ଦୁଃଖୀ ପିଲାର ବାପା
ଦୁଃଖୀ ପିଲାର ବାପା


ମାନସ ଗୁଡି ଉଡାଇବାକୁ ଘରୁ ବାହାରି ଆସିଲେ ସ୍ବପ୍ନ ତାକୁ କାବୁ କରି ନେଉଥିଲା।
ଆକାଶ ଛୁଇଁବାକୁ ଉଡୁଥିବା ଗୁଡି ପରି ତା'ର ସ୍ବପ୍ନ।
ଧୀର ଉତ୍ତରା ପବନରେ ମେଘମୁକ୍ତ ଆକାଶ ତଳେ ଉଡୁଥିଲା ତା'ର ଗୁଡି।ଦୂର ଆକାଶରେ ଗୋଟେ ସୁନ୍ଦର ଜହ୍ନ ପରି ହଜି ହଜି ଯାଉଥିଲା।ସ୍ବପ୍ନ ଦେଖୁଥିଲା ସେ।
- " ହେଇ......, ଗୋଟେ ଗୁଡି ଆସିଗଲା। " ଆଉ କାହାର ଗୁଡିଟିଏ ଆଖିରେ ପଡିଲେ ସେ ଚିତ୍କାର କରି ଉଠୁଥିଲା।ଲଟେଇରୁ ସୂତା ଛାଡି ବେଶ୍ କାଇଦା କରି ନିଜର ନିପୁଣ ହାତରେ ତା'ର ସୂତାକୁ କାଟି ଦେଉଥିଲା
ବେଶ୍ ମାଞ୍ଜାଦିଆ ତା'ର ସୂତା।ଘଣ୍ଟା ଘଣ୍ଟା ଧରି ବସି ସୂତାରେ ମାଞ୍ଜା ଦେଇଥାଏ ସେ।କଟିଯିବନି ?
- " କଟିଗଲା....... କଟିଗଲା। " ଆନନ୍ଦରେ ପୁଣି ଚିତ୍କାର କରୁଥିଲା ସେ।ତା'ର ଛାତି କୁଣ୍ଢେମୋଟର ହୋଇ ଯାଉଥିଲା।
ପବନର ବେଶ୍ ଜୋର୍ ଥାଏ।ତା'ର ଗୁଡିଟା ପୁଣି ଉପରକୁ ଉଠି ଯାଉଥିଲା।
- " ମାନସର ହାତର ମାଞ୍ଜାର ତାକତ୍ ଅନେକ ବେଶୀ। " ଦେଖଣାହାରୀଏ କହୁଥିଲେ।
କଟି ଯାଇଥିବା ଗୁଡିଟା ଶୂନ୍ୟରେ ଭାସି ଭାସି ଚାଲି ଯାଉଥିଲା।
- " ଯା'......ଯା' ,ଗଲା...... କଟିଗଲା। " ତା' ପଛେ ପଛେ ତା'ର ସମର୍ଥକମାନେ ଚିତ୍କାର କରୁଥିଲେ।
ପରବର୍ତ୍ତୀ ଗୁଡି ଉପରେ ନଜର ପକାଉଥିଲା ସେ।
ହେଲେ ତା'ର କାମଧନ୍ଦା ନ କରି ସକାଳୁ ସକାଳୁ ଘରୁ ବାହାରି ଆସି ପଡିଆରେ ଗୁଡି ଉଡାଇବାକୁ ପସନ୍ଦ କରୁ ନ ଥିଲା ତା'ର ବାପା।
ସେଦିନ ସକାଳେ ଗୁଡି ଉଡାଇବାକୁ ଘରୁ ବାହାରି ଆସିଥିଲା ସେ।ଗୁଡିଉଡାର ଆନନ୍ଦ ନେଉଥିଲା।
ତା'ର ନଜର ଥିଲା ଗୁଡି ଉପରେ।ହଠାତ୍ ଗୋଟିଏ ଶକ୍ତ ଚାପୁଡା ତା' ଗାଲରେ ବସିଲା।ସେ ବୁଲି ଚାହିଁଲା।ସଙ୍ଗେସଙ୍ଗେ ଆଉ ଗୋଟିଏ ଚାପୁଡା ବି ବସିଗଲା ତା'ର ଆର ଗାଲରେ।
- " କି'ରେ ! କାମଦାମ ଛାଡି ଗୁଡି ଉଡାଇଲେ ତୋର ପେଟ ପୂରିଯିବରେ ଶଳା।ସକାଳୁ ସକାଳୁ କାମକୁ ଯିବା ଛାଡି ଏଠି ଆସି ସାଙ୍ଗମେଳରେ ପଡି ଗୁଡି ଉଡାଇବୁ ? " ଚିତ୍କାର କରୁଥିଲା ତା'ର ବାପା।
ବାପା ଠାରୁ ଚାପୁଡା ଖାଇବା ପରେ ଦୂରକୁ ଛିଟିକି ପଡିଥିଲା ତା'ର ଲଟେଇ।ଗୁଡିଟା ଆକାଶରେ ଭାସି ବୁଲୁଥିଲା।
- " ଯା',ରିକ୍ସା ନେଇ ଶୀଘ୍ର ଯା'।ବେଳ ଆସି କେତେ ହେଲାଣି ?ଏତେବେଳକୁ ପଚଶ ଶହେ ରୋଜଗାର କରି ସାରନ୍ତୁଣି। ନ ଯିବୁ ଯଦି ତୋର ଗୋଡକୁ ପିଟି ଛୋଟା କରିଦେବି ଜାଣିଥା'। " ଗର୍ଜ୍ଜୁଥିଲା ତା'ର ବାପା।
ନିଜର ଗୁଡି ଆଡକୁ ଆଉ ନଜର ନ ଥିଲା ତା'ର।ଜଣେ ସାଙ୍ଗ ଲଟେଇଟାକୁ ଗୋଟେଇ ନେଇ ଗୁଡିଟାକୁ ସମ୍ଭାଳିବାକୁ ଜୋରରେ ଉଦ୍ୟମ କରୁଥିଲା।
- " ଟଙ୍କା ଖର୍ଚ୍ଚ କରି ଗୁଡି ଲଟେଇ କିଣା ହେଉଛି।କାମକୁ ନ ଯାଇ ମାଞ୍ଜା ଦିଆ ଚାଲିଛି।ଲକ୍ଷ୍ମୀଛଡା ପୁଅ।ଖାଲି ବସି ବସି ଖାଇବୁ ? " ଚିଲେଇ ଚିଲେଇ କହୁଥିଲା ତା'ର ବାପା।
ତୁଟି ସାରିଥିଲା ସ୍ବପ୍ନ।
ନିଜର ଗୁଡି କଥା ଆଉ ସେ ଭାବିବ କ'ଣ !ଅଗତ୍ୟା ତାକୁ ତା' ବାପା ସାଙ୍ଗରେ ଆସିବାକୁ ହେଲା।ମନକୁ ବୁଝେଇ ଦେଇ ସେ ପହଞ୍ଚିଲା ତା'ର ରିକ୍ସା ପାଖରେ।ରିକ୍ସା ଧରି ସହରକୁ ବାହାରି ଗଲା।
ଦୁଃଖୀ ପିଲାର ଖେଳ ଗୋଟେ କ'ଣ !
ସ୍ବପ୍ନର କଥା କ'ଣ କହିବା !କିଛି କ'ଣ ବୁଝେ ସେ ! ଡେଣା ନ ଥାଇ ବି ସେ ପକ୍ଷ ମେଲି ନୀଳ ଆକାଶରେ ଯୋଜନ ଯୋଜନ ଉଡେ।ପୂରା ଆକାଶକୁ ସେହି ଏକା ଦଖଲ କରିପାରେ।କେବେ ପୁଣି ତା'ର ଡେଣା କଟିଯାଏ ଅଧା ବାଟରେ।
ସେ ରିକ୍ସା ନେଇ ଚାଲି ଗଲାଣି କେତେବେଳୁ।ନିଜ ଝୁମ୍ପୁଡିର ଅଣଚଉଡା ବାରଣ୍ଡାଟିରେ ବସି ବସି କେତେ କଥା ଭାବୁଥିଲା ତା'ର ବାପା।ମନଦୁଃଖ କରୁଥିଲା।
ନିଜ ପିଲାଟି ପାଇଁ ମନଦୁଃଖ କରିବା ଛଡା ଆଉ କ'ଣ ବା କରିପାରନ୍ତା ସିଏ !
ଦୁଃଖୀ ପିଲାର ବାପା !