ଦେଶ ସ୍ତମ୍ଭ, କେତୋଟି ସ୍କେଚ
ଦେଶ ସ୍ତମ୍ଭ, କେତୋଟି ସ୍କେଚ
୧ _
ପୁଅ ମୋର ଅଫିସ୍ ଫେରନ୍ତା ମଲ୍ ରୁ ଟ୍ଯାଗ ମରା ଫୁଲକୋବିଟେ ଆଣିଥିଲା ।ସମାନେ ସତୁରୀ ଟଙ୍କା ଗୋଟା, ଷ୍ଟିକର ଲଗା...... ରସିଆନ କର୍ଲିଫ୍ଲାୱାର ।ରସିଆରୁ ଆସିଛି ଟି ,କଣ କମ କଥା ।ହବନି ଟିକେ ଦାମୀ ?
_କେତେ କିଏ ମାଉସୀ ? କିଲକ କେତେ? ଦିଅ ଅଢେଇଶ ଦିଅ ।ଏତେ କ'ଣ ମ ,ଦଶ ନିଅ ।ପନ୍ଦର ସତର ଗୋଟେ କ'ଣ କହୁଛ ମ ? ବେଶୀ ହେଇ ଯାଉନି ?
_ ଦିଅ ମା ଦିଅ ।ଯାହା ତମ ମନକୁ ଯାଉଚି ଦିଅ ।ଉଛୁର ହେଲେଇ ତେଣେ ପେଟରେ ତୋରାଣୀ ମୁନ୍ଦେ କୁ ଚାହିଁ ବସିଥିବେ ଚାରିପରାଣି ।ଦିଅ ସବୁତକ ରଖି ପଚାଶ ଦେଇଦିଅ ।ସବୁ ସଜ ,ବାରିତୋଳା ।
ଝାଡିଝୁଡି ଝୁଡି ବାଡେଇଦେଲା ।ମୁଁ ଲାଭରେ ..... ଜିତିଗଲି ।
ଦଶ ଟଙ୍କିଆ ଚାରିଟା ପରିବାବାଲି କୁ ବଢଉ ବଢଉ ସେ ଦିଶୁଥିଲା ଏକ ଜୀବିତ କଙ୍କାଳର ମାନଚିତ୍ର ରୂପରେଖ ପରି ।ମୋ ପାଟି କହୁଥିଲା, ହବ ହବ ,ରଖ ।
ଏତେ ମସଲା ଦେଇ ରାନ୍ଧିଲି, ହେଲେ ସୁଆଦ?
ନିଜ ମନ ନିଜକୁ ଆମ୍ବିଳା କରିସାରିଥିଲା ।
୨ _
କଣ୍ଟା କଣ୍ଟା ଆଉ କରେଣ୍ଟ ଭରା ତିରିଶଫୁଟର ତାରଜାଲି ।ଦିଶେ ସେପାଖରୁ ଏପାଖ ଆଉ ଭାଇସଭର୍ସା ।ଜଣେ ଛିଟସବୁଜ ଆଉ ଜଣେ ଗାଢ ବଟଲ୍ ଗ୍ରୀନ୍ ..... ସବୁଜରେ ପ୍ରକାର ଭେଦ ଯାହା ..... ଦିଗନ୍ତ ବିସ୍ତାରି ବାଲି ....... ଗୋଟିଏ ରଙ୍ଗ ।
ହିନ୍ଦୀ ଭାଷାଭାଷି ..... ଦିହେଁ ।
_ କ୍ଯେସେ ହୋ ୟାର ?
_ ଜୈସେ ଆପ ।
ମିଳିତ ହସ ଲୁଣି ଲୁଣି ଲୁହ ସହ ।
ଦୂରରେ ଆଶ୍ଚର୍ଯ୍ୟ ଓଟଟେ ।
୩ _
ମୋ କୁନୁଲ୍ ବେଲେଣା ପଟା କାଠି ଧରି ମୋଠୁ ଅଟା ବଲ୍ ଟେ ନେଇ କହିଲା, ବୋଉ ଆଜି ମୁଁ ରୁଟି ବେଲିବି,ତୁ ବତେଇ ଦେ ।
ମୋର ମୋ ବୋଉ ମନେପଡିଲା, କହେ ' ଆଲୋ ହାତ ଧରି କଣ ସବୁ ଜିନିଷ ଶିଖାହୁଏ ।ଆଖି ରେ ଦେଖିକି, ବୁଝିକି କେତେ କଣ ଶିଖନ୍ତି ନା '
_ ହଉ ମୁଁ ବେଲୁଛି, ତୁ ଦେଖ୍ ।ହସିଦେଲି ।
ରାତିରେ ତା,' ବାବା ଭାରି ଖୁସିରେ ଖାଉଥିଲେ ତା ହାତ ତିଆରି ପ୍ରଥମ ମାନଚିତ୍ର ମାର୍କା ରୁଟି ସବୁ ଗ୍ଲୋବାଲି ମହାଦେଶ ସବୁକୁ ତୁଳନା କରି କରି ........ ସେ ବି ସେଠି ହସି ହସି ଗଡିଯାଉଥିଲା।ଅଷ୍ଟ୍ରେଲିଆ ଠୁ ଯେ ସୁମେରୁ ।
ଏ ହସ ଟି ଏମିତି ଝଲସୁଥାଉ ରୁଟିଟି ଧିରେ ଧିରେ ପୃଥିବୀ ପରି ଦିଶୁ ସବୁ ମାପର ଭୂଖଣ୍ଡ କୁ ପାରି କରି ।
୪ _
ପିଲେ ବଡ ହେଲେ ସବୁ କ'ଣ ହେବ ?
ଜୟ ଜବାନ
ଜୟ କିଷାନ ।
ନା ନା ଚାଷୀ କିଏ ହବ ? ମାଡ କିଏ ଖାଇବ? ଫାଶୀ କିଏ ଝୁଲିବ?
ଖାନ୍ତୁ ଦେଶଲୋକେ ଟେକନୋଲୋଜି ଟନିକ୍ ଆଉ କୋଉ ଚାଉଳ ଟି ସିଏ ?
ଯା ଶଃ ।ସବୁ ପ୍ଲାଷ୍ଟିକ ।ଅଲ୍ ଭେଜାଲ୍ ।
_ ୫ _
କାଳିଆ ଘୋଡାରେ ଚଢିବି
ମଧୁବାବୁ ସାଙ୍ଗେ ଲଢିବି ।।
ଆରେ ଏବେ କିଏ କିଏ ସବୁ ସୁବାଷ ,ଭଗତ,ରାଣା, ଝାନ୍ସୀ, ବକ୍ସି, ଧରମା ହବ ଆଗେ ହାତ ଟେକିବ ।
ସମସ୍ତେ ଲ୍ଯାପଟପ ମୁହାଁ, ଶୁଭୁଛି? ଶୁଭୁଛି ତ
ଖାଲି ଟପ୍ ଟପ୍ ଟପ୍
କି _ ( ଚାବି ) ବୋର୍ଡ ଟି ଏଇଟା?
ସହଜ ବାଟ ।ଏତେ କଷ୍ଟ କିଏ କରିବ? ଶିବାଜୀ, ଟିପୁ ସାଜିବ କିଏ ?
୬ _
ନୂଆ ବାହାହେଇ ୟାଙ୍କ ସାଙ୍ଗରେ ସ୍ବପ୍ନ ସବୁକୁ ଆଖିରେ ଭରି ବିଦେଶ ମାନଚିତ୍ର କୁ ଆପଣାର କରିବାକୁ ବାହାରିଲା ଦିନ ହାତ ଧରି ୟେ କହିଲେ, ସେଠି ମାତ୍ର ଗୋଟିଏ ଆଠ ବାଇ ଦଶ ର ବଖରାଟିଏ,ସିଙ୍ଗଲ୍ ବେଡ୍ ଟେ , ଗୋଟିଏ ଝରକା,ଗୋଟିଏ ଷ୍ଟୋଭ ରୋଷେଇକୁ, ଆଉ ସବୁ ଜିନିଷ ଖଟ ତଳେ ...... ଚଳିବ ତ ? ଚଳେଇ ନବ ଟିକେ ।
ମୁଁ ଖାଲି ହସି ଦେଇଥିଲି .... ମନେ ମନେ ଭାବିଲି,....ବାପା ପରା ବିଦା କଲା ବେଳେ କହିଲେ " ମା' ରେ ମୁଁ ଘର ନୁହେଁ ବର ଦେଖି ଦେଇଛି ।ବର ଗଛ ମୂଳେ ରହିଲେ ବି ତାକୁ ଘର କରିବା ତୋ ଦାୟିତ୍ୱ ।ଜଗନ୍ନାଥେ ସାହା ହେବେ ....... । " ପୁଣି ଡର କ'ଣ !
ଅଳ୍ପ ଲାଜେଇ କହିଲି, " ଚଳିବ ..... ସାଙ୍ଗରେ ତ ତୁମେ ଅଛ.... ସବୁ ଅଛି ।"
୭ _
ଆମେରିକାରେ ଜନ୍ମ ଜନୈକ ଓଡିଆ ବନ୍ଧୁ ଙ୍କର ଏକ ମାତ୍ର କନ୍ୟା ଓଡିଆ ରେ ଲେଖିଥିବା ଚିଠି ଟି ପଡି ଆଖି ରେ ଲୁହ ଭରି ଆସିଲା ବେଳକୁ ଆମ କନ୍ୟା ଓଡିଆ ର ବର୍ଣ୍ଣବୋଧର " ବ " ଅକ୍ଷର ନ ଜାଣିଥିବା ଆଉ ସଦା ଇଂରାଜୀ ଚର୍ବଣ କରି ନିଜକୁ ପୂର୍ବ ପିଢି ଠାରୁ ଜ୍ଞାନୀ ଗୁଣି ମନେକରୁଥିବା ଦେଖିଲେ ବି ଆଖିରେ ଲୁହ ବୋଲମାନେନି ମ ।
ଆବଶ୍ୟ ଲୁହର ବି ଅଲଗା ଅଲଗା ପରିଭାଷା ଥାଏ ,ପରିସ୍ଥିତି ନେଇ ।
ପଡୋଶୀ ମିଷ୍ଟର ମ୍ଯାଥୁ ।
ସକାଳୁ ଚଲା ବେଳେ ଭେଟି ଗଲୁ ।
_ଭେରି ଗୁଡ୍ ମର୍ଣ୍ଣିଙ୍ଗ୍ ମିଷ୍ଟର ମ୍ଯାଥୁ ।ହାଓ ଆର୍ ଇୟୁ ଡୁଇଙ୍ଗ?
_ ହରେ କ୍ରିଷ୍ଣା, ହରେ କ୍ରିଷ୍ଣା ଅଶୋକ ।ଈଶ୍ବର ଙ୍କର କୃପା ।
ସ୍ତ୍ରୀ ଆମର କହିଲେ ,ହେ ସେମାନେ ଅଜାତି ବା ।ଇସ୍କନବାଲା ।ବଡଦେଉଳ ନିଷେଧ ।ଦେଖୁନ କେମିତି ଉଚ୍ଚାରଣ, ଖ୍ରିଷ୍ଣା !
ମୁଁ ଭାବୁଥିଲି 'ଦେଶଜ ' ମାନେ !
୮ _
ଝରକା ସେପଟେ ସତ ସଙ୍ଗ
ଏଇ ଆର୍ଯ୍ୟ ଭୂମି ଆମ ମା
ଏଇ ପୂଣ୍ଯ ଭୂମି ଆମ ମା ।
ପ୍ରତ୍ୟେକ କନ୍ୟା ଆମର ମାତୃତୁଲ୍ଯ ।ମା 'ଛଡା ଅନ୍ଯ କୌଣସି ଦୃଷ୍ଟି ରେ ଦେଖିବା ଅନ୍ଯାୟ ।
ଝରକା ଏପଟେ
ହଁ ପା 'ସବୁ ତ ଶଃ ମା 'ହେବେ ଆଉ ....... ।
ସଂସ୍କାର ଶିଖେଇବ କିଏ ? ବଡ ପ୍ରଶ୍ନ ।
_ ତାଜା ଖବର ।ତାଜା ଖବର ।ତାଜା ଖବର ।
_ ବଡ ଜବର ।କାଲି କି ହଜିଯିବ ।ଝରିଯିବ ।ବାସି ବାସି .....
ପଲଟିକାଲ ପ୍ରେସର ବୋଲି ପୁଣି କିଛି ରହିବ କି ନାହିଁ! ମାଧ୍ୟାକର୍ଷଣ ନିୟମ ଢିଲେଇଯିବନି ନହେଲେ ।କହିଲେ କଣ ନା ........ ଶେଃ ।
ହୁସ୍, ପାଟି ଚୁପ୍ ।ପୁରା ଚୁପ୍ ।
କିଛି ଜାଣିନେ, ଦେଖିନେ, ଶୁଣିନେ ହେଲା ।ବୁଝିଥିଲେ ବୁଝିଥିବ, କ'ଣ ହେଇଗଲା ସେଥିରୁ ?
୯ _
ବର୍ଡର ର ଛବି ଦୂରଦର୍ଶନ ପରଦାରେ।
_ ଈଶ୍ବର ଗାର ଟାଣି ନଥିଲା, ମାନଚିତ୍ର ଆଙ୍କି ନଥିଲା, ସବୁଆଡ ସମାନ ପାଣି, ପବନ, ପର୍ବତ,ଝରଣା, ଜଙ୍ଗଲ ଆଙ୍କିଥିଲା ।
କିଏ ବୁଦ୍ଧି ଦେଲା କେଜାଣି, ଏ ମାନଚିତ୍ର, ଏ ଆଞ୍ଚଳିକ ସୀମାରେଖା ଆଙ୍କିବାକୁ ରକ୍ତ ରେ ।
ଏକ ପବନ, ଏକ ହି ପାଣି
ଏକ ଜ୍ଯୋତି ସଂସାରା ,
ଏକ ହି ଘାଟ ଖଡେ ସବ ଯୋଗୀ
ଏକ ହି ସରଜନହାରା ।
