ଏନ. ଏଚ-୧୬
ଏନ. ଏଚ-୧୬


କଟକ କୁ ଭୁବନେଶ୍ୱର ସହ ଯୋଡୁଥିବା ଜାତୀୟ ରାଜପଥ ୧୬ ଏମିତିରେ ସବୁବେଳେ ଗହଳି ଚହଳି ଲାଗିରହିଥାଏ, କିନ୍ତୁ ରାତି ୧୧ଟା ପରେ ପ୍ରାୟତଃ ଯାତ୍ରୀବାହୀ ଗାଡି ମଟର ବନ୍ଦ ହୋଇଯାଏ। ଯାହା କେବଳ ସେହି ମାଲବାହୀ ଗାଡି ଚଳପ୍ରଚଳ କରୁଥାଏ। ସବୁଦିନ ଭଳି ସେଦିନ ବି ମଦନ ଅଟୋ ନେଇ ଯାଇଥାଏ ଭୁବନେଶ୍ୱରକୁ ତାର ପେଟପାଟଣା ପାଇଁ। ଠାକୁରଙ୍କ ଦୟାରୁ ସେଦିନ ତାର ବହୁତ ଭଲ ରୋଜଗାର ବି ହୋଇଥାଏ। କହିବାକୁ ଗଲେ ସେଦିନ ତାର ସବୁଦିନ ଅପେକ୍ଷା ୪-୫ଗୁଣ ଅଧିକ ବେପାର ହୋଇଥାଏ। ତେଣୁ ତାର ମନ ଭାରି ଖୁସିଥାଏ।
ସେତେବେଳକୁ ରାତି ପ୍ରାୟ ୯.୩୦ ତାର ସମସ୍ତ ବେପାର କାର୍ଯ୍ୟ ସରିଯାଇଥାଏ। ଫେରିଲାବେଳକୁ ତାର ମନେପଡ଼ିଲା ଯେ ଘରୁ ଆସିଲା ବେଳେ ତାର ସ୍ତ୍ରୀ ରାଧା କହିଥିଲା ଯେ ଘରର ସମସ୍ତ ରାସନ ସାମଗ୍ରୀ ଶେଷ ହୋଇଯାଇଛି। ତା ସହ ତାର ଏକମାତ୍ର ଝିଅ ସୋନି କହିଥିଲା ତା ପାଇଁ ଆଜି ଫେରିଲାବେଳକୁ ଯେମିତି ହଉ ଖେଳଣା ନେଇକି ଆସିବାପାଇଁ, କାରଣ ବହୁତ ଥର ତାକୁ ମିଛ କହି ଠକୁଥାଏ ମଦନ କେବଳ ସେହି ଟଙ୍କା ପାଇଁ।ତେଣୁ ମଦନ ଭାବିଲା ଆଜି ସବୁ କିଛି କିଣାକିଣି କରି ନେଇଯିବ। ଆଜି ତାର ସ୍ତ୍ରୀ ଓ ଝିଅ ସେସବୁ ଦେଖିଲେ ବହୁତ ଖୁସି ହୋଇଯିବେ।
ଏମିତି ଭାବି ଭାବି ମାଷ୍ଟର କାଣ୍ଟିନ ଛକରୁ ମାର୍କେଟ ବିଲ୍ଡିଂଗ ଅଭିମୁଖେ ଗାଡି ବୁଲେଇ ବାହାରିଗଲା। କିଛିସମୟ ପରେ ସେଠି ପହଂଚି ଯାହାସବୁ କିଣା କିଣି କରିବା କଥା ସେସବୁ କିଣି ଫେରୁଥାଏ। ହଠାତ ଶୁଣିଲା ଯେ ଆଗକୁ ରଜ ଥିବାରୁ ଶାଢ଼ୀ ଓ ଡ୍ରେସ ଉପରେ ଭଲ ରିହାତି ମିଳୁଛି, ତେଣୁ ସେ ତାର ସ୍ତ୍ରୀ ପାଇଁ ଏକ ନୀଳ ଶାଢ଼ୀ ଓ ଝିଅ ପାଇଁ ଏକ ନାଲି ଡ୍ରେସ କିଣିଲା। ସବୁକିଛି କିଣାକିଣି କରିସାରି ଘରକୁ ଫେରିଲା ବେଳକୁ ରାତି ପ୍ରାୟ ୧୧.୩୦।
ଭୁବନେଶ୍ୱର ରୁ ତାର ଘର ପ୍ରାୟ ୨୫-୩୦ କିମି ହବ। ସେହି ନଖରା ପାଖରେ ଥିବା ଏକ ଗାଁରେ। ମଦନ ଅଟୋ ଷ୍ଟାର୍ଟ କରି ଘରକୁ ଫେରୁଥାଏ। ସେତେବେଳକୁ ଆଉ ସେମିତି କିଛି ଗାଡି ମଟର ଯାଉନଥାଏ,ଖାଲି ଯାହା ଗୋଟେ ଗୋଟେ ମାଲବାହି ଟ୍ରକ ଯାଉଥାଏ ଓ ଆସୁଥାଏ। ବହୁତ ଡେରି ହୋଇଯିବାରୁ ତାର ସ୍ତ୍ରୀ ରାଧା ଫୋନ କରେ ମଦନ କୁ, ଆଉ ପଚାରେ ଏତେ ଡେରି ହବାର କାରଣ। ମଦନ ବି ତାକୁ ସବୁକିଛି ସତ କହିଦିଏ, ହେଲେ ଏତେସବୁ କିଣାକିଣି କରି ନଉଛି ବୋଲି କିଛି କହିନଥାଏ। ପୁଣି କୁହେ ଆଉ ଅଧିକ ହେଲେ ସେହି ୩୦ ମିନିଟ ଭିତରେ ଲାଗିବ ଘରେ ପହଞ୍ଚିବାକୁ। ସେତେବେଳକୁ ସେ କୁଆଖାଇ ବ୍ରିଜ ଅତିକ୍ରମ କରିସାରିବା ପରେ ନହରକଣ୍ଟା ଛକ ଅତିକ୍ରମ କରୁଥାଏ। ସେ ଛକ ଅତିକ୍ରମ କରିସାରି କିଛିବାଟ ଆଗକୁ ଆସିଲାପରେ ଟିକେ କୋଳାହଳ ମୁକ୍ତ ଅଞ୍ଚଳ ପଡେ, କହିବାକୁ ଗଲେ ରାସ୍ତାର ଦୁଇ ପଟରେ କେବଳ ବିଲବାଡ଼ି ଛଡା ଆଉ କିଛି ନଥାଏ।
ସେତେବେଳକୁ ମଦନ ଗାଡି ପୁରା ଜୋରରେ ଚଳଉଥାଏ କାରଣ ସେହିଭିତରେ ତାର ସ୍ତ୍ରୀ ରାଧା ଆହୁରି ୨ ଥର କଲ କରିସାରିଥାଏ। କଲ କରିବାର କାରଣବି ଥିଲା। କାହିଁକିନା ମଦନ କେବେବି ଏତେ ରାତି ଯାଏଂ ଡେରି କରେନି। ସନ୍ଧ୍ୟା ୭.୦୦ ଟା ଭିତରେ ସେ ଘରକୁ ଫେରିଆସେ। ସେଦିନ ଦରକାରଠୁ ଅଧିକ ଡେରି ହଉଥିବାରୁ ତାର ସ୍ତ୍ରୀ ରାଧା ମନକୁ ପାପ ଆସୁଥାଏ। ଏହିଭିତରେ ମଦନ ହଠାତ କିଛି ଦୂରରୁ ଦେଖିଲା ଯେ ଏକ ୨୦ବର୍ଷର ଝିଅଟିଏ ହାତ ଦେଖେଇ ଲିଫ୍ଟ ପାଇଁ ଇସାରା କରୁଛି ଆଗକୁ ଯିବାପାଇଁ, ଆଉ ପାଖରେ ଏକ କାର ବି ଛିଡା ହୋଇଛି ତେଣୁ ସେ ଭାବିଲା ଯେ କାର ଟି ବୋଧେ ସେ ଝିଅର ଖରାପ ହୋଇଯାଇଛି ତେଣୁ ସେ ଘରକୁ ଯିବାପାଇଁ ଲିଫ୍ଟ ମାଗୁଛି।
ଏମିତିରେ ମଦନ ଘରକୁ ଫେରିଲାବେଳେ କାହାକୁବି ଗାଡ଼ିରେ ଉଠାଏନି, କିନ୍ତୁ ସେଦିନ ମଦନ ମନରେ ମଣିଷ ପଣିଆ ଜାଗ୍ରତ ହେଲା, ତେଣୁ ସେ ଭାବିଲା ଏମିତି ଏକ ନିଛାଟିଆ ରାସ୍ତାରେ ଏତେ ରାତ୍ରିରେ ଏକୁଟିଆ ଝିଅଟିକୁ ଛାଡିଯିବା ଠିକ ହବନି। ଏବେ ଯେମିତି କାଳ ବେଳ ହେଲାଣି କିଛିବି ଘଟିପାରେ, ଏମିତି ଭାବି ଭାବି ସେ ଗାଡିଟିକୁ ନେଇ ସେଇ ଝିଅପାଖରେ ଅଟାକାଏ, ଆଉ ପଚାରେ ଏତେ ରାତିରେ ଏକୁଟିଆ ଏଠି ଠିଆ ହେବାର କାରଣ। ସେ ଝିଅ କୁହେ ଯେ ତାର କାରଟି କଣ ଖରାପ ହୋଇଯାଇଛି, ଜମା ବି ଷ୍ଟାର୍ଟ ହଉନି, ତା ଛଡା ଫୋନରେ ବି ଚାର୍ଜ ନାହିଁ, ଏଠି ପ୍ରାୟ ୩୦ ମିନିଟ ହେଲା ଠିଆ ହେଲିଣି ହେଲେ ଗୋଟେବି ଯାତ୍ରୀ ବାହି ଗାଡି କି ଅଟୋ ଦେଖୁନି। ତେଣୁ ଆପଣ ଦୟାକରି ମତେ ଟିକେ ସାହାଯ୍ୟ କରନ୍ତୁ। ମତେ ଟିକେ ଆମଘରେ ନେଇ ଛାଡ଼ିଦେଇ ଆସନ୍ତୁ। ଆପଣ ଯଦି କହିବେ ଯେତିକି ଭଡା ତାର ୩-୪ଗୁଣା ଅଧିକ ଦେବି, ହେଲେ ଦୟାକରି ମତେ ନେଇ ଆମ ଘରେ ଟିକେ ଛାଡ଼ିଦେଇ ଆସନ୍ତୁ। ମୁଁ ଆପଣଙ୍କୁ ହାତ ଯୋଡୁଛି।
ଆଚ୍ଛା ହଉ ହଉ ଆସନ୍ତୁ ମାଡାମ ବସନ୍ତୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଏତେ ରାତିରେ ସାହାଯ୍ୟ କରିଥିବାରୁ। ତାପରେ ମଦନ କୁହେ, ଖାଲିରେ ସାହାଯ୍ୟ କରୁନି ମାଡାମ, ସେଥିପାଇଁ ତ ଅଧିକ ଭଡା ନେବିନା। ସେ ଝିଅ କିଛି ନକହି ସେମିତି ଚୁପରୁହେ। ଏମିତି କିଛିବାଟ ଯିବା ଭିତରେ ମଦନ ପୁଣି ପଚାରେ, ମାଡାମ ଗୋଟେ କଥା ପଚାରିବି କିଛି ଖରାପ ଭାବିବେନି। ହଁ ପଚାର। ଏତେ ରାତିରେ ଏକୁଟିଆ ଆପଣ କୁଆଡେ ଯାଇଥିଲେ? କିଛି ଉତ୍ତର ନଦେଇ ସେଝିଅ ସେମିତି ଚୁପ ରୁହେ। ତେଣୁ ଆଉ ମଦନ କିଛି ନପଚାରି ଜୋରରେ ଅଟୋ ଚଲେଇବାକୁ ଲାଗେ।
କିଛିସମୟ ପରେ ଅଟୋ ଯାଇ ସେ ଝିଅ ଘର ଆଗରେ ପହଁଞ୍ଚିଯାଏ। ସେତେବେଳକୁ ରାତି ପ୍ରାୟ ୧୨.୩୦ ପରେ ହେବ। ସେ ଝିଅ ଗାଡିରୁ ଓଲହେଇ ମଦନ କୁ ପଚାରେ କେତେ ଟଙ୍କା ଦେବାପାଇଁ। ମଦନ କୁହେ ଯେ ୫୦୦ ଟଙ୍କା ଦିଅନ୍ତୁ। ହେଲେ ସେ ଝିଅ କୁହେ ଯେ ମୋ ପାଖରେ ଏବେ ମାତ୍ର ୩୦୦ ଟଙ୍କା ଅଛି, ଆପଣ ଟିକେ ଅପେକ୍ଷା କରନ୍ତୁ ମୁ ଘରୁ ଆଣିକି ଦଉଛି। ମଦନବି ସେ ଝିଅ କଥାରେ ହଁ ଭରି ସେଇଠି ଅପେକ୍ଷା କରେ। କଣପାଇଁ ବା ଅପେକ୍ଷା କରନ୍ତାନି ତାର ହକ ପଇସା, ଏତେ ରାତିରେ ପରିଶ୍ରମ କରି ଆଣି ସେଝିଅକୁ ତାର ଘରେ ସୁରକ୍ଷିତ ଭାବେ ଛାଡିଛି। ଏମିତି କିଛିସମୟ ଗଲାପରେ ସେ ଝିଅ ଆଉ ନଫେରିବାରୁ ମଦନର ସନ୍ଦେହ ହେଲା, ତେଣୁ ସେ ତାର ଘରକୁ ଯାଇ କବାଟ ଠକ ଠକ କରିବା ସହ କଲିଂ ବେଲ କୁ ବାରମ୍ବାର ଚିପିଲା।
ଏମିତି କିଛିସମୟ ଗଲାପରେ ସେହି ଘରୁ ଦୁଇଜଣ ବୁଢା ବୁଢ଼ୀ ବାହାରିଲେ ଆଉ ଏତେ ରାତିରେ ଡାକିବାର କାରଣ ପଚାରିଲେ। ମଦନ ସେଇଠୁ ସବୁକିଛି ସତ ସତ କହିଲା ଆଉ ମୋର ୨୦୦ ଟଙ୍କା ହଉଛି ଦେଇଦେଲେ ମୁଁ ପଳେଇବି କାରଣ ବହୁତ ଡେରି ହେଲାଣି। ମଦନ ଠାରୁ ଏମିତି କଥା ଶୁଣି ତାଙ୍କ ଆଖିରେ ଲୁହ ଆସିଗଲା ଆଉ ଘରର ଏକ କାନ୍ଥ ଆଡକୁ ଆଙ୍ଗୁଳି ନିର୍ଦେଶ କରି କହିଲେ ଦେଖ ସେ ଫୋଟୋ କୁ, ସେହି ଝିଅ ଥିଲା ନା? ମଦନ ହଁ କୁହେ, ଆଉ ସେ ଝିଅର ଫୋଟୋ ରେ ମାଳା ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରେ ଯେ ସେ ଫୋଟୋରେ ମାଳା କଣ ପାଇଁ ଦେଇଛନ୍ତି?
ତାପରେ ସେ ବୁଢା ବୁଢ଼ୀ କୁହନ୍ତି ଯେ ଆଜକୁ ୨୦ବର୍ଷ ତଳେ ଆମେ ଅଫସି କାମ ସାରି ଆମର ଏକମାତ୍ର ଝିଅକୁ କଲେଜରୁ ଧରି ଘରକୁ ଫେରୁଥିଲୁ, ଯେଉଁଠି ଦୁର୍ଘଟଣା ଘଟିଲା ସେହି ପାଖରେ ଏକ କଫି ଦୋକାନ ଥିଲା, ସେଇଠିକୁ ଆମ ଦୁହେଁ କଫି ପିଇବା ପାଇଁ ଯାଇଥାଉ ଝିଅକୁ କାର ରେ ବସେଇଦେଇ,ହଠାତ ଦେଖିଲୁ ଏକ ଟ୍ରକ ଆସି ଆମ କାରକୁ ପଛପାଖରୁ ଧକ୍କା ଦେଇ ଚାଲିଗଲା। ସେହି ଦୁର୍ଘଟଣାରେ ଆମ ଝିଅ ମିତାର ମୃତ୍ୟୁ ଘଟିଛି। ହେଲେ ଆମେ ବଂଚିଗଲୁ। ସେଦିନ ସେଇଠି କାର ରଖିଦେଇ ବହୁତ କଷ୍ଟରେ ଆମେ ଆସି ଘରେ ପହଂଚିଥିଲୁ। ଆପଣଙ୍କ ଭଳି ଏମିତି ଅନେକ ଲୋକଙ୍କ ସହ ବହୁତ ଥର ଘଟିଲାଣି, ଆଉ ଆମେ ବହୁତବାର ଟଙ୍କା ଦେଇ ସେମାନଙ୍କୁ ବିଦାୟ ଦେଉଛୁ। ଆପଣ ଟିକେ ଅପେକ୍ଷା କରନ୍ତୁ ମୁଁ ଆପଣଙ୍କ ଟଙ୍କା ନେଇ ଆସୁଛି।
ଏତିକି କଥା ଶୁଣିସାରିବା ପରେ ମଦନ ଆଶ୍ଚର୍ଯ୍ୟ ଚକିତ ହୋଇଯାଏ, ଆଉ ଟଙ୍କା ପଇସା କିଛି ନଆଣି ଅଟୋ ଷ୍ଟାର୍ଟ କରି ଏକ ମୁହାଁ ହୋଇ ଘର ଅଭିମୁଖେ ବାହାରିଆସେ। କିଛିସମୟ ପରେ ମଦନ ଆସି ଘରେ ପହଁଚେ, ସେପଟେ ତାର ସ୍ତ୍ରୀର ଆଖିକୁ ନିଦ ଆସୁନଥାଏ ସେ ଚାହିଁ ରହିଥାଏ ତାର ସ୍ୱାମୀ ମଦନର ଫେରିବା ବାଟକୁ। ହଠାତ କବାଟ ଠକଠକ ହେବାରୁ ରାଧା ଖୁସିରେ ଦୌଡ଼ିଯାଇ କବାଟ ଖୋଲେ, ମଦନକୁ ଦେଖି ଖୁସି ହୋଇଯାଏ।ହେଲେ ମଦନ ତରତର ହୋଇ ସବୁ ଜିନିଷ ପତ୍ର ଧରି ଘରେ ପସିଯାଏ, ଆଉ ପାଣି ଗ୍ଲାସ ଟେ ଆଣିବା ପାଇଁ ତାର ସ୍ତ୍ରୀକୁ କୁହେ। ପାଣି ପିଇ ସାରିବା ପରେ ସବୁକିଛି ଗୋଟିଗୋଟି କରି ତା ସହ ଯାହାବି ଘଟିଯାଇଥିଲା ତାର ସ୍ତ୍ରୀ ରାଧାକୁ କୁହେ।
ସେସବୁ ଶୁଣିସାରିବା ପରେ ରାଧା ବହୁତ ଚିଡ଼େ ମଦନ ଉପରେ ଆଉ କୁହେ ଆମର ଦରକାର ନାହିଁ ଅଧିକ ବେପାର ଆଉ ପଇସା, କାଲିଠୁ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଆସିବ ଯେମିତି ସବୁଦିନ ଫେରିଆସୁଥିଲ। ମଦନ ତାର ସ୍ତ୍ରୀ କଥାରେ ହଁ ଭରି କୁହେ, ଆଉ ଡେରି କରନି ଡାର୍ଲିଂଗ ଯାଅ କଣ କରିଛ ବଢାବଢି କର ଖାଇବା ବହୁତ ଭୋକ ହେଲାଣି। ରାଧା ଯାଏ ବଢା ବଢି କରିବା ପାଇଁ ଏପଟେ ମଦନ ଫ୍ରେଶ ହୋଇ ଆସେ,ତାପରେ ସାଙ୍ଗ ହୋଇ ଉଭୟ ଖାଆନ୍ତି। ଖାଇସାରିବା ପରେ ମଦନ ଆଣିଥିବା ଶାଢ଼ୀ ଓ ଡ୍ରେସ ସବୁକୁ ଦେଖାଏ ରାଧାକୁ, ସେସବୁ ଦେଖି ରାଧା ଖୁସି ହୋଇଯାଏ,ହେଲେ ଏତେ ଖର୍ଚ୍ଚ କରିଥିବାରୁ ଟିକେ ଚିଡ଼େ, କାରଣ ତାଙ୍କର ଝିଅଟିଏ, କିଛି ସଞ୍ଚୟ କରିଲେ ଆଗକୁ ବହୁତ କାମରେ ଆସିବ। ତାପରେ ସାଙ୍ଗ ହୋଇ ଉଭୟ ଶୋଇଯାନ୍ତି। ସେହି ଘଟଣା ପରଠୁ ମଦନ କେବେବି ଆଉ ଘରକୁ ଫେରିବାରେ ବିଳମ୍ବ କରେନି, ସନ୍ଧ୍ୟା ହେବାପୁର୍ବରୁ ସବୁଦିନ ଘରକୁ ଫେରିଆସେ।