ଅନିଲ କୁମାର

Tragedy Inspirational

3  

ଅନିଲ କୁମାର

Tragedy Inspirational

## ଦ୍ବିତୀୟ ବିବାହ ##

## ଦ୍ବିତୀୟ ବିବାହ ##

3 mins
250



--ବାହାଘରକୁ କିଛି ସମୟ ବିତି ଯାଇଥିଲା ଉଭୟଙ୍କର। ହେଲେ ସମ୍ପର୍କ ଆଉ ପୂର୍ବ ପରି ନ ଥିଲା ସ୍ୱାମୀ ସ୍ତ୍ରୀଙ୍କର। ପତ୍ନୀଙ୍କର ସେ ଗେଲବସରିଆ 'ଧନ' ଡାକ ବା ସ୍ୱାମୀଙ୍କ 'ଗେଲୁ' ଡାକ ପ୍ରାୟ ଆଉ ନଥିଲା । 

--ଅଫିସରେ ବେଶୀ କାମ ଅଛି କହି ଛ’ଟା ଯାଗାରେ ରାତି ଦଶଟାରେ ଘରକୁ ଫେରିବା କିଛି ଠିକ୍‌ ଠିକ୍‌ ଲାଗୁନଥିଲା ଘରଣୀଙ୍କୁ। ଆହୁରି ସ୍ୱାମୀଙ୍କର ଅଫିସରଙ୍କୁ ମନେଇବା ପାଇଁ ଲେଟ ନାଇଟ୍‌ ପାର୍ଟି, ମହିଳାଙ୍କ ସହ ସୋସିଆଲ୍ ମିଡିଆରେ ବନ୍ଧୁତ୍ୱ ଆଉ ଟ୍ରେନିଂ କଥା କହି ବାହାରେ ରାତ୍ରୀଯାପନ ମଧ୍ୟ କିଛି ଠିକ୍‌ ଲାଗୁନଥିଲା ସ୍ତ୍ରୀଙ୍କୁ। ଏମିତି ବି ଥରେ ଥରେ ସ୍ତ୍ରୀ ଡେରିରେ ଆସିବା କାରଣରୁ କବାଟ ଭିତରୁ ବନ୍ଦ କରିଦିଅନ୍ତି ସେ । ଆଉ ବିଚରା ସ୍ୱାମୀ ଲୋକ ଲଜ୍ଜା ଭୟରେ ବାହାରେ ଶୁଏ ପଛେ କିଛି କହି ପାରେନା।

--ସ୍ତ୍ରୀଙ୍କ ଇଚ୍ଛା ଯେତିକି ସମୟ ସ୍ୱାମୀ ଘରେ ରହିବେ, ସେତିକି ସମୟ ସେ ତାଙ୍କ ସହ କେବଳ ବିତେଇବାକୁ ବାଧ୍ୟ। ଏ କଥା ବି ସତ। ହେଲେ ସ୍ୱାମୀ କେବେ କେବେ ଅଫିସ୍‌ର କାର୍ଯ୍ୟ ଭାର ବା ଥକାପଣ ପାଇଁ ସମୟ ଦେଇ ପାରୁ ନ ଥିଲେ ସ୍ତ୍ରୀଙ୍କୁ । ତେଣୁ ଅନେକ ସମୟରେ ଝଗଡା ହେବା ସ୍ୱାଭାବିକ । ଆରୋପ ପ୍ରତ୍ୟାରୋପର ଧାରା ଶେଷ ହୁଏନି। ଏମିତି କେତେଥର ନ ଖାଇ ନ ପିଇ ଦୁହେଁ ଅଲଗା ଅଲଗା ରୁମରେ ଶୁଅନ୍ତି । 

--ବାହାଘରର ଆଠ-ଦଶ ମାସରେ ଏ ସମ୍ପର୍କ ତୁଲାଇବାରେ ନିଜକୁ ଅସମର୍ଥ ଭାବି ସ୍ତ୍ରୀ ଡିଭୋର୍ସ ପେପର୍‌ ଆଣି ରଖିଦେଲେ ସ୍ୱାମୀଙ୍କ ଆଗରେ ଆଉ ବାପଘରକୁ ଚାଲିଗଲେ ।

***

--ସମୟ ଅତିବାହିତ କରିବାକୁ ସ୍ତ୍ରୀ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ହୋଇଗଲେ। କିଛିଦିନ ଭିତରେ ଫେସବୁକରେ ଦେଖାଗଲା ସେ ସୁନ୍ଦରୀ ଓ ଡିଭୋର୍ସ ପରେ ସିଙ୍ଗଲ୍‌ ଅଛନ୍ତି ଜାଣିଲା ପରେ ଅନେକ ପୁରୁଷ ଚାଟିଂ,ଡେଟିଂ ଓ ଅଶ୍ଳୀଳ ବାର୍ତ୍ତାଳାପ ଆଦିର ଅଫର କରନ୍ତି । ହେଲେ ନା ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ହୃଦୟରୁ ବାହାର କରି ପାରନ୍ତି ଓ ନା ସେ ଅନ୍ୟ କାହାକୁ ଆପଣେଇ ପାରନ୍ତି । ଅନୁତାପରେ ଜର୍ଜରିତ ହୋଇ ତାଙ୍କ ସ୍ୱାମୀଙ୍କ କଥା ଖାଲି ମନେ ପକାନ୍ତି।

-- ଆଇନାରେ ନିଜ ଚେହେରା ଦେଖିଲେ, ସ୍ୱାମୀଙ୍କ କଥା ମନେ ପଡିଯାଏ, କାରଣ ତାଙ୍କ ସ୍ୱାମୀ କୁହନ୍ତି ସେ ଏତେ ସୁନ୍ଦର ଯେ ଆଇନା ବି ତାଙ୍କୁ ଦେଖି ଲାଜେଇ ଯିବ। ଆଉ ଆଖି ଲୁହ ଯେତେବେଳେ ଓଠରେ ମିଶି ଯାଏ ମନେ ପଡିଯାଏ ସେ ପ୍ରଥମ ରାତିର ଗହନ କଥା । 

--ତେଣେ ବିରହ ଜ୍ୱାଳାରେ ମଧ୍ୟ ସ୍ୱାମୀଙ୍କ ହୃଦୟରୁ ସ୍ତ୍ରୀର ନିଶା ଓହରୁ ନ ଥିଲା ।ସ୍ତ୍ରୀଙ୍କର ଅନାବିଳ ସ୍ନେହ, ଅତୁଳନୀୟ ପ୍ରେମ, ସେବା ଆଦର ଆଦି ମନେ ପକାଇ ସେ ଝୁରି ହେଉଥାଆନ୍ତି ।

*** 

-- ଏମିତି କିଛିଦିନ ବିତିଗଲା। ବାହାଘରର ପ୍ରଥମ ଏନିଭର୍ସରି ହୋଇଥାଏ ସେ ଦିନ । ସ୍ୱାମୀଙ୍କ କଥା ଅନେକ ମନେ ପଡୁଥାଏ ସ୍ତ୍ରୀଙ୍କର । ମନେପଡି ଯାଉଥାଏ ଲକ୍ଷେଶ୍ୱର ମନ୍ଦିର ପାଖ କଦମ୍ବ ଗଛର ସେ ଛାଇ ଯେଉଁଠି ତାଙ୍କୁ ତାଙ୍କ ସ୍ୱାମୀ ପ୍ରେମ ବିବାହ ପାଇଁ ପ୍ରଥମେ ପ୍ରପୋଜ୍‌ କରିଥିଲେ । ପୁରୁଣା ସ୍ମୃତି ଓ ସ୍ୱାମୀଙ୍କ କୋଳକୁ ଫେରି ଯିବାକୁ ଇଚ୍ଛା ହେଉଥିଲା ସ୍ତ୍ରୀଙ୍କର । ହୃଦୟ ଉପରେ କାବୁ ନ ପାଇ ପାରି ଚାଲି ଯାଇଥିଲେ ପୁଣିଥରେ ସେହି ଜାଗାକୁ । 

-- ସେହି ଗଛ ମୂଳରେ ଠିଆ ହୋଇ ପୁରୁଣା କଥା ଭାବୁ ଭାବୁ ଦି ଠୋପା ଲୁହ ଗଡି ଆସିଲା ସ୍ତ୍ରୀଙ୍କ ଆଖିରୁ । ଆଉ ଅଭିମାନୀ ହୃଦୟ ଭାବୁଥିଲା- 'ତାଙ୍କ ସ୍ୱାମୀ ଆଜି ଏଠିକି ଆସନ୍ତେ କି !'

--ଆଖିରୁ ଲୁହ ପୋଛି ଫେରିଯିବାକୁ ବାହାରନ୍ତେ ତାଙ୍କ ନଜର ପଡିଲା ମନ୍ଦିରର ଅନତି ଦୂରରେ ତାଙ୍କ ସ୍ୱାମୀ ଠିଆ ହୋଇଛନ୍ତି। ସ୍ୱାମୀଙ୍କ ଅବସ୍ଥା ମଧ୍ୟ ସ୍ତ୍ରୀଙ୍କ ପରି ଥିଲା ।ଆଖିରେ ଲୁହ, ହୃଦୟରେ ଅନାସକ୍ତ ପ୍ରେମର କୋହ ।

--ସ୍ୱାମୀ ଜଣକ ମଧ୍ୟ ପୁରୁଣା ସ୍ମୃତିକୁ ମନେ ପକାଇବାକୁ ଆସିଥିଲେ ତାଙ୍କ ପ୍ରେମର ସାକ୍ଷୀ ଥିବା ମନ୍ଦିରର କଦମ୍ବ ମୂଳର ଛାଇକୁ । ସ୍ୱାମୀଙ୍କ ମନରେ ମଧ୍ୟ ଥାଏ ସମାନ ଆଶା ''ଫେରି ଆସନ୍ତା କି ସେ? ଆଉ ପୁଣିଥରେ ଦେଖା ହୁଅନ୍ତା କି?'' 

--ହଠାତ୍ ଦୁହେଁ ଆମନା ସାମନା ହେଇଗଲେ ଓ ସ୍ତ୍ରୀଙ୍କ ଆଖିରେ ଆଖି ମିଶିଲା ପରେ ସ୍ୱାମୀଙ୍କ ଆଖିରୁ ଝରି ଚାଲିଲା ଅବିଶ୍ରାନ୍ତ ଅଶ୍ରୁର କୋହଗ୍ରସ୍ତ ଧାରା।

--ସ୍ୱାମୀଙ୍କ ଅବସ୍ଥାରୁ ସ୍ତ୍ରୀ ସ୍ପଷ୍ଟ ଜାଣି ପାରିଥିଲେ ଏ ଲୁହ ମିଛ ନୁହେଁ, ଏ ପ୍ରେମ ଛଳନା ନୁହେଁ। ସ୍ୱାମୀଙ୍କ ଆଖିରୁ ଝରି ପଡୁଥିବା ଲୁହ ଟୋପା ତାଙ୍କୁ ଆଉ ବୁଝିବାକୁ ଅସୁବିଧା ହେଲାନି ଯେ “ଡେରିରେ ଅଫିସରୁ ଫେରିବା କେବଳ ତାଙ୍କ ସ୍ୱାମୀଙ୍କ ମଜବୁରି ଥିଲା ଇଚ୍ଛା ନୁହେଁ"

 --ଆଉ ନିଜକୁ ସମ୍ଭାଳି ପାରିନଥିଲେ ସ୍ତ୍ରୀ । ସ୍ୱାମୀଙ୍କ ନିକଟକୁ ଯାଇ ପଚାରିଲେ “କେମିତି ଅଛ ?” ସ୍ୱାମୀ କିଛି କହି ପାରି ନ ଥିଲେ । ସିଧା କୁଣ୍ଢେଇ ପକାଇଥିଲେ ନିଜ ସ୍ତ୍ରୀକୁ । ଆଲିଙ୍ଗନ କିଛି ସେକେଣ୍ଡରୁ କେତେ ମିନିଟ ହୋଇଗଲା ଜଣା ପଡିଲା ନାହିଁ । 

--ସ୍ତ୍ରୀଙ୍କୁ ସେଠାରେ ଦେଖି, ସ୍ତ୍ରୀ ନିମନ୍ତେ ଥିବା ଧାରଣା ଭୁଲ ବୋଲି ହୃଦୟଙ୍ଗମ କରି ନେଇଥିଲେ ସ୍ୱାମୀ ଆଉ ନିଜକୁ ପ୍ରଶ୍ନ କରୁଥିଲେ "ଅର୍ଥ ଉପାର୍ଜନ ପାଇଁ କିଛିଟା ଭୁଲ ବୁଝାମଣା ହୋଇଗଲା ଓ କଣ ଏତିକିରେ ହୃଦୟର ଡୋର ଛିଡ଼ିଯିବ?"

-- ସ୍ତ୍ରୀ ନିଜ ହାତରେ ସ୍ୱାମୀଙ୍କ ଆଖିରୁ ଲୁହ ପୋଛି ଦେଇ ପଚାରିଲେ 'ଧନ, ଆମେ ଆଉଥରେ ବାହା ହେବ କି ?'

--ଆଉ କାଳ ବିଳମ୍ବ ନ କରି ଦୌଡିଯାଇ ତୁରନ୍ତ ମନ୍ଦିରରୁ ଠାକୁରଙ୍କ ସିନ୍ଦୂର ଆଣି ସ୍ତ୍ରୀ ମଥାରେ ଲଗାଇଦେଲେ ସ୍ୱାମୀ । 

--ବହୁତ ହସିଲେ ଦୁଇ ଜଣ। କାରଣ ଏମିତି ବାହାଘର ବୋଧେ ଆଉ କାହାର ହୋଇ ନ ଥିବ। ବିବାହ ବାର୍ଷିକୀରେ ପୁନଃ ବିବାହ !

--ଏହିପରି ଭାବେ ସ୍ୱାମୀ ପୁନଃ ବିବାହ କରିନେଲେ ନିଜ ସ୍ତ୍ରୀ ସହିତ । ଦୁଇଟି ହୃଦୟ ପୁଣି ଏକା ହୋଇଗଲା। କିନ୍ତୁ ବିବାହ ଭୋଜିଟା ବାକି ରହିଛି !




Rate this content
Log in

Similar oriya story from Tragedy