Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Kanan Bala Nayak

Horror


3  

Kanan Bala Nayak

Horror


~~~ବର୍ଷା ରାତି~~~

~~~ବର୍ଷା ରାତି~~~

6 mins 143 6 mins 143

     ଅନେକ ଦିନ ତଳର କଥା। ସେ ସମୟରେ ଗାଁ ର ସବୁ ଘରକୁ ବିଜୁଳି ଆଲୁଅ ଆସି ନଥାଏ। ତେଣୁ ଖରା ଦିନେ ପ୍ରାୟ ଗାଁ ର ସବୁ ଲୋକ ନିଜ ନିଜ ଘର ବାହାରେ ଖଟ ପକାଇ ଶୁଅନ୍ତି। ମୋ‌ ବାପା ସେ ସମୟରେ ଆମ ଗାଁ ର ଜଣେ ମାନ୍ୟଗନ୍ୟ ଓ ସବୁଠାରୁ ଲୋଡା ବ୍ୟକ୍ତି ଥିଲେ। ଯଦିଓ ମୋ ବାପା ବୟସରେ ଗାଁ ର ଅନ୍ୟ ମାନଙ୍କ ଠାରୁ ଯଥେଷ୍ଟ ସାନ ଥିଲେ। ଗାଁ ର ବୋୟବୃଦ୍ଧ ଲୋକ ମାନେ ମଧ୍ୟ ମୋ ବାପାଙ୍କୁ ବହୁତ ସ୍ନେହ କରୁଥିଲେ। ଗାଁ ର ଯେ କୌଣସି ଲୋକ ର କିଛି ସମସ୍ୟା ହେଲେ ସେ ସମାଧାନ ପାଇଁ ମୋ ବାପା ଙ୍କ ପାଖକୁ ଆସୁଥିଲେ। କାରଣ ମୋ ବାପା ସେ ସମୟରେ ଶିକ୍ଷକ ଚାକିରୀ ଟିଏ କରିଥିଲେ। ଗାଁ ର ଯେ କୌଣସି କାମ ହେଲେ ସେ ନିଜର ଅନ୍ୟ ସମସ୍ତ କାମକୁ ପଛରେ ପକାଇ ଦେଇ ସେ କାମରେ ବାହାରି ପଡୁଥିଲେ। 


   କାହାର ଦେହ ଖରାପ ହେଲେ ତାକୁ ହସ୍ପିଟାଲ ନେଇ ଯିବାର କଥା ହେଉ, କି କାହାର ପିଲା କୁ ସ୍କୁଲରେ ଆଡ଼ମିଶନ କରିବା କଥା ହେଉ, କି ସ୍ବାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ର ସମାଧାନ ହେଉ। ସବୁ କଥାରେ ବାପା ଆଗେ ଲୋଡା ପଡନ୍ତି। ସେ ସମୟରେ ଆମ ଗାଁ ରୁ ସହର କୁ ଯିବା ପାଇଁ କୌଣସି ଯାନବାହନ ନଥାଏ। ଗାଁ ର ଲୋକ ଙ୍କୁ ହାଟ ବଜାର କୁ ଚାଲି ଚାଲି ଯିବାକୁ ପଢୁଥାଏ।ଆଉ ଯଦି ବେଶୀ ବାଟ ଯିବାକୁ ପଡ଼େ ତେବେ ଶଗଡ଼ ଗାଡ଼ି ନ ହେଲେ ସାଇକେଲ ରେ ଯିବାକୁ ପଡ଼େ। ଗାଁ ରେ ସେ ସମୟରେ ଖୁବ୍ କମ୍ ଲୋକ ଙ୍କ ପାଖରେ ଏସବୁ ଥିଲା। ତେଣୁ ସୁବିଧା ଅସୁବିଧା ରେ ଶଗଡ଼ ଗାଡ଼ି କିମ୍ବା ସାଇକେଲ୍ ଦରକାର ପଡିଲେ ଗାଁ ଲୋକେ ପ୍ରଥମେ ମୋ ବାପା ଙ୍କ ପାଖକୁ ଆସନ୍ତି।


   ଦିନକର କଥା ବାପା ଖଟ ପକାଇ ବାହାରେ ବସି ରେଡ଼ିଓ ଶୁଣୁ ଥାଆନ୍ତି। ଆମେ ପିଲା ମାନେ ମଧ୍ୟ ବାପାଙ୍କ ସହ ବସିଥାଉ। ସେ ସମୟରେ କୁଆଡେ ଥିଲା କେଜାଣି ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଟା ଘୋଟି ଆସିଲା। ଆମେ ସବୁ ଘର ଭିତରକୁ ଯିବାକୁ ବସିଛୁ, ଗାଁ ସମ୍ପର୍କୀୟ ଜଣେ ଭାଇ ବୁଢ଼ା ଭାଇ ଦଉଡ଼ି ଦଉଡ଼ି ଆସିଲେ। ବୁଢ଼ା ଭାଇ ଙ୍କୁ ଏମିତି ଧଇଁ ସଇଁ ହେଉ ଥିବାର ଦେଖି ମୋ ବାପା ପଚାରିଲେ ଆରେ କଣ ହୋଇଛି? ତୁ ଏମିତି ଧଇଁ ସଇଁ ହୋଇ ଦଉଡ଼ିଛୁ କାହିଁକି? ବୁଢ଼ା ଭାଇ କହିଲେ ତୁ ଟିକେ ଶୀଘ୍ର ବାହାର। ବେଣୁ ମାଆ(ଯାହାକୁ ଆମେ ବୋହୂ ବୋଲି ଡାକୁ) ର ପେଟରେ ବହୁତ ଯନ୍ତ୍ରଣା ହେଉଛି। ତାକୁ ଡାକ୍ତରଖାନା ନେଇ ଯିବାକୁ ପଡିବ। ଡାକ୍ତରଖାନା ଆମ ଘର ଠାରୁ ପ୍ରାୟ ୩୦ କିଲୋମିଟର ଦୂର। ବାପା କହିଲେ ଆରେ ଦେଖୁଛୁନା କେତେ ଜୋର୍ ବର୍ଷା ଉଠାଇଛି। କେଉଁ ମୂହୁର୍ତ୍ତ ରେ ବର୍ଷିବ କହି ହେଉନି। ତା ଛଡ଼ା ଏ ଅନ୍ଧାର ରାତିରେ ଏତେ ରାସ୍ତା ଯିବା ଠିକ୍ ହେବନି। ଆଜି ଗାଁ ବୈଦ୍ୟଙ୍କ ପାଖରୁ ଔଷଧ ନେଇଆ। କାଲି ସକାଳୁ ଡାକ୍ତରଖାନା ଯିବା‌। ବୁଢ଼ା ଭାଇ କହିଲେ ଆଣିଥିଲି କିନ୍ତୁ କିଛି କାମ ଦେଉନି। ବାପା କହିଲେ ହଉ ଚାଲ୍ କଣ ହୋଇଛି ଦେଖିବା। 


   ତାପରେ ବାପା ଛତାଟିଏ ଧରି ବୁଢ଼ା ଭାଇ ଙ୍କ ସହ ତାଙ୍କ ଘରକୁ ଗଲେ। ସେତେବେଳକୁ ବୋହୂ ମସିଣା ଉପରେ ଗଡ଼ି ବୁଲୁ ଥାଆନ୍ତି।ବାପା ଜାଣିଥିବା କିଛି ଦେଶୀ ଚିକିତ୍ସା ପ୍ରୟୋଗ କଲେ। ହେଲେ ବୋହୂ ଙ୍କ ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଲା। ବୋହୂ ଯନ୍ତ୍ରଣା ରେ ଚିତ୍କାର କରିବା ରେ ଲାଗିଲେ। ତେଣୁ ଅନ୍ୟ ଉପାୟ ନପାଇ ବାପା ସେଇ ରାତିରେ ବୋହୂ ଙ୍କୁ ଡାକ୍ତରଖାନା ନେବାକୁ ସ୍ଥିର କଲେ।ବାପା ବୁଢ଼ା ଭାଇ ଙ୍କୁ କହିଲେ ମୁଁ ବୋହୂ ଙ୍କୁ ଜଗିଛି। ତୁ ଯାଆ ବଳଦ ଗାଡ଼ିଟା ରେଡ୍ଡୀ କର।ତା ପରେ ବାପା ଓ ବୁଢ଼ା ଭାଇ ବୋହୂଙ୍କୁ ନେଇ ଡାକ୍ତରଖାନା ବାହାରିଲେ। ତିନି ଚାରି କିଲୋମିଟର ଯାଇଛନ୍ତି କି ନାହିଁ ବର୍ଷା ଆରମ୍ଭ ହୋଇଗଲା।ବାପା ବୁଢ଼ା ଭାଇ ଙ୍କୁ କହିଲେ ବଳଦ ଗୁଡ଼ିକୁ ଟିକେ ଶୀଘ୍ର ଚଲା। ଏମିତି ଚାଲିଲେ ଡାକ୍ତର ଖାନା ପହଞ୍ଚିବାକୁ ବହୁତ ଡେରି ହେବ‌। ଦେଖୁଛୁ ନାଁ ବର୍ଷା ର ଵେଗ କେମିତି ବଢିଲାଣି। ଆଉ କିଛି ବାଟ ଯାଇଛନ୍ତି କି ନାହିଁ ଅଚାନକ ବଳଦ ଗୁଡ଼ିକ ଚାଲିବା ବନ୍ଦ କରିଦେଲେ। ତାଙ୍କ ଦେହରେ ବର୍ଷା ପାଣି ପଡ଼ିବା ଯୋଗୁଁ ବୋଧେ ସେମାନେ ଚାଲିବା ବନ୍ଦ କରିଦେଲେ। ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଆଗକୁ ଆଗେଇଲେ ନାହିଁ।


   ବାପା ଓ ବୁଢ଼ା ଭାଇ କଣ କରିବେ କିଛି ବୁଦ୍ଧି ବାଟ ପାଉ ନ ଥାଆନ୍ତି। ଏଣେ ବିଜୁଳି ଘଡଘଡି ସହ ନିଶାଚର ପ୍ରାଣୀ ମାନେ ମଧ୍ୟ ବିଭିନ୍ନ ପ୍ରକାର ରଡ଼ି କରିବା ଆରମ୍ଭ କରି ଦେଇ ଥାଆନ୍ତି। ଏମିତି ସମୟରେ କାହାଠୁ ସାହାଯ୍ୟ ମିଳିବା ମଧ୍ୟ ଅସମ୍ଭବ ଥିଲା। ବାପା ଓ ବୁଢ଼ା ଭାଇ କିଂ କର୍ତ୍ତବ୍ୟ ବିମୁଢ ହୋଇ ବର୍ଷା କମିବାକୁ ଅପେକ୍ଷା କଲେ। ହେଲେ ବର୍ଷାର ବେଗ କମିବା ପରିବର୍ତ୍ତେ କ୍ରମେ କ୍ରମେ ବଢୁଥାଏ। ଆଉ ତା ସହିତ ବୋହୂଙ୍କ ଯନ୍ତ୍ରଣା ମଧ୍ୟ। ବାପା ବୁଢା ଭାଇ ଙ୍କୁ କହିଲେ ଏ ଶୁନଶାନ୍ ରାସ୍ତା ରେ ପୁଣି ଏତେ ବର୍ଷାରେ ଏ ଶଗଡ଼ ଗାଡ଼ି ରେ ରହିବା ଟା ମୋତେ ଠିକ୍ ଲାଗୁନି। ମୁଁ ଗାଡିରୁ ଓହ୍ଲାଇ ଦେଖେ କାଳେ କେଉଁ ଗାଡିବାଲା ଗାଡ଼ି ନେଇ ଏଇ ଏ ରାସ୍ତା ଦେଇ ସହରରୁ ଫେରୁଥିବ। ତାପରେ ବାପା ଛତା ଓ ଟର୍ଚ୍ଚ ଧରି ବାହାର କୁ ଓହ୍ଲାଇ ଲେ । ହେଲେ ଏମିତି ବର୍ଷା ରାତିରେ କିଏ ବା ଘରୁ ବାହାରିବ । ବାପା କାହାକୁ ନ ପାଇ ଗାଡ଼ି ଭିତରକୁ ପଶିବାକୁ ଯାଉଛନ୍ତି ତାଙ୍କୁ ଲାଗିଲା କେହି ଜଣେ ବୃଦ୍ଧ ଲୋକ ଛତା ଓ ଲଣ୍ଠନ ଟିଏ ଧରି ଯେମିତି ତାଙ୍କ ଆଡ଼କୁ ଆସୁଛନ୍ତି। 


   ଏମିତି ବର୍ଷା ରାତିରେ ବୃଦ୍ଧକୁ ଦେଖି ବାପାଙ୍କ ମନରେ ନାନା ଆଶଙ୍କା ଜାତ ହେଲା। ବୃଦ୍ଧ ଜଣକ ବାପା ଙ୍କ ପାଖକୁ ଆସି ପଚାରିଲେ ପୁଅ ଏତେ ରାତିରେ ଏ ନିଛାଟିଆ ରାସ୍ତା ରେ କଣ କରୁଛ? ବାପା କହିଲେ ମୁଁ ଯଦି ଠିକ୍ ସେଇ କଥା ଆପଣଙ୍କୁ ପଚାରେ? ବୃଦ୍ଧ ଜଣକ କହିଲେ, ପୁଅ ମୁଁ ରାସ୍ତା ସେ ପାଖରେ ରହେ। ତୁମ ଟର୍ଚ୍ଚ ର ଆଲୁଅ ଦେଖି ଭାବିଲି କେହି ଅସୁବିଧା ରେ ପଡ଼ିଛି ବୋଧେ? ତେଣୁ ଚାଲି ଆସିଲି‌। ବୃଦ୍ଧ ଜଣକ ଗୋଟେ ହାତରେ ଗୋଟେ ଠେଙ୍ଗା ଓ ଅନ୍ୟ ହାତରେ ଲଣ୍ଠନ ଧରି ଥାଆନ୍ତି ଓ ଗୋଟେ ଚଦର ଘୋଡାଇ ହୋଇ ଥାଆନ୍ତି। ଲଣ୍ଠନ ଆଲୁଅ ରେ ତାଙ୍କ ମୁହଁ ଠିକ୍ ରେ ଦେଖାଯାଉ ନଥାଏ। ହେଲେ ତୁମେମାନେ ଏ ବର୍ଷା ରାତିରେ ଏ ବଳଦ ଗାଡ଼ିରେ କୁଆଡେ ଯାଉଛ। ତୁମେ କଣ ଏ ରାସ୍ତା ବିଷୟରେ କିଛି ଜାଣି ନ? ରାତି ରେ ପରା ଏ ରାସ୍ତା ରେ ଅନେକ ଅଶରିରୀ ବୁଲନ୍ତି। ବାପା କହିଲେ ମୁଁ ସେସବୁ ରେ ବିଶ୍ୱାସ କରେନି। ତା ଛଡ଼ା ବୋହୂଙ୍କ ଅବସ୍ଥା ଯାହା, ତାଙ୍କୁ ଡାକ୍ତରଖାନା ନେବା ଛଡ଼ା ଆମ ପାଖରେ ଆଉ କିଛି ଚାରା ନାହିଁ। 


   ବାପା ଙ୍କ ଠାରୁ ସବୁ କଥା ଶୁଣି ବୃଦ୍ଧ ଜଣକ କହିଲେ ତୁମ ବଳଦ ମାନେ ତ ଏ ବର୍ଷା ରାତିରେ ଆଉ ଆଗକୁ ଯାଉ ନାହାଁନ୍ତି। ମୋତେ ଟିକେ ରୋଗୀ କୁ ଦେଖିବାକୁ ଦିଅ। ମୁଁ ଜଣେ ବୈଦ୍ୟ। ଅନେକ ଦିନ ହେଲା ଚିକିତ୍ସା କରି ଆସୁଛି। ଗୋଟେ କାମ କର ତମେ ମାନେ ମୋ ପଛେ ପଛେ ଆସ। ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ମୋ ଘରେ ରହିଯିବ। ବୁଡିଯାଇଥିବା ଲୋକ କୁ କୁଟା ଖିଏ କୁ ଆଶ୍ରା। ବାପା ଓ ବୁଢ଼ା ଭାଇ ଙ୍କ ପାଖରେ ବୃଦ୍ଧ ଙ୍କ କଥା ମାନିବା ଛଡ଼ା ଆଉ କିଛି ଉପାୟ ନ ଥିଲା। ତେଣୁ ଵୁଢା ଭାଇ ବଳଦ ମାନଙ୍କୁ ‌ଆଗକୁ ନେବାକୁ ଚେଷ୍ଟା କଲେ। ଅନେକ ଚେଷ୍ଟା କଲାପରେ ବଳଦ ମାନେ ପାଦେ ପାଦେ ଆଗକୁ ଆଗେଇଲେ।ବାପା ଙ୍କୁ ଲାଗିଲା ବୃଦ୍ଧ ଜଣକ ଯେମିତି ପବନ ବେଗ ରେ ଉଡି ଚାଲିଛନ୍ତି। କିଛି ସମୟ ପରେ ବୃଦ୍ଧ ଜଣକ ଆଉ ଆଖିକୁ ଦେଖା ଯାଉ ନ ଥାଆନ୍ତି। ଖାଲି ଲଣ୍ଠନ ଆଲୁଅ କୁ ଲକ୍ଷ୍ୟ କରି ବୁଢ଼ା ଭାଇ ଗାଡ଼ି ଚଲାଉ ଥାଆନ୍ତି। କିଛି ସମୟ ପରେ ଗୋଟେ ଚାଳ ଛପର ଘର ନିକଟରେ ବୃଦ୍ଧ ଜଣକ ଅଟକିଲେ।


  ବାପା କହିଲେ ମଉସା ତୁମେ ଏତେ ଶୀଘ୍ର କେମିତି ଚାଲି ଆସିଲ? ବୃଦ୍ଧ ଜଣକ କହିଲେ ଚିକିତ୍ସା କରିବା ପାଇଁ ମୋତେ ସବୁ ବେଳେ ଦୂରଦୂରାନ୍ତ ଗାଁ କୁ ଯିବାକୁ ପଡ଼େ। ସେଥିପାଇଁ ମୋର ଯୋର୍ ଯୋର୍ ପାଦ ପକାଇବା ର ଅଭ୍ୟାସ ଅଛି। ତା ପରେ ସେ ବୋହୂ ଙ୍କୁ ଘର ଭିତରକୁ ନେବାକୁ କହିଲେ। କୁଡ଼ିଆ ଘରେ ବୃଦ୍ଧ ଙ୍କୁ ଛାଡି ଆଉ କେହି ନଥିଲେ। ଘରର କାନ୍ଥ ମଝିରୁ ଖଣ୍ଡେ ଖଣ୍ଡେ ଖସି ପଡିଥାଏ। ଘର ଭିତରୁ କେମିତି ଗୋଟେ ଉସୁମଳିଆ ଗନ୍ଧ ବାହାରୁ ଥାଏ। ଚାରିଆଡ଼େ ବୁଢିଆଣୀ ଜାଲ ଓ ଅଳନ୍ଧୁ ଭର୍ତ୍ତି ହୋଇଥାଏ। ଯେମିତି ବହୁତ ଦିନରୁ ସେ ଘରେ କେହି ରହୁ ନାହାଁନ୍ତି। ‌ଗୋଟେ ଛିଣ୍ଡା ଖଟିଆ କିଛି ପୁରୁଣା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଥାକ ଉପରେ କିଛି ଔଷଧ ବୋତଲ କୁ ଛାଡି ଆଉ କିଛି ଦେଖାଯାଉ ନଥାଏ। ଏମିତି ବି ଲଣ୍ଠନ ଆଲୁଅରେ ତ ସବୁ ଦେଖିବା ସମ୍ଭବ ହେଉ ନଥାଏ। 


   ବୃଦ୍ଧ ଜଣକ ବୋହୂ ଙ୍କୁ ସେଇ ଖଟିଆରେ ଶୁଆଇ ଦେବାକୁ କହିଲେ ଓ ତାଙ୍କୁ ଭଲ ଭାବରେ ନିରୀକ୍ଷଣ କଲେ। ବାପାଙ୍କୁ ଥାକ ଉପରେ ଥିବା ଗୋଟେ ବୋତଲ ଆଣିବା କୁ କହିଲେ ଓ ସେଥିରୁ ଦୁଇ ଠିପି ବୋହୂ ଙ୍କୁ ଦେବାକୁ କହିଲେ। ବୃଦ୍ଧଙ୍କ କଥା ମାନିବା ଛଡ଼ା ତାଙ୍କ ପାଖରେ ତ ଆଉ କିଛି ଉପାୟ ନ ଥିଲା। ତେଣୁ ବାଧ୍ୟ ହୋଇ ବାପା ବୃଦ୍ଧ ଙ୍କ କଥା ମୁତାବକ ସେଇ ବୋତଲ ରୁ ଦୁଇ ଠିପି ଔଷଧ ଢାଳି ବୋହୁ ଙ୍କୁ ପିଇବାକୁ ଦେଲେ। ଔଷଧ ଦେବାର କିଛି ସମୟ ପରେ ବୋହୂ ଙ୍କ ଯନ୍ତ୍ରଣା କମିବାକୁ ଲାଗିଲା। ବାପା ସେ ବୃଦ୍ଧ ଲୋକ ଙ୍କୁ ପଚାରିଲେ ମଉସା ଏଇ ଘର ଟିରେ କଣ ତୁମେ ଏକା ରୁହ। ବୃଦ୍ଧ ଜଣକ କହିଲେ ଅନେକ ଦିନରୁ ତୁମ ମାଉସୀ ମୋତେ ଏକି କରି ଚାଲି ଯାଇଛି।ଏକ ମାତ୍ର ପୁଅ ତା ଘର ସଂସାର ଧରି ସହର ରେ ରହେ।


  ମୁଁ ଏକୁଟିଆ ଲୋକ। ଅଧିକାଂଶ ସମୟ ରୋଗୀ ଦେଖିବା ପାଇଁ ଅନ୍ୟ ଗାଁ କୁ ଯାଏ। ପ୍ରାୟ ସମୟ ବାହାରେ ରହେ। ତେଣୁ ଏ ଘରର ଯତ୍ନ ନେଇପାରୁନି। ତା ଛଡ଼ା ମୋର ବୟସ ହେଲାଣି। କେତେ ବେଳେ ଆର ପାରିକି ବାଟ କାଟିବି କହି ହେଉନି। ଘର ଆଉ କଣ ହେବ। ଏମିତି ପର ସେବା କରୁ କରୁ ମୋ ଜୀବନ ଚାଲିଯାଉ। ଏମିତି କଥା ହେଉ ହେଉ ବର୍ଷା କମିଗଲା। ରାତି ମଧ୍ୟ ସେତେବେଳକୁ ପାହି ଆସୁଥାଏ। ବାପା ଓ ବୁଢ଼ା ଭାଇ ବୃଦ୍ଧ କୁ କହିଲେ ମଉସା ବର୍ଷା ଛାଡି ଗଲାଣି। ଆମେ ଏଥର ଯାଉଛୁ। ତୁମ ଉପକାର ସାରା ଜୀବନ ମନେ ରହିବ। ତା ପରେ ବାପା ଓ ବୁଢ଼ା ଭାଇ ବୋହୂ ଙ୍କୁ ଧରି ଡାକ୍ତରଖାନା ଅଭିମୁଖେ ଆଗେଇଲେ। କିଛି ବାଟ ଗଲାପରେ ବୁଢ଼ା ଭାଇ କହିଲେ ଆରେ ଆମେ ତ ସେ ବୈଦ୍ୟ ମଉସାଙ୍କ ପାଉଣା ଦେବାକୁ ଭୁଲିଗଲୁ। ବାପା କହିଲେ ଆମେ ତ ଫେରିବା ସମୟରେ ଏଇ ରାସ୍ତା ଦେଇ ଫେରିବା। ସେଇ ସମୟରେ ତାଙ୍କ ପାଉଣା ଦେଇ ଦେବା।


   ତା ପରେ ବୋହୂ ଙ୍କୁ ଡାକ୍ତର ଦେଖାଇ ସେମାନେ ସେଇ ରାସ୍ତାରେ ଫେରିଲେ। ଆଉ ବୃଦ୍ଧ ଙ୍କ ପାଉଣା ଦେବା ପାଇଁ ତାଙ୍କ କୁଡ଼ିଆ ନିକଟକୁ ଗଲେ। ହେଲେ ସେ କୁଡ଼ିଆରେ ତାଙ୍କୁ ଦେଖିବାକୁ ପାଇଲେ ନାହିଁ। ଭାବିଲେ ବୃଦ୍ଧ ମଉସା ବୋଧେ ରୋଗୀ ଦେଖିବାକୁ ଯାଇଥିବେ। ସେଇ ସମୟରେ ଜଣେ ଲୋକ ଆସି ବାପାଙ୍କୁ ପଚାରିଲେ ଆପଣ ମାନେ କାହାକୁ ଖୋଜୁଛନ୍ତି? ଦୀର୍ଘ ଦିନ ହେଲାଣି ଏଘର ଶୂନ୍ୟ ହୋଇ ପଡିଛି। ଏ ଠାରେ ଜଣେ ବୈଦ୍ୟ ରହୁଥିଲେ। ହେଲେ ତିନି ବର୍ଷ ତଳେ ଗୋଟିଏ ଝଡ ବର୍ଷା ରାତିରେ ରୋଗୀ ଦେଖି ଫେରୁଥିବା ସମୟରେ ବଜ୍ରାଘାତରେ ତାଙ୍କ ର ମୃତ୍ୟୁ ଘଟିବା ପରଠାରୁ ଏ ଘର ଶୂନ୍ୟ ପଡ଼ିଛି। ବ୍ୟକ୍ତି ଜଣକ ଏତିକି କହି ସେଠାରୁ ଚାଲିଗଲେ। ବାପା ଓ ବୁଢ଼ା ଭାଇ ତାଙ୍କ କଥା ଶୁଣି ଖାଲି ପରସ୍ପର ର ମୁହଁ କୁ ଅନାଉ ଥାଆନ୍ତି।


Rate this content
Log in

More oriya story from Kanan Bala Nayak

Similar oriya story from Horror