Minakshi Samal

Tragedy

4.0  

Minakshi Samal

Tragedy

ଦୁର୍ଯୋଗ

ଦୁର୍ଯୋଗ

4 mins
12.2K



ଲକଡାଉନର ଅବଧି ମେ ସତର ତାରିଖ ପର୍ଯ୍ୟନ୍ତ ବଢି ଯାଇ ଥିବାରୁ ଦୀପା ମନେ ମନେ ଦୁଃଖୀ ହୋଇଯାଇଥିଲା।ପ୍ରଥମ ବିବାହ ବାର୍ଷିକୀ ପଡୁଥିଲା ମେ ମାସ ଛ' ତାରିଖରେ।ଅଫିସର ସମସ୍ତ ସହକର୍ମୀ,ସାଙ୍ଗସାଥୀ ଓ ସମବୟସୀ ପଡୋଶୀ ମାନେ ବହୁପୂର୍ବରୁ କହି ରଖିଥିଲେ ଭୋଜି ଦେବାପାଇଁ।ସଙ୍ଗରୋଧ ନିୟମ ନମାନିଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଭୟରେ କାହାକୁ ଘରକୁ ଡାକିବା ସମ୍ଭବ ନଥିଲା।ମନର ସମସ୍ତ ସରାଗ ପାଣିଫୋଟକା ପରି ମିଳାଇ ଯାଇଥିଲା।


ଦୀପା ଘରଠାରୁ ପ୍ରାୟ ଦୁଇକିଲୋମିଟର ଦୂରରେ ସାନ ଭଉଣୀ ଲିପି ତା ପରିବାର ସହ ରହେ।ଦୁଇ ଭଉଣୀଙ୍କ ବିବାହ ଗୋଟିଏ ଦିନ ଏକାସାଙ୍ଗରେ ହୋଇଥିଲା।ସଂଯୋଗକୁ ଦୁଇ ଜ୍ବାଇଁ ବିଶାଖାପାଟଣାରେ କାମ କରୁଥିଲେ।ବିବାହର ପାଞ୍ଚମାସ ପରେ ଦୀପା ଆବେଦନ କରି ନିଜର ବଦଳି ବିଶାଖାପାଟଣାକୁ କରାଇନେଲା।


ରାତି ବାରଟା ପରଠାରୁ ଘନଘନ ଫୋନ ବାଜି ଉଠୁଥାଏ।ଫୋନରେ ସହକର୍ମୀ,ସାଙ୍ଗସାଥୀ,ଆତ୍ମୀୟସ୍ବଜନ ବିବାହ ବାର୍ଷିକୀ ପାଇଁ ଶୁଭେଚ୍ଛା ବାର୍ତ୍ତା ଜଣାଉଥାନ୍ତି ଦୀପାକୁ।ଲିପି ସେଦିନ ସକାଳୁ ଫୋନରେ ବିବାହବାର୍ଷିକୀ ପାଇଁ ବଧାଇ ଜଣାଇଲା ଦିଦି ଓ ଭିଣୋଇଙ୍କୁ।ଦୀପା ମଧ୍ୟ ଫୋନରେ ଲିପି ଓ ତାର ପତି ସନତଙ୍କୁ ବଧାଇ ଜଣାଇଲା।ଏଇ ଗପସପ ମଝିରେ ହଠାତ ଦୀପା ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା।ଲିପିକୁ ତାର ପତିଙ୍କ ସହିତ ସନ୍ଧ୍ୟା ସମୟରେ ଆସିବାକୁ ନିମନ୍ତ୍ରଣ କଲା ସେ।କିଛି ନହେଲେ ଦୁଇଭଉଣୀ ମିଶିକି ବିବାହବାର୍ଷିକୀ ଟା ପାଳିଲେ ମନଟା କିଛିତ ଖୁସି ପାଇବ।ସନତଙ୍କୁ ପଚାରି ସମ୍ମତି ଜଣାଇଲା ଲିପି।


ଏଥର ଦୀପା ନିଜ ପତି ମାନସଙ୍କୁ ଉଠାଇ ,ବିବାହ ବାର୍ଷିକୀ ପାଇଁ ଶୁଭେଚ୍ଛା ଜଣାଇଲା।ସକାଳୁ ସକାଳୁ ତାଙ୍କ ମନ ପସନ୍ଦର ସରୁ ଚକୁଳି,ପଣସ ଡାଲମା ଓ ସିମେଇ କ୍ଷୀରି ଡାଇନିଙ୍ଗ ଟେବୁଲ ଉପରେ ପରଶି ଦେଇ କଫି ବନେଇ ବାକୁ ରୋଷେଇ ଘର ଆଡକୁ ଚାଲିଗଲା।ମନ ପସନ୍ଦର ଖାଦ୍ୟ ସବୁକୁ ପ୍ଲେଟରୁ ଚାଟିଚୁଟି ଖାଇସାରି ହାତଧୋଇ ଧନ୍ୟବାଦର ଟୀକା ଆଙ୍କିଦେଲେ ଦୀପାର ଗଣ୍ଡଦେଶରେ।ଗଭୀର ଆଶ୍ଲେଷରେ ପତ୍ନୀକୁ ଜଡାଇ ଧରି କପୋଳ,ଓଷ୍ଠ ଓ ସର୍ବତ୍ର ବର୍ଷା କରିଦେଲେ ଚୁମ୍ବନ।ଲାଲିମାରେ ରଙ୍ଗା ଦୀପାର ମୁଖ ମଣ୍ଡଳରେ ସଂତୃପ୍ତିର ରେଖା ଫୁଟିଉଠୁଥିଲା।ଧମନୀ ଗୁଡିକରେ ରକ୍ତର ଧାରା ତୀବ୍ର ହେବାକୁ ଲାଗିଲେ ମଧ୍ୟ ସେ ମାନସଙ୍କ ବାହୁ ପାଶରେ ସେମିତି କିଛି ସମୟ ବନ୍ଦୀ ହୋଇ ରହିଯିବାକୁ ଚାହୁଁଥିଲା।କଫି ବସିଥିବା ସସପ୍ୟାନରୁ କ୍ଷିର ପୋଡିବାର ଗନ୍ଧରେ ଦୀପା ସମ୍ବିତ ଫେରି ପାଇଲା।ପୁଣିଥରେ କଫି ବନେଇବାର ଉପକ୍ରମ କରି ଦୁଇକପ କଫି ବନେଇ ଦୁଇଜଣ ପିଇବାପରେ ପାଖରେ ଥିବା ଦୋକାନ ମାନଙ୍କରୁ ଆବଶ୍ୟକୀୟ ଜିନିଷ ଆଣିବାକୁ ମାନସଙ୍କୁ ଚିଠା ଧରେଇଦେଲା ସେ।


ପତି ପତ୍ନୀ ଦୁହେଁ ମିଶି ପ୍ରଥମେ ଘରକୁ ସଜାଇବା କାମ ସାରିଦେଲେ।ହଲଟିକୁ ଖୁବ ଆକର୍ଷଣୀୟ ଭାବରେ ବେଲୁନ ଓ ନାଇଟ ଲାଇଟରେ ସଜେଇଥିଲେ ମାନସ।ପାଖରେ ଥିବା ବେକରୀ ସପ ପାଞ୍ଚ ଦିନ ଆଗରୁ ଖୋଲିଯାଇଥିଲା।ଦୁଇଟି କେକର ଅର୍ଡର ଦେଇ ଆସିଥିଲେ ସେ।ନିଜ ପାଇଁ ଫ୍ରୁଟ କେକ ଉପରେ ମାନସ +ଦୀପା ଏବଂ ଓ ଶାଳୀର ପସନ୍ଦର ଚକଲେଟ କ୍ରୀମ କେକ ଉପରେ ସନତ+ଲିପି ଲେଖିବା ପାଇଁ କହି,ସନ୍ଧ୍ୟା ସାତଟାରେ ଡେଲିଭରି ଦେବାପାଇଁ ଘରର ଠିକଣା ଦେଇଆସିଥିଲେ ଦୋକାନରେ।ଦ୍ବିପ୍ରହରର ଖାଇବା ପ୍ରସ୍ତୁତିକୁ ସଂକ୍ଷିପ୍ତ କରି ସନ୍ଧ୍ୟାର ଯୋଗାଡ ଯନ୍ତ୍ରରେ ବେଶି ମନ ବଳାଇଲା ଦୀପା।


ମାନସଙ୍କୁ ଭଲ ଲାଗୁଥିବା ପ୍ରତ୍ୟେକ ଜିନିଷ ଯେମିତିକି ଦହିବରା,କ୍ରିସ୍ପି କର୍ନ,ବିରିୟାନୀ,ରାଇତା,ଚିକେନ ପକୋଡା,ସାଲାଡ ଇତ୍ୟାଦି ବନେଇବା ଆରମ୍ଭ କରିଦେଇଥିଲା ସନ୍ଧ୍ୟା ପାଞ୍ଚଟା ସମୟରୁ।ଏଇ ସବୁ ଗୁଡିକ ପ୍ରାୟ ସମସ୍ତଙ୍କ ପ୍ରିୟ କାହିଁକିନା ଥରେ ସମସ୍ତେ ମିଶିକରି ହୋଟେଲରେ ଖାଇବା ସମୟରେ ମେନୁରେ ଏଇ ଜିନିଷ ଗୁଡିକ ଅର୍ଡର ହୋଇଥିବାର ତାର ସ୍ପଷ୍ଟ ମନେପଡୁଥିଲା ଓ ଲିପି ଓ ସନତ ମଧ୍ୟ ଖୁସିରେ ଖାଇଥିଲେ ସେଦିନ।


ଛ' ଟା ସମୟରେ ଲିପି ଓ ସନତ ଆସି ପହଞ୍ଚି ଗଲେ।ଦିଦି ଓ ଭିଣୋଇଙ୍କ ପାଇଁ ଆଣିଥିବା ଉପହାର ତାଙ୍କ ହାତକୁ ବଢେଇ ଦେଇ ପାଦ ଛୁଇଁ ଆଶୀର୍ବାଦ ନେଉଥିଲା ଲିପି।ସମସ୍ତେ ମିଶି କୋଲ୍ଡ ଡ୍ରିଙ୍କ ପିଇବା ସମୟରେ ଡ୍ରଇଁ ରୁମରେ ବିବାହ ବେଳର ଭିଡିଓଟି ଚଲେଇଦେଲେ ମାନସ।ସ୍ମୃତିକୁ ରୋମନ୍ଥନ କରିବାକୁ ଲାଗିଲେ ସମସ୍ତେ।ଛୋଟ ଛୋଟ କେତେ ସୁଖଦ ଓ ଦୁଃଖଭରା ସ୍ମୃତି ସମସ୍ତଙ୍କ ମାନସପଟରେ ଉଙ୍କି ମାରିବାକୁ ଆରମ୍ଭ କରିସାରିଥାଏ।ବିଦାୟ ବେଳର ଛବି ଦେଖି ଦୁଇଭଉଣୀଙ୍କ ଆଖିରୁ ଲୁହ ଝରିବା ଆରମ୍ଭ ହୋଇଯାଏ।ଦୁଇ ସଢୁ ମୁରୁକି ମୁରୁକି ହସୁଥାନ୍ତି ଏମାନଙ୍କ କାନ୍ଦ ଦେଖି।ଭିଡିଓ ଦେଖା ସରିଲା।ଡେଲିଭରି ବୟ ଠିକ ଛ' ଟା ସମୟରେ କେକ ଦେଇ ଯାଇଥିଲା।ଏଥର କେକ କାଟିବାକୁ କହିଲେ ମାନସ।


ପ୍ରଥମେ ଲିପି ଓ ସନତଙ୍କୁ କେକ କାଟିବାକୁ ମାନସ କହିଲେ।ନିଜ ପସନ୍ଦର କେକ ଦେଖି ଖୁସିରେ କୁରୁଳି ଉଠିଲା ଲିପି।ଭିଣୋଇଙ୍କୁ ଧନ୍ୟବାଦରେ ପୋତି ପକେଇଲା ସେ।ଭିଡିଓ କରୁଥିଲା ଦୀପା।ବିଭିନ୍ନ ଆଙ୍ଗଲରୁ ଫଟୋ କିଛି ମଧ୍ୟ ଉଠାଇଥିଲା।ଭିଡିଓ କଲ କରି ଘରର ସମସ୍ତ ସଦସ୍ୟଙ୍କ ସହିତ କଥା ହୋଇଗଲେ ସମସ୍ତେ।


ଏଥର ଦୀପା ଓ ମାନସଙ୍କ ପାଳି।କେକ କାଟି ଉଭୟ ଉଭୟଙ୍କୁ ଖୁଆଇ ଦେଲେ କେକ୍।ଏଥର ଦୁଷ୍ଟାମୀ ଦେଖାଇ କେକ୍ ର ଛୋଟ ଖଣ୍ଡ ନେଇ ଲିପି ଦିଦି ଓ ଭିଣୋଇଙ୍କ ମୁହଁରେ ଲଗାଇ ଦେଲା।ମାନସ ତ ଛାଡିବା ଜନ୍ତୁ ନୁହେଁ।ଭଲକରି ଲିପି ମୁହଁରେ ବୋଳିଦେଲେ କେକର କ୍ରିମ।ଧଳାଭୂତ ପରି ଦେଖାଗଲା ଲିପିର ମୁହଁ।ଏଥର ମାନସ ଥଟ୍ଟା କରି ସନତଙ୍କୁ କହିଲେ,ତୁମେ ଏକୁଟିଆ ବାକି ରହିଗଲ ।ଏଇଟା ଠିକ ଲାଗୁନି।ତୁମେ ଟିକେ ଆମ ସାଙ୍ଗେ ଯୋଗ ଦିଅ,ଏମିତି କହୁକହୁ ତାଙ୍କ ମୁହଁରେ ଟିକେ କେକ ବୋଳିଦେଲେ।


ହସାହସି,କୃତ୍ରିମ ରାଗ ଦେଖା ,ମୁହଁ ଧୁଆ ସରିଲା ବେଳକୁ ରାତି ପ୍ରାୟ ନଅଟା ବାଜି ଯାଇଥିଲା।ଦୀପା ସମସ୍ତଙ୍କୁ ଡାଇନିଙ୍ଗ ଟେବୁଲରେ ବସିବାକୁ କହି ଚାଲିଗଲା ରୋଷେଇ ଘରକୁ ।ସମସ୍ତ ଖାଦ୍ୟକୁ ଟେବୁଲ ଉପରକୁ ଉଠାଇ ଆଣି ରଖିଦେଲା ସେ।ଏଥର ଦୁଇଭଉଣୀ ପ୍ଲେଟରେ ଖାଦ୍ୟ ପରଷିବାକୁ ଲାଗିଲେ।ସୁନ୍ଦର ବାସ୍ନା ବାହାରି ଚାରିଆଡକୁ ମହକାଇ ଦେଉଥାଏ।ଖୁବ ଉପଭୋଗ କରୁଥାନ୍ତି ସମସ୍ତେ ସ୍ବାଦିଷ୍ଟ ଖାଦ୍ୟସବୁକୁ।


ଖାଉଥିବା ସମୟରେ ଦୀପା କହିଲା ଏତେ ରାତିରେ ନଯାଇ ରହିଗଲେ ହୁଅନ୍ତାନି ସନତ?


ପ୍ରଥମେ ଅନିଛୁକ ହେଉଥିବା ସନତ ବାରମ୍ବାର ଦୀପା ଓ ମାନସଙ୍କ ଅନୁରୋଧ ପରେ ଶେଷରେ ରାଜି ହେଲେ ରାତ୍ରି ଯାପନ ପାଇଁ।


ଅନେକ ରାତ୍ରି ପର୍ଯ୍ୟନ୍ତ ଗପସପ ଚାଲିଲା।ଲିପି ଓ ସନତଙ୍କ ପାଇଁ ଅନ୍ୟ ଏକ ରୁମକୁ ସଙ୍ଗେ ସଙ୍ଗେ ଦୀପା ସଜାଇ ଦେଇଥିଲା।ତାପରେ ସମସ୍ତେ ଶୋଇବାକୁ ଚାଲିଗଲେ।ଦେଖିଥିବା ସ୍ବପ୍ନର କିୟଦଂଶ ସତ ହୋଇଥିବାରୁ ଦୀପାର ମୁଖମଣ୍ଡଳରେ ଖୁସିର ଛଟା ଦେଖି ପାରିଥିଲେ ମାନସ।ଲାଇଟ ଲିଭାଇ ଅନ୍ଧାରର ଚାଦର ଘୋଡେଇ ଦୁଇଟି ଶରୀର ଏକ ହୋଇ ଯାଉଥିଲେ।


ରାତିରେ କେବେ କେମିତି ଥରେ ଅଧେ ବାଥରୁମକୁ ଯାଏ ଦୀପା।ଯେତେବେଳେ ବାଥରୁମକୁ ଯାଏ ମାନସଙ୍କୁ ଉଠାଇ ଯାଏ।ଦୀପାର ଏଇ ଅଭ୍ୟାସଟି ମାନସଙ୍କର ପସନ୍ଦ ଆଦୌ ହୁଏନା କାରଣ ରାତିରେ ନିଦ ଭାଙ୍ଗିଲା ପରେ ତାଙ୍କୁ ଆଉ ନିଦ ହୁଏନି।ଦୀପା ନିଜକୁ ଅନେକ ବାର ରୋକିଛି କିନ୍ତୁ ପ୍ରତିଥର ତାକୁ କେମିତି ଏକ ଅଜଣା ଭୟ ଗ୍ରାସ କରିବସେ ଯେଉଁଥି ପାଇଁ ସେ ବାଧ୍ୟ ହୋଇ ମାନସଙ୍କୁ ଉଠାଇଦିଏ।


ସେଦିନ ରାତି ଅଧରେ ଦୀପାର ଶ୍ବାସରୁଦ୍ଧ ହେଲାଭଳି ମନେହେଲା।ଆଖିରେ ଖୁବ ଜ୍ବାଳା,ମୁଣ୍ଡଟା କେମିତି ବୁଲେଇ ହେବା ଭଳି ମନେହେଲା।ମାନସଙ୍କୁ ଉଠାଇ ଦେଲା ଭୟରେ।କିନ୍ତୁ ଏ କ'ଣ ଯେତେ ଉଠାଇଲେ ବି ଜବାବ ଦେଉନାହାଁନ୍ତି ସେ।ପାଖ ରୁମକୁ ଯାଇ ଲିପିକୁ ଜୋରରେ ଡାକିବାକୁ ଲାଗିଲା।ବହୁ ସମୟ ଡାକିବା ପରେ କେମିତି ଏକ ଦୟନୀୟ ଅବସ୍ଥାରେ ସନତ ଦରଜା ଖୋଲିଲେ।ଦୀପା ଭୟରେ ଥରୁଥାଏ।ଭିତରକୁ ଯାଇ ଲିପିକୁ ଜୋରରେ ହଲାଇ ଉଠେଇବା ବେଳକୁ ତା'ର ଚେତା ବୁଡି ସାରିଥାଏ।ଏକୁଟିଆ କାହାକୁ ସମ୍ଭାଳିବ ବୁଝି ପାରୁନଥାଏ।ସେଇ ଅବସ୍ଥାରେ ବାହାରକୁ ବାହାରି ଗ୍ୟାରେଜରୁ ଗାଡି କାଢି ତିନିଜଣଙ୍କୁ ଏକରକମ ଘୋଷାରି ଘୋଷାରି ଗାଡି ଭିତରେ ବସେଇଲା ସେ।ନିଜର କଷ୍ଟକୁ ଖାତିର ନକରି ଗାଡିକୁ ତୀବ୍ର ବେଗରେ ରାଜରାସ୍ତା ଉପରେ ଦଉଡାଉଥିଲା ସେ। ଅନେକ ଗୁଡିଏ ଲୋକ ରାସ୍ତାରେ ପଡିଥିବାର ଦୃଶ୍ୟ ତାକୁ ଆଶ୍ଚର୍ଯ୍ୟରେ ପକାଇଥିଲା।କାରଣ ବୁଝି ହେଉନଥିଲା।କିଛି ଦୂରରେ ସାଇରନ ବଜାଇ ପୋଲିସ ଗାଡି ସବୁ ଯିବା ଆସିବା କରୁଥିଲେ।ଭିଡ ଭିତରେ ଗାଡିକୁ କୌଣସି ପ୍ରକାରେ ଡାକ୍ତରଖାନା ସାମନାରେ ପହଞ୍ଚାଇ ସେଠାର ରିସେପସନରେ ଯାଇ ଅନୁରୋଧ କଲା ଗାଡି ଭିତରୁ ତିନି ଜଣଙ୍କୁ ଆଣି ଆଡମିଟ କରିବାକୁ।ଆଖି ଆଗରେ ଷ୍ଟ୍ରେଚର ରେ ମାନସ,ଲିପି ଓ ସନତଙ୍କୁ ଇମରଜେନ୍ସି ଓ୍ବାର୍ଡରେ ଭର୍ତ୍ତି କରି ଦିଆଗଲା।ଲବିରେ ଲାଗିଥିବା ଟିଭିରେ ଅନତିଦୂରରେ ଥିବା ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ ହେବାର ଖବର ପ୍ରସାରିତ ହେଉଥିଲା।ଲୋକମାନେ ଇତସ୍ତତଃ ଭାବରେ ଦୌଡାଦୌଡି କରୁଥିଲେ।ଭୋପାଳ ଗ୍ୟାସ ଲିକେଜ ହେବାର ପରବର୍ତ୍ତୀ ବିଭୀଷିକା ତା ସାମନାରେ ନାଚି ଉଠୁଥିଲା ଯାହାର ପ୍ରତ୍ୟକ୍ଷଦର୍ଶୀ ତାର ବାପା ନିଜେ ଥିଲେ।ଏପର୍ଯ୍ୟନ୍ତ ମଧ୍ୟ ତାଙ୍କର ଶାରୀରିକ ଅନେକ ସମସ୍ୟାକୁ ସେ ବଡ କଷ୍ଟର ସହିତ ଜୁଝି ଆସୁଥିଲେ।


ସାମନାରେ ରଖା ଯାଇଥିବା ବିଘ୍ନହର୍ତ୍ତା ଗଜାନନଙ୍କ ବିଶାଳ ମୂର୍ତ୍ତି ସାମନାରେ ଆଣ୍ଠେଇ ପଡି ତିନି ଜଣଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରି ଚାଲିଥିଲା ସେ।ନିଜର ଅଜାଣତରେ ନିଜେ ହିଁ ଟଳିପଡିଥିଲା ସେଇଠି।


Rate this content
Log in

Similar oriya story from Tragedy