STORYMIRROR

Madhabi Patel

Tragedy

3  

Madhabi Patel

Tragedy

ଦୂର ଜହ୍ନ

ଦୂର ଜହ୍ନ

3 mins
329


ସଂଯୁକ୍ତା ବାଲ୍କୋନୀରେ ବସି ଜହ୍ନକୁ ନିହାରୁଥିଲେ।ଆଜି କୁଆଁରପୁନେଇଁ ।ଆକାଶରେ ଚକା ଜହ୍ନ ଉଇଁ ଆସିଛି।ଭୁରିଭୁରି ରୁପେଲି ରେଣୁ ଖସିପଡୁଛି ଚନ୍ଦ୍ର ଦେହରୁ।ପୁରାଣ କହେ ଆଜି କୁଆଡେ ଅମୃତକଣା ବର୍ଷାହୁଏ ଚନ୍ଦ୍ର ଦେହରୁ।ଯଦି ଏମିତି କିଛି ହେଉଥାଏ ତାହେଲେ ସେ କଣ ଅମୃତାଂଶୁକୁ ନେଇ ଆସିବ ଛାତ ଉପରକୁ,କାଳେ ଜହ୍ନଦେହର ଅମୃତ ବର୍ଷାରେ ପୁନର୍ଜୀବିତ ହେଇଯିବ ତାଙ୍କର ଶରୀର।ସେ ଝିଅର ଅକାଳ ବୈଧବ୍ୟ ଦେଖି ପାରୁନି।କେତେବା ବୟସ ହେବ ତାର।ଏଇ ତେତିଶ ଚଉତିରଶ ଭିତରେ।ତାର ବୟସ।ବାହାହେବାର ପାଞ୍ଚବର୍ଷ ହେଇଛି।ଚାରିବର୍ଷର ନାତିଟିଏ ଅଛି।ଭଗବାନ ବୋଧହୁଏ ତାରି ଭାଗରେ ସବୁ ଦୁଃଖ ଲେଖି ଦେଇଛନ୍ତି।ବଡଝିଅ ଯୌବନବସ୍ଥାରେ ଚାଲିଗଲା ଆରପାରିକୁ।ପିଲାବେଳୁ ସେ ସିକିଲିଙ୍ଗ ର ବେମାରୀ ।ସିକିଲସେଲ୍ ହେତୁ ତା ଦେହରେ ରକ୍ତ ତିଆରି ହେଉନ ଥିଲା।ବାହାରୁ ଦେବାକୁ ପଡୁଥିଲା।ଏମିତି ସମସ୍ୟା ଭିତରେ ସେ ଶୋହଳଟି ବସନ୍ତ ପାରିକରିଯାଇଥିଲା।ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିଥିଲା ଏତିକି ମାତ୍ର ଦିନ।ହେଲେ ଭଗବାନ ତାକୁ ସେ ସୁନ୍ଦର ସୁଯୋଗରୁ ବଞ୍ଚିତ କରି ନିଜ ପାଖକୁ ନେଇଗଲେ |ତାରାଟିଏ କରି ଏ ଆକାଶରେ କୁଆଡେ ଖଞ୍ଜି ଦେଇଛନ୍ତି।ସଯୁକ୍ତା ଅସଂଖ୍ୟ ତାରା ଗହଣରେ ନିଜ ହଜିଯାଇଥିବା ଝିଅକୁ ଖୋଜି ବୁଲେ।କୋଉଠି ଥିବ ତାର ଆଦରର ଧନ।ଯିଏ ରାତିରେ ଘଡିଏ ଏକା ରହିବାକୁ ଡରୁଥିଲା ଏବେ ଏକା ସେ ନିର୍ଜନ ଆକାଶରେ କେମିତ ରହୁଥିବ?ତାର ହାତ ଗୋଡରେ ପ୍ରବଳ ଯନ୍ତ୍ରଣା ହେଉଥିଲା।ମାଆକୁ ଗୋଡ ମୋଡିବାକୁ କହୁଥିଲା ସବୁବେଳେ।ସଂଯୁକ୍ତା ତା ପାଖେ ବସି ସବୁବେଳେ ଗୋଡ ହାତ ଚିପୁଥାଏ।ସେଥିପାଇଁ ତାର ରୋଷେଇ ଭଲ କରିପାରେନି। ଯାହିତାହି କିଛି ରାନ୍ଧି କାମ ଚଳାଏ।ହେଲେ ସେ ଗଲାପରେ ଏବେ ପ୍ରଚୁର ସମୟ ମିଳୁଛି।ହେଲେ ଆଉ ଭଲ ରୋଷେଇକରି ଖାଇବାର ଇଛା ବି ଚାଲିଯାଇଛି ତା ସାଥିରେ ।


ଛୋଟ ଝିଅ ମହକର ସେ ରୋଗ ନାହିଁ,ହେଲେ ସେବି ଅତ୍ୟନ୍ତ ପତଳା।କିଛି ଭଲ ଖାଏନି।ବହୁତ ଚୁଜି,ବାଛି ବାଛି ଖାଏ ପୁଣି ବହୁତ ଅଳ୍ପ ଖାଏ।ହେଲେ ପଢାପଢିରେ ଭଲ ।ଇଞ୍ଜିନିୟରିଂ ପରେ ଆମେରିକାରେ ଦୁଇବର୍ଷ ଚାକିରି କଲା।ତାପରେ ବାଙ୍ଗାଲୋର ଚାଲିଆସିଲା।ଏଠି ଚାକିରି କଲାବେଳେ।ତାର ଭେଟହେଲା ଅମୃତାଂଶୁ ସହ।ଏକା ଅଫିସରେ କାମ କରୁକରୁ ଦୁଇଜଣ ଭଲ ପାଇ ବସିଥିଲେ ପରଷ୍ପରକୁ।ବାହା ହେବା ଆଗରୁ ଏକାଠି କେତେ ଜାଗା ବୁଲିଛନ୍ତି। କେତେ ପୂନେଇଁ ରାତିରେ ଜ୍ୟୋତ୍ସ୍ନାରେ ଭିଜିଛନ୍ତି।ପ୍ରେମର ନଅରରେ ନିଜପାଇଁ ଘରଟେ ସଜାଇଛନ୍ତି।ଭବିଷ୍ୟତର ସୁନେଲି ସ୍ବପ୍ନରେ ହଜିଛନ୍ତି।ପୁଣି ଆସିଛି ତାଙ୍କ ପ୍ରେମର ରହସ୍ୟ ସମସ୍ତଙ୍କ ସାମନାକୁ।ବାପା ମାଆ ମାନେ ଜାଣିବାପରେ ଘରେ ଅଶାନ୍ତିର ବାତାବରଣଟେ ଛାଇ ଯାଇଛି। କାରଣ ଅମୃୃତାଂଶୁ ବିହାରି ବେଳକୁ ମହକ ଓଡିଆ ପୁଣି ସମ୍ବଲପୁରି।ପ୍ରଥମେ କିଛିଦିନ ଅରାଜି ରହିଲା ପରେ ପୁଣି ବାପା ମାଆ ରାଜି ହେଇଯାଇଥିଲେ।ଗୋଟିଏ ମାତ୍ର ସନ୍ତାନ ଉଭୟଙ୍କର।ତାଙ୍କୁ ଦୁଃଖିକରି ସେମାନେ କଣ ଖୁସି ପାଆନ୍ତେ।ପରଷ୍ପରର ଚଳଣୀ ଟିକେ ଅଲଗା ହେତୁ ସଂଯୁକ୍ତା ସମୁଦୀ ଘରକୁ ଯିବା ପସନ୍ଦ କରେନି। ଯୋଉଠି ଚାକିରି କରନ୍ତି ସେଠିକି କିଛିଦିନ ଯାଏ। ସ୍ବାମୀସ୍ତ୍ରୀ କିନ୍ତୁ ଖୁସିରେ ଥିଲେ ।


ଦୁଇବର୍ଷକୁ ପୁଅଟେ ଆସିଲା ମହକର କୋଳକୁ।ମହକ କିଛିମାସ ମାଆ ପାଖକୁ ନିଜ ଗାଁ ଆସିଥିଲା ସେତେବେଳେ। ଗାଆଁ ଲୋକେ ଅଲଗା ଜାତିରେ ବାହାଘର ହେତୁ ଟିକେ ଖାପଛଡା ହେଇ ରହୁଥିଲେ ତା ପାଖରୁ।ହେଲେ ତାକୁ କିଛି ଫରକ ପଡୁନଥିଲା।କାରଣ ଆଜିକାଲିକା ମଡର୍ଣ ଜମାନାର ଝିଅଥିଲା ବିନ୍ଦାସ ସ୍ବଭାବର କାହାରି କଥାକୁ ହୃଦୟରେ ନେଉନ ଥିଲା।ପୁଣି ତାର ପିଲାବେଳ ପ୍ରାୟ କଟକ ଭୂବନେଶ୍ବରରେ କଟିଥିଲା ବାପାଙ୍କ ଚାକିରି ହେତୁ।ତେଣୁ ଗାଆଁ ଲୋକଙ୍କସହ ଏତେ ଘନିଷ୍ଟତା ନଥିଲା ତାର।ସେ ଘର ଭିତରେହିଁ କାଟୁଥିଲା ସମୟ ଯେବେ ଗାଁକୁ ଆସିଲେ।ଏବେବି ଘରେହିଁ ରହୁଥିଲା।ତିନିମାସ ପରେ ଚାକିରିରେ ଯୋଗ ଦେଇଥିଲା।ଶାଶୁ ଆସି ପୁଅର ଦାୟିତ୍ବ ସମ୍ଭାଳିଲେ। ଏମିତି ଗୋଟିଏ ବର୍ଷ ଚାଲିଗଲା।ପୁଣି ତାକୁ ଆମେରିକା ଯିବାକୁ ପଡିଲା।ସେତେବେଳେ ତା ନିଜ ବାପାମାଆ ଗଲେ ସେଠି ପୁଅର ଯତ୍ନପାଇଁ।ଏବେ ପୁଅ ଚାରିବର୍ଷର ହେଲାଣି।ସେମାନେ ପୁଣି ଭାରତ ଫେରିଆସିଛନ୍ତି।ଏଠିଆସିଲା ପରେ ଜାଣିଲା ସ୍ବାମୀଙ୍କୁ ଥାଲାସେମିଆ ହେଇଛି।ନିଜ ଦେହରେ ରକ୍ତ ତିଆରି ହେଇପାରୁନି ଯାହା ରକ୍ତ ତିଆରିହୁଏ ପୁଣି ଡେମେଜ ହେଇଯାଏ ଏ ରୋଗରେ।ତେଣୁ ତା ଦେହର ବୋନ୍ମେରୋକୁୁ ନଷ୍ଟକରି ଅନ୍ୟର ବୋନମେରୋ ଟ୍ରାନ୍ସଫର କରିବାକୁ ପଡିବ।ତାହେଲେ ଯାଇ ଭଲ ରକ୍ତ ତିଆରିହେବ ତା ଦେହରେ।ଅନେକ ବଡ ଡାକ୍ତର ଦେଖାହେଲା।ବୋନମେରୋ ଡୋନର ଜଣେ ଖୋଜିଲେ।ଅଜସ୍ର ଟଙ୍କା ଖର୍ଚ୍ଚ ହେଉଥିଲା।ଏତେଦିନ ଆମେରିକାରେ ରହି ଯାହା ଜମାକରିଥିଲେ ସବୁ ଏ ଅପରେସନ ଆଦିରେ ଲାଗିଗଲା।ଡୋନରବି ବହୁତ ଟଙ୍କା ମାଗିଲା।ଜୀବନ ବଦଳରେ ଏ ଟଙ୍କା କିଛିନୁହଁ ଭାବି ଯାହା ଲାଗିଲା ଖର୍ଚ୍ଚ କଲେ ।


ଏ ପ୍ରକ୍ରିୟା ଚାଲିଥିଲାବେଳେ ମହକର ଅବସ୍ଥା ବଡ ଗୁରୁତର ଥିଲା।ନିଜର ପ୍ରେମକୁ ହାତଛଡା ହେଉଥିବାର ଦୁଃଖ ମନକୁ ଅବିରତ ଘାଣ୍ଟ ଚକଟା କରୁଥିଲା।ଏପଟେ ଅର୍ଥର ଆସିବା ମାର୍ଗ ବନ୍ଦ ହେଇଯାଇଥିଲା।ଯଦି ସ୍ବାମୀଙ୍କ କଛି ହେଇଯାଏ କେମିତି ଚଳିବେ ମାଆପୁଅ।ଏମିତି ବି ସେ ଅନ୍ୟ ଜାତିରେ ବାହା ହେଇଛି।ଏବେ ନାଁ ଶାଶୁ ଘରେ କି ମାଆଘରେ ସେ ଶାନ୍ତିରେ ରହି ପାରିବ।ବାହାର ଲୋକେ ତାନାମାରିବେ ତାକୁ।ନିଜ ପସନ୍ଦରେ ଅନ୍ୟ ଜାତିରେ ବାହାହେବାର ଏ ପରିଣାମ ଏବେ ତାକୁ ଭୋଗିବାକୁ ପଡିବ। ଶତ୍ରୁମାନେ ଏବେ ତାଙ୍କର ଆକ୍ରୋଶର ପ୍ରତିକ୍ରିୟା ଦେଖାଇବେ ତା ଉପରେ।ପୁଅଟା ବାପାଙ୍କୁ ହରାଇ ବଡ କଷ୍ଟ ପାଇବ।ସେ ଚାକିରିଟେ କରୁଛି ବୋଲି ଆର୍ଥିକ ଦୃଷ୍ଟିରୁ ସ୍ବାଭିମାନ ସହ ଚଳିଯିବ ନହେଲେ ତ ଅବସ୍ଥା ଆଉ ଖରାପ ହେଇଥାନ୍ତା।ମହକ ଏମିତିତ ପତଳା ଥିଲା ଏବେ ଶୁଖି ବାଉଁଶ ପରି ଦିଶୁଛି।ତଥାପି ସେ ଶକ୍ତ ସ୍ବଭାବ ହେତୁ ଲଢେଇ ଜାରି ରଖିଛି ଭାଗ୍ୟ ସହିତ।

ହେଲେ ଆଜି ତା ଭାଗ୍ୟର ନିର୍ଣୟ ହେଇଗଲା।ବୋନମେରୋ ଟ୍ରାନ୍ସଫର ହେବା ଆଗରୁ ଅମୃତାଂଶୁ ଆଖି ବୁଜିଦେଲେ।ଏବେ ତାକୁ ଶାଶୁଘର ଗାଁ ଯିବାକୁ ପଡିବ।ଅଜଣା ଲୋକଙ୍କ ଗହଣରେ ରହି ସ୍ବାମୀଙ୍କ ଅନ୍ତିମ କ୍ରିୟାକର୍ମ ସାରିବାକୁ ହେବ।ନିଜେ ସଧବା ଥାଉ ଥାଉ ଝିଅକୁ ବିଧବା ରୂପରେ ଦେଖିବାର ସାହସ ନଥିଲା ସଂଯୁକ୍ତା ପାଖରେ।ସେ ଭାବୁଥିଲା ଏମିତି କିଛି ମେଜିକ୍ ହେଇଯାନ୍ତା କି ତା ଯୋଇଁ ଜୀବିତ ହେଇ ଉଠନ୍ତା

ସେ ପୁନେଇଁ ଜହ୍ନକୁ ଦେଖି ପଚାରୁଥିଲା ମୋ ଝିଅ ପିଲାଦିନେ ତତେ କେତେ ପୂଜା କରିଥିଲା ଏହି ଦିନରେ,ଭଲ ବର ଭଲ ସୌଭାଗ୍ୟ ପାଇବାକୁ।ଆଉ ତୁ ତା ଭାଗ୍ୟରେ ବୈଧବ୍ୟ ଦଶା ଲେଖିଦେଲୁ।ଏମିତି ଭାବନା ଭିତରେ ତା ଆଖିରୁ ଅନବରତ ଅଶ୍ରୁ ବହି ଚାଲିଥିଲା।ଆଉ ଜହ୍ନ ଦୂର ଦିଗବଳୟ ଆଡକୁ ଧିରେଧିରେ ଢଳି ଅଢୁଆଳ ହେଇ ଲୁଚି ଯାଉଥିଲା ମନ ଦୁଃଖରେ।କାରଣ ଏକ ଦୁଃଖି ମାଆର ଗୋଟିଏ ପ୍ରଶ୍ନର ବି ତା ପାଖେ ଉତ୍ତର ନଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy