ବାପା ହେବା ଏତେ ସହଜ ନୁହେଁ!
ବାପା ହେବା ଏତେ ସହଜ ନୁହେଁ!
ଦିନସାରା ରଜ ପାଗ ଦେଇଥାଏ, ଟିକେ ବର୍ଷା ଓ ଟିକେ ଖରା | ସତେ ଯେମିତି ଧରିତ୍ରୀକୁ ଏଇ ଉତ୍ତପ୍ତ ଯନ୍ତ୍ରଣାରୁ ମୁକ୍ତ କରିବାକୁ, ରଜ ସଂକ୍ରାନ୍ତି ଔଷଧ ନେଇ ଆସିଥିଲା । ବର୍ଷା ପରେ ପରିବେଶ ଟି ଖୁବ ଶାନ୍ତ ଓ ନିର୍ମଳ ଲାଗୁଥାଏ |
ମୁଁ ସବୁଦିନ ପରି, ପ୍ରେସ ଛକ ରେ ବସ ରୁ ଓଲ୍ହାଇ ଘରମୁହାଁ ହୋଇ ଚାଲିଥାଏ, ଠିକ ITI ସ୍କୁଲ ପାଖାପାଖି ହେବ କିଏ ଜଣେ ମତେ ମାଡାମ ରୁହନ୍ତୁ, ମାଡାମ ରୁହନ୍ତୁ କହି ପଚରୁ ଡାକପକାଇଲେ | ପଛକୁ ଚାହିଁ ଦେଖେ, ଜଣେ ମଉସା ଭାରି ଖୁସିରେ ଡାକୁଛନ୍ତି | ମତେ ଦେଖି ମଉସା କହିଲେ, "ମାଡାମ, କେତେଦିନରୁ ମନେ ମନେ ଖୋଜୁଥିଲି ତୁମକୁ, ଯାହା ହୋଉ ଆଜି ଭେଟ ମିଳିଲା |" ଝିଅ ର ଦାଖଲ ହେଇଗଲା ବାଙ୍କୀ (ରଗଡି ) କଲେଜରେ, ଏଇ ଆସନ୍ତା ମାସ ପନ୍ଦର ତାରିଖରେ ଯିବ ସେ ହଷ୍ଟେଲ ରେ ରହି ପଢିବାକୁ |
ହଁ! ମଉସା ମୋ ପାଇଁ ଅଚିହ୍ନା ନଥିଲେ, ସେ ସବୁଦିନ ସେ ITI ସ୍କୁଲ ପାଖେ ଠିଆ ହୋଇ ବାଦାମ, ସୋନପାପୁଡି ବିକ୍ରି କରନ୍ତି | ତିନି ଚାରି ମାସ ତଳର କଥା ହେବ! ମୁଁ ତାଙ୍କଠୁ ବାଦାମ ନଉ ନଉ, ହଠାତ ଗୋଟେ ସମ୍ବାଦ ପତ୍ରର ଵିଜ୍ଞାପନ ଦେଖେଇ କହିଲେ, "ମାଡାମ ମୋ ଝିଅ ଗତ ବର୍ଷ 2 ପାସ କରିଛି ଏବେ BA ପଢୁଛି, ଏମିତି କଥା ହୋଉ ହୋଉ ଜଣେ ବାବୁ ଏଇ କାଗଜଟି ଦେଇ କହିଲେ ତାକୁ ଏଠି ଦାଖଲ କରିବାକୁ | ମୁଁ ତ ମୂର୍ଖ ଲୋକ, ଟିକେ ମା ଦେଖିଲ "ସେ ବିଜ୍ଞାପନ ରୁ ଦେଖିଲି, "Certificate Examination of the Secondary Training Schools and D.I.E.T.S in the State of Odisha" ର ଫର୍ମ ଦାଖଲ ନୋଟିସ ଥିଲା | ମଉସା ଙ୍କୁ ପଚାରିଲି, ଝିଅ ଶିକ୍ଷକତା ରେ ରୁଚି ରଖେ କି ମଉସା?
ମଉସା ଟିକେ ହସିଦେଇ କହିଲେ, ନାଇ ମାଡାମ, ସେ ତ ପିଲା ଲୋକ, ସେ କଣ ଜାଣିପାରିବ!" ଆଜିକାଲି ପ୍ରସ୍ତାବ ଗୋଟେ ଗୋଟେ ଆସୁଛି, ହେଲେ ମୋର ଟିକେ ଇଛା ଝିଅଟି ରୋଜଗାର କ୍ଷମ ହେଇଗଲେ ବାହାଘର କରିବି | ଘର ଆମର ନୟାଗଡ, ପୁଅକୁ ଏଇ ITI ସ୍କୁଲରେ ପଢାଉଛି, ପିଲା ଦୁଇଟି ଯୋଗ୍ୟ ହେଇ, ନିଜ ପେଟ ପୋଷିବା କ୍ଷମ ହେଇଗଲେ, ମତେ ଟିକେ ଶାନ୍ତି ମିଳିବ | ଆଉ ଏମିତି ବି ଝିଅଟି ମୋର ଭାରି ଶାନ୍ତ, ଚାକିରି ଖଣ୍ଡେ କରିଥିଲେ ତା ଭବିଷ୍ୟତ ପାଇଁ ଦମ୍ଭ! ମୁଁ ହଁ ମଉସା ଏଥିରେ ସିଟି ଫୋର୍ମ ପକାଇବାର ତାରିଖ ଓ ସ୍ଥାନ ଲେଖା ହେଇଚି | ବୃତ୍ତିଗତ ପାଠ ପଢା ମାନେ ଶିକ୍ଷକତା ପାଇଁ ଟ୍ରେନିଂ ମିଳିବ | ଏଠି ପଢିଲେ ଚାକିରୀର ସମ୍ଭାବନା ବଢ଼ିଯିବ | ଠିକ ତା ପରଦିନ, ମଉସା ଫୋର୍ମ ଟି ନେଇ ଆସିଥିଲେ | instruction ଦେଖି ମୁଁ ଫୋର୍ମ ରେ ଠିକ ମାରିଦେଇଥିଲି, ଆଉ ଆଜି ଶୁଣିଲି ଝିଅର admission ହେଇଯାଇଛି | ଭାରି ଖୁସି ଲାଗିଲା ଶୁଣିକି |
ସେଦିନ ବାଦାମ ନେଇ ଫେରିଲା ବେଳେ, ଭାବୁଥିଲି
ବାଦାମ ବିକ୍ରିକରୁଥିବା ମଉସାଙ୍କର ଆଉ ଏକ ଗୁରୁତ୍ୱପୂର୍ଣ ପରିଚୟ ଅଛି | ସେ ହେଲେ ଜଣେ "ବାପା", ହଁ ବାପା
ଯାହା ପାଖେ ସବୁ ଅସୁବିଧା ର ସମାଧାନ ଥାଏ! ଯିଏ ନିଜକଥା ଭୁଲି, ଅହରହ ପିଲାଙ୍କ ଭବିଷ୍ୟତ ଚିନ୍ତା କରନ୍ତି | ଯାହାର ଦୁଃଖୀ ହେବାର ଅଧିକାର ନାହିଁ | ଯେ ନିର୍ଣ୍ଣାୟକ, ଯାହାର ଭୁଲ କରିବାର ଅଧିକାର ନାହିଁ |ଯେ କେବେ ଥକନ୍ତିନି |
ପିଲା ବେଳେ ଟିଭିରେ ଆସୁଥିବା ଏକ ତେଲ କମ୍ପାନୀର ବିଜ୍ଞାପନ କଥା ମନେ ପଡିଗଲା, ସେଥିରେ କୁନି ଝିଅଟି "MyDaddyStrongest" ବୋଲି କହୁଥାଏ | ବିଜ୍ଞାପନ ଟି ଦେଖି ଭାରି ଖୁସିଲାଗେ | କିଛି କିଛି ଵିଜ୍ଞାପନ ରେ ଦେଉଥାଏ MyDadMyHero
ପିଲାଦିନେ ସେ ସବୁ ବିଜ୍ଞାପନକୁ କପି କରି କହିଲା ବେଳେ, ମୋ ମନ ଗର୍ବିତ ହେଇଯାଏ ଓ ମୋ ବାପାଙ୍କ ଛବି ଆଖି ଆଗରେ ନାଚିଉଠେ | ଖାଲି ମୁଁ କାହିଁକି, ଆମ ସମସ୍ତଙ୍କ ସାଙ୍ଗେ ସେମିତି ହି ହେଉଥିବ | ଆଜିବି, ନନା / ବାପା /ପାପା /ବାବା /ଡାଡି ଙ୍କ ନା ଶୁଣିଦେଲା ମାତ୍ରେ ମନରେ ଅକୁହା ଦମ୍ଭ ଆସିଯାଏ | କିନ୍ତୁ ପିଲାମାନଙ୍କ ଏଇ ଗର୍ବ କୁ ଅତୁଟ ରଖିବାକୁ ଯେ ବାପା ମାନଙ୍କୁ ଜୀବନରେ କେତେ ମସୁଧା /ଜୀବନ ସାଙ୍ଗେ ବୁଝାମଣା କରିବାକୁ ପଡେ, ସେ କଥା ଏବେ ବୁଝା ପଡ଼ୁଚି | ଦୁନିଆର କଷଟି ପଥର ରେ ଘସିହେଇ ବାପା ସବୁବେଳେ ପିଲାଙ୍କୁ ସୁନାର ଉପହାର ଦିଅନ୍ତି |
ସବୁକିଛି କରି, ସବୁକିଛି ସହି ପିଲାଙ୍କ ଅଗେ ହସିବାର କଳା ଶିଖିବା ସହଜ ନୁହେଁ! ବାସ୍ତବିକ ବାପା ହେବା ଏତେ ସହଜ ନୁହେଁ|
