତେବେଳେ ଛୁଟି ସମୟ ଗୁଡା ଚାହୁଁ ଚାହୁଁ କଟି ଗଲା ସେ ତାର ଆଭାସ ବି ପାଇଲାନି ।


ହସ ଖୁସିରେ ସିନା ବିଦାୟ ଦେଇଥିଲା ସ୍ବପ୍ନାକୁ ହେଲେ ବଡ ଅବଶୋଶ ରହିଗଲା ମନରେ ସ୍ବପ୍ନାର ସ୍ବାମୀକୁ ସେ ଦେଖି ପାରିଲାନି ସେ କେମିତି କା ମଣିଷ । ଅଫିସ କାମରେ କ'ଣ ବ୍ୟସ୍ତ ରହିଗଲେ ଯେ ସାନ ଭାଇକୁ ପଠାଇଥିଲେ । ସାନ ଭାଇକୁ ଦେଖି ସମୀକ୍ଷା ଅନୁମାନ କରିଥିଲା ଏ ଟୋକାଟା ତ ଏମିତି ବଡ ଭାଇ ନିଶ୍ଚୟ ହ୍ୟାଣ୍ଡସମ ହୋଇଥିବ ।


ସତରେ vvବି ବଡ ନିଷ୍ଠୁର ହୋଇଯାଏ ବେଳେ ବେଳେ ଯାହାକୁ ମୁହୂର୍ତ୍ତେ ନ ଦେଖିଲେ ଗୋଟେ ଦିନ ନଦେଖିଲା ପରି ଲାଗେ , ଯାହା ସହ ଦିନ ସାରା ଚବର ଚବର ନହେଲେ ଦିନଟା ଭଲରେ ବିତେନି । ଏଇ ସମୟ ଏମିତି ଖେଳ ଖେଳି ଦିଏ ଯେ ତା ସହ କେବେ ଭେଟ ହେବ କି ନ ହେବ ତା'ର କିଛି ଠିକ୍ ଠିକଣା ନ ଥାଏ । ଅତି ନିକଟରେ ଥିବା ମଣିଷଟି ବି ବହୁତ ଦୂରକୁ ଚାଲିଯାଏ ବିଦେଶିନୀ ପରି ।


କିନ୍ତୁ ଆଉ ଦିନେ ଗାଁକୁ ଆସିଥିଲା ଲଗ୍ନା ତା ନଣନ୍ଦ ବାହାଘର ପାଇଁ ବାପା ବୋଉଙ୍କୁ ସାଥିରେ ନେବାକୁ । ଦେଖା ହୋଇଗଲା ତ ଏଥର ଜିଦ୍ ଧରିଲା 


- " ତୁ ମୋ ସାଙ୍ଗରେ ଯିବୁ ମାନେ ଯିବୁ , ମୁଁ କିଛି ଶୁଣିବିନି । ଘରେ ତ ଏବେ ବସିଛୁ କ'ଣ କାମ କରି ଖୋବାଳୁଛୁ ଯେ ? କହୁଥିଲୁ ପରା ମୋ ହିରୋକୁ ଦେଖିବୁ । ଚାଲ୍ ତାଙ୍କୁ ଦେଖିଦେବୁ ଆଉ ସେଠି କିଛି ଦିନ ରହି ବୁଲି କି ଆସିବୁ ।" 


ମନା କରିବାର କିଛି ଚାରା ନଥିଲା ସମୀକ୍ଷାର । ବାଧ୍ୟ ହୋଇ ଲଗ୍ନା ସାଙ୍ଗରେ ତା ଶାଶୁ ଘରକୁ ଗଲା । କିନ୍ତୁ ସେଠି ଗୋଟେ ଏମିତି ମଣିଷ ତା'ର ସାମ୍ନା ହେବ ବୋଲି ସେ କେବେ ବି ଭାବି ନଥିଲା । 


ଉପରୁ ଭଦ୍ର ନମ୍ର ଶିକ୍ଷିତ ଜଣା ପଡ଼ୁଥିବା ମଣିଷଟେ । ସମସ୍ତଙ୍କୁ ହସ ହସ ମୁହଁରେ , ଆଜ୍ଞା ଆପଣରେ ଆପ୍ୟାୟିତ କରୁଥିବା ଏ ଅଧା ବୟସ ଯୁବକ ଜଣକ ଏତେ ଅଭଦ୍ର ଅସାମାଜିକ ଛୋଟ ପ୍ରକୃତିର ହୋଇଥିବ ତାହା ଅଙ୍ଗେ ଲିଭେଇ ଥିଲେ ମଧ୍ୟ ତଥାପି ସମୀକ୍ଷାକୁ ବିଶ୍ବାସ ହେଉନଥିଲା ଯେ ସେ ମଣିଷ ଜଣକ ତା ପ୍ରିୟ ବାନ୍ଧବୀ ଲଗ୍ନାର ସ୍ବାମି ବୋଲି ।


 **************************


 ( କିଛି ମାସ ପୂର୍ବରୁ ) 


ସମୀକ୍ଷାର ବାହାଘରକୁ ନେଇ ମୋଟେ ଦୂର୍ବଳତା ନାହିଁ । ପ୍ରଥମେ ଚାକିରି କରି ନିଜ ଗୋଡ଼ରେ ଠିଆ ହେବ ତାପରେ ଯୋଉ କଥା । ଫର୍ମ ପକେଇଲାଣି ଯେ କେତେ ଯାଗା ହେଲେ କାଇଁ କୋଉଠୁ ତ ଫୋନ୍ କି ଚିଠି ଆସୁନି ? 

ସେଥିପାଇଁ ତା ମନ ଦୁଃଖ ସବୁବେଳେ ଚିନ୍ତିତ । ଦୁଇ ବର୍ଷର ମୂଲ୍ୟବାନ ସମୟ ପଢା ପଢି ମୁଣ୍ଡ ବିନ୍ଧା ରାତି ରାତି ଅନିଦ୍ରା ଆଉ ତା ସାଙ୍ଗକୁ ଖର୍ଚ୍ଚ ଅଢେଇ ଲକ୍ଷ । ଯେତେ ଶିଘ୍ର ଚାକିରି ମିଳିବ ସେତେ ଶିଘ୍ର ମନକୁ ଟିକେ ଶାନ୍ତି ଆସିବ । ହେଲେ ସମୀକ୍ଷାଠୁଁ କାହିଁ କେତେ ଦୂରରେ ତା ମନର ଶାନ୍ତି । 


*******************


ଆଜି ସମୀକ୍ଷାର ମନ ବହୁତ ଖୁସି ଚିଠି ଆସିଛି । ଏମ୍ .କେ ପ୍ରାଇଭେଟ୍ ଲିମିଟେଡରୁ ତା ନାଁରେ । ଡକେଇଛନ୍ତି ୨୨ ତାରିଖକୁ ଇଣ୍ଟରଭିୟୁ ପାଇଁ ।


*******


ଆଜି ଇଣ୍ଟରଭିୟୁ । ରାତି ସାଢ଼େ ତିନିରୁ ଉଠି ସବୁ ବହିରୁ ଅଳ୍ପେ ବହୁତେ ଖେଳେଇ ସାରି ଟିକେ ଆଖି ବୁଜି ଦେଇ ପୁଣି ସାଢ଼େ ଛଅରେ ଉଠି ନିତ୍ୟକର୍ମ ସାରି ମନ୍ଦିର ଯାଇ ପ୍ରାର୍ଥନା କରି ଆସି ସାରିଲାଣି ସମୀକ୍ଷା । ସରକାରୀ ନ ହେଲା ନାହିଁ ବେସରକାରୀରେ ହେଲେ ଲାଗିଯାଉ ।


ସେଠି ପହଞ୍ଚୁ ପହଞ୍ଚୁ ଦଶଟା ବାଇଶି । ସକାଳୁ ରୁଟି ସନ୍ତୁଳା ଖାଇକି ଆସିଥିଲା ଘରୁ ଭୋକ ଅଧିକ ନ ଲାଗୁଥିଲେ ବି ତଣ୍ଟି ଅଠା ଅଠା ଲାଗିଲା । ପଇଁ ତିରିଶ ଟଙ୍କିଆ ମାଜା ଗୋଟେ କିଣି ପିଇଲା ସେ ।ସେଠୁ ଅଟୋ ଧରିଲା , ଅଧଘଣ୍ଟାର ରାସ୍ତା ପରେ ପହଞ୍ଚିଲା ଯାଇ ସେଠି । ସେ ଯେମିତି ଭାବୁଥିଲା ଭିଡ଼ ସେତେ ନଥିଲା କୋଡ଼ିଏ ତିରିଶ ଜଣ ଅପେକ୍ଷାରେ ଥିଲେ । ସେ ଯାଇ ନାଁ ଲେଖେଇ ନମ୍ବର କରେଇଲା । ତା ନାଁ ଡକା ହେଉ ହେଉ ଗୋଟେ ପନ୍ଦର ।  


ଭାଗ୍ୟ ଭଲ ମଝିରେ ଯାଇ ଇଟିଲି ଘୁଗୁନି ଖାଇକି ଆସିଥିଲା ନହେଲେ ଭୋକରେ ତା ମୁଣ୍ଡ କିଛି କାମ କରି ନଥାନ୍ତା । କାହିଁକି ନା ସେ ଭୋକ ସମ୍ଭାଳି ପାରେନି । ଦିନେ ବୋଉର ଭଜା ବନେଇବା ଡେରି ହୋଇ ଯାଇଥିଲା ବୋଲି କଞ୍ଚା ବାଇଗଣ ଟମାଟୋ ପୁଳେ ଖାଇ ଦେଇଥିଲା ପରେ ବୋଉ ଯେତେବେଳେ ଡାକିଲା ଖାଇବାକୁ ବହେ ବର୍ଷିଯାଇଥିଲା ତା ଉପରେ ।


ଇଣ୍ଟରଭିୟୁ ରୁମ୍ ଭିତରେ ପଶିବା ପୂର୍ବରୁ ଟିକେ ନର୍ଭସ ଥିଲା ସେ । ଗୋଟେ ଦୀର୍ଘଶ୍ବାସ ନେଇ ଭିତରକୁ ଗଲା ।


ଦୁଇଜଣ ଯୁବକ ଜଣେ ଯୁବତୀ ବସିଥିଲେ । ଗୁଡ ଆଫଟର ନୁନ କହି ସମୀକ୍ଷା ସମ୍ଭାଷଣ ଜଣାଇଲା । ପଚରା ଯାଇଥିବା ପ୍ରଶ୍ନର ଯଥା ସମ୍ଭବ ଉତ୍ତର ଦେଲା ପରେ । ପ୍ରଶ୍ନ ଓ ଉତ୍ତର କାଗଜ ଟିକୁ ସମୀକ୍ଷା ହାତକୁ ବଢ଼େଇ ଦେଇ ଝିଅଟି କହିଲା


 - " ସେ ରୁମରେ ସାର୍ ଅଛନ୍ତି ଯାଆନ୍ତୁ "


ସମୀକ୍ଷା ଯାଉ ଯାଉ ଭାବୁଥାଏ " ଆହୁରି ପୁଣି କେ ଅଛନ୍ତି ଉପରିସ୍ଥ ? ମୁଁ ତ ଭାବୁଥିଲି ସରିଗଲା ବୋଲି "


- " ମେ ଆଇ କମିଙ୍ଗ୍ ସାର୍ " 


ଡୋର୍ ଅଳ୍ପ ଖୋଲି ପଚାରିଲା ସମୀକ୍ଷା ।


- " ପ୍ଲିଜ କମ୍ " 


 ଭିତରକୁ ପଶିଲା ପରେ ପୁଣି 


- " ଗୁଡ୍ ଆଫଟର ନୁନ୍ ସାର୍ "  


- " ପ୍ଲିଜ ସିଡାଉନ୍ "


 ସମୀକ୍ଷା ଚେୟାର ଅଳ୍ପ ପଛକୁ ଟାଣି ବସିଲା । ସାମ୍ନାରେ ବସିଥିଲେ ୩୫ /୩୮ ବର୍ଷର ଯୁବକଟିଏ । ସବୁ ସାର୍ଟିଫିକେଟ ଆବଶ୍ୟକୀୟ କାଗଜ ଗୁଡିକ ଖେଳଉ ଖେଳଉ ଚଷମା ଭିତରୁ ଉତ୍ତର ଦେଲେ -" କ'ଣ ଇଏ , ପଚରାଯାଇଥିବା ପ୍ରଶ୍ନର ତ ସନ୍ତୋଷଜନକ ଉତ୍ତର ସେମିତି କିଛି ଦେଇନ ? "


- " ସରି ସାର୍ , ତଥାପି ମୁଁ ଚେଷ୍ଟା କରିଥିଲି " 


-" ମାର୍କସିଟରେ ବି ବିଶେଷ କିଛି ଭଲ ନାହିଁ " 


ସମୀକ୍ଷା ଡରିଗଲା ମନେ ମନେ ଭାବିଲା

 

" ଗଲା ଏ ଚାକିରିଟା ହାତ ଛଡା ହୋଇଯିବ , ଏ କଣ ସବୁଥିରେ ଅସନ୍ତୁଷ୍ଟ ହେଲେଣି ? "


ସାର୍ କିଛି ସମୟ ସମୀକ୍ଷା ମୁହଁକୁ ଦେହକୁ କେମିତି ଗୋଟେ ଅଲଗା ପ୍ରକାର ଚାହିଁଲେ , ତା ପରେ ବାଁ ହାତରେ ଚଷମା ଖୋଲି ଟେବୁଲ ଉପରେ ରଖି ଦେଇ କହିଲେ


- " ଟପ୍ପର ପିଲା ଘରେ ବସୁଛି କିନ୍ତୁ ୫୦ % ରଖିଥିବା ପିଲା ଯଦି ଭଲ ଯାଗାରେ ଚାକିରି ପାଇ ପାରୁଛି ‌ ତେବେ ଆପଣ କାହିଁକି ନୁହନ୍ତି ? "


- " ସରି ସାର୍ ବୁଝି ପାରିଲିନି "


ସେ ବ୍ୟକ୍ତି ଜଣକ ଗୋଡ଼ ଆଣି ସମୀକ୍ଷା ଗୋଡ଼ରେ ଘଷୁ ଘଷୁ ପଚାରିଲେ । 


- " ତୁମେ ଏତେ ବି ଛୋଟ ପିଲା ନୁହଁ ମ ଯେ ମୋ କଥା ବୁଝି ପାରୁନ " 


ସମୀକ୍ଷା ଚମକି ପଡ଼ିଲା 


-" ସରି ସାର୍ , ଯାହା କହିବାକୁ ଚାହୁଁଛନ୍ତି ସିଧା ସିଧା ପରିଷ୍କାର କରି କୁହନ୍ତୁ " 


- " ସେକ୍ସ୍ କହିଲେ ଆପଣ କ'ଣ ବୁଝନ୍ତି ? "


ସମୀକ୍ଷାର ଛାତିରେ ଯେମିତି ନିଆଁ ଲାଗିଗଲା , ତଥାପି ନିଜ କ୍ରୋଧକୁ ନିୟନ୍ତ୍ରଣ କରି କହିଲା ।


- " ଯୌନ କ୍ରିୟା ବା ମୈଥୁନ "


-" ଆପଣ କାହା ସହ କରିଛନ୍ତି ଯୌନ କ୍ରିୟା ବା ସେକ୍ସ ? "



କେତେ ବେଲଜ୍ୟା ଅଭଦ୍ର ଏ ଲୋକଟା କି । ଶିଷ୍ଟାଚାର ଟିକେ ବି ନାହିଁ।

ତଥାପି ନିଜକୁ ସମ୍ଭାଳି ନେଇ କହିଲା 


- " ଏଭଳି ପ୍ରଶ୍ନର ଉତ୍ତର କ'ଣ ଆପଣଙ୍କ କମ୍ପାନୀ ପାଇଁ ନିହାତି ପ୍ରଯୁଜ୍ୟ ?" 


- " ଭାବି ନିଅନ୍ତୁ ସେଇ ଭଳି , କମ୍ପାନୀ ପାଇଁ ନହେଲେ ବି ଆପଣଙ୍କ ଉଜ୍ଜ୍ୱଳ ମୟ ଭବିଷ୍ୟତ ପାଇଁ , ଆଉ ଆମ ଦୁହିଁଙ୍କ ପାଇଁ ନିହାତି ।"


- " ମାନେ ? ବୁଝି ପାରିଲିନି "


-" ମୁଁ ଯଦି ଆପଣଙ୍କୁ କୁହେ । ଆପଣଙ୍କ ସହ ଗୋଟେ ବେଡ଼ରେ ଗୋଟେ ଘଣ୍ଟା ଆଉ ତା ପ୍ରତିବଦଳେ ମାସକୁ ପଚାଶ ହଜାର ଟଙ୍କାର ଚାକିରି । ତେବେ ? "


ସମୀକ୍ଷା କାଗଜ ସାର୍ଟିଫିକେଟ ସବୁ ସେ ଲୋକଟି ହାତରୁ ଛଡେଇ ଆଣିଲା । ଇଚ୍ଛା ହେଉଥିଲା ତା ଦୁଇ ଗାଲରେ ଠୋ ଠୋ କରି ଦୁଇ ଚାପୁଡ଼ା ବସେଇ ଦେବାକୁ । ହେଲେ ବୟସରେ ବଡ ଜାଣି ଟିକେ ପଛେଇଲା ।


 ଗୋଟେ ବିରକ୍ତି ମିଶା ମୁହଁରେ ଘୃଣାର ଛେପ ମୁହଁକୁ ଫୋପାଡି ଦେଇ ଚାଲି ଆସୁଥିଲା , ସେ ପଛରୁ ପୁଣି ଡାକିଲେ 


- " ଭାବି ଦେଖନ୍ତୁ ମାସକୁ ୫୦ ହଜାର ! ସବୁଠି ମୋ ପରି ଚରିତ୍ରମାନଙ୍କୁ ହିଁ ପାଇବ । ନିଜକୁ କେତେ ବଞ୍ଚେଇବ ? 

ଭଲ ଦରମାରେ ଚାକିରି ଏମିତି ଖାଲି ଖାଲି ମିଳି ଯାଏନି ମ୍ୟାଡମ । ସେ ପୁଣି ଏଭଳି ନାମକରା କମ୍ପାନୀରେ ।


- " ଦରକାର ନାହିଁ ଆପଣଙ୍କ ଏ କମ୍ପାନୀରେ ଚାକିରି , ଆବଶ୍ୟକ ନାହିଁ ଚରିତ୍ର ନିଲାମରେ ଟଙ୍କା ? ମନେରଖ ମୋର ଟଙ୍କା ଆବଶ୍ୟକ ଥାଇ ପାରେ ହେଲେ ମୁଁ ବେଶ୍ୟା ନୁହେଁ । "

 

ବାସ୍..... 


ଆଉ କେବେ ବି କୌଣସି ଇଣ୍ଟରଭିୟୁକୁ ଯାଇନି ସମୀକ୍ଷା ।

 



ହେଲେ ଆଜି ଏ କଣ ଦେଖୁଛି ସେ ? ତା ପ୍ରିୟ ବାନ୍ଧବୀ ଲଗ୍ନାର ସ୍ବାମୀ ହେଉଛି ଏ ଦେହ ଲୋଭୀ ଅମଣିଷଟା । 


ସମୀକ୍ଷା ଏବେ ଚିନ୍ତିତ କ'ଣ କରିବ ? 


ଲଗ୍ନାକୁ ଜଣେଇଲେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ମହାଭାରତ ହୋଇଯିବ ଆଉ ନ ଜଣାଇଲେ ଏ ଉଚ୍ଚ ପଦବୀରେ ବସିଥିବା ମଣିଷଟା କେତେ ଝିଅଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଉପଭୋଗ କରୁନଥିବ କିଏ କହିବ ? 



କିନ୍ତୁ ସମୀକ୍ଷା ଏବେ କ'ଣ କରିବ ? କିଛି ହଠାତ୍ ସ୍ଥିର କରି ପାରିଲାନି । 


କେବଳ ଲଗ୍ନାକୁ କହିଲା - ପାଣି ଗ୍ଲାସେ ଦେଲୁ ଭାରି ଶୋଷ ।"

____________୦୦୦___________

✍️.. ପରମେଶ୍ବର ଓଝା

ମହାକାଳପଡ଼ା ,  କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ-- ୬୩୫୫୧୩୩୩୦୧


Rate this content
Log in

More oriya story from Parameswar Ojha

Similar oriya story from Tragedy