STORYMIRROR

BHARAT CHARAN BEHERA

Romance

4  

BHARAT CHARAN BEHERA

Romance

ଦୁଃଖ ଦେଇଗଲା ପହିଲି ରଜ

ଦୁଃଖ ଦେଇଗଲା ପହିଲି ରଜ

7 mins
169


ସାର୍, ୧୪ ନଂ ରୁମ୍ ପେସେଣ୍ଟ ସିଭିୟର ଚେଷ୍ଟ ପେନ୍ ନର୍ସ ପାଟି ଶୁଣି ମୁଁ ଶୀଘ୍ର ଦଉଡ଼ି ଗଲି । କୌଣସି ରୋଗୀଙ୍କର ଚିକିତ୍ସା କେମିତି ଠିକ୍ ସମୟରେ ହେବ ତାହାହିଁ ମୋ ଡାକ୍ତର ଜୀବନର ଲକ୍ଷ୍ୟ ଥିଲା । ତେଣୁ ହଠାତ୍ ୧୪ ନଂ ରୁମରେ ପହଂଚି ଗଲି। ନର୍ସକୁ ଇଞ୍ଜେକସନ ଦେବାକୁ କହିଲି । ହାର୍ଟ ପମ୍ପିଂ ରେଟ କମ୍ ଥିଲା । ପ୍ରେସକ୍ରିପ୍ସନ ସ୍ଲିପ ରେ ଇସିଜି, ଟ୍ରପ-ଟି ଆଉ ଇକୋ କରିବା ପାଇଁ ଲେଖିଦେଲି । ନର୍ସକୁ କହିଲି ରିପୋର୍ଟ ଆସିଲେ ମୋତେ ଜଲଦି ଦେଖେଇବ। ହଠାତ୍ ପେସେଣ୍ଟ ନାଁ ଉପରେ ନଜର ପଡ଼ିଗଲା। ମୁଁ ଚମକି ପଡିଲି। ଅନସୁୟା ଦାସ, ବୟସ ୬୧ ବର୍ଷ। କିଛି ପଚାରିବା ଆଗରୁ ଦେଖିଲି ପେସେଣ୍ଟ ଇଞ୍ଜେକ୍ସନ ନେଇ ଶୋଇପଡ଼ିଲେଣି। ଚାମ୍ବରକୁ ଫେରି ଆସିଲି।

   ମନେ ମନେ ଭାବିଲି, ଇଏ କଣ ସେଇ ଅନୁ। ୪୪ ବର୍ଷ ତଳେ ଦେଖିଥିଲି। ଆଜି ଚିହ୍ନି ପାରୁନି।କାଳେ ସେ ସେଇ ଅନୁ ହେଇ ନଥିବେ। ପଚାରିଲେ ସେ ଖରାପ ଭାବିବେ। ୧୯୭୭ ମସିହା ଜୁନ ୧୪ ତାରିଖ ବୁଧବାର ପହିଲି ରଜ। ଅନୁ ସହ ପ୍ରଥମ ଦେଖା। ତା ମାମୁଁ ଘର ଆମ ଗାଆଁରେ। ରଜକୁ ତା ମାମୁଁ ଘରକୁ ଆସିଥାଏ। ମୁଁ ମଧ୍ୟ କଲେଜ ଛୁଟି ଥିବାରୁ ଗାଆଁରେ ଥିଲି। ସଜବାଜ ହେଇ ତା ମାମୁଁ ଝିଅ ଟିକିଲି ସହ ଆସିଥିଲା ଦୋଳି ଖେଳିବାକୁ।ଆମ ଗାଁ ଆମ୍ବ ତୋଟାରେ ବହୁ ପ୍ରକାର ଦୋଳି ପଡ଼ିଥାଏ। ଦଉଡ଼ି ଦୋଳି, ପଟା ଦୋଳି, ରାମ ଦୋଳି, ଚକ୍ରୀ ଦୋଳି ଆଦି ବହୁ ପ୍ରକାର। ପାଖ ଆଖ ଗାଁ ରୁ ବହୁତ୍ ଲୋକ ଆସନ୍ତି ଦୋଳି ଖେଳିବାକୁ। ଟିକିଲି ମୋ ଠାରୁ ୪ ବର୍ଷ ସାନ। ୭ମ ରେ ପଢ଼ୁ ଥାଏ। "ସୋନୁ ଭାଇ ଭାରି ଭିଡ ଏଠି, ଆମକୁ ଟିକେ ଦୋଳି ଖେଳେଇ ଦେବ।" ଟିକିଲିର ପାଟି ଶୁଣି ମୁଁ ତା ଆଡ଼କୁ ଅନେଇଲି।କହିଲି " ତୋ ସାଙ୍ଗରେ ଆଉ କିଏ ଆସିଛି?"। ସେ ଅନୁକୁ ଚିହ୍ନେଇ ଦେଇ କହିଲା "ମୋ ମାମୁଁ ଝିଅ ଅନୁ, ଅନସୂୟା"। ଅନୁ ମୋ ଆଖିରେ ଆଖି ମିଳେଇ ଲାଜେଇଗଲା। ଖୁବ୍ ନରମ ଗଳାରେ ନମସ୍କାର ଟିଏ କଲା। ଖୁବ୍ ସୁନ୍ଦରୀ ଥିଲା ଅନୁ। ସେ ଥିଲା ନୀଳ ନୟନା।ନୀଳ ଚୁଡ଼ିଦାର ତା ଚେହେରାକୁ ଆହୁରି ଆକର୍ଷଣୀୟ କରିଦେଇଥିଲା। ମୁଁ ପଚାରିଲି କୋଉଠି ପଢୁଚ? ସେ କହିଲା 

ଆଇ. ଏ, ଫାଷ୍ଟ ଇଅର୍, ରେଭେନ୍ସା କଲେଜ। ମୁଁ ବହୁତ୍ ଖୁସି ହୋଇଗଲି।କହିଲି ମୁଁ ବି ରେଭେନ୍ସାରେ ଆଇ.ଏସସି ସେକେଣ୍ଡ ଇଅର।ଇଷ୍ଟ ହଷ୍ଟେଲରେ ରୁହେ। ସେ ଖୁସିରେ ଆହୁରି ଲାଜେଇ ଗଲା। ସେ କିଛି କହିବା ପୂର୍ବରୁ ତାଙ୍କୁ ନେଇ ଦୋଳିରେ ବସେଇ ଦେଲି। ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଦୋଳି ଖେଳିଲେ। ଯିବା ବେଳକୁ ଥ୍ୟାଙ୍କ ୟୁ ସୋନୁ ଭାଇ କହି ଚାଲିଗଲା। ମୁଁ କିଛି କହିବା ପୂର୍ବରୁ ସେ ଟିକିଲି ସହ ଦୂରକୁ ଚାଲି ଯାଇଥିଲା। ମୁଁ ତାକୁ ଚାହିଁ ରହିଥାଏ।ସେ ପଛକୁ ଫେରି ଚାହିଁଲା। ମୁଁ ହାତ ହଲେଇ 'ଟା ଟା' କହି ଦେଲି। ସେ ବି ହତ ହଲେଇ ଚାଲିଗଲା।


ସେଇ ଗୋଟିଏ ଦିନର ଦେଖା ଯେମିତି ଯୁଗ ଯୁଗର ଚିହ୍ନା ଚିହ୍ନା ଲାଗୁଥାଏ। ତାର ପହିଲି ଦେଖା ମୋ ଯୌବନରେ ସତେ ଯେମିତି ଭରି ଦେଇଥିଲା ନୂତନ ଉନ୍ମାଦନା। ମୁଁ ହଜି ଯାଉଥିଲି ତା ରୂପ ସୋନ୍ଧର୍ଯ୍ୟରେ। ଜୀବନରେ ପ୍ରଥମ ଥର ଭଲ ପାଇବା କଣ ମୁଁ ଅନୁଭବ କରି ପାରୁଥିଲି ସେଦିନ।


    ରଜ ଛୁଟି ସରିଲା। ମୁଁ ହଷ୍ଟେଲ ଫେରିଗଲି। କଲେଜ ରେ ତାକୁ ମନେ ମନେ ଖୋଜୁ ଥାଏ। ଆମର ସାଇନ୍ସ ବ୍ଲକ, ତାଙ୍କର ଆର୍ଟସ ବ୍ଲକ।ଏତେ ବଡ କଲେଜ, ଖୋଜି ପାଇବା ସହଜ ନୁହେଁ। ହଠାତ୍ ଦିନେ ଲାଇବ୍ରେରୀରେ ତା ସହ ଦେଖା ହେଲା। ମୋ ଅପେକ୍ଷା ସେ ଯେମିତି ଅଧିକ ଖୁସି ଲାଗୁଥିଲା। ତା ସାଙ୍ଗକୁ ମୋତେ ଚିହ୍ନେ଼ଇ ଦେଲା।ତା ସାଙ୍ଗ କଣ ତା କାନରେ ଫୁସ୍ ଫୁସ୍ କହିଦେଲା। ସେ ମୋତେ କହିଲା ସୋନୁ ଭାଇ ଗୋଟେ କଥା କହିବି କିଛି ଭାବିବନି ତ? ସତେ ଯେମିତି ମୋ ଦେହରେ ଶିହରଣ ଖେଳି ଗଲା।କଣ କହିବ ଅନୁ? ଭାବିଲି ଅନୁ ବି ମୋତେ ଭଲ ପାଉଛି ବୋଧେ।ସେ ଆଜି ମୋତେ ନିଶ୍ଚୟ କହିବ - ସୋନୁ ଭାଇ ମୁଁ ତୁମକୁ ଭଲ ପାଏ। "ଚୁପ୍ ହେଇଗଲ, କଣ କିଛି କହୁନ?" ମୁଁ ପ୍ରକୃତିସ୍ଥ ହେଇଗଲି। କହିଲି, ନା ଖରାପ କାହିଁକି ଭାବିବି କୁହ "। ଅନୁ କହିଲା" ଭାଇ ଆସ ଆଜି ଫିଲ୍ମ ଯିବା। ହିନ୍ଦ୍ ଟକିଜ୍ ରେ ଫୁଲ ଚନ୍ଦନ ସିନେମା ପଡ଼ିଛି। ଆମେ ଟିକେଟ କରି ପାରିବୁନି। ଭାରି ଭିଡ ହେଉଚି।" ମୁଁ କହିଲି " ହଉ ଠିକ୍ ଅଛି ଇଭିନିଂ ସୋ ଯିବା"।


ମୁଁ ଟିକେଟ କାଟିଦେଲି । ଆମେ ତିନି ଜଣ ଫିଲ୍ମ ଦେଖିଲୁ। ଫିଲ୍ମ ଦେଖା କମ୍ କିନ୍ତୁ କଥାବାର୍ତ୍ତା ବହୁତ୍ ହେଲୁ।ପରସ୍ପରକୁ ଜାଣିବାର ପ୍ରଚେଷ୍ଟା। ଧିରେ ଧିରେ ଆମ ଭିତରେ ସମ୍ପର୍କ ବଢ଼ି ଗଲା। ପରସ୍ପରକୁ ଭଲ ପାଇ ବସିଲୁ। କିନ୍ତୁ କେହି କାହାକୁ କହି ପାରୁନଥିଲୁ। ବାର୍ଷିକ ପରୀକ୍ଷା ସମୟ ଆସିଲା । ମୋର ୨ୟ ବର୍ଷ ସରିଯିବ।କୋଉଠି ପଢିବି ଠିକ୍ ନାହିଁ।ଅନୁ ସହ ଆଉ ଦେଖା ହେବନି। କଣ କରିବି। ନା, ଆଜି କହିଦେବି ଅନୁ ମୁଁ ତୁମକୁ ଭଲ ପାଏ। ଅନୁକୁ ଡାକିଲି । ସନ୍ଧ୍ୟା ସମୟ। ଅନୁ ପଚାରିଲା କାହିଁକି ଡ଼ାକିଲ କୁହ ଭାଇ। ମୁଁ ଭାବିଲି ଏଇ ମୌକାଟା ଆଉ ମିଳିବନି ଆଜି କହିଦେବି। କେମିତି କହିବି.....। କାଳେ ଅନୁ ରାଗି ଯିବ। ନା ରାଗୁ ପଛେ, ଆଜି କହିଦେବି। ମୁଁ ସାହାସ ସଞ୍ଚୟ କରି କହିଲି ଅନୁ ମୁଁ ତୁମକୁ... ମୋ କଥା ନସରୁଣୁ ତାର ଦି ଜଣ ସାଙ୍ଗ ଆସି ପହଞ୍ଚି ଗଲେ। କହିଲେ ଅନୁ ତୁ ଏଠି, ଆମେ ଚାରିଆଡ଼େ ଖୋଜୁଚୁ। ତୁ ହଷ୍ଟେଲ ଚାଲ ତମ ଘରୁ ଫୋନ ଆସିଚି। ସେତେବେଳେ ହଷ୍ଟେଲରେ ଗୋଟେ ଗୋଟେ ଲ୍ୟାଣ୍ଡ ଫୋନ ଥାଏ। ଅନୁ ପଳେଇଲା। ମନଟା ମୋର ଭାରି ଦୁଃଖ ହେଲା।


   ତାପରେ ପରୀକ୍ଷା ଆରମ୍ଭ ହେଲା। ମେଡ଼ିକାଲ ପାଇଁ ବି ପ୍ରିପେୟାର ହେଉଥିଲି। ତେଣୁ ପଢ଼ାରେ ମନ ଲଗେଇଲି। ପରୀକ୍ଷା ସାରିଲା।ଆମ ପରୀକ୍ଷା ଆଗରୁ ଅନୁର କ୍ଲାସ ପରୀକ୍ଷା ସରିଗଲା।ସେ ଘରକୁ ପକେଇଲା। ମୋର ପ୍ରାକଟିକାଲ୍ ସାରି ନ ଥିଲା। ମୁଁ ହଷ୍ଟେଲରେ ରହିଲି। ଶେଷ ବର୍ଷ ପରୀକ୍ଷା ପରେ, ମୁଁ ମେଡ଼ିକାଲ ଏଣ୍ଟ୍ରାସ ଦେଇ ଏମ. କେ. ସି.ଜି. ମେଡ଼ିକାଲ କଲେଜରେ ଏମବିବିଏସ ଆଡ଼ମିଶନ କଲି। ଅନୁ ବାପାଙ୍କର ରାଉରକେଲା ବଦଳି ହେଇଗଲା।ସେ ରାଉଲକେଲା ରେ ଗ୍ରାଜୁଏସନ୍ କଲା। ମୁଁ କଟକରେ ଏମ. ଡି ୩ବର୍ଷ, ତାପରେ ଚଣ୍ଡିଗଡରେ କାର୍ଡିଓଲଜିରେ ଡି. ଏମ୍. ୩ ବର୍ଷ କରି ଚାକିରି କଲି। ଅନୁ କଥା ବହୁତ୍ ମନେ ପଡ଼େ। ହେଲେ ତା ଖବର ଆଉ ରଖିପାରିଲିନି। 


   ଦିନେ ଗାଁ କୁ ଯାଇଥାଏ।ଟିକିଲି ଖବର ଶୁଣି ମୋ ପାଖକୁ ଆସିଲା। ୟା ଭିତରେ ଟିକିଲି ବି ବହୁତ୍ ବଡ଼ ହେଇ ଗଲାଣି। ସେ କହିଲା ସୋନୁ ଭାଇ ଅନୁ ଦିଦି ବହୁତ୍ କାନ୍ଦିଚି ତୁମ ପାଇଁ। ବିବାହ କରିବାକୁ ରାଜି ନଥିଲା। ତାକୁ ଜବରଦସ୍ତ ୨ ବର୍ଷ ତଳେ ବିବାହ କରାଇଦେଲେ। ତା ସ୍ବାମୀ ଷ୍ଟେଟ ବ୍ୟାଙ୍କ ପି. ଓ। ଏବେ କର୍ଣାଟକ ରେ ଅଛନ୍ତି। ହଁ ତୁମ ପାଇଁ ଚିଠି ଖଣ୍ଡେ ଦେଇ ଯାଇଛି।" ଏତିକି କହି ଚିଠି ଖଣ୍ଡକ ମୋ ହାତକୁ ବଢ଼େଇ ଦେଇ ଚାଲିଗଲା।


ସତେ ଯେମିତି ମୋ ପାଦ ତଳୁ ମାଟି ଗୁଡ଼ା ଖସି ଗଲା। ମୁଁ ସ୍ତବ୍ଧ ହେଇଗଲି। ମୁଁ ଅନୁକୁ ବହୁତ୍ ଭଲ ପାଏ। ଅନୁର ବିବାହ ଖବର ଶୁଣି ତା ପ୍ରତି ମୋର ଭଲ ପାଇବା ଆହୁରି ବଢ଼ି ଗଲା। ସେ ବି ମୋତେ ଭଲ ପାଉଥିଲା ଜାଣି ମୁଁ ଆହୁରି ଅନୁତପ୍ତ ହେଲି। ଅନୁ ବିନା କେମିତି ବଞ୍ଚିବି ମୁଁ। ଦୁଃଖ ଓ କୋହରେ ମୁଁ ବିବ୍ରତ ହେଇଗଲି। ଅନୁର ଚିଠି ଖୋଲିଲି। ଛୋଟିଆ ଚିଠି ଟିଏ। ଲେଖିଥିଲା " ସୋନୁ ଭାଇ, ମୁଁ ହାରିଗଲି।ତମକୁ ମୁଁ ବହୁତ୍ ଭଲପାଏ। ବହୁତ ଥର ଭାବିଚି ତମକୁ କହିବାକୁ, କିନ୍ତୁ ଡର ଲାଗେ କହିବାକୁ। ତମେ ଜଣେ ଡାକ୍ତର। କାଳେ ମୋତେ ଗ୍ରହଣ ନ କରିବ, ତେଣୁ ତମକୁ ଅପେକ୍ଷା କରି ପାରିଲିନି। ମୁଁ ଆଉ କାହାର ହେଲେବି ତୁମେ ମୋର ପ୍ରଥମ ଓ ଶେଷ ପ୍ରେମ। ତମକୁ ଭୁଲି ପାରିବିନି।'ଇତି '।

      ତୁମର ଅନୁ


   ଲୁହରେ ଚିଠିଟି ଭିଜି ଯାଇ ଶୁଖି ଯାଇଥିଲା। ଦୁଃଖ ଓ ଅନୁତାପର ଜ୍ଵାଳାରେ ମୋ ଆଖିରୁ ଦୁଇ ଟୋପା ଲୁହ ଝରି ଆସିଲା। ମୁଁ ଯଦି ତାକୁ କହିଦେଇ ଥାନ୍ତି ମୋ ଅନ୍ତରର କଥା, ଆଜି ଏ ଅବସ୍ଥା ହେଇ ନଥାନ୍ତା। ପାଗିଳିଟା ମୋତେ ବି ଟିକେ କହି ପାରିଲାନି।

  ସାର୍, ରିପୋର୍ଟ। ନର୍ସଙ୍କ ପାଟି ଶୁଣି ପ୍ରକୃସ୍ଥିତ ହେଲି। ରିପୋର୍ଟ ଦେଖିଲି। ସିଭିୟର ଆର୍ଟିକ ଡିସେକ୍ସନ୍। ପେସେଣ୍ଟ ସିରିୟସ କଣ୍ଡିସନ୍। ହାର୍ଟରେ ଇଣ୍ଟରନାଲ ବ୍ଲିଡ଼ିଂ। ସର୍ଜରୀ କଣ୍ଡିସନ୍ ବି ନାହିଁ। କେବଳ ହାର୍ଟ ରିପ୍ଲେସମେଣ୍ଟ ହେଲେ ପେସେଣ୍ଟ ବଞ୍ଚି ପାରିବ। ନର୍ସକୁ କହିଲି ଆଟେଡାଣ୍ଟକୁ ଡାକ। ଆଟେଡାଣ୍ଟକୁ ପଚାରିଲି ପେସେଣ୍ଟ ତୁମର କଣ ହେବ ? ସେ କହିଲା କେହି ନୁହେଁ ଆଜ୍ଞା।ସେ ଶ୍ରୀ କୃଷ୍ଣା ବୃଦ୍ଧାଶ୍ରମ, ଚିନ୍ତାମଣିଶ୍ୱରରେ ରହୁଛନ୍ତି। ମୁଁ ତାଙ୍କର କେୟର୍ ଟେକର। 

  

     ମୁଁ ପେସେଣ୍ଟ ପାଖକୁ ଗଲି।ସେ ଟିକେ ନର୍ମାଲ ଥିଲେ।ମୋତେ ଦେଖି ନମସ୍କାର କଲେ। ତାଙ୍କୁ ପଚାରିଲି ତୁମର କିଏ ସବୁ ଅଛନ୍ତି।ସେ କହିଲେ ମୋ ସ୍ଵାମୀ ଷ୍ଟେଟ ବ୍ୟାଙ୍କରେ ଡି.ଜି.ଏମ ଥିଲେ।୫ ବର୍ଷ ହେଲା ଆର ପାରିରେ। ଏକମାତ୍ର ସଫ୍ଟୱେର ଇଂଜିନିୟର ପୁଅ ସହିଦ ନଗରରେ ଥିବା ଆମ ଘର ଦ୍ବାର ବିକି ତା ପିଲା ମାନକୁ ଧରି ଆମେରିକା ଚାଲିଗଲା। ମୋତେ ବୃଦ୍ଧାଶ୍ରମରେ ରଖି ଦେଇଗଲା।ମୁଁ ଏଠି ସମ୍ପୂର୍ଣ ଏକା।


   ମୋ ମନରେ ସନ୍ଦେହ ହେଲା। ଏ ସେଇ ଅନୁ ନୁହନ୍ତି ତ? ସ୍ବାମୀ ଷ୍ଟେଟ ବ୍ୟାଙ୍କରେ। ମୁଁ ପଚାରିଲି ମାହାଙ୍ଗା ଶ୍ରୀଧରପୁରର ସୋନୁ ପ୍ରକାଶ ମହାନ୍ତି କୁ ଜାଣିଚ? ସେ ହଠାତ୍ ଚମକି ପଡିଲେ।ତାଙ୍କ ଆଖି ଛଳ ଛଳ ହେଇଗଲା।ସେ କହିଲେ ହଁ ମୁଁ ଭଲ ଭାବରେ ଜଣେ।ସେ ଜଣେ ବଡ ଡାକ୍ତର। କିନ୍ତୁ ଏବେ କେଉଁଠି ଅଛନ୍ତି ମୁଁ ଜାଣିନି। ଏତିକି କହି ସେ ଚୁପ୍ ହୋଇଗଲେ। ତାଙ୍କ ଆଖି ଛଳ ଛଳ ହେଇଗଲା। ମୁଁ ହତବାକ ହେଇଗଲି।ମୋ ମୁଣ୍ଡ ଘୁରେଇ ଦେଲା। ଇଏ ତା ହେଲେ ମୋର ସେଇ ଅନୁ। ତାଙ୍କ ଡ଼ାହାଣ ହାତ ପାପୁଲିକୁ ମୋର ଦୁଇ ହାତରେ ଜାବୁଡ଼ି ଧରିଲି।ମୋ ଆଖିରୁ ଲୁହର ଧାର ଅମାନିଆ ହେଇଗଲେ। ମୁଁ କହିଲି ଅନୁ ମୁଁ ହେଉଚି ତମର ସେଇ ହତ ଭାଗ୍ୟ ସୋନୁ ଭାଇ। ତମେ ବହୁତ୍ ଝଡି ଯାଇଚ।ତମକୁ ଚିହ୍ନି ହେଉନି। ତମେ ଜମା ବ୍ୟସ୍ତ ହୁଅନା।ଯେତେ ଟଙ୍କା ଖର୍ଚ୍ଚ ହେବ ମୁଁ କରିବି। ତମେ ନିଶ୍ଚୟ ଭଲ ହେବ। ସ୍ତବ୍ଧ ପାଲଟି ଯାଇଥିଲା ଅନୁ।ଜଳ ଜଳ କରି ମୋ ମୁହଁକୁ ଅନେଇଲା।ସୋନୁ ଭାଇ କହି ଭୋ ଭୋ କରି କାନ୍ଦି ଉଠିଲା। କହିଲା ସୋନୁ ଭାଇ ତମେ ମୋତେ କ୍ଷମା କରିଦେବ।ତମେ ମୋ ଜୀବନର ପ୍ରଥମ ଓ ଶେଷ ପ୍ରେମ।ଜୀବନର ଅନ୍ତିମ ଅବସ୍ଥାରେ ତୁମକୁ ପାଇ ମୁଁ ଆଜି ବହୁତ୍ ଖୁସି। ମୁଁ ଆଉ ବଞ୍ଚିବାକୁ ଚାହେଁନି। ତା ପାଟିରେ ହାତ ଦେଇଦେଲି।କହିଲି ସେମିତି କୁହନି। ଯେତେ ଟଙ୍କା ଖର୍ଚ୍ଚ ହେଲେବି ତୁମକୁ ମୁଁ ବଞ୍ଚେଇବି ଅନୁ, ତୁମେ ଜମା ବ୍ୟସ୍ତ ହୁଅନି। ତା ପରେ ଅନୁ ପଚାରିଲା ମୋର ପିଲାମାନଙ୍କ କଥା।

ମୋ ଆଖି ଛଳ ଛଳ ହେଇଗଲା।କହିଲି ୩୪ ବର୍ଷ ତଳର ତୁମର ସେ ଚିଠି ଆଜି ବି ମୋ ପର୍ସରେ ସାଇତି ରଖିଚି। ତୁମର ବିବାହ ଖବର ଶୁଣି ମୁଁ ବହୁତ କାନ୍ଦିଛି। ମୁଁ ବି ତୁମକୁ ବହୁତ୍ ଭଲ ପାଉଥିଲି ଅନୁ।କିନ୍ତୁ ଲାଜରେ କିଛି ବି କହି ପାରିନଥିଲି। ତମ ଚିଠିକୁ ପାଥେୟ କରି ମୁଁ ବିବାହ କରିନି। ମୋର ସମସ୍ତ ରୋଜଗାର ଅନାଥାଶ୍ରମ, ବୃଦ୍ଧାଶ୍ରମ ଗୁଡ଼ିକୁ ଦାନ କରିଦିଏ। ସତରେ ଅନୁ ତମେ ବି ମୋର ପ୍ରଥମ ଓ ଶେଷ ପ୍ରେମ ଥିଲ। ଆଜି ତମକୁ ପାଇ ମୁଁ ବହୁତ୍ ଖୁସି ଅନୁ।ତମର କିଛି ହେବନି।ସବୁ ଠିକ୍ ହେଇ ଯିବ।


  ଅନୁ ଆଖିରୁ ଲୁହର ଗଙ୍ଗା ବହି ଚାଲୁଥାଏ। ତା ଆଖିରୁ ଲୁହ ପୋଛୁ ପୋଛୁ ଅନୁ ହଠାତ୍ ମୋ ପାପୁଲିକୁ ଜାବୁଡ଼ି ଧରିଲେ। ଆଖିରେ ଆନନ୍ଦାଶ୍ରୁ । ଓଠରେ ଖୁସିର ଝଲକ। ଯେମିତି କି ତା ହୃଦୟରେ ସାଇତି ରଖିଛନ୍ତି ଅନେକ ଅକୁହା କଥା।ସବୁ କିଛି କହି ଦେବାକୁ ଚାହୁଁଛନ୍ତି। ହଠାତ୍ ଅନୁ ସ୍ଥିର ହେଇଗଲେ।ନିଃସ୍ତବ୍ଧ ଓ ନିଥର ପାଲଟି ଗଲେ। କିନ୍ତୁ ମୋ ହାତକୁ ଜାବୁଡ଼ି ଧରିଥାନ୍ତି। ତା ହାତରୁ ମୋ ହାତ ଛଡ଼ାଇ ଆଣି ଦେଖିଲି ଅନୁ ଆଉ ନାହନ୍ତି। ସତେ ଯେମିତି ତଟିନୀ ସାଗରରେ ମିଶି ଯାଇଛି। ମୋ ଆଖିରୁ ଝରି ଯାଉଥାଏ ଲୁହର ବନ୍ୟା। ଯାହାର ସ୍ମୃତିରେ ଜୀବନଟା ସାରା ମୁଁ ଏକୁଟିଆ ଥିଲି, ତାକୁ ପାଇ ବି ପୁଣି ମୁଁ ଏକୁଟିଆ ହେଇଗଲି। ସେଦିନ ପହିଲି ରଜ ଥିଲା ଜୀବନର ପ୍ରଥମ ଦେଖା, ଆଜି ବି ପହିଲି ରଜ ଜୀବନର ଶେଷ ଦେଖା। ତାର ଦୁଇ ଆଖି ପତାକୁ ବନ୍ଦ କରିଦେଲି।ତା କପାଳରେ ଚୁମାଟିଏ ଆଙ୍କି ଦେଇ କହିଲି ଅପେକ୍ଷା କରିଥିବ ଅନୁ ମୁଁ ଶୀଘ୍ର ଫେରୁଛି ତୁମରି ପାଖକୁ।


Rate this content
Log in

Similar oriya story from Romance