Sachidananda Kar

Tragedy

4.5  

Sachidananda Kar

Tragedy

ଦେବୀ ହେବାର ଦୁଃଖ

ଦେବୀ ହେବାର ଦୁଃଖ

2 mins
493



            ଅଗ୍ନାଅଗ୍ନି ବନସ୍ତରେ ଦିନେ ମୁଁ ଦେବୀଙ୍କୁ ଭେଟିଲି।


           ନା ଥିଲା ସୂର୍ଯ୍ୟାଲୋକ ନା ଥିଲା ପୂର୍ଣ୍ଣମୀର ଜହ୍ନ।


           ଏମିତି ଏକ ଜାଗାରେ ରହିବା ପାଇଁ କାହିଁକି ଆଗ୍ରହ କଲେ ଦେବୀ ? ହଠାତ୍ ନିଜକୁ ପଚାରିଲି ମୁଁ ଏ ପ୍ରଶ୍ନ।


           ଦେବୀଙ୍କ ପାଖକୁ ଲାଗିଆସିଲି।ଭଲକରି ତାଙ୍କ ମୁହଁ ଆଡେ ଚାହିଁଲି।ବେଶ୍ ହସହସ ଦିଶୁଥିଲା ତାଙ୍କ ମୁହଁ।ହଳଦୀ ମାଖି ହୋଇଥିଲେ ସେ ମୁହଁରେ।ହେଲେ ମୋତେ କାହିଁକି ସେ ହସ ମିଛିମିଛିକା ମନେହେଲା।କାରଣ ସେ ଲୁଚାଇ ରଖିଥିବା ତାଙ୍କ ଲୁହ ଓ କାନ୍ଦ ସ୍ପଷ୍ଟ ଦିଶୁଥିଲା।


           ସଭ୍ୟ ସମାଜ ନ ବାଛି ଏଇ ଅଗ୍ନାଅଗ୍ନି ବନସ୍ତକୁ କାହିଁକି ବାଛିଲେ ଦେବୀ ?


           ପୁଣି ଏମିତି ପ୍ରଶ୍ନ ପଚାରିଲି ନିଜକୁ।


          ହଠାତ୍ ମୋର ମନେପଡିଲା କୁମାରୀ କୁନ୍ତୀଙ୍କ କଥା।ଦେହର ଦାବିକୁ ନେଇ ନଈରେ ଭସାଇ ଦେଇଥିଲେ ସେ।ହୃଦୟର ସମସ୍ତ କଥା ଓ ବ୍ୟଥାକୁ ନେଇ ମଶାଣିରେ ପୋତି ଦେଇଥିଲେ।ଦେବୀଙ୍କର ଭାଗ୍ୟ ତେବେ କ'ଣ ଏମିତି ! ମୁଁ ଭାବିବାକୁ ଲାଗିଲି।


           ଅଗ୍ନାଅଗ୍ନି ବନସ୍ତ ମଧ୍ୟରେ କେମିତି ରହୁଛନ୍ତି ଏ ଦେବୀ ? କେମିତି କାଳ କାଟୁଛନ୍ତି ?


           ଗଭା,ଗବାକ୍ଷ,କ୍ରୋଧ, କଟାକ୍ଷ, ପାଲିଙ୍କି, ପଲଙ୍କ, କେଳି,କଳଙ୍କ - କିଛି ତାଙ୍କର ଦେଖୁ ନ ଥିଲି।ଆଦୌ ଉଦାସ ଦିଶୁ ନ ଥିଲେ ସେ।ଉଚ୍ଚାଟିତ ଅବସ୍ଥାରେ ବି ଦେଖୁ ନ ଥିଲି ତାଙ୍କୁ।ରମଣ,ମରଣ,ଷୋଡ଼ଶ ଶୃଙ୍ଗାର, ଫୁଲ ଶେଯ,ଫୁଲ ସଂଜ,ବଧୂ ବେଶ,ବୈଧବ୍ୟ,ଆଲିଙ୍ଗନ, ଉଲଙ୍ଘନ - ଏସବୁ ଠାରୁ ଥିଲେ ବହୁଦୂରରେ।


           ହେଲେ ତାଙ୍କର ରୀତି,ନୀତି,ପୂଜାର୍ଚ୍ଚନା, ନିତ୍ୟ ଆରାଧନା ନିୟମିତ ଚାଲିଥିବା ଦେଖୁଥିଲି।


          ବନବାସୀ ପିଲା ଜଣେ ସବୁଦିନେ ଆସୁଥିଲା ତାଙ୍କ ପାଖକୁ।ହଳଦୀ ମାଖି ଦେଉଥିଲା ତାଙ୍କ ମୁହଁରେ।ହଳଦୀ ମୁଖା ହୋଇ ସେ ସଭିଙ୍କୁ ତାଙ୍କ ଦର୍ଶନ ଦେଉଥିଲେ।


           ଭୟରେ ଥରୁଥିଲେ ବି ସବୁବେଳେ ଅଭୟ ମୁଦ୍ରାରେ ରହୁଥିଲେ ସେ।ନିଃସଙ୍ଗ ଜୀବନ ଅତିବାହିତ କରୁଥିଲେ ବି ସଖୀ ଗହଣରେ ବୁଲିବାକୁ ଯାଇ ପାରୁ ନ ଥିଲେ।


          ଆହା ! ଦେବୀ .....,ଅଥଚ ଏପରି ଭାଗ୍ୟ ! ଇଏ ଦେବୀ ନା ଅଭାଗିନୀ ନିରିମାଖି ନଈ ! ଉଜାଣି ବହି ପାରିବେ ନାହିଁ କି ମୁହାଣ ଛୁଇଁ ପାରିବେ ନାହିଁ।କାକୁସ୍ଥ କଣ୍ଢେଇଟିଏ ହୋଇ ଏମିତି ଏ ରହିଥିବେ ଚିରକାଳ।ବସି ରହିଥିବେ ପୂଜା ବେଦୀରେ।


          ତାଙ୍କ କଥା ଓ ବ୍ୟଥା ମୋ ମନକୁ ଆନ୍ଦୋଳିତ କଲା।ମନେମନେ ଖୁବ୍ ବ୍ୟସ୍ତ ହେଲି।


          ସେ କାହାକୁ ତାଙ୍କ ନିଜ କଥା ଓ ବ୍ୟଥା କହିନାହାନ୍ତି ନା କେହି ଶୁଣିନାହାନ୍ତି ତାଙ୍କୁ ? ଦେବୀ ହେଲେ ବୋଲି ସେ କ'ଣ ସମସ୍ତଙ୍କୁ ବୁଝିବେ ? କେହିଜଣେ କ'ଣ ଏଠି ତାଙ୍କ ପାଇଁ ନାହିଁ ? - ନିଜକୁ ପଚାରିଲି।


          ତେବେ କ'ଣ ବୁଝିବାକୁ ହେବ ଯେ ଦେବୀଙ୍କର ଭାଗ୍ୟରେ ଏତେ ବିଡମ୍ବନା ଥାଏ ! - ମନକୁମନ କହିଲି।


          ଅନେକ ଅନେକ ପ୍ରଶ୍ନ ମୋ ମୁଣ୍ଡକୁ ଆସୁଥିଲା।ହେଲେ ସେସବୁର ଉତ୍ତର ମୋତେ କିଏ ଦେବ ବା ମୁଁ କେଉଁଠୁ ପାଇବି ଜାଣି ପାରୁ ନ ଥିଲି।ଗୋଟିଏ କିଂ କର୍ତ୍ତବ୍ୟ ବିମୂଢ ଅବସ୍ଥାରେ ଥିଲା ଭଳି ଥିଲି।


          ଧୀରେଧୀରେ ମୋର ମନେହେଲା ଇଏ ବୋଧହୁଏ ଦେବୀ ହେବାର ଦୁଃଖ।ତା' ପରେ ମୁଁ ନିଶ୍ଚିନ୍ତ ହୋଇଗଲି ଯେ ଏଠି ଯେଉଁମାନେ ଏ ଦୁଃଖ ଭୋଗିଥିବେ,ଏମିତି ଜୀବନ ଜୀଇଥିବେ ସେମାନେ ମୋ ପ୍ରଶ୍ନର ଯଥାର୍ଥ ଉତ୍ତର ନିଶ୍ଚୟ ଦେଇପାରିବେ।


          ଏମିତି କେହି ଅଛନ୍ତି .....?


          ଭୋଗିଛନ୍ତି ଦେବୀ ହେବାର ଦୁଃଖ .....?


          ମୋତେ ଉତ୍ତର ଦେବେ ,ପ୍ଲିଜ୍ ....!


Rate this content
Log in

Similar oriya story from Tragedy