ସଞ୍ଜ ନଇଁ ଗଲେ ସଂଜୁ
ସଞ୍ଜ ନଇଁ ଗଲେ ସଂଜୁ
ସତରେ ସଞ୍ଜୁ, ସଞ୍ଜ ନଇଁ ଗଲେ ତମେ ଭାରି ମନେପଡ। ନିଃଶବ୍ଦ ଓ ନିଥର ମୋ ମାନସ ଇଲାକାରେ ତମେ ଆସର ଜମେଇ ଦିଅ। ବିକ୍ଷିପ୍ତ ମୋ ଶବ୍ଦ ଗୁଚ୍ଛକୁ ତମେ ଯୋଡ଼ି ଯାଡ଼ି ପୁଣି ସଜେଇ ଦିଅ।ମୋ ମାନସ ପଟରେ ପ୍ରୀତିର ଫଲ୍-ଗୁ ବୋଳି ଫଗୁଣ ବାସ୍ନାର ଭ୍ରମ ସୃଷ୍ଟି କର। ନୀରବିତ ପ୍ରେମ ପଲ୍ଲବିରେ ପୁଣି ତମେ ପ୍ରୀତିର ଧିର ସମୀରଣ ଖେଳେଇ ଉନ୍ମାଦନା ଭରି ଦିଅ। ହଜି ଯାଇଥିବା ମୋ ଜୀବନ ରଙ୍ଗରେ ପୁଣି ତମେ ଇନ୍ଦ୍ରଧନୁ ସୃଷ୍ଟି କର।ଭାଙ୍ଗି ରୁଜି ଚୁରମାର ହେଇ ଯାଇଥିବା ମୋର ସ୍ୱପ୍ନର ତାଜମହଲକୁ ପୁଣି ତମେ ଗଢି ଦିଅ। ବିଦୀର୍ଣ୍ଣ ହେଇ ଯାଇଥିବା ମୋ ପ୍ରୀତିର ଇଲାକାକୁ ତମେ ପୁଣି ରଙ୍ଗ ମହଲରେ ସଜେଇ ଦିଅ। ଇନ୍ଦ୍ରମହଲ କରିଦିଅ ତମେ ପୁଣି ମୋ ପ୍ରେମର ସାମ୍ରାଜ୍ୟକୁ ।ନିର୍ଜୀବ ପାଲଟି ଯାଇଥିବା ଏଇ ଅସିତ୍ ସାମନ୍ତସିଂହାର ଭିତରେ ତମେ ପୁଣି ଜୀବନ ସଞ୍ଚରଣ କର।
xxxxx
ସତରେ ସଞ୍ଜୁ ! ଚାନ୍ଦର ଚାନ୍ଦିନୀ ତମେ, ନୀଳ ଗଗନର ତାରା।ସମୁଦ୍ରର ଉର୍ମି ତମେ, ସାଗରର କନ୍ୟା। ଇନ୍ଦ୍ର ଭୁବନର ଉର୍ବଶୀ ତୁମେ, ପତାଳର ନାଗ କନ୍ୟା। ନଭର ନକ୍ଷତ୍ର ତମେ, ଭସା ବାଦଲର ବର୍ଷା। ପୂର୍ଣ୍ଣମୀର ଜହ୍ନ ତମେ, ପହାନ୍ତିର ଉଷା। ପରି ରାଇଜର ରାଜ କନ୍ୟା ତୁମେ, ସପନ ରାଇଜ ରାଣୀ।
......... ସବୁ ପରେ ବି, ତମେ ମୋ ଜୀବନ ଅମାବାସ୍ୟାର ଅମା ପାଲଟି ଯାଇଛ।ସେଇ ଅମା ଅନ୍ଧକାର ଭିତରେ ମୁଁ ଖାଲି ସ୍ୱପ୍ନ ଦେଖୁଚି। ସଞ୍ଜ ନଇଁ ଗଲେ ତମର ସେ ସ୍ୱପ୍ନ ଗୁଡ଼ା ଗୁଡେ଼ଇ ତୁଡେଇ ମୋ ମାନସ ସାମ୍ରାଜ୍ୟକୁ ଆହୁରି ଖିନ୍ ଭିନ୍ କରି ଦେଉଚି। ସେଇ କ୍ଷତାକ୍ତକୁ ଆଶ୍ୱାଦନ କରି ମୋ ମାନସ ଗ୍ରନ୍ଥି ଗୁଡାକ ନେଉଚି ଜୀବନ ଜିଇଁବାର ସଜା। ମୁଁ ଆଜି ବିବର୍ଜିତ। ଦୁଃଖର ଜ୍ଵାଳାରେ ବିଗଳିତ ହେଇ ଯାଉଚି ମୋର ଅସ୍ଥି ଆଉ ମଜ୍ଜା। ଜାଣେନା ମୁଁ, କେଉଁ ଜନ୍ମର ସଜା ମୋତେ ଦେଉଚ। ସଞ୍ଜ ନଇଁ ଗଲେ ସଞ୍ଜୁ ତମେ ଭାରି ମନେ ପଡୁଚ। ବୟସର ଅପରାହ୍ନରେରେ ମୁଁ ଯାଇଛି ଉଜୁଡି। ଜୀବନର ବେଳାଭୂମିରେ ସନ୍ଧ୍ୟା ଲଗ୍ନ ଆସନ୍ନ ପ୍ରାୟ ।ବଞ୍ଚିବାର ଆଶା ମୋର ଧିରେଧିରେ ଯାଉଛି ମଉଳି। ଜୀବନର ରାତ୍ରୀ ମୋର ନୁହେଁ ବେଶି ଦୂର।
xxxxx ତୁମେ ଗଲାପରେ ଭାବି ନେଇଥିଲି ଆଉ ବିବାହ କରିବିନି। କିନ୍ତୁ ପାରିଲିନି। ପ୍ରତୀକ୍ଷା ପ୍ରତୀକ୍ଷାରେ ମାଆ ଚାଲିଗଲେ ଆରପାରିକୁ।ବାପା ମାଆଙ୍କର ଏକମାତ୍ର ସନ୍ତାନ ମୁଁ। ଗୋଟିଏ ଜିଦ୍ ବାପାଙ୍କର "ତୋତେ ବଂଶ ରକ୍ଷା ପାଇଁ ବିବାହ କରିବାକୁ ପଡ଼ିବ।" ଏଥର ବାପାଙ୍କର ବାଧ୍ୟ ବାଧକତାରେ ଶୀକାର ହୋଇ ଅନୁକୁ ମୋ ଜୀବନ ସାଥୀ ରୂପେ ବାଛି ନେଲି। ବହୁତ ସରଳ ଓ ନିଷ୍କପଟ ଝିଅ ଥିଲା ଅନୁ। କିନ୍ତୁ ମୋ ଭାଗ୍ୟର ବିଡମ୍ବନା।ହୁଏତ ମୋ ଜୀବନରେ ପତ୍ନୀ ସୁଖ ବି ବେଶି ଦିନ ଲେଖା ନଥିଲା।ବିବାହର ପାଞ୍ଚ ବର୍ଷ ବିତିଯାଇଥିଲେ ବି ସେ ମୋତେ ପିତା ହେବାର ସୁଖ ଦେଇ ପାରିନଥିଲା ।ବହୁ ଦେବାଦେବୀଙ୍କୁ ମନାସି ଥିଲା ସେ। ଅନ୍ତର ଭରି ପ୍ରାର୍ଥନା କରୁଥିଲା ସବୁ ଠାକୁରଙ୍କୁ। ଅନୁର ଦୁଃଖ ଦୂର କରି କୋଳ ମଣ୍ଡନକରି ଆସିଥିଲା ଆକାଶ। ହେଲେ ହତଭାଗିନୀଟା ସୁଖ ଦେଖିବା ଆଗରୁ ସବୁ ଦିନ ପାଇଁ ମୋତେ ଏକା କରି ଛାଡ଼ି ଚାଲିଯାଇଥିଲା। ଆକାଶକୁ ଜନ୍ମ ଦେଇ ସେ ଆଖି ବୁଝିଥିଲା। ବହୁତ କାନ୍ଦିଥିଲି ସେଦିନ। ମୋ ଜୀବନର ସବୁଠାରୁ ଦୁଃଖଦ ମୂହୁର୍ତ୍ତ ହିଁ ଥିଲା। ଗୋଟିଏ ନିରୀହ, ସରଳ, ନିଷ୍କପଟ ଓ ଉଦାର ହୃଦୟ ଝିଅଟିଏ ଜୀବନର ସୁଖ କଣ ଜାଣିବା ଆଗରୁ ତାର ଜୀବନ ଦୀପ ନିର୍ବାପିତ ହୋଇଗଲା। ପୁଣି ମୁଁବଞ୍ଚିବାର ଆଶା ଛାଡ଼ିଦେଲି। ହେଲେ ଅନୁର ଶେଷ କଥା " ଅସିତ୍ ମୋ ପୁଅ ତମକୁ ଲାଗିଲା। ତମେ ଆମ ପୁଅକୁ ଭଲ ମଣିଷଟିଏ କରିବ" - ମୋ ଜୀବନର ରାସ୍ତା ବଦଳେଇ ଦେଲା।ଅଧ୍ୟାପକ ଚାକିରି ଛାଡି ଦେଲି। ଆକାଶକୁ ବାପା ମାଆର ସ୍ନେହ ଦେଇ ବଡ଼ କଲି। ମଣିଷ ଭଳି ମଣିଷଟିଏ କଲି। ସେ ତାମିଲନାଡୁ କ୍ୟାଡରରେ ଆଇ.ଏ.ଏସ ପାଇଲା। ମାଡ୍ରାସରେ ଡେପୁଟି କଲେକ୍ଟର ରୂପେ ପ୍ରଥମ ପୋଷ୍ଟିଂ ପାଇଲା। ବହୁତ୍ ଖୁସି ଥିଲେ ବାପା ଆକାଶକୁ ପାଇ। ତାର ପାଠ ପଢା ଓ ଦିଲ୍ଲୀରେ କୋଚିଂ ନେବା ପାଇଁ ତାଙ୍କର ସବୁ ସମ୍ବଳକୁ ସେ ଖୁସିରେ ଦାନ କରିଥିଲେ। ହେଲେ ବେଶୀଦିନ ଖୁସି ଦେଖିବାକୁ ତାଙ୍କୁ ଭଗବାନ ଦେଲିନି। ବିଧିର ବିଧାନ ବିଚିତ୍ର। ବାପା ବି ଆମକୁ ଛାଡି ଆରପାରିକୁ ଚାଲିଗଲେ।
xxxxxxxxxxx
ଆକାଶ ମୋତେ ତା ପାଖକୁ ନେଇଗଲା। ଖୁବ୍ ଖୁସିରେ ଦିନ ବିତି ଯାଉଥିଲା ମୋର। ଚାକର ବାକର ସବୁ ଖଞ୍ଜି ଦେଇଥିଲା ମୋ ପାଇଁ ଆକାଶ। ଅନୁ କଥା ଭାରି ମନେ ପଡେ। ପୁଅ ଆମର କଲେକ୍ଟର। କେତେ ଖୁସି ହେଇଥାନ୍ତା ସେ। ମୋ ଆଖିରୁ ଦୁଇଟୋପା ଲୁହ ଗଡିଗଲା। ହଁରେ ଅନୁ ତମରି ଆଶୀର୍ବାଦ ପାଇ ସେ ଆଜି କଲେକ୍ଟର। କେତେ ପୂଜା ଅର୍ଚ୍ଚନା ନ କରିଚ ତମେ ପିଲାଟିଏ ପାଇଁ। ତୁମର ପ୍ରାର୍ଥନା ଆଜି ଆଶୀର୍ବାଦ ପାଲଟି ଯାଇଛି ଆକାଶ ପାଇଁ।ତମେ ସ୍ୱର୍ଗରେ ଥାଇ ଦେଖ ଅନୁ ତୁମ ଆଶା ମୁଁ ପୂରଣ କରିଛି। ତୁମ ପୁଅକୁ ଭଲ ମଣିଷଟିଏ କରି ଗଢି ତୋଳିଚି। ସେ ଆଜି କଲେକ୍ଟର। ଜୀବନରେ କେବେ ତମକୁ ଘୃଣା ନକଲେ ବି, ଭଲ ପାଇପାରିନଥିବା ଏ ଅସିତ୍ ଆଜି ତୁମ ପାଇଁ ଢାଳି ଦେଉଚି ଅଜସ୍ର ଲୁହ। ମୋ ଲୁହ ବଦଳରେ ତମେ ମୋର ସବୁ ଖୁସି ନେଇ ଯାଅ ଅନୁ। ସ୍ୱର୍ଗରେ ଥାଇ ତମେ ଥରେ ଦେଖିଯାଅ ଅନୁ ମୋ ଲୁହର ବନ୍ୟାରେ କେମିତି ମୋ ଜୀବନର ସୁଖ ଟିକକ ଭସେଇ ଦେଉଚି ତୁମ ପାଖକୁ। ବାପ ପୁଅର ଖୁସିର ଇଲାକାରେ ତମ ଅନୁପସ୍ଥିତି ଆଜି କେମିତି ମୋ ମନରେ ଭରି ଦେଉଚି ଦୁଃଖର ବାଦଲ। ତମେ ଟିକେ ଖୁସି ହୁଅ ଅନୁ। ସ୍ୱର୍ଗରେ ଥାଇ ଟିକେ ଖୁସି ହୁଅ। xxxxxxxxxxxxxx
ଆକାଶ ତାର ଏକା ବ୍ୟାଚ୍-ର ଆଇ.ଏ.ଏସ ଆରଭୀ ଆୟରକୁ ବିବାହ କଲା। ଆରଭୀ, ତାମିଲନାଡୁ ସେକ୍ରେଟାରୀଏଟରେ ଚାକିରି କରୁଥାଏ। ଦୁଇ ବର୍ଷ ଭଲରେ କଟିଗଲା। ତାପରେ ମୋର ଉପସ୍ଥିତି ଆରଭି ସହ୍ୟ କରି ପାରିଲାନି। ବହୁତ୍ କଷ୍ଟ ଲାଗିଲା। ଆକାଶକୁ ବହୁତ ଥର କହିଲି ମୋତେ ଓଡ଼ିଶାରେ ଛାଡି ଦେବା ପାଇଁ। ଆରଭି ଟୁରରେ ଯାଇଥାଏ। ମୁଁ ଏକା ଜିଦ୍ କଲି ଆକାଶକୁ ମୋତେ ଓଡ଼ିଶାରେ ଛାଡ଼ିବା ପାଇଁ।ବହୁତ୍ ମନ ଦୁଃଖ କଲା ଆକାଶ। ଆରଭିର ବ୍ୟବହାର ପାଇଁ ମୋତେ କ୍ଷମା ମାଗିଲା। ମୁଁ ତାକୁ ବହୁତ୍ ବୁଝାଇଲି। କହିଲି " ଦେଖ୍ ବାପା ମୁଁ ଜୀବନର ଶେଷ ପାହାଚରେ ପହଞ୍ଚିଛି। କେତେବେଳେ ଝଡି ଯିବି ଜଣା ନାହିଁ।ତୋ ପରିବାରରେ ମୁଁ ଆଉ ଅଶାନ୍ତି ଭରିବାକୁ ଚାହୁଁନି। ମୁଁ ଦୁଃଖ କରୁନି ପୁଅ।ଏଇତ ଜୀବନର ଖେଳ ଆଜିର ଦୁନିଆରେ। ଆମକୁ ଗ୍ରହଣ କରିବାକୁ ପଡ଼ିବ। ମୁଁ ତୋତେ ଆଶୀର୍ବାଦ କରୁଚି ତୁ ତୋ ପରିବାର ସହ ଖୁସିରେ ରହା। ଘର ଦ୍ୱାର ଗାଁରେ ସବୁତ ବିକି ଦେଇଚି।ମୋତେ ଭୁବନେଶ୍ୱରରେ କୋଉ ଏକ ବୃଦ୍ଧାଶ୍ରମରେ ଛାଡି ଦେଇ ଆସ।" ଛୋଟ ପିଲାଟି ପରି ମୋ ଛାତିରେ ତା ମୁଣ୍ଡ ଗୁଞ୍ଜି ଦେଲା ଆକାଶ।ବହୁତ୍ କାନ୍ଦିଲା ମୋତେ ଧରି। ମୋ ଚିବୁକରେ ତା ମଥାର ସ୍ପର୍ଶରେ ସତେ ଯେମିତି ଧନ୍ୟ ହେଇ ଯାଉଥିଲା ମୋ ପିତୃତ୍ଵ। ମୁଁ ଖୁସିରେ, ଆନନ୍ଦରେ ବିଭୋର ହୋଇ ଯାଉଥିଲି। ଅନୁଭବ କରୁଥିଲି ଦ୍ଵାପରର ସେଦିନର ବାସୁଦେବ ମହାରାଜାଙ୍କର କୃଷ୍ଣଙ୍କୁ ଗୋପ ପୁରରେ ଛାଡି ଆସିବାର ଦୁଃଖ। ଅନୁଭବ କରୁଥିଲି ନନ୍ଦ ରଜାର ହୃଦୟ ଯେଉଁଦିନ କୃଷ୍ଣଙ୍କୁ ବିଦାୟ ଦେଉଥିଲେ ଅକ୍ରୁର ସାଥିରେ। ଏକା ବେଳେ ମୁଁ ପାଲଟି ଯାଇଥିଲି ନନ୍ଦ ଓ ବାସୁଦେବ। ଅନେକ କାନ୍ଦୁଛୁ ଆମେ ବାପ ପୁଅ ସେଦିନ।କାନ୍ଦି କାନ୍ଦି ଛୋଟ ପିଲାଟି ପରି ମୋ କୋଳରେ ଶୋଇଗଲା ଆକାଶ। ବାପାର ହୃଦୟ ମୋର ବିଳପି ଉଠୁଥିଲା।ପୁଅ ପାଖରୁ ଦୂରେଇ ଯିବାର ଯନ୍ତ୍ରଣା ମୋତେ ବିବ୍ରତ କରି ଦେଉଥିଲା।ରାତି ସାରା ଅନିଦ୍ରା ରହିଗଲି ସେଦିନ।ପୁଅ ମୁଣ୍ଡରେ ବାରମ୍ବାର ହାତ ବୁଲେଇ ତାକୁ ଆଶୀର୍ବାଦ କରୁଥିଲି। ତା କପାଳରେ ଆଙ୍କି ଦେଉଥିଲି ଅନେକ ଚୁମ୍ବନ। ମୋ ବାପା ଜୀବନର ସମସ୍ତ ସ୍ନେହ ଅଜାଡ଼ି ଦେଉଥିଲି ତା ମସ୍ତକରେ। ଆଜିର ସମାଜର ଏଇତ ପ୍ରତିଛବି। ଏ ବସ୍ତବତାକୁ ଆମକୁ ଗ୍ରହଣ କରିବାକୁ ହେବ। ଗୋଟେ ଅଧ୍ୟାପକର ଭାବନାକୁ ନେଇ ମୁଁ ଆଜି ଜୀବନର ଏଇ କଠୋର ସତ୍ୟତାକୁ ଗ୍ରହଣ କରି ନେଇଛି। ନା ଦୁଃଖ ନା ଅନୁଶୋଚାନା ଅଛି ମନରେ।
Xxxxxxx
ପରଦିନ ଫ୍ଲାଇଟରେ ମୋତେ ଭୁବନେଶ୍ୱର ନେଇ ଆସିଲା ଆକାଶ।ଏକ ନାମୀ ପେଡ୍ ଓଲ୍ଡ ଏଜ୍ ହୋମରେ ଛାଡ଼ିଦେଇ ଆସିଲା।ମାସକୁ ଅଠର ହଜାର ଟଙ୍କାର ଚୁକ୍ତି ହେଲା। ଭିଡ଼ି ଧରିଲା ଆକାଶ ମୋତେ ବିଦାୟ ବେଳାରେ। ସମସ୍ତଙ୍କ ସାମ୍ନାରେ ଛୋଟ ପିଲାଟି ପରି ଭୋ ଭୋ କାନ୍ଦି ପକେଇଲା। ମୋ ଆଖିର ଲୁହ ଓ ହୃଦୟର କୋହକୁ ଚାପି ତାକୁ ପୁଣି ବହୁତ ବୁଝେଇଲି। ବିଦାୟ ଦେଲି ଆକାଶକୁ ମୋ ହୃଦୟକୁ ପଥର କରି।ଆଜିକୁ ୪ ବର୍ଷ ହେଲା ଏଠି ମୁଁ ବିତାଉଛି ନିଃସଙ୍ଗ ଜୀବନ।
xxxx
୧୯୭୦ ମସିହା ।ତମେ ଗ୍ରାଜୁଏସନର ପ୍ରଥମ ବର୍ଷ ଛାତ୍ରୀ। ଖଲ୍ଲିକୋଟ କଲେଜରେ ପଢ଼ୁ ଥିଲ। ପାଖା ପାଖି ଗାଁରେ ଆମ ଦୁହିଁଙ୍କ ଘର। ଗୋଟିଏ କ୍ଲାସରେ ପଢ଼ୁଥିଲେ ସ୍କୁଲରେ।କିନ୍ତୁ ଦିନେ ହେଲେ ବି କଥା ହୋଇନଥିଲେ। ତମେ ଥିଲ ବହୁତ୍ ସୁନ୍ଦରୀ। ଆମ ସ୍କୁଲର କୁଇନ୍। ଆଉ ମୁଁ କ୍ଲାସରେ ପ୍ରଥମ ହେଉଥିଲି। ମ୍ୟାଟ୍ରିକ ପରେ ତମେ ଖଲ୍ଲିକୋଟ କଲେଜ ଆଉ ମୁଁ ବିଜେବି କଲେଜ, ଭୁବନେଶ୍ୱରରେ ପଢିଲି। ଦିନେ ତୁମ କଲେଜକୁ ଆମ ସାଙ୍ଗ ଉମେଶ ଡ଼ାକିନେଲା । କହିଲା "ସଞ୍ଜୁ ଏଇ କଲେଜରେ ପଢୁଛି।" ତମେ ଏଠି ପଢୁଚ ବୋଲି ମୋତେ ବହୁତ୍ ଖୁସି ଲାଗିଲା। ଇଚ୍ଛା ହେଉଥାଏ ଭେଟ ହେଇଯାନ୍ତ କି। ମୁଁ ବାହାରେ ଅପେକ୍ଷା କଲି, ଉମେଶ ଲାଇବ୍ରେରୀକୁ ଗଲା। ହଠାତ୍ ତୁମ ଉପରେ ନଜର ପଡିଗଲା। ତମେ ବି ମୋତେ ଚାହିଁ ଦେଇ ହସି ଦେଲ।ସ୍କୁଲ ଜୀବନରେ ଦିନେ ବି ତମ ସହିତ କଥା ହୋଇନଥିବା ଏବଂ ପ୍ରଥମ କରି ତୁମ ଆଖି ସହ ଆଖି ମିଳେଇ ଥିବା ଏଇ ଅସିତ୍ ସାମନ୍ତସିଂହାର ଅବସ୍ଥା ଯେ କଣ ହେଲା ତାହା ମୁଁ ବୁଝେଇ ପାରିବିନି। ସତେ ଯେମିତି ମୋ ଦେହରେ ବିଜୁଳି ଲାଗିଗଲା।ପାଦ ଯେମିତି କି ଦୁର୍ବଳ ହେଇ ଗଲା।ଆଗକୁ ବଢିବାର ଯୁ ନଥିଲା। କଣ କହିବି, କଣ ନକହିବି କିଛି ଭାବି ପାରିଲିନି।ତିନି ବର୍ଷ ପରେ ଦେଖା।ମୋ ପାଟି ଶୁଖି ଅଠା ହେଇଗଲା। ମୁଁ ସ୍ଥିତପ୍ରଜ୍ଞ ପାଲଟି ଗଲି। ଲାଜରେ ମୁଁ ମୂକ ପାଲଟି ଗଲି।ନା ଖସି ଯାଇ ପାରିଲି ସେଠୁ, ନା ତମକୁ କିଛି କହି ପାରିଲି। ହଠାତ୍ ତମେ ମୋ ଆଡ଼କୁ ମାଡ଼ି ଆସିଲ। ମୁଁ ଆହୁରି ଇତସ୍ତତଃ ହେଇଗଲି। " ଅସିତ୍ ତମେ ଏଠି?" ତମର ସେ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋ ପାଟିରୁ ସାଲାଇଭା ସବୁ ଶୁଖି ଯାଇଥିଲା। ବହୁ କଷ୍ଟରେ କହିଲି " ଉମେଶ ଡାକି ଆଣିଥିଲା।
" ହଉ ଆସ ଏଠି କଥା ହେବା।" ଏତିକି କହି ମୋତେ ଲାଇବ୍ରେରୀ ବାରଣ୍ଡାକୁ ଡାକି ନେଲ। ଗୋଟେ ଚକୋଲେଟ ମୋ ହାତକୁ ବଢ଼େଇ ଦେଇ କହିଲ "ତୁମ ପାଟି ଶୁଖି ଯାଉଚି ଏଇଟା ଖାଇ ଦିଅ"। ସତେ ଯେମିତି ମୋ ମନକଥା ସବୁ ତମକୁ ଜଣା। ମୋତେ ଲାଗିଲା ସତେ ଯେମିତି ନଦୀ ସହ ସାଗରର ମିଳନ ହେଇଗଲା।ସେଦିନର ୪ ମିନିଟର କଥା ପରସ୍ପରକୁ ନିକଟତର କରି ଦେଲା। ବାହାନା ଖୋଜିଲି କେମିତି ଆଉଥରେ ଭେଟ ହେବ। କହିଲି, କିଛି କବିତା ଲେଖିଛି, ଟିକେ ଉତାରି ଦେବ। ତୁମର ସୁନ୍ଦର ଅକ୍ଷର।ତମେ ସଙ୍ଗେ ସଙ୍ଗେ ରାଜି ହେଇ ଗଲ। ଦୁଇ ଦିନ ପରେ କବିତା ଡାଇରୀ ତୁମକୁ ଧରେଇ ଦେଲି।କିନ୍ତୁ ତୁମର ଗୋଟିଏ ସର୍ତ୍ତ ଥିଲା। ଆମେ ଦୁହେଁ ତମ ସାଙ୍ଗ ମଞ୍ଜୁ ସହ ତାରା ତାରିଣୀ ବୁଲି ଯିବା। ମନେ ମନେ ଯାହା ଭାବୁ ଥିଲି ତମେ ତାହାହିଁ କହିଲ। ତୁମ ସର୍ତ୍ତରେ ମୁଁ ତତକ୍ଷଣ ରାଜି ହେଇଗଲି। ଏଇଠୁ ଆରମ୍ଭ ହେଲା ଆମ ଜୀବନର ପ୍ରେମ ଗଙ୍ଗା।ସମୟର ତାଳେ ତାଳେ ଆହୁରି ଗଭୀର ହେଲା ଆମ ଭଲ ପାଇବା। ମନରେ ମନ ମିଳିଲା।ଆତ୍ମାରେ ଆତ୍ମା ମିଳିଲା। ଆମ ଭାବନା ସମାନ ହେଲା। ଆମ ଚିନ୍ତା ଓ ଚେତନାରେ ସମାନତା ଦେଖା ଦେଲା। ମୁଁ ତୁମ ଭାବନା ରାଜ୍ୟରେ ଆଉ ତମେ ମୋ ଭାବନା ରାଜ୍ୟରେ। ଆମ ଭିତରେ ଥିଲା ଶାଶ୍ଵତ ପ୍ରେମ। ହୃଦୟରେ ହୃଦୟ ମିଳନ।ଦୈହିକ ସୁଖରୁ ବହୁ ଉର୍ଦ୍ଧରେ ଥିଲା ଆମ ଭଲ ପାଇବା। ସେଇଥି ପାଇଁ ତ ଆଜି ମୁଁ ତୁମକୁ ଭୁଲି ପାରୁନି।
xxxxxxxx
ୟା ଭିତରେ ୫ ବର୍ଷ ବିତିଗଲା।ତମର ପି. ଜି ସାରିଲା ଖଲ୍ଲିକୋଟ କଲେଜରୁ। ଆଉ ମୁଁ ଉତ୍କଳ ୟୁନିଭରସିଟି ରୁ। ଆଇ.ଏ.ଏସ କୋଚିଂ ପାଇଁ ମୁଁ ଦିଲ୍ଲୀ ଚାଲିଗଲି। ତୁମ ବାପା ତୁମ ପାଇଁ ବର ଖୋଜାରେ ଲାଗି ପଡ଼ିଲେ। ତମେ କିନ୍ତୁ ମୋତେ ଅପେକ୍ଷା କରିଥିଲ। ବହୁତ୍ ଭଲ ଭଲ ପ୍ରସ୍ତାବ ତମେ ମୋ ପ୍ରତୀକ୍ଷାରେ ମନା କରି ଦେଇଛ। ମୋ ଛଡା ଆଉ କାହାରିକୁ ବିବାହ କରିବନି ବୋଲି ରୋକ୍ ଠୋକ୍ ଘରେ କହିଦେଲ। ତୁମ ବାପାଙ୍କର ହାର୍ଟ ଆଟାକ୍ ହେଲା। ମାଆଙ୍କର ହାଇ ବ୍ଲଡ଼ ପ୍ରେସର୍। ସବୁ ଭିତରେ ତମେ ସନ୍ତୁଳି ହେଇଗଲ । ତୁମେ ବି ଥିଲ ତୁମ ବାପା ମାଆଙ୍କର ଗୋଟିଏ ସନ୍ତାନ। ଶେଷରେ ତମ ଜୀବନର ସମସ୍ତ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ତମେ ରାଜି ହେଇଗଲ ବାପାଙ୍କ କଥାରେ।ବହୁତ୍ ଧୁମ୍ ଧାମରେ ତୁମର ବାହାଘର ହେଲା। ସେପଟେ ବାଜା, ସାହାନାଇ, ଶଙ୍ଖ ଓ ହୁଳୁ ହୁଳି ଶବ୍ଦରେ ପ୍ରକମ୍ପିତ ହେଉଥିଲା ତମ ଘର ଅଗଣା ଆଉ ଏପଟେ ଭାଙ୍ଗି ରୁଜି ଚୁର ମାର ହେଇ ଯାଉଥିଲା ମୋ ସ୍ୱପ୍ନର ତାଜମହଲ। ବିଦୀର୍ଣ୍ଣ ହେଇ ଯାଉଥିଲା ମୋ ହୃଦ କନ୍ଦର। ଜଳି ପୋଡ଼ି ପାଉଁଶ ହେଇ ଯାଉ ଥିଲା ମୋ ମୋ ମାନସ ରାଜ୍ୟର ଖାଣ୍ଡବ ବନ। ଦୁଃଖ ଓ ଶୋକରେ ବିଳପି ଉଠୁଥିଲି ମୁଁ। କେତେ କେତେ ରାତ୍ରୀ ବିନିଦ୍ର ରହିଛି ମୁଁ ତାର ହିସାବ ନାହିଁ।...... ଇଂଜିନିୟର ସମ୍ବିତ ମହାପାତ୍ରର ହାତ ଧରି ତମେ ଚାଲିଗଲ ରେଙ୍ଗାଲି ପ୍ରୋଜେକ୍ଟର ସରକାରୀ ବଙ୍ଗଳାକୁ। ତୁମର ବିବାହର ବର୍ଷକ ପରେ ତୁମ ବାପା ହାର୍ଟ ଆଟାକ୍ ଆଉ ମା ହାଇ ବ୍ଲଡ଼ ପ୍ରେସରରେ ଆଗପଛ ହେଇ ଚାଲିଗଲେ ଆର ପାରିକୁ। ସେଇ ଦିନରୁ ସଞ୍ଜୁ ଆଉ ଫେରିନ ତୁମ ଗାଁ କୁ। ସବୁ ଶୁଣିଲା ପରେ ମୁଁ ବି ଆଉ ଗାଁ ମାଟି ମାଡ଼ିନି।ତାପରେ ଓ.ଇ.ଏସ ପାଇ ଅଧ୍ୟାପକ ଚାକିରିଟିଏ କଲି
।xxxxxxx
ମୋ ଜୀବନର ଏହି ଦୁଃଖଦ ବୃତ୍ତାନ୍ତକୁ ମୁଁ ଅସିତ୍ ସାମନ୍ତସିଂହାର ଆଜି ସ୍ଲଥ ଚର୍ମ, ପକ୍ୱ କେଶେ ଜରାଜୀର୍ଣ୍ଣ ଜୀବନ ବିତାଉଛି ଏଇ ବୃଦ୍ଧାଶ୍ରମର ଚାରି କାନ୍ଥ ଘେରା ଏକ କ୍ଷୁଦ୍ର ପ୍ରକୋଷ୍ଠରେ। ସଞ୍ଜ ନଇଁ ଗଲେ ଏଠି ନିରବତା ଖେଲିଯାଏ ସଞ୍ଜୁ। ନିତି ନିତି ନୂଆ ପଥିକ ଆସନ୍ତି ଆଉ କିଛି ସ୍ମୃତି ହେଇ ଯାଆନ୍ତି ଜୀବନ ଗଙ୍ଗାର ଆରପାରିକୁ। ଏଇ ନିଛାଟିଆ ଓ ନିସ୍ତବ୍ଧ ଚାରି କାନ୍ଥ ଭିତରେ ଗୁଞ୍ଜରି ଉଠେ ତମରି ସ୍ମୃତି ସଞ୍ଜୁ। ତମର ସେଦିନର ପ୍ରେମଭରା ମଧୁର ଶ୍ୱନ ଆଜିବି ମୋ କର୍ଣ୍ଣ ଗହ୍ୱରରେ ଗୁଞ୍ଜରୀ ଉଠେ। " ମୁଁ ତୁମକୁ ଜୀବନଠୁଁ ଅଧିକ ଭଲପାଏ ଅସିତ୍। ତୁମବିନା ମୁଁ ମୁହୂର୍ତ୍ତଟିଏ ବଞ୍ଚି ପାରିବିନି। ଯେଉଁଠି ରହିଲେବି ମୁଁ ତୁମର ହେଇ ରହିବି ଅସିତ୍"। ଅନେକ ମୁହୂର୍ତ୍ତ ବିତି ଯାଇଛି ୟା ଭିତରେ।ତମେ କେଉଁଠି ଅଛ, କେମିତି ଅଛ ମୁଁ ଜାଣେନା ସଞ୍ଜୁ।କିନ୍ତୁ ମୋତେ ଲାଗୁଛି ତମେ ମୋତେ ଯେମିତି ତମର ସେଇ କଅଁଳ ହୃଦୟରେ ବନ୍ଦୀ କରି ଦେଇଛ। ଜୀବନର ଏଇ ସାୟାହ୍ନରେ ମୋର ଆଉ କିଛି ଲୋଡା ନାହିଁ। ହେଲେ ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଚି ତମେ ଯେଉଁଠି ଥାଅ ଖୁସିରେ ଥାଅ ସଞ୍ଜୁ। ତମ ହାତର ଶଙ୍ଖା ବଜ୍ର ହେଉ। ତୁମ ସୀମନ୍ତରେ ସିନ୍ଦୂର ଝଟକୁ ଥାଉ। ତମେ ମୋତେ ଆଉ ଏତେ ମନେ ପକାଅ ନା ସଞ୍ଜୁ।ତମର ବିଳାପ ହୁଏତ ମୋ ମନରେ ପ୍ରତି ମୁହୂର୍ତ୍ତରେ ଉଦବେଳନ ସୃଷ୍ଟି କରୁଚି। ଦିନର ବ୍ୟସ୍ତତା ତୁମକୁ ହଜେଇ ଦେଉଚି। କିନ୍ତୁ ସଞ୍ଜ ହେଲେ ସଞ୍ଜୁ ତମେ ଭାରି ମନେ ପଡ଼ୁଚ।
