ଏ ସୃଷ୍ଟିର ଆମେ ସ୍ରଷ୍ଟା
ଏ ସୃଷ୍ଟିର ଆମେ ସ୍ରଷ୍ଟା


ପ୍ରାଚୀନ କାଳରେ ଗୁରୁକୁଳ ଆଶ୍ରମରେ ଶିଷ୍ୟମାନେ ଶିକ୍ଷା ଗ୍ରହଣ କରୁଥିଲେ । ପ୍ରାକୃତିକ ପରିବେଶ ଜଙ୍ଗଲ ହେଉଥିଲା ସେମାନଙ୍କ ବିଦ୍ୟାଳୟ । ବିଦ୍ୟା ଅଧ୍ୟୟନ ସହ ଗୋପାଳନ,ସମିଧସଂଗ୍ରହ, କୃଷିକର୍ମ ଏମିତି ଅନେକ କର୍ମ ସେମାନଙ୍କୁ କରିବାକୁ ପଡୁଥିଲା । ଥରେ ଗୁରୁଦେବ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିବା ବେଳେ କହିଲେ,ଈଶ୍ବର ହେଉଛନ୍ତି ଏକ ଏବଂ ଅଦ୍ବିତୀୟ । ସେ ହିଁ ପରଂବ୍ରହ୍ମ, ଯାହାର ଆକାର ନାହିଁ,ସେ ନିରାକାର । ସେ ସବୁଠାରେ ବିଦ୍ୟମାନ, ଏପରିକି ସେ ସମସ୍ତଙ୍କ ହୃଦୟେ ବାସ କରନ୍ତି,ଏହା ଶୁଣି ଜଣେ ଶିଷ୍ୟ ହଠାତ୍ ଉଠି ପ୍ରଶ୍ନକଲେ "ଗୁରୁଦେବ! ଯଦି ଭଗବାନ ନିରାକାର ତେବେ ଲୋକମାନେ ୟେ ରାମ,ୟେ କୃଷ୍ଣ,ୟେ ରାଧା ୟେ ସୀତା କାହିଁକି ରୂପ ଦେଉଛନ୍ତି ? ଯଦି ଭଗବାନ ସବୁଠାରେ ଏବଂ ସମସ୍ତଙ୍କ ହୃଦୟରେ ଅଛନ୍ତି ତେବେ ଲୋକମାନେ କାହିଁକି ମନ୍ଦିରକୁ ଯାଉଛନ୍ତି ?"ଗୁରୁ ଶିଷ୍ୟକୁ କହିଲେ ଠିକ୍ ଅଛି ତୁମେ ରାତ୍ରଭୋଜନ ପରେ ମୋତେ ଆସି ଦେଖାକର । ଶିଷ୍ୟଟି ଗୁରୁଙ୍କ କଥାନୁସାରେ ରାତିରେ ଆସି ଦେଖା କଲେ । ଗୁରୁ କହିଲେ " ଏ ସମସ୍ତ କାର୍ଯ୍ୟ ଶେଷହେବା ପରେ ଯାଇକି ଶୋଇବ ।" ଗୁରୁଙ୍କ ଆଦେଶ କ୍ରମେ କାର୍ଯ୍ୟ ସମାପ୍ତ କରୁକରୁ ସକାଳ ହୋଇଗଲାଣି , ସେ ଗୁରୁଙ୍କୁ ଦେଖାକରି ଶୋଇବାକୁ ଗଲେ ହେଲେ ସେ ଏତେ ଉଜ୍ଜ୍ବଳରେ ଶୋଇବ କେମିତି ? ଗୋଟିଏ କୋଠରୀକୁ ଯାଇ ସବୁ କବାଟ ଝରକା ବନ୍ଦକରି ଅନ୍ଧାର କରି ଶୋଇଲେ । ଉଠିଲା ପରେ ପୁଣିଯାଇ ଗୁରୁଙ୍କୁ ପଚାରିଲେ ଗୁରୁଦେବ ! ମୁଁ ମୋ ପ୍ରଶ୍ନର ଉତ୍ତର ଏଯାଏଁ ପାଇପାରିଲି ନାହିଁ । ଗୁରୁଦେବ କହିଲେ "ତୁମ ପ୍ରଶ୍ନର ଉତ୍ତର ତୁମ ପାଖରେ ହିଁ ଅଛି " । ଶିଷ୍ୟ ଜଣକ କହିଲେ "କେମିତି " ? ଗୁରୁଦେବ କହିଲେ ଦେଖ, ତୁମେ ଶୋଇବାପାଇଁ କ'ଣ କଲ? ଗୋଟିଏ କୋଠରୀକୁ ଯାଇ କବାଟ,ଝରକା ଦେଇ ଅନ୍ଧାର କଲ ଅର୍ଥାତ୍ ଗୋଟିଏ କୃତ୍ରିମ ରାତି ସୃଷ୍ଟିକଲ ,ସେହିପରି ବ୍ୟସ୍ତବହୁଳ ଜଞ୍ଜାଳ ଗ୍ରସ୍ଥ ଲୋକମାନେ ମନରେ ଟିକିଏ ଶାନ୍ତି ପାଇବା ଆଶାରେ ପବିତ୍ର ଭାବନା ନେଇ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯାଆନ୍ତି । ଯାହା ସେମାନେ ନିର୍ମାଣ କରିଛନ୍ତି ଠାକୁରଙ୍କ କୃତ୍ରିମ ସ୍ଥାନ ମନ୍ଦିର । ଆଉ ରୂପଦେବା କଥା,ଆମେ ପସନ୍ଦ ଅନୁସାରେ ରୂପ ଦେଇଥାଉ । ଆମେ ଯେଉଁ ରୂପକୁ,ଯେଉଁ ନାମରେ ଡାକିଲେ ମଧ୍ୟ ସେ ଏକ ,ପରଂବ୍ରହ୍ମ ହିଁ ଶୁଣିବେ । ଏଥର ବୁଝିପାରିଲ, ଏ ସୃଷ୍ଟି ହେଉଛି ପ୍ରକୃତିଦତ୍ତ ,ହେଲେ ମଧ୍ୟ ତା'ର ରକ୍ଷଣାବେକ୍ଷଣା ଦାୟିତ୍ବ ଆମର । ଯଦି ପ୍ରକୃତିଦତ୍ତ ଜଙ୍ଗଲକୁ ଆମେ ନଷ୍ଟ କରିଦେଉଛେ ତେବେ ଏ ସୃଷ୍ଟିର ରକ୍ଷା ନିମନ୍ତେ ପୁଣି ଥରେ ଆମକୁ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ପଡିବ । ଏଥର ବୁଝିପାରିଲ ଏ ସୃଷ୍ଟିର ସ୍ରଷ୍ଟା କିଏ ? ସ୍ରଷ୍ଟାହେଲେ ଆମେମାନେ । ନୀତିଶିକ୍ଷା : -୧)ଭଗବାନ ଅଦ୍ବିତୀୟ ଏକ,ନିରାକାର ତାଙ୍କୁ ପାଇବା ପାଇଁ ସତ୍ କର୍ମ କରିବା ଉଚିତ । ୨) ନୂତନ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଆମର କର୍ତ୍ତବ୍ୟ ।