ଶାଶୁ ଘରକୁ ଆସିବା ପରେ ଅନେକ ପର ଲୋକଙ୍କୁ ଆପଣାର କରୁ କରୁ ସ୍ୱାମୀଙ୍କ ମାଇଁ ଅର୍ଥାତ ପୁରବୀଙ୍କ ମାଇଁ ଶାଶୁ ଖୁବ ଅଲଗା ଲାଗୁଥିଲେ. କଥା ବାର୍ତ୍ତା, ଚାଲିଚଳନ ସବୁଥିରେ ଆପଣାପଣ ସାଙ୍ଗକୁ କେମିତି ଗୋଟେ ନିଆରା ଆନ୍ତରିକତା ଭରି ରହିଥିଲା ପୁରବୀ ପାଇଁକି. ବରଡ଼ା ଓ ଝାଉଁ ସହ କିଛି କାଠ ଜାଳି ରୋଷେଇ କରିବା ପ୍ରଥା ଏଯାଏଁ ଥିଲା ପୁରଵୀଙ୍କ ଶାଶୁ ଘରେ ତ ଅଟା ଚକୁଳି ଦିଟା କରୁକରୁ ମୁଣ୍ଡରୁ ଗୋଡ଼ ଯାଏଁ ଝାଳ ନିଗିଡି ପଡୁଥିଲା ପୁରଵୀଙ୍କର. ଅନଭ୍ୟସ୍ତ କାଠ ଚୁଲି ଉପରେ ଲୁହା ତାୱାରେ ଅଟା ଚକୁଳି ଦିଟା କରିପାରୁନ ତ ତୁମ ଶାଶୁଙ୍କ ବରାଦରେ ସରୁଚକୁଳି, ଚିତଉ, ପୁଳି କେମିତି କରିବ ଝିଅ କହି ପୁରବୀଙ୍କୁ ଚୁଲି ମୁଣ୍ଡରୁ ଉଠାଇ ନିଜେ କରିଚାଲିଥିଲେ ସରୁ ସରୁ ଅଟା ଚକୁଳି ସବୁ. ଠିକ ଠାକ ପାଣି ମାପ ସାଙ୍ଗକୁ ଜାଳ ଠିକ ତାତି ପାଇଲେ ପିଠା ସରୁ, ନରମ ଓ ସ୍ୱାଦିଷ୍ଟ ହେବ ବୋଲି ହାତ ଧରି ବୁଝାଇ ଦେଇଥିଲେ ମାଇଁ. କଥା ପ୍ରସଙ୍ଗରେ କହିଥିଲେ ସ୍ୱାମୀ ତୁମର ତାଙ୍କ ମାମୁଁଙ୍କ ଭଳି ଯୋଗୀ. ତୁମେ ମନଦୁଃଖ କରିବନି. ଆସ୍ତେ ଆସ୍ତେ ସବୁ ଠିକ ଠାକ ହୋଇଯିବ. ମାଇଁ ଏମିତି କଣ ସବୁ ନିଜର ପରି କେତେ କଥା କହିଚାଲିଥିବା ବେଳେ ପୁରବୀ ଭାବୁଥିଲେ ପଚାରିବାକୁ ଆପଣଙ୍କ ଭଣଜା ଅର୍ଥାତ ମୋ ସ୍ୱାମୀ ନିଜ ବେଡ଼ ରୁମକୁ ଆସିବାକୁ ଏତେ ଡେରି କରନ୍ତି କାହିଁକି!ପଚାରିଲେ ସେ କହନ୍ତି ଗାଁର କଣ ନ୍ୟାୟ ନିଶାପ ଚାଲିଛି. ଶାଶୁ କହନ୍ତି ସ୍ୱାମୀମାନଙ୍କୁ ପଣତକାନିରେ ବାନ୍ଧି ରଖିବା ଛାଡ଼.ଆଉ ବଡ଼ ଯାଆ ଖାଇବା ବାଢିଦେଇ କହନ୍ତି ବିଞ୍ଚଣାରେ ବିଞ୍ଚି ଦେବାକୁ ତ ଶାଶୁ ବିରକ୍ତ ହୁଅନ୍ତି କାହିଁକି! ହସିଦିଅନ୍ତି ମାଇଁ କହନ୍ତି ମତେ ଯାହା ସବୁ କହିଲ ଆଉ କାହାକୁ କହିବ ନାହିଁ. ମୁଁ ଜାଣେ ତୁମ ସ୍ୱାମୀ ବହୁତ ଲାଜୁଆ ତ ସମୟ ଆସିଲେ ଉପଯୁକ୍ତ ଗୃହସ୍ଥ ହୋଇଯିବେ. ମନଜାଣି ବୁଝେଇ କହିଥିଲେ ମାଇଁ ସେଦିନ ସବୁ କଥା ଓ କହିଥିଲେ ତୁମେ ଜାଣିଛ ଝିଅ, ତୁମ ମାମୁଁଙ୍କ ସାଙ୍ଗରେ ବିବାହ ପ୍ରସ୍ତାବ ପଡିଲା ବେଳେ ଦେଖାଗଲା ତାଙ୍କ ଘରେ ସମସ୍ତେ ବିଧବା ତେଣୁ ମୋର ନୂଆବୋହୁ ବେଳେ ଖୁବ ଡର ଥିଲା କିନ୍ତୁ ମାମୁଁଶଶୁର ତୁମର ନିଗମାନନ୍ଦଙ୍କ ଭକ୍ତ ବନି ଯୋଗୀ ହୋଇଗଲା ପରେ ମତେ ଲାଗିଥିଲା ଯୋଗୀ ହୋଇ ରହନ୍ତୁ ପଛେ ଭୋଗୀ ହେବା ନାମରେ ତାଙ୍କୁ ଛାଡି ଓ ସଂସାର ଛାଡି ନଯାଆନ୍ତୁ ତେଣୁ ମୋ ମନ ଖୁସି ଝିଅ. ମାମୁଁ ଶଶୁର ତୁମର ଯୋଗୀ ହୋଇ ମୋ ପାଖରୁ ଦୂରରେ ରହି ଠାକୁର ନିଗମାନନ୍ଦଙ୍କ ଭକ୍ତ ଯୋଗୀ ହୋଇ ବସି ରହିଥାଆନ୍ତୁ. ପୁଣି କହୁଥିଲେ ମାଇଁ ଶାଶୁ ଡରିଗଲକି ଝିଅ, ମୋ ଭଣଜା ଜମା ଯୋଗୀ ନୁଁହଁନ୍ତି ମ ଖାଲି ଟିକେ ଲାଜୁଆ.
ଲାଜ ଛାଡିଥିଲା ସ୍ୱାମୀଙ୍କର ଆସ୍ତେ ଆସ୍ତେ. ମାଇଁ ଶାଶୁଙ୍କ କଥା ସବୁ ସତ ଥିଲା. ଶାଶୁଘରେ କଥା କହିଲେ ନବଖଣ୍ଡ ହୁଏ ତଥା ପାଦ ଗଣି ଗଣି ଚାଲୁ ଚାଲୁ ଝୁଣ୍ଟିବାକୁ ପଡେ କେତେଥର ତ ପିଠିରେ ପଡନ୍ତି ସେଇ ମାଇଁ ଶାଶୁ. ଦିନେ ଏକାନ୍ତରେ ସ୍ୱାମୀଙ୍କୁ ଯେବେ ପୁରବୀ ପଚାରିଥିଲେ ଏ ପୁରୁଷ ଲୋକଗୁଡ଼ା ଭାରି ନିଷ୍ଠୁର. ପ୍ରଥମତଃ ବୁଦ୍ଧଦେବ ଏହାର ଉଦାହରଣ. ଯୋଗୀ ହୋଇ ଜ୍ଞାନ ଆହାରଣ କରିଯିବା ଅର୍ଥ କଣ ଯଶୋଧାରା ପରି ପତ୍ନୀ ଓ ରାହୁଳ ପରି ପୁତ୍ରକୁ ଛାଡି ଯିବା ଉଚିତ ଥିଲା? ସ୍ୱାମୀ କହିଥିଲେ ଆରେ ଦିନେ ତ ମୃତ୍ୟୁ ଆସିବ କିନ୍ତୁ ଯୋଗୀ ହୋଇଯାଇଥିଲେ ମୃତ୍ୟୁ କଷ୍ଟ ଜଣା ପଡ଼ିବନି କି ସ୍ତ୍ରୀକୁ ବିଧବା ହେବାକୁ ପଡ଼ିବନି. ହଠାତ ପୁରବୀ ପଚାରି ବସିଥିଲେ ଏ ସଂସାରରେ ପୁରୁଷ ମାନଙ୍କର ଆୟୁଷ ଏତେ କମ କାହିଁକି କେଜାଣି କିଛି ବୁଝିହୁଏନି ଏ ସଂସାର ନିୟମ ତ ସ୍ୱାମୀ କହିଥିଲେ ପୁରୁଷମାନେ ସ୍ତ୍ରୀମାନଙ୍କଠାରୁ ବୟସରେ ବଡ଼ ହିଁ ଥାଆନ୍ତି, ଦ୍ୱିତୀୟରେ ସ୍ତ୍ରୀଟି ଭଳି ପୁରୁଷଟି ପରିସ୍ଥିତି ସହିତ ସାମିଲ କରି ଚଳି ପାରେ କୋଉଠି!ସ୍ତ୍ରୀ ଲୋକଟି ପାଖରେ ଧର୍ଯ୍ୟ, ସହନଶୀଳତା, ମମତା, ସ୍ନେହ ଭରପୁର ରହିଥିଲା ବେଳେ ପୁରୁଷ ଲୋକଟି ପାଖରେ ସେସବୁ ନଥାଏ ସେଇଥିପାଇଁ ପୁରୁଷଲୋକଟି ବାଟ କାଟି ଚାଲିଯାଏ ଆଗୁଆ. ପୁରବୀ କହୁଥିଲେ ନାଇଁ ମ ଏଇ ଯୋଉ ପ୍ରଥମ ରନ୍ଧା ଖାଦ୍ୟ ସବୁ ଆଗ ପୁରୁଷ ଲୋକଙ୍କୁ ଖାଇବାକୁ ଦିଆଯାଏ ତାହାରି ପରିଣାମ ଏହା. ମାଇଁ ଶାଶୁ କହୁଥିଲେ ପୁରବୀ ଜମା ବ୍ୟସ୍ତ ହୁଅନା ମୋ ଭଣଜା ଯୋଗୀ ହୋଇ ମାମୁଁଙ୍କ ପଦାଙ୍କ ଅନୁସରଣ କରିବାକୁ ବେଶି ଡେରି ନାହିଁ. ତଥାପି ପୁରବୀ କାତର ଆଖି ମେଲି ମାଇଁ ଶାଶୁଙ୍କୁ ଚାହିଁରହିଥିଲେ ତ ମାଇଁ ଶାଶୁ କହୁଥିଲେ ଡରିଗଲକି ପୁରବୀ, ମିଛ ଖାଲି ମିଛ କହୁଥିଲି ସୁଦୁ .