Subrat Malik

Abstract Tragedy Classics

4.3  

Subrat Malik

Abstract Tragedy Classics

ଦୁଇ ଧାର ଲୁହ

ଦୁଇ ଧାର ଲୁହ

6 mins
323


ଅମର ଗ୍ରାଜୁଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ନିଜର ସମାସ୍କନ୍ଧ ସାଙ୍ଗମାନଙ୍କ ସହିତ ଚିରାଚରିତ ଭାବରେ ଖଣ୍ଡିଏ ସରକାରୀ କି ବେସରକାରୀ ଚାକିରୀ ପାଇବା ଆଶାରେ ଏ ଅଫିସରୁ ସେ ଅଫିସ ଧାଇଁଁବାକୁ ଲାଗିଲା । କାହା ପାଦର ପାରାଗନ ଅଫିସ ଚପଲ ତ କାହାର ବାଟା ସ୍ୟାଣ୍ଡାଲ ଚପଲ ନୂତନତ୍ୱ ପରିତ୍ୟାଗ କରି ଖରା ଦିନେ ବିଲ ଫାଟି ଆଁ କଲା ପରି ତ କାହାର ଏକାଦଶୀ ଚାନ୍ଦ ପରି କଣା ହୋଇଗଲା,କିନ୍ତୁ ବେରୋଜଗାରୀର କଳଙ୍କିତ ଦାଗ ସେମାନଙ୍କ ଦେହରୁ ଛାଡିବାର ନାମ ହିଁ ଧରିଲାନି । ଅର୍ଥ ଅଭାବରୁ ପରିବାରର ବିବିଧ ସାଧାରଣ ସମସ୍ୟା ମଧ୍ୟ ଆଜିକାର ପେଟ୍ରୋଲ ଡିଜେଲ ଦର ପରି ସବୁବେଳେ ବଢିବାକୁ ଲାଗିଲା ।ଏହି ପରି କିଛି ବର୍ଷ ଅତିବାହିତ ହେବା ପରେ ଚାକିରୀ ଆଶା ମନରୁ ପରିତ୍ୟାଗ କରି ନିରୁପାୟ ହୋଇ ତା'ର ସାଙ୍ଗମାନଙ୍କ ମଧ୍ୟରୁ କେତେ ଜଣ ସ୍ୱଳ୍ପ ପୁଞ୍ଜିରେ ପାନ ଦୋକାନ, ଚା ଦୋକାନ ,ଜଳଖିଆ ଦୋକାନ ଆଦି କରି ନିଜର ଗୁଜୁରାଣ ମେଣ୍ଟାଇବାକୁ ଲାଗିଲେ । ଆଉ କେତେ ଜଣ ଗୁଜୁରାଟ, ତାମିଲନାଡୁ ,କେରଳ ପରି ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେ ।କେତେ ବା ଆଉ ମରୀଚିକା ପଛେ ଧାଇଁ ଧାଇଁ ଧଇଁସଇଁ ହୋଇଥାନ୍ତେ ? କେବଳ ଦୌଡ଼ିବାଟା ହିଁ ସାର । ଆଜିର ଯୁଗରେ ଚାକିରୀଟିଏ ଖୋଜିବା ମରୁଭୂମିରେ ମୁନ୍ଦେ ପାଣି ଖୋଜିବା ସହ ସମାନ ।ଆମ ଦେଶ ତଥା ରାଜ୍ୟରେ ଯେଉଁ ମାତ୍ରାରେ ଶିକ୍ଷିତ ଯୁବକ ଯୁବତୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେହି ଅନୁସାରେ ସରକାରୀ କି ବେସରକାରୀ ସଂସ୍ଥାରେ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରୁନାହିଁ ।ଏହା ହିଁ ବେକାରୀ ବା ବେରୋଜଗାରୀ ବୃଦ୍ଧି ହେବାର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ । 

     ଏହାରି ଭିତରେ ତା ଗୋଟିଏ ବୋଲି ସାନ ଭଉଣୀ ଆୟାଶା ପାଇଁ ଏକ ଲବ୍ଧ ପ୍ରତିଷ୍ଠିତ ପରିବାରରୁ ବାହାଘର ପ୍ରସ୍ତାବ ଆସିଲା । ପିଲାଟି କେଉଁ ଏକ ଜାତୀୟ ବ୍ୟାଙ୍କରେ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିଲା । ବର ପକ୍ଷରୁ ଯୌତୁକ ଆକାରରେ ନଗଦ ଦୁଇ ଲକ୍ଷ ଟଙ୍କା ,କାର,ଉଭୟ ବର କନ୍ୟାକୁ ବିଭିନ୍ନ ସୁନା ରୂପା ଅଳଙ୍କାର ସହ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷପତ୍ର ଦେବା ପାଇଁ ଦାବି କଲେ । ନିିିଜ ପସନ୍ଦ ମୁତାବକ ପ୍ରସ୍ତାବଟେ ମିଳିଯାଇଥିବାରୁ ବାପ ପୁଅ ସେମାନଙ୍କ ଦାବିକୁ ସମ୍ମତି ଜଣାଇ ଆସନ୍ତା ବର୍ଷ ଭଲ ତିଥି,ଲଗ୍ନ ,ବାର ଦେଖି ବାହାଘର ସାରି ଦେବା ପାଇଁ ରାଜି ହୋଇଗଲେ। ହେଲେ ଏତେ ଟଙ୍କା ଆଣିବେ କେଉଁଠୁ ? ପାଖରେ ତ ନଗଦ ଟଙ୍କାଟିଏ ବି ନାହିଁ । ବାପାଟି ତାର ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ବିଲରେ ଧାନ, ମୁଗ ଚାଷ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ତାକୁ ଏତେ ବାଟ ଆଗକୁ ଆଣିଥିଲା । ସେଥିରୁ ଉପାର୍ଜିତ ଅଧିକାଂଶ ଅର୍ଥ ଦୁଇ ପିଲାଙ୍କର ପାଠ ପଢ଼ାରେ ଖର୍ଚ୍ଚ କରିବା ସତ୍ତ୍ୱେ ଆଡ଼ମିଶନ ,ଫର୍ମ ପୂରଣ ,ହଷ୍ଟେଲ ଖର୍ଚ୍ଚ ଇତ୍ୟାଦି ପାଇଁ ସାହି ପଡିଶାଠୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ୟନ୍ତ ଧାର ଉଧାର କରିବାକୁ ପଡୁଥିଲା ।ତେଣୁ ପିଲାମାନଙ୍କ ବାହାଘର ପାଇଁ ଅର୍ଥ କେମିତି ବା କେଉଁ ବ୍ୟାଙ୍କ,ପୋଷ୍ଟ ଅଫିସ କି ଅନ୍ୟ କେଉଁଠି ବାନ୍ଧିରଖିଥାନ୍ତା ? ଏଣେ ପୁଣି ପିଲାଙ୍କର ପାଠ ପଢା ସରୁ ସରୁ କେଉଁ ଏକ ଅଜଣା ଦୂରବାଧ୍ୟ ରୋଗରେ ସେ ପୀଡ଼ିତ ହୋଇଗଲେ ।ସେଥିପାଇଁ ଡାକ୍ତରଖାନା ଯିବା, ଔଷଧ କିଣିବା ଆଦିରେ ମାସକୁ ଗୋଡ଼ାଏ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏଣେ ବୟସ ବଢ଼ିବା ସହିତ ଆଉ ଆଗ ଭଳି ଭଲ ଭାବରେ ଚାଷ ବାସ କରିପାରୁନଥିଲେ । ଗୋଟିଏ ବୋଲି ପୁଅ ହିସାବରେ ଅମର ଉପରେ ଘରର ସମସ୍ତ ଦାୟିତ୍ୱ ଲଦି ହୋଇପଡିଲା । ଯେଉଁ ବୟସରେ ଯୁବକମାନେ ନିଜର କର୍ମ ଓ କର୍ତ୍ତବ୍ୟ ସମ୍ପର୍କରେ ଅସେଚତନ ହୋଇ ଯୁବ ସୁଲଭତା ବୟସରେ ଭାସି ଯାଇ ଦିନରେ ବି ସୁନ୍ଦରୀ ପ୍ରଜାପତିମାନଙ୍କ ରଙ୍ଗୀନ ସ୍ୱପ୍ନରେ ବିଭୋର ହୋଇ ମସଗୁଲ ହୋଇଉଠନ୍ତି, ସେହି ବୟସରେ ଅମର ଜଣେ କର୍ତ୍ତବ୍ୟନିଷ୍ଠ ଯୁବକ ଭାବରେ ଦୁନିଆ ଆଗରେ ଠିଆ ହୋଇ ନିଜ ତରୁଣ କାନ୍ଧରେ ଘରର,ପରିବାରର ବୋଝକୁ ଥୋଇ ନିଜ ଗୋଡ଼ରେ ଛିଡାହେବାକୁ ପ୍ରୟାସ କରୁଥିଲା ।

 ସୁଦୂର ସୁରଟରେ ଦାଦନ ରୂପେ କାମ କରୁଥିବା ଅମରର କେତେ ଜଣ ସାଙ୍ଗ ରଜ ସମୟରେ କମ୍ପାନୀରୁ କିଛି ଦିନ ଛୁଟି ନେଇ ଗାଁକୁ ଫେରିଥିଲେ । ସାଙ୍ଗମାନଙ୍କ ସହ ସଞ୍ଜ ବେଳେ ଦିନେ ଖଟି ଚାଲିଥିବା ବେଳେ ଅମର ପାଖରୁ ସବୁ କଥା ଶୁଣି ସାରି ତାକୁ ଗଲା ବେଳେ ସାଥିରେ ନେଇଯିବା ପାଇଁ ସେମାନେ ନିଷ୍ପତ୍ତି ନେଲେ । ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିବା ଅମର ଭଉଣୀର ବିଭାଘର ପାଇଁ ଆବଶ୍ୟକ ଟଙ୍କା ସଞ୍ଚୟ କରିସାରିବା ପରେ ଆସନ୍ତା ରଜ ପୂର୍ବରୁ ଫେରିଆସିବା ପାଇଁ ସର୍ତ୍ତ ରଖି ସେମାନଙ୍କ ସହ ଯିବା ପାଇଁ ରାଜି ହୋଇଗଲା । ଛୁଟି ସରିଗଲା ପରେ ସେମାନଙ୍କ ସାଙ୍ଗରେ ଟ୍ରେନରେ ବସି ଅମର ବି ପ୍ରଥମ ଥର ପାଇଁ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟ ଯିବାକୁ ବାହାରିପଡ଼ିଲା ।ସେଠାରେ ପହଞ୍ଚିବା ପରେ ପୂର୍ବ କଥା ମୁତାବକ ଅମରକୁ ତା'ର ସାଙ୍ଗମାନେ ଏକ କମ୍ପାନୀରେ କାମ ଯୋଗାଇଦେବା ସହ ତା ପାଇଁ ରହିବାର ସମସ୍ତ ବନ୍ଦୋବସ୍ତ କରିଦେଲେ । ଯେଉଁ ହାତରେ କଲମ ଧରି କେଉଁ ସରକାରୀ କି ବେସରକାରୀ ଅଫିସରେ ଚୌକି ଉପରେ ବସି ବିଭିନ୍ନ ଦସ୍ତାବିଜରେ ଦସ୍ତଖତ କରିବାକୁ ସେ ସ୍ୱପ୍ନ ଦେଖିଥିଲା,ଆଜି ସେହି ହାତରେ ତାକୁ ଆଗରୁ ଆଖି ଦେଖିନଥିବା ଜିନିଷ ଧରିବାକୁ ପଡୁଥିଲା । ଦିନ ପରେ ଦିନ ଗଡିଚାଡ଼ିଲା ।ମାସ ଶେଷରେ ମିଳୁଥିବା ଟଙ୍କାରୁ କିଛି ଘର ଖର୍ଚ୍ଚ ପାଇଁ ବାପାଙ୍କ ନିକଟକୁ ପଠାଇ ନିଜ ଖର୍ଚ୍ଚ ବାଦ ବଳକା ଟଙ୍କାକୁ ସଞ୍ଚୟ କରିରଖୁଥିଲା । ଏହି ପରି କିଛି ମାସ ଭଲରେ ଭଲରେ ବିତିଗଲାପରେ ଫେବୃଆରୀ ମାସରେ ଦିନେ ତା'ର ବାପା ଫୋନ କରି କହିଲେ,"ତୋ ଭଉଣୀର ବାହାଘର ତାରିଖ ଠିକ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସ ପନ୍ଦର ତାରିଖରେ ବାହାଘର କଲେ ଭଲ ହେବ ବୋଲି ଗାଁ ଜ୍ୟୋତିଷ ଜାତକ ପକାଇ କହିଯାଇଛି ।ତେଣୁ ତୁ ମାର୍ଚ୍ଚ ମାସ ଶେଷ ସୁନ୍ଧା ଗାଁକୁ ଫେରିଆସିବୁ । ବାହାଘର ପାଇଁ ଆବଶ୍ୟକ ଟଙ୍କା ବି ପାଖାପାଖି ଯୋଗାଡ଼ ହୋଇଗଲାଣି । ସବୁ କାମ ତୋତେ ହିଁ ପୁଣି କରିବାକୁ ହେବ "। ଅମର ମଧ୍ୟ ବାପାଙ୍କ କଥାରେ ସହମତି ପ୍ରକାଶ କରି ଫୋନ ରଖିଦେଲା ଓ ସେହି ଅନୁସାରେ ଘରକୁ ଫେରିବା ପାଇଁ ମୋବାଇଲରେ ଆଗୁଆ ଟ୍ରେନ ଟିକଟ ବୁକ କରିଦେଇ ରାତି ଆକାଶେ ତାରା ଗଣିବା ପରି ଦିନ ଗଣିବାକୁ ଲାଗିଲା ।


                ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।ଦଇବ ବୋଧେ ଚାହୁଁନଥିଲା ଅମର ଗାଁକୁ ଫେରି ନିଜ ଭଉଣୀର ବାହାଘର କର୍ମ ସମ୍ପାଦନ କରୁ । କରୋନା ଭୂତାଣୁର ପ୍ରକୋପ ବୃଦ୍ଧି ଯୋଗୁଁ ସମଗ୍ର ଦେଶରେ ମାର୍ଚ୍ଚ ମାସର ଶେଷାର୍ଦ୍ଧରେ ହଠାତ ଲକଡା଼ଉନ ଆରମ୍ଭ 

ହୋଇଗଲା । ଲକଡା଼ଉନ ଯୋଗୁଁ ବୈଶାଖ ମାସର ଝାଂଜି ଖରାବେଳ ପରି ଜୀବନ ଯାତ୍ରା ଠପ ହୋଇଗଲା । ବସ, ଟ୍ରେନ,ଉଡାଯାହାଜ ପରି ଗମନାଗମନର ମାଧ୍ୟମ ବନ୍ଦ ହୋଇଯିବା ସହ ସ୍କୁଲ,କଲେଜ,ସରକାରୀ ଅଫିସ ଛୁଟି ଘୋଷଣା କରାଗଲା । ଚବିଶ ଘଣ୍ଟା ଅନବରତ କାର୍ଯ୍ୟ କରୁଥିବା କଳାକାରଖାନା, ଖଣିଠାରୁ ଆରମ୍ଭ କରି ଛୋଟ ବଡ଼ କମ୍ପାନୀଗୁଡିକ ମଧ୍ୟ ଧିରେ ଧିରେ ବନ୍ଦ ହୋଇଗଲା । ବିନା କୌଣସି ପ୍ରାକ ସୂଚନାରେ କେହି କିଛି ବୁଝିବା ଆଗରୁ 

ଲକଡ଼ାଉନ ଘୋଷଣା ଯୋଗୁଁ ସମସ୍ତେ ଏକ ପ୍ରକାରର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ । ଧନୀ-ଦରିଦ୍ର, ବାଳୁତ-ବୃଦ୍ଧ,ଶ୍ରମିକ-ମାଲିକ,ଶାସକ-ଶୋଷିତ କେହି ଏଥିରୁ ବାଦ ପଡିଲେନି । ପରନ୍ତୁ ସବୁଠାରୁ ଅଧିକ ଦୁଃଖ କଷ୍ଟକୁ ସହ୍ୟ କଲେ ପ୍ରବାସୀ ଶ୍ରମିକ ବା ଦାଦନମାନେ । କମ୍ପାନୀରେ କାମ ବନ୍ଦ ହେବା ଯୋଗୁଁ ପାଖରେ ରଖିଥିବା ଟଙ୍କା ମଧ୍ୟ ଆସ୍ତେ ଆସ୍ତେ ଖାଇବା ପିଇବାରେ ସରିବାକୁ ଲାଗିଲା ।ମାଲିକ ମଧ୍ୟ କରୋନା ଡରରେ ଦାଦନ ଶ୍ରମିକମାନଙ୍କୁ କମ୍ପାନୀରୁ ବିଦା କରିଦେଲା । ଏଥରୁ ଅମର ଓ ତା ସାଙ୍ଗମାନେ କିପରି ବା ବାଦ୍ ପଡ଼ିଥାନ୍ତେ ? ଏବେ ରହିବେ କେଉଁଠି ,ଖାଇବେ କଣ ? ଗାଁକୁ ବି ଫେରିପାରିବେନି ।

ଅନ୍ୟ ଉପାୟ ନ ପାଇ ସେମାନେ ରେଲୱେ ଷ୍ଟେସନରେ ମୁଣ୍ଡ ଗୁଞ୍ଜିବାକୁ ଲାଗିଲେ । ସତେ ଯେମିତି ସେମାନଙ୍କ ମୁଣ୍ଡ ଉପରେ ସାରା ଆକାଶର ବୋଝ କିଏ ଆଣି ଲଦିଦେଇଛି । 

ସେଠାରେ କିଛି ଦିନ କଷ୍ଟେ ମଷ୍ଟେ ବିତିଗଲା ପରେ ଅମର ଓ ତା'ର ସାଙ୍ଗମାନେ ନିଷ୍ପତ୍ତି ନେଲେ ସେମାନେ ଯେମିତି ବି ହେଉ ଗାଁକୁ ଫେରିଯିବେ । ଭାଗ୍ୟକୁ ଆଦରି ଏଠି ଆଉ କେତେ ଦିନ ପଡିରହିବେ ? ଯାହା ହେବାର ଥିବ ହେବ ।

                 ଦିନେ ବଡି ଭୋରରୁ ସେମାନେ ଟ୍ରେନ ଟ୍ରାକ ଉପରେ ଚାଲି ଚାଲି ନିଜ ଗ୍ରାମାଭିମୁଖେ ବାହାରିପଡିଲେ । ନିଜ ସାଥିରେ ନିଜ ନିଜର ନିତ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ଏବଂ ଚୁଡା,ମୁଢି,ବିସ୍କୁଟ ପରି କେତେକ ଶୁଖିଲା ଖାଦ୍ୟ ପ୍ୟାକେଟ ଓ କିଛି ପାଣି ବୋତଲ ଧରିଥିଲେ, ଯାହାକୁ କେତେକ ସ୍ବେଚ୍ଛାସେବୀ ସଙ୍ଗଠନର ଅନୁଗ୍ରହରୁ ରେଲୱେ ଷ୍ଟେସନରେ ଥିଲାବେଳେ ମିଳିଥିଲା । ଯେଉଁଠି ଭୋକ ଲାଗୁଥିଲା ସେଇଠି ଖାଉଥିଲେ,ଶୋଷ ଲାଗିଲେ ପିଉଥିଲେ,ନିଦ ଆସିଲେ ତା'ରି ଉପରେ ଶୋଇଯାଉଥିଲେ ।ଏମିତି କେତେ ଦିନ କେତେ ରାତି ସାଧାରଣ ଭାବେ କଟିଗଲା ପରେ ସେଦିନ ଆସିଲା ଏକ କାଳ ରାତି,ଯାହା ସେମାନଙ୍କ ଜୀବନର ଥିଲା ଶେଷ ରାତି । ପୂର୍ବବତ ଟ୍ରେନ ଟ୍ରାକ ଉପରେ ସମସ୍ତେ ନିଘୋଡ଼ ନିଦ୍ରାରେ ଶୋଇଥିଲାବେଳେ ମୃତ୍ୟୁର ଦୂତ ସାଜି ଟ୍ରେନଟି ମାଡିଆସିଲା ଏବଂ ଆଖି ପିଛୁଳାକେ ସେମାନଙ୍କ ଶରୀରରୁ ଗଣ୍ଡି ମୁଣ୍ଡ ଅଲଗା କରି ରାତିର ଅନ୍ଧକାରରେ ଅନ୍ତର୍ଦ୍ଧାନ ହୋଇଗଲା । ସକାଳ ହେବାରୁ ଟ୍ରାକ ଉପରେ ଦେଖିବାକୁ ମିଳିଲା ଏଠି ସେଠି ବିକ୍ଷିପ୍ତ ହୋଇ ପଡିରହିଥିବା ମାଂସ ପିଣ୍ଡୁଳା,କଟା ହାତ,କଟା ଗୋଡ଼,କଟା ମୁଣ୍ଡ। ଚିହ୍ନିବା କଷ୍ଟକର କେଉଁଟା କାହାର ।ରକ୍ତର ଧାର ବହିଯାଇଥିଲା ସ୍ରୋତସ୍ୱିନୀ ନଦୀଟିଏ ପରି ।ସତେ ଯେପରି ପୁଣି ଥରେ କଳିଙ୍ଗ ଯୁଦ୍ଧ ହୋଇଗଲା ।

        ଭଉଣୀର ବିଭାଘର ଦେଖିବା ପାଇଁ ଯେଉଁ ଆଖି ଦିନେ ସ୍ୱପ୍ନ ଦେଖିଥିଲା, ସେହି ଆଖି ଆଜି ସବୁଦିନ ପାଇଁ ବୁଜି ହୋଇଗଲା । ଯେଉଁ ଗୋଡ଼ ଦିନେ ଦାଦନ ଖଟିବାକୁ ଟ୍ରେନରେ ଉଠି ବସିଥିଲା,ସେହି ଟ୍ରେନ ହିଁ ଶରୀରରୁ ଗୋଡ଼ ଅଲଗା କରିବାକୁ କରିବାକୁ କୁଣ୍ଠାବୋଧ କଲା ନାହିଁ ।ଯେଉଁ ହାତ ଦିନେ ଭଉଣୀକୁ ଆଶୀର୍ବାଦ ଦେବାକୁ ଉଠିଥାନ୍ତା,

ସେହି ହାତ ରକ୍ତରଂଜିତ ହୋଇ ଟ୍ରେନ ଟ୍ରାକ ଉପରେ ପଡ଼ିରହିଥିଲା ।କେବଳ ଗୋଟିଏ ରାତି ସେମାନଙ୍କ ଜୀବନରେ ଆସୁଥିବା ସମସ୍ତ ରାତିର ଅନ୍ତ କରିଦେଲା । ଅମର ପରି ତା'ର ସାଙ୍ଗମାନଙ୍କ ସ୍ବପ୍ନ ମଧ୍ୟ ସ୍ବପ୍ନରେ ରହିଗଲା ।କିଏ ନିଜର ସାନ ଭାଇ ଭଉଣୀକୁ ଅଧିକ ପାଠ ଦି ଅକ୍ଷର ପଢେଇବା ପାଇଁ ସ୍ବପ୍ନ ଦେଖିଥିଲା ତ କିଏ ନିଜ ଝାଟି ମାଟିର କଚ୍ଚା ଘରକୁ ପକ୍କା କରିବାର,କିଏ ପୁଣି ନିଜ ରୋଗୀଣା ବାପା ମାଆଙ୍କର ଅପରେସନ କରି ଦୁଃସାଧ୍ୟ ରୋଗର ଯନ୍ତ୍ରଣାରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ତ କିଏ ନିଜ ସ୍ତ୍ରୀ ପେଟରେ ବଢୁଥିବା ପିଲାର ଉତ୍ତମ ଭବିଷ୍ୟତର ।ଜୀଵନର ସମସ୍ତ ଘଟଣା ଦୁର୍ଘଟଣାର ଯବନିକା ପଡିଗଲା ଗୋଟିଏ ଦୁର୍ଘଟଣାରେ । ଭଗବାନ ବୋଧେ ନିଜକୁ ନିଜ ପାଖରେ ଅପଦସ୍ତ ହେବାରୁ ବର୍ତ୍ତିବା ଲାଗି ନିଜ ପାଖକୁ ନେଇଗଲେ ।ନ ହେଲେ କଣ ହୁଏତ କେହି କେବେ ସ୍ୱରଚିତ ସୃଷ୍ଟିର ଗୋଟେ ଅଂଶର ଭାଗ୍ୟରେ ଏତେ ଦୁଃଖ ,କଷ୍ଟ, ଯନ୍ତ୍ରଣାର ଏକ ସରଳରେଖାଟେ ଟାଣିପାରେ ।ସେପଟେ ସକାଳେ ପ୍ରମୁଖ ଖବରକାଗଜର ମୁଖ୍ୟ ପୃଷ୍ଠାରେ ନାଲି ସ୍ୟାହିରେ ବଡ଼ ବଡ଼ ଅକ୍ଷରରେ ଶିରୋମଣ୍ଡିତ କରୁଥିଲା "ଟ୍ରେନ ଧକ୍କାରେ ଦାଦନ ଶ୍ରମିକମାନଙ୍କ ମୃତ୍ୟୁ ।"



Rate this content
Log in

More oriya story from Subrat Malik

Similar oriya story from Abstract