STORYMIRROR

minakshee mahapatra

Inspirational

3  

minakshee mahapatra

Inspirational

ଡର

ଡର

3 mins
247

ପାଖା ପାଖି ଦୁଇ ତିନି ସପ୍ତାହ ହେଲାଣି ଅଫିସ କାମ ଟିକେ ବଢ଼ି ଯାଇଛି , ତେଣୁ ସବୁ ଦିନ ଘରକୁ ଡେରିରେ ଫେରିବାକୁ ପଡୁଛି |

ଆଜି ଟିକେ ଜଲଦି ଫେରି ଥିବାରୁ ମୋ ଛ ବର୍ଷର ଝିଅ ଶିମିଲିର ଖୁସି କହିଲେ ନସରେ | 

ମତେ ଦେଖୁ ଦେଖୁ ଏଘରେ ସେଘରେ ଲୁଚି ଲୁଚି ନିଜେ ନିଜେ ଲୁଚକାଳି ଖେଳ ଆରମ୍ଭ କରିଦେଲା | ମୁ ହସି ହସି କହିଲି, ଆରେ ମାମା ରହ, ମୁଁ ଟିକେ ଧୁଆ ଧୁଇ ହେଇ ଫ୍ରେସ ହେଇ ଆସେ ଖେଳିବା | 

ବାଥରୁମ ରୁ ବାହାରୁ ବାହାରୁ ଭୋ କହି ଆସି କୁଣ୍ଢେଇ ଧରିଲା ମତେ | ମୁ ତାକୁ କାଖେଇ ଧରି ଯାଉ ଯାଉ କହିଲା, ପାପା ମତେ ଭାରି ଡର ଲାଗୁଚି !

ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ, କଣ ପାଇଁ ଡର ଲାଗୁଚି ମୋ ମାମାକୁ? ପଚାରିବାରୁ......

ଭାରି ବ୍ୟସ୍ତ ହେଇ କହିଲା, କାଳେ ତୁମେ ବୁଟୁ uncleଙ୍କ ପରି hospital ପଳେଇବ, ସେଥିପାଇଁ ଡର ଲାଗୁଚି ! 

ଟିକେ ଗମ୍ଭୀର ହେଇ ମୁଁ ପୁଣି ପଚାରିଲି....ତତେ କଣ ଏକଥା ମମି କହିଛନ୍ତି କି?

ହଁ ମମି କହୁଥିଲେ କହିଲା.... 

ତୁମେ ଯେମିତି ଅଫିସ ରୁ ଆସି ଖାଇଦେଇ ଚାଲିବାକୁ ଯାଅ, ବୁଟୁ uncle ବି ସେମିତି ଯାଉଥିଲେ | ନା ମାମା, ସେମିତି କିଛି ହେବନି କହି, ଶିମିଲିକୁ ଚିତ୍ର ଅଙ୍କିବାକୁ ପଠାଇ ଦେଇ, ରୋଷେଇ ଘରେ ରୁଟି କରୁଥିବା ଲୋରି ମନେ ମୋ ସ୍ତ୍ରୀଙ୍କ ପାଖକୁ ଯାଇ ବିରକ୍ତ ହୋଇ କହିଲି "ଯାହା ତ ତୁମେ କହୁଥିଲ କହୁଥିଲ, ଏବେ ସେ ଛୋଟ ପିଲାକୁ ବି ଶିଖେଇ ଏସବୁ ମୁଣ୍ଡରେ ପୂରେଇଲଣି ତାର !" ମୋ ପ୍ରତିଉତ୍ତରରେ ଯୁକ୍ତି ବାଢ଼ି ଲୋରି କହିଲା "ଆଗରୁ ଖାଲି ମୁଁ ଡରୁଥିଲି ତେଣୁ କହୁଥିଲି, ଏବେ ବୁଟୁ ଭାଇଙ୍କୁ ହସ୍ପିଟାଲରେ ଦେଖି ସେ ବି ବୁଝୁଚି ତେଣୁ ଡରୁଚି!

 

ଚିଡ଼ ଚିଡ଼ ହୋଇ ଘରୁ ବାହାରି ଘର ପାଖ ଖେଳ ପଡିଆ ଯିବା ବାଟରେ ଭାବୁଥିଲି ସେଦିନ ବୋଧେ ଶିମିଲିକୁ ନେଇ ବୁଟୁକୁ ଦେଖି ହସ୍ପିଟାଲ ଯିବା ଟା ଭୁଲ ହୋଇଗଲା ମୋର !


ବୁଟୁ ମୋ ଇଂଜିନିୟରିଙ୍ଗ ସମୟର ସାଙ୍ଗ, ଦୁଇଟି କୁନି କୁନି ସୁନ୍ଦରିଆ ଜାଅଁଳା ପୁଅ ଓ ବେବି ଭାଉଜଙ୍କୁ ନେଇ, କିଛି ବର୍ଷ ହେଲାଣି ଅଷ୍ଟ୍ରେଲିଆରେ ଥିଲା | ମଝିରେ ମଝିରେ ଦେଖେ ତା ସୋସିଆଲ ପେଜରେ ନୂଆ ନୂଆ ଫୋଟୋ ରଖିଥାଏ|କଲେଜ ବେଳୁ ହିଁ ଭାରି ବିନ୍ଦାସ ସେ | ଖୁସି ମଜାରେ ଜୀବନ ଚାଲେ ତାର | କିନ୍ତୁ ଏବେ ଅଷ୍ଟ୍ରେଲିଆରେ ହଠାତ ଫୁସଫୁସ (lungs) ଜନିତ ସେକେଣ୍ଡ ଷ୍ଟେଜ କ୍ୟାନ୍ସର ଡିଟେକ୍ଟ ହେବାରୁ ଇଣ୍ଡିଆ ଫେରି ଏଠି ଟ୍ରିଟମେଣ୍ଟ ହେଉଛି | ଏଇ ସୋମବାର ଆଉ ଗୋଟେ ସାଙ୍ଗଠୁ ଶୁଣି ତାକୁ ଦେଖିବାକୁ ହସ୍ପିଟାଲ ଯାଇଥିଲୁ |


ସେଠି ତାକୁ ଓ ବେବି ଭାଉଜଙ୍କୁ ଦେଖି, ଭାରି ବ୍ୟସ୍ତ ଲାଗିଲା | ଆମ ବ୍ୟାଚର ସବୁଠାରୁ ହାଣ୍ଡସମ ପିଲାଟି ଆଜି କେମୋ ନେଇ ନେଇ କଳା କାଠ ପଡ଼ିଗଲାଣି | Over smoking ଯୋଗୁ ଏମିତି ହେଇଥିବା ଡାକ୍ତର କହିବାର ଶୁଣିଲୁ ବେବି ଭାଉଜଙ୍କ ଠାରୁ |


ତାକୁ ଦେଖି କଲେଜ ହଷ୍ଟେଲରେ ହେଉଥିବା ଛୋଟ ଛୋଟ ପାର୍ଟି ଗୁଡିକ ମନେ ପଡି ଯାଉଥାଏ ମୋର | ସେ ସମୟରେ ଟିକେ ଟ୍ରାଏ କରୁ କରୁ smoking ଗୋଟିଏ ଅଭ୍ୟାସ ହେଇଯିବ ବୋଲି କିଏ ବା ଜାଣିଥିଲା ! ସେ ଅଭ୍ୟାସ ଏମିତି ସତରେ ମରଣାତ୍ମକ ହେବ ବୋଲି ହୃଦବୋଧ ହେଇ ପାରୁ ନଥିଲା ବୋଲି ବୋଧହୁଏ ଆଜିର ଦିନରେ କେବେ ଅଫିସ ଷ୍ଟ୍ରେସ ହେଉ କି ସ୍ତ୍ରୀ ସାଙ୍ଗେ ଝଗଡା କିମ୍ବା ଅଫିସରେ ମ୍ୟାନେଜେରକୁ କମ୍ପାନୀ ଦେବାକୁ ହେଉ ସେ ଦୁଇ ଇଞ୍ଚର ଧଳା ନଳିକୁ ସାହାରା କରି ଦେଇଚୁ | 


ବୁଟୁକୁ ଦେଖି ଆସିଲା ଦିନରୁ ମୋ ସ୍ତ୍ରୀ ଲୋରି ଓ ମୋର ପ୍ରତି ଆଲୋଚନା ମୋ smoking ହାବିଟରୁ ଆରମ୍ଭ ହୋଇ ଅଯଥା କଳହରେ ସରୁଛି | 


ସବୁଦିନ ଅଫିସରୁ ଆସି ଖାଇଦେଇ ଟିକେ ଘର ପାଖ ପଡିଆକୁ walkରେ ଆସିଯାଏ ମୁଁ ଆଉ ସେତେବେଳେ ଟିକେ smoke କରିଦିଏ, ତ କେବେ ସକାଳୁ ବାଥରୁମ ଭିତରେ, ଯୋଉ କଥା ଶିମିଲି କହୁଥିଲା ଆଜି | ଏମିତି ଭାବି ଭାବି ଘରକୁ ଫେରି ଦେଖିଲି, ମୋ ଖାଇବା ଥାଳି ବଢ଼ା ହୋଇ ଘୋଡା ହୋଇ ଥୁଆ ହୋଇଛି | ଲୋରି ବେଡ଼ରୁମରେ ଶିମିଲିକୁ ଶୁଆଉଛନ୍ତି | 


ଧୁଆ ଧୁଇ ହବାକୁ ବାଥରୁମ ଗଲାବେଳେ ସବୁଦିନ ପରି ଅଭ୍ୟାସ ଗତ ସେଠି କର୍ଣ୍ଣର ଷ୍ଟାଣ୍ଡର ଉପର ଥାକରେ ଥିବା ଧଳା ପ୍ୟାକେଟ ଉପରେ ନଜର ପଡିଲା | ଲୋରି ଓ ଶିମିଲି ପରି ମୁହଁ ଖୋଲି କହି ନପାରିଲେ ବି କାହିଁକି କେଜାଣି ସେ ପ୍ୟାକେଟଟି ଦେଖି ଆଜି ଭାରି ଡର ଲାଗୁଥିଲା ମତେ |  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational