Titi Sarangi

Inspirational

3  

Titi Sarangi

Inspirational

ଏ କାଳ ସେ କାଳ

ଏ କାଳ ସେ କାଳ

2 mins
13.8K


ଅଖଣ୍ଡ କାଳ ପ୍ରବାହରେ କାଇଁ କୋଉଠି ତ ବାଡ କି ପାଚେରୀ ପଡି ନଥାଏ । ତେବେ ଏ କାଳ ସେ କାଳ କଥାଟା କେମିତି ସୃଷ୍ଟି ହେଲା ବୁଝି ପାରେନି ନୀତା । ଶାଶୁ କହନ୍ତି ,"ସେ କାଳେ ଆମର କିଛି ସୁବିଧା ନଥିଲା । ଗୋବର ଲିପା ଘର,ପାଣି କଢା ,ଗୁହାଳ ପୋଛା ଆଦି ଯାବତୀୟ କାମ କଣ ଏ କାଳକୁ ଅଛି?" ଅବଶ୍ୟ ସତକଥା । କିନ୍ତୁ ଏ କାଳର ଚାଲି ଚଳଣୀ କଣ ସେ କାଳେ ଥିଲା ? ଅଧିକାଂଶ ସମୟ ଗରମ ଭାତ ,ପଖାଳ ଭାତରେ ଚଳୁଥିଲା । ଏବେ ତ ଅଲଗା ସମୟ ପାଇଁ ଅଲଗା ରୋଷେଇ ଆଉ ସପ୍ତାହ ଭିତରେ କୋଉଟା ରିପିଟ୍ ହବନି । ଖାଇବାରେ କେତେ ଫ୍ୟାଟ୍,କେତେ କାର୍ବୋହାଇଡ୍ରେଟ୍ ,କେତେ ପ୍ରୋଟିନ୍ ଦେହକୁ ଗଲା ତା ହିସାବ ବି ରଖିବାକୁ ପଡୁଛି । ନହେଲେ ଆଜିକାଲିକା ବେମାରୀ ସବୁ ମାଡି ବସିବେ । ତେବେ ଦାୟିତ୍ୱଟା ଏ କାଳକୁ କମିଲା କୋଉଠି ?

ଜୀବନ ଶୈଳୀରେ ଏମିତି ଅବୁଝା କଥାକୁ ସହିହୁଏ । କିନ୍ତୁ ସେକାଳର ଦୁଃଖ ଆଉ ଏ କାଳର ଦୁଃଖର ସଂଜ୍ଞା ଭିତରେ ବି କଣ ପାର୍ଥକ୍ୟ ଅଛି ? ସେଥର ଭଣଜା ବୋହୂ ଗୃହ ପ୍ରବେଶ ବେଳକୁ ଭାଣିଜୀ ଅଡି ବସିଲେ ମୁଦି ନେବେ ବାଟ ଜଗା ପାଉଣାରେ । ସେଇଠି ଆଉ ଜଣେ ନଣନ୍ଦ କହିଲେ ,"ଆଲୋ ଏ କାଳକୁ ସେଗୁଡା ଆଉ ନାହିଁ। ମୋ ଝିଅ ବାହାଘରକୁ ତା ଶାଶୁ ପରା ଘରେ କୁଣିଆମାନଙ୍କ ପଛେ ପଛେ ବୁଲୁଥିଲେ କାଳେ ଦବାନବାରେ ମୋ ଝିଅକୁ କିଏ କାଳେ ଖୁଣି ଦବ ବୋଲି । ସେ ଆଉ ତୁ ମୁଦିଟେ ପାଇଁ ଅଡି ବସୁଛୁ କଣ ?'" ନୀତା ଆଶ୍ଚର୍ଯ୍ୟ ହୋଇଯାଏ । ଏ କାଳରେ ଆଉ ସେସବୁ ନାହିଁ ନା ସେ ଝିଅର ଶାଶୁ ବହୁତ ଭଲ !! 

ପଚାରିବାକୁ ଇଛା ଥିଲେ ବି ନୀତା ପଚାରେନି । କାରଣ ସେ କାଳ ଏ କାଳ ନୁହଁ ଏଇଟା ମଣିଷପଣିଆ ।ଆଉ ମଣଷପଣିଆର ମହାନତା ଭଲ ମଣିଷଟେ ହିଁ ବୁଝିପାରେ । ନହେଲେ ଅନ୍ୟର ଭଲଗୁଣକୁ ଏ କାଳର ନିୟମ କହି ଅଣଦେଖା କରି ଦଉଥିବା ମଣିଷମାନଙ୍କୁ କଣ ଅବା କହି ପାରିବା ? ସେ ଭଲ କି ଜାଣିଛି ତାଙ୍କ ଝିଅର ଶାଶୁଟି ଭଲ ବୋଲି ଏ ପଦକ ସିଏ କହିଲେ । ନହେଲେ ସେଇ ହୁଏତ କହିଥାନ୍ତେ "ମୋ ଝିଅର ନଣନ୍ଦ ଭଲକି ଗିଫ୍ଟ ମାଗିଲା ,ତୁ ଆମର ଜମା ଛାଡେନି "। କାରଣ କଷ୍ଟଟା ଉପରେ ସମସ୍ତେ ବୁଝନ୍ତି । ନହେଲେ ଅନ୍ୟକୁ ଉପଦେଶ ଦେଇ ମହାନ ବୋଲାଉଥିବା ଲୋକଙ୍କର କଣ ଅଭାବ ଆଜିକାଲି ??


Rate this content
Log in

Similar oriya story from Inspirational