ମୁଁ ଏକ ମାଆ
ମୁଁ ଏକ ମାଆ


"ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ " ଅର୍ଥାତ୍ ମାଆ ଓ ଜନ୍ମଭୂମି ସ୍ବର୍ଗ ଠାରୁ ବଡ଼ ବା ଶ୍ରେଷ୍ଠ । ସତରେ "ମାଆ ପରି କିଏ ହେବରେ ,ପ୍ରାଣ ଦିଏ ଯିଏ,ତାଙ୍କ ସେବାରେ ।" ଦୁନିଆରେ ସବୁଠାରୁ ମଧୁର ଓ ପବିତ୍ର,ବିକଳ୍ପହୀନ ନାମ ହେଉଛି ମାଆ । ମା ଗୋଟିଏ ଅକ୍ଷର ନିହାତି ଶବ୍ଦ ଟିଏ କିନ୍ତୁ ତା'ର ଅର୍ଥ ବହୁତ ବଡ଼ ଓ ବ୍ୟାପକ । ସୃଷ୍ଟିର ବୈଚିତ୍ର୍ୟ ମାତୃତ୍ବ ମମତାର ମୂଲ ଅମାପ । ସେ ହିଁ ସନ୍ତାନର ରାହା ଓ ରକ୍ଷାକବଚ । ତେଣୁସଂସାରର ଅମୂଲ୍ୟ ରତ୍ନ ହେଉଛି ମା,ଏହି ନାମ ଯୋଗୁଁ ସଂସାର ମଧୁମୟ ହୋଇପାରିଛି । ତେଣୁ କୁହାଯାଏ "ସୁଖ ହେଉ ବା ଦୁଃଖରେ,ମାଆ ଥାଏ ଛୁଆ ସାଥିରେ ।" ସ୍ରଷ୍ଟାଙ୍କର ସର୍ବୋତ୍ତମ କଳାକୃତି ହେଉଛି ମାଆ,ଯିଏ କି ଦୟା,କ୍ଷମା,ମମତା କରୁଣା ଗୁଣର ଅଧିକାରୀ ଓ ତ୍ୟାଗମୟୀ ମୂର୍ତ୍ତିଟିଏ । ତାହାରି କୋଳରୁ ହିଁ ମାନବ ଜୀବନର ଆରମ୍ଭ । ସେହିପରି ସମାଜସେବୀ,ବରେଣ୍ୟା ମାଆ ହେଉଛନ୍ତି ନିର୍ମଳା ଦେବୀ ଯିଏ କି ନିଜ ସନ୍ତାନ ପାଇଁ ଭୋଗ ପଥକୁ ତିରସ୍କାର କରି ତ୍ୟାଗ ପଥକୁ ଆଦରି ନେଇଥିଲେ ।
ନିର୍ମଳାଦେବୀଙ୍କ ଉପଯୁକ୍ତ ସମୟରେ ବାହାଘର ହୋଇଥିଲା । ଠିକ୍ ତିନିବର୍ଷ ପରେ ସ୍ବାମୀ ସ୍ବର୍ଗବାସ କଲେ କୋଳରେ ବର୍ଷକର ଶିଶୁପୁତ୍ର ।ନିର୍ମଳାଦେବୀଙ୍କୁ ମୋଟେ ୨୭ ବର୍ଷ । ତାଙ୍କ ନିକଟକୁ ବାପା ମା,ଭାଇ ଓ ଭାଉଜ ସମସ୍ତ ପରିବାର ଚାଲିଆସିଲେ,ସମସ୍ତେ ସ୍ନେହରେ କୋଳେଇ ନେଲେ । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା"ନିର୍ମଳାର ଦ୍ବିତୀୟ ବାହାଘର କରାଯାଉ,ଏତେ ବଡ଼ ଜୀବନ ପଡିଛି ତା ସାଙ୍ଗମାନେ ମଧ୍ୟ କେତେ ବାହାହେଇନାହାନ୍ତି ,ସେଥିରେ ପୁଣି ବାହାଘର ହୋଇ ତିନିଟା ବର୍ଷ,ସେ କି ଘର ସଂସାର କରିଛି ? ପୁଅଟିକୁ ବାପଘର ରଖିଦିଅନ୍ତୁ ,ନିର୍ମଳାକୁ ପୁନଃ ବିବାହ କରେଇଦିଅନ୍ତୁ " । ବେଳେବେଳେ ସମୟ ମନୁଷ୍ୟକୁ ଏପରି ଦୋଛକି ଆଣି ଛିଡାକରିଦିଏ, ସେ ଭାବିପାରେନି କ'ଣ କରିବା ଠିକ୍ ହେବ ?ଘରେ ଯାହା କହୁଛନ୍ତି ଠିକ୍ ନା ସେ ଯାହା ଚିନ୍ତା କରୁଛି ଠିକ୍ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜି ଆସିଗଲେ ନିର୍ମଳାଦେବୀଙ୍କ ବଡ଼ଭଉଣୀ ସେ ଘରେ ପ୍ରତିବାଦ କରି କହିଲେ "ଆରେ !ନିର୍ମଳା କ'ଣ ଚାହୁଁଛି,ତା'ର ନିଷ୍ପତ୍ତି କ'ଣ? ତାକୁ ଆଗ ଶୁଣ,ତାପରେ ତୁମମାନଙ୍କ ମତ ରଖିବ କିନ୍ତୁ ବିବାହ ପାଇଁ ବାଧ୍ୟକରିବ ନାହିଁ । ନିର୍ମଳା କ'ଣ କହିବ ?ସେ ଚିନ୍ତା କରି କହିଲେ ଯେ "ମୋ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ମୁଁ ପୂରଣ କରିବି,ସ୍ବାମୀଙ୍କ ସନ୍ତକ ପୁଅର ଯୋ ଦାୟିତ୍ବ ମୋତେ ଦେଇଯାଇଛନ୍ତି ତା'ର ସୁରକ୍ଷା କରିବି, ତାକୁ ଭଲ ମଣିଷ ଟିଏ କରିବି । ଯେହେତୁ ମୁଁ ଗୋଟେ ମା....ତ୍ୟାଗମୟୀ ।"ତ୍ୟାଗେନୈକେ ଅମୃତତ୍ବ ମାନସୁଃ..."ତ୍ୟାଗ ହିଁ ଉଚିତ ପଥ,ତ୍ୟାଗ ହିଁ ଆଦର୍ଶ ତ୍ୟାଗର ପରାକାଷ୍ଠାରେ ହିଁ ସମଗ୍ର ବିଶ୍ବ ତିଷ୍ଠିରହିଛି ।
ତ୍ୟାଗରେ ହିଁ ମନୁଷ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବ,ଭୋଗରେ ନୁହଁ କେବଳ ସୁଖ ମିଳିବ ହେଲେ ପ୍ରକୃତ ଆନନ୍ଦ ମିଳିବ ନାହିଁ ।ତାପରେ ନିରୀହ ଶିଶୁଟିର ଦୋଷ ଅବା କ'ଣ? ସେ ପିତୃସୁଖରୁ ବଞ୍ଚିତ ହେଲା,ପୁଣି ମାତୃ ସୁଖରୁ ବଞ୍ଚିତହେବ ତା ମା ଥାଉ ଥାଉ ? ନା ସେ କଥା ହୋଇପାରିବ ନାହିଁ ।ମୁଁ ତାର ବାପା ଆଉ ମୁଁ ତାର ମା,ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କୈଣସି ଅସୁବିଧା ହେବାକୁ ଦେବିନି ।" ବୋଲି ସଫା ସଫା କହିଦେଲେ ନିର୍ମଳା ଦେବୀ ତେଣୁ ଦିତୀୟ ବିବାହ ପାଇଁ କିଏ ବାଧ୍ୟ କଲେନି ।ନିର୍ମଳାଦେବୀ କହିଦେଲେ ସିନା,ସବୁବେଳେ ବାପା ଭାଇ ଉପରେ ନିର୍ଭର କଲେ ମା,ପୁଅ ।କିଛି ଦିନପରେ ବାପା କହିଲେ "ମା ରେ ତୋ ପୁଅ ତ ଦେଢ଼ ବର୍ଷର ହୋଇଗଲାଣି ଏଥର ତାକୁ ଭାତ ଖୁଆଇଦେ ।ଗୋଟିଏ ସେର୍ଲେକ୍ ଡ଼ବା ଆଣିଲେ ସପ୍ତାହେ ଯାଉନି କେତେ କିଣିବା ? ନିର୍ମଳାଦେବୀଙ୍କୁ ଖରାପ ଲାଗିଲା ଗୋଟିଏ ଘରେ ଭାଇର ଝିଅ ଅଢେଇ ବର୍ଷ ହେଲାଣି ତଥାପି ସିଏ ଲାକ୍ଟୋଜେନ୍ ସେର୍ଲେକ୍ ଖାଉଛି । ପୁଅକୁ ଦେଢ଼ ବର୍ଷ ତାପରେ ଲାକ୍ଟୋଜେନ୍ କିଣା ପଡୁନି । ସେଥିର ସକାଳେ ଫଳସିଝା ଓ ଡାଲି ଭାତ ଥରେ ସିନା ଖୁଆଇବେ ରାତିରେ ଭାତ କେମିତି ଖୁଆଇବେ ?ନିର୍ମଳାଦେବୀ ମନେ ମନେ ସ୍ଥିର କଲେ ପୁଅପାଇଁ ମୋତେ କିଛି ବ୍ୟବସ୍ଥା କରିବାକୁ ପଡିବ । ତେଣୁ ଘର ପାଖରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କଲେ ପରେ ଟିୟୁସନ୍ କରି ପୁଅର ସମସ୍ତ ଦାୟିତ୍ବ କଷ୍ଟେ ମଷ୍ଟେ ଚଳାଇନେଲେ । ଶିଶୁ ପାଇଁ ସେ ଉଭୟ ମାଆ ବାପା ପାଲଟି ଯାଇଥିଲେ । ସେ ଜାଣିଥିଲେ ମାତୃତ୍ବ ଯାତ୍ରା ହେଉଛି ଆନନ୍ଦ ଦାୟକ । ପ୍ରତ୍ୟେକ ମଣିଷ ଆନନ୍ଦ,ସୁଖ ଚାହାନ୍ତି ,ସେହି ସୁଖ ଲାଭ ନିମିତ୍ତ ସମଗ୍ର ଜୀବନବ୍ୟାପୀ ଚେଷ୍ଟା ହିଁ ଦୁଃଖର କାରଣ ହୋଇଥାଏ । ମନୁଷ୍ୟ ଜୀବନରେ ତିନିଭାଗ କେବଳ ଦୁଃଖ,ଅଶ୍ରୁ,ଯନ୍ତ୍ରଣା ଥିବାବେଳେ ମାତ୍ର ଏକଭାଗ ସୁଖ ବା ଆନନ୍ଦ ଥାଏ । ବିଚାରଶୀଳ ମନୁଷ୍ୟ ଦୁଃଖଭିତରେ ପ୍ରକୃତ ଆନନ୍ଦର ମାର୍ଗ ଖୋଜେ । ଟିକିଏ ସୂକ୍ଷ୍ମ ଭାବରେ ବିଚାର କଲେ 'ସୁଖ' ଓ 'ଆନନ୍ଦ ଅଲଗା ଶବ୍ଦ ଏବଂ ଅଲଗା ଅନୁଭବ । ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ତଫାତ୍ ।ସୁଖ ହେଉଛି ଇନ୍ଦ୍ରିୟଜାତ,ପାର୍ଥିବ,ବିଷୟ ବିକାର ଜଡିତ ଏକ ସୁଖାନୁଭୂତି ଯାହା କ୍ଷଣସ୍ଥାୟୀ । କିନ୍ତୁ ଆନନ୍ଦ ହେଉଛି ଅତୀନ୍ଦ୍ରିୟ,ଅପାର୍ଥିବ ଓ ଅପ୍ରାକୃତିକ ।ସୁଖ ସ୍ଥୁଳତଃ ଦେହ ସମ୍ପର୍କିତ ହେଲାବେଳେ ଆନନ୍ଦ ଦେହାତୀତ । ତେଣୁ ଭୋଗ ଅପେକ୍ଷା ତ୍ୟାଗରେ ପ୍ରକୃତ ଆନନ୍ଦ ମିଳିଥାଏ ତେଣୁ ତ୍ୟାଗମୟୀ ମା ଯୁଗେ ଯୁଗେ ବନ୍ଦନୀୟା ।