ଡାହାଣୀ ଆଲୋକ
ଡାହାଣୀ ଆଲୋକ
ଦିନେ ଖୁବ ପରିଶ୍ରମ କରି ଚାଷଵାସ କରୁଥିବା ବିନୋଦ ବୁଢା ହେବା ପୂର୍ବରୁ ଦୁଇ ପୁଅଙ୍କୁ କେବେ ଅଲଗା ନଜରରେ ଦେଖିନଥିଲେ କି ଏମାସରେ ବଡ଼ପୁଅର ଛତା ଆସିଛି ତ ଆରମାସରେ ସାନପୁଅର ଛତା ଆଣିଦେଵି କହୁନଥିଲେ. ଏମିତିକି ଯାହା ଆଣୁଥିଲେ ଦୁଇପୁଅଙ୍କ ଲାଗି ସମାନ ସମାନ ରଙ୍ଗ ଡିଜାଇନ ମଧ୍ୟ ଏକା ପରି ଛତା ଜୋତା ଓ କୁର୍ତ୍ତା. ସେଇଥିପାଇଁ କି କଣ ବୁଢ଼ୀ କହିଲା ପୁଅ ଦୁହିଁଙ୍କ ଇଛା ରଖୁଥିବା ବାପାଙ୍କୁ ନିଶ୍ଚୟ ପୁଅ ଦୁହେଁ ଭଲରେ ରଖିବେ. ସେଇଥିପାଇଁ କି କଣ କେଜାଣି ବୁଢ଼ୀ ଆଗୁଆ ବାଟ କାଟିଲା ବେଳେ ଜାଣିନଥିଲା ବିଚରା ବୁଢ଼ାଟା ବଣ୍ଟା ହୋଇଯିବ ଦୁଇପୁଅଙ୍କ ଭିତରେ. ଏବେ ବଡପୁଅ ଗାଁରେ ତ ସାନପୁଅ ସହରରେ ହେଲେ
ଗୋଟେ ଦିନ ମଧ୍ୟ ଏପଟ ସେପଟ ନକରି ଦୁହେଁ ଛାଡୁଥିଲେ ବାପାଙ୍କୁ ଅନ୍ୟ ପାଖରେ. ଏଥର ପାଳି ସାନପୁଅର ଥିଲା ଆଉ ବଡପୁଅର ଅବସ୍ଥା ମଧ୍ୟ ଭଲନଥିଲା.ପିଲାଦିନେ ବିନୋଦ କିଣିଦେଇଥିବା ବଡ଼ପୁଅର ସାଇକେଲ ଆଜିବି ତାର ବାହାକ ଓ ବାହାନ ହେଲାବେଳେ ସାନପୁଅର ସାଇକେଲ କଣ କେତେ ଯେ ବାଇକ କବାଡ଼ିଆ ପାଖକୁ ଯାଇ ଚାରିଚକିଆ ଗାଡି ଆସୁଥିଲା ନୂଆ ଡିଜାଇନରେ କିନ୍ତୁ ଗାଁରୁ ବାପା ଯିବା ପାଇଁ କିଛି ବ୍ୟବସ୍ଥା କରୁନଥିଲା ସାନପୁଅ. ବୁଢା ମଧ୍ୟ ବଡପୁଅ ସଂସାରରେ ଅତିଷ୍ଠ ହେଉଥିଲେ. ବଡ଼ପୁଅର ଦୁଇପୁଅ ଓ ଦୁଇ ନାତି ବଡ଼ ହୋଇଯାଇଥିଲେ ତ ଯିଏ ଯାହା ହାତରେ ଚଉଦ ପା ଥିଲେ. ସାନପୁଅ ପାଖକୁ ଯିବା ଦିନ ଘୁଞ୍ଚି ଘୁଞ୍ଚି ଯିବା ଦ୍ୱାରା ବିନୋଦବାବୁଙ୍କ ଦୁଃଖ ମଧ୍ୟ ବଢୁଥିଲା. ବଡ଼ପୁଅର ଅପାରଗତା ସାଙ୍ଗକୁ ବଡ଼ବୋହୁର ରୋଗ ଓ ନାତୁଣୀବୋହୁ ଦୁହିଁଙ୍କର ଆପତ୍ତି ଅଭିଯୋଗ ବିନୋଦ ବାବୁଙ୍କ କର୍ଣ୍ଣରେ ପଡିଲେ ମଧ୍ୟ ସେ ଜାଣିଶୁଣି କାଲା ହୋଇଯାଉଥିଲେ ଯେମିତି. ତାଙ୍କ ଗାଁରୁ ସହରକୁ ଆସୁଥିଲା ଅଟୋ ସତ ହେଲେ ବିନା ପଇସାରେ ସେ ବିନୋଦବାବୁଙ୍କୁ ନେବ କାହିଁକି!ବେଳେ ବେଳେ କେହି କେହି ସହୃଦୟତାର ସହ ମନା କରିନପାରିଲେ ମଧ୍ୟ ବିନୋଦବାବୁଙ୍କୁ ଲାଜ ମାଡ଼େ. ଶେଷକୁ ଗାଁ କୋଠ କଥା ତଥା ହିସାବରକ୍ଷକ ସାଜିଥିବା ଅନାଥ ଯୁବକ ଗୋବିନ୍ଦକୁ କିଛି ପଇସା ମାଗି ନେଇ ଏଯାଏଁ ଶୁଝି ନାହାଁନ୍ତି ବିନୋଦ ପୁଣି ଏଥର କେମିତି ମାଗିବେ. ମାଗିବାରେ ବଡ଼ପୁଅକୁ କାଳେ ଲାଜ ମାଡିବ ତ ବଡପୁଅର ପୁଅର ପୁଅକୁ ସାଇକେଲରେ ସହରରେ ଛାଡ଼ିଦେବାକୁ କହିବାରୁ ସେ ମଧ୍
ୟ ବେପରୁଆ ଉତ୍ତର ଛାଟି ଦେଇ ପଟି ଚଢେଇ ଚାଲିଗଲା ତ ବାଧ୍ୟ ହୋଇ ବିନୋଦବାବୁ ଗୋବିନ୍ଦଠାରୁ ଆଉ କିଛି ଟଙ୍କା ସାହାଯ୍ୟ ମାଗି ନିଜେ ନିଜେ ଅଟୋ ଭଡା ଦେଇ ସହରରେ ପହଞ୍ଚିଥିଲେ.
ହେଲେ ପଡୋଶୀମାନେ କହିଥିଲେ ସେ ପରିବାର ସହ ଦୀପାବଳୀ କାଳୀ ପୂଜା ଦେଖିବାକୁ କଲିକତା ଯାଇଛି. ବୁଢା ବିନୋଦ ବାବୁଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା. ବଡ଼ପୁଅ ପାଖକୁ ଫେରିବାକୁ ନଥିଲା ଧନ କି ମନ. ଚାଲି ଚାଲି ଅସୁସ୍ଥ ଶରୀରରେ ଗାଁ ଓ ସହର ମଝିରେ ଥିବା ଗାଁ ମଶାଣୀଟାକୁ ଅତିକ୍ରମ କରିବାକୁ ଆଗଭର ହେଉ ହେଉ ଥକା ମାରି ବସିଗଲା ବେଳକୁ ପଥର ଉପରେ କୋଉଠୁ ଦୁଇଟୋପା ଜଳ ପଡିବାରୁ ଆକାଶରେ ତ ବର୍ଷା ନାହିଁ ଏ ଜଳ କଣ ମଶାଣୀର ଡାହାଣୀ ଆଲୁଅ ଜାଳୁଥିବା ଭୂତ ପ୍ରେତର କି ଭାବି ଚାହିଁଲା ବେଳକୁ ଚମକି ପଡିଲେ. ପ୍ରେତ ରୂପେ ଗାଁର ଅନାଥ ଗୋବିନ୍ଦ କାନ୍ଦୁଥିଲା. ବିନୋଦବାବୁଙ୍କୁ ଦୁଇ ଦୁଇଥର ଗ୍ରାମବାସୀଙ୍କ ଟଙ୍କାରୁ ସାହାଯ୍ୟ କରି ଲୋକଙ୍କ ଆସ୍ଥା ହରାଇଥିଲା ତ ତାକୁ କୋଷାଧକ୍ଷ ପଦରୁ ହଟେଇ ଦେବା ସହ ମିଳିଥିବା କୋଠ ଘର ଆଶ୍ରୟ ମଧ୍ୟ ତା ପାଇଁ ମାହଙ୍ଗା ସାବ୍ୟସ୍ତ ହୋଇଥିଲା. ଆଖିରୁ ଲୁହ ପୋଛିଲେ ବିନୋଦ ଗୋବିନ୍ଦର କହିଲେ ତୋ ପଇସା ଶୁଝି ପାରିବିନି ସତ ହେଲେ ଏ ଦେହରେ ହିମ୍ମତ ଅଛି ଚାଲ ମତେ ନେଇ ଅନ୍ୟ କୋଉଠିକି. ମୁଁ ଶ୍ରମ କରିବି ତୋ ଅଧା ଛାଡ଼ିଥିବା ପାଠ ତୁ ପଢ଼ିବୁ. ମଣିଷ ପରି ମଣିଷ କରି ଦୁଇପୁଅଙ୍କୁ ଆଜି ମୋର ଏ ଅବସ୍ଥା. ମୋ କାନ୍ଧ ଅଛି ଖାଲି ସାହାରାହେବାକୁ ଡାହାଣୀ ଆଲୁଅ ଟିକେ ପରି ବଳ ଦରକାର ମୋର . କିଛି ବୁଝିପାରୁନଥିବା ଗୋବିନ୍ଦ ହସି ଦେଇ ଧରିଥିଲା ବିନୋଦଙ୍କ ହାତ.ବିନୋଦ କହୁଥିଲେ ଡାହାଣୀ ଆଲୋକ ଲଗେଇ ତା ପିଲାକୁ ଶୁଆଇବା ଶୁଣିଥିଲି ସତ ଆଜି ମୋ ଜୀବନରେ ସେହି ସତ୍ୟକୁ ନେଇ ଆଗେଇ ଯିବି କହି ଦୁହେଁ ସେହି ଅନ୍ଧାରରେ ମିଶିଗଲା ବେଳେ ଦୀପାବଳୀର ଆଲୋକ ପରି ମନେ ହେଉଥିବା ସତେ ଯେପରି ମଶାଣୀର ଡାହାଣୀ ଆଲୋକ ତାଙ୍କୁ ବାଟ କଢେଇ ନେଉଥିଲା କି କଣ କିନ୍ତୁ ସେଇଦିନ ପରଠୁ ସେ ଦୁହିଁଙ୍କୁ ଗାଁରେ ଆଉ କେହି ଦେଖିନଥିଲେ. ଦୁଇପୁଅ ବିନୋଦଙ୍କୁ ଖୋଜୁଥିଲେ କି ନାହିଁ କେଜାଣି, ଜଣା ନଥିଲା କାହାକୁ.ବର୍ଷା ଋତୁ ଯାଇ ପୁଣି ଫେରୁଥିଲା ଗାଁକୁ କେତେ କାହାର ଠିକଣା ହଜେଇ.